Unknown

 

 

 

 

 

 

 

 

 

 

 

ଅସ୍ତସୂର୍ଯ୍ୟର ଛାଇ

ଦଶରଥ ସାମଲ

 

 

 

 

 

 

 

 

 

 

ଉତ୍ସର୍ଗ

 

ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଏମ୍‌. ପି.ଙ୍କୁ.......

 

–ଲେଖକ

 

କହିବାର କଥା

 

ଗଳ୍ପ ଓ ଉପନ୍ୟାସ ବହିରେ ଲେଖକର ମୁଖବନ୍ଧ ଯେ ରହିବା ନିତାନ୍ତ ଆବଶ୍ୟକ, ଏ ବିଷୟରେ ମୁଁ ଆଦୌ ସହମତ ନୁହେଁ । ଏଥିପାଇଁ ମୁଁ କେବେହେଲେ ମୋର କୌଣସି ବହିରେ ମୁଖବନ୍ଧ ଲେଖିନାହିଁ ବା ଲେଖିବାର ପ୍ରୟୋଜନୀୟତା ସମ୍ପର୍କରେ ଏକ ଅନ୍ତରଙ୍ଗ ନିବିଡ଼ତା ଆଦୌ ଉପଲବ୍‌ଧି କରିନାହିଁ । କିନ୍ତୁ ଏ ବହିର ପ୍ରକାଶକଙ୍କ ବାରମ୍ବାର ଅନୁରୋଧ ‘ଆପଣ କିଛି ଲେଖନ୍ତୁ’ର ଅଲଂଘନୀୟ ଓ ଦୂରନ୍ତ ଚାପ ଫଳରେ ମତେ ମୋର ବ୍ୟକ୍ତିଗତ ରୁଚି ଓ ନୀତିର ବ୍ୟତିକ୍ରମ ଘଟାଇବାକୁ ପଡ଼ିଲା । ପାଠକମାନେ ମତେ ସର୍ବପ୍ରଥମେ ଏଥିପାଇଁ କ୍ଷମା ଦେବେ ବୋଲି ଆଶା କରୁଛି ।

 

ମୁଁ ଯେଉଁଦିନଠାରୁ ସଚେତନ ହେଲି, ସେଦିନ ଠାରୁ ଆମ ସମାଜର ଅସଂଖ୍ୟ ମଣିଷ, ସେମାନଙ୍କର ଜୀବନଯାତ୍ରା, ଦୁଃଖ, ବେଦନା, ଅତ୍ୟାଚାର, ଆନନ୍ଦ, ଅଶ୍ରୁ, ପ୍ରତାରଣା, ଛଳନା, ସ୍ୱାର୍ଥପରତା, ଅଭାବ, ପ୍ରେମ, ବିରହ ଓ ବ୍ୟର୍ଥତା ସବୁକୁ ପ୍ରତ୍ୟକ୍ଷ କରି କରି ଏବଂ ସେହିସବୁ ବ୍ୟକ୍ତି ଓ ଚରିତ୍ରମାନଙ୍କ ଚିହ୍ନିବାର ସୁଯୋଗ ଲାଭ କରି ଏକ ବିଚିତ୍ର, ବେଦନାବଦ୍ଧ, ଅଶ୍ରୁଳ ଓ ଉଲ୍ଲସିତ ଅଭିଜ୍ଞତା ମୁଁ ଅର୍ଜନ କରିଛି । ଗୋଟିଏ ନିର୍ଦ୍ଦିଷ୍ଟ ପରିବେଶ, ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ସେହି ବ୍ୟକ୍ତିର ବିପୁଳ, ବିସ୍ତୀର୍ଣ୍ଣ ଓ ବ୍ୟାପକ ଜୀବନ ବୃତ୍ତାନ୍ତ ମଧ୍ୟରୁ ଏକ ଖଣ୍ଡିତାଂଶ-ଯାହା ମୋର ଅବବାଧକୁ ବାରବାର ଆଲୋଡ଼ିତ ଓ ସ୍ପନ୍ଦିତ କରିଥାଏ, ତାହା ହିଁ ହୁଏ ମୋ ଗଳ୍ପର ଉପଜୀବ୍ୟ ଓ ପ୍ରାଣବିନ୍ଦୁ । ଯେଉଁସବୁ ବ୍ୟକ୍ତି, ଧର୍ମ, ନୀତିବାଦ, ସାଧୁତା, ସଚ୍ଚରିତ୍ରତା ଉପନିଷଦୀୟ ବାଣୀ ଶୁଣାଇ ସେ ସବୁର ବିରୁଦ୍ଧା ଚରଣ କରିବା ସଙ୍ଗେ ସଙ୍ଗେ ସମାଜ ଓ ବ୍ୟକ୍ତିକୁ ପ୍ରତାରିତ କରିବା ଲାଗି ଏକ ଭଦ୍ର ଖୋଳପା ପିନ୍ଧିଥାନ୍ତି, ସେମାନଙ୍କ ଅସଲ ଆତ୍ମାକୁ ଚିହ୍ନିବାରେ ଓ ସେମାନଙ୍କ ସମ୍ପର୍କରେ ଅଧିକତର ଭାବରେ ଜାଣିବା ପାଇଁ ମୁଁ ଏକାନ୍ତ ନୀରବରେ ଚେଷ୍ଟା କରିଥାଏ । ଏଥିପାଇଁ ବେଳେବେଳେ ମୋର ପାଠକମାନେ ମୋ ଉପରେ ବିରକ୍ତ ହୁଅନ୍ତି ଏବଂ ଅପରପକ୍ଷରେ ମତେ ଅଭିନନ୍ଦନ ଜଣାଇ ପତ୍ର ମଧ୍ୟ ଲେଖିଥାନ୍ତି ।

 

ସାହିତ୍ୟରେ କିମ୍ବା ଗଳ୍ପ ଲେଖିବାର କଳାକୁ କୌଣସି ଆଦର୍ଶବାଦ ମଧ୍ୟରେ ସୀମିତ କରିବା ସପକ୍ଷରେ ମୁଁ ନାହଁ । ଆମର ବିଚିତ୍ର ସମାଜ ଏବଂ ବ୍ୟକ୍ତି ହେଉଛନ୍ତି ମୋ ଗାଳ୍ପିକ ଜିବନରେ ଏକ ବିଶାଳ ଓ ଅସରନ୍ତି ରଙ୍ଗମଞ୍ଚ । ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କ ପାଇଁ ମୁଁ କେବେ ଗଳ୍ପ ଲେଖେନାହିଁ । ଶୋଷଣ, ଅନ୍ୟାୟ, ଅତ୍ୟାଚାର ଓ ପୀଡ଼ନ ବିରୁଦ୍ଧରେ ମୁଁ ତିଳେ ତିଳ କ୍ରୁଶବିଦ୍ଧ ହୁଏ ।

 

ଗଳ୍ପର ଆତ୍ମା ଓ ବୈଚିତ୍ର୍ୟ ହେଉଛି ତାହାର ‘କାହାଣୀ’ ବିଭାବ । ବିନା ବୈଚିତ୍ର୍ୟ ଓ କାରିଗରୀରେ ଏକ ସଫଳ ଗଳ୍ପ ସମ୍ଭବ ହୁଏ ନାହିଁ । ଆଙ୍ଗିକ ଅପେକ୍ଷା ମୁଁ ଗଳ୍ପର ଆତ୍ମିକ ବିକାଶ ସମ୍ପର୍କରେ ଅଧିକ ସଚେତନ । କିନ୍ତୁ ଅତିକଥନ ବା ବର୍ଣ୍ଣନାବାହୁଲ୍ୟ ଶୈଳୀକୁ ମୁଁ ଗଳ୍ପର ଆତ୍ମିକ ବିଭାଗର ଏକ ଅଂଶ ବୋଲି ଭାବେନାହିଁ । ଗଳ୍ପରେ କଥନ ଭଙ୍ଗୀର ସଂଯମତା ବ୍ୟାବହାରିକ ଶବ୍ଦ ପ୍ରୟୋଗକୁ ଅଧିକ ପସନ୍ଦ କରେ ଏବଂ ବ୍ୟଞ୍ଜନା ସୃଷ୍ଟି କରିବାକୁ ଭଲ ପାଇଥାଏ । ମାତ୍ର ଏ ସମସ୍ତ ପ୍ରତୀକ ବ୍ୟଞ୍ଜନା ଓ ଧ୍ୱନି ଅନୁଭୂତିସିଦ୍ଧ ଚେତନାର ପ୍ରତିଫଳନ ମାତ୍ର । ଶୁଣାକଥାର ରୋମାକଞ୍ଚର କାହାଣୀ ଯେତେ ଚିତ୍ତ ଆଲୋଡ଼ନକାରୀ ହେଲେ ମଧ୍ୟ ସେ ସବୁକୁ ମୁଁ ଆଧାର କରି ଗଳ୍ପ ଲେଖେନାହିଁ । ମୋ ଗଳ୍ପମାନଙ୍କର ଲୋକପ୍ରିୟତା ପାଇଁ ମୋର କୌଣସି ଗୋଷ୍ଠୀ, ପ୍ରଶଂସକ ବା ସ୍ତାବକ ନାହାନ୍ତି । ମୁଁ କୌଣସି ସାହିତ୍ୟକ ସଙ୍ଗଠନରେ ସଂପ୍ରତି ନାହିଁ । ମୁଁ ଏକାକୀ ଲେଖୁଛି ଓ ନିଃସଙ୍ଗ ଭାବରେ ଏ ପୃଥିବୀକୁ ଦେଖିବାରେ ଆନନ୍ଦ ଲାଭ କରୁଛି ।

 

ଏ ବହିଟିର ପ୍ରକାଶ ଦିଗରେ ଶ୍ରୀମାନ୍‌ ଖାରବେଳ ସ୍ୱାଇଁ, ଶିଳ୍ପୀ ବନ୍ଧୁ ଉଦୟ ନାରାୟଣ ଜେନା ଓ ମୋର ଝିଅ କୁମାରୀ କ୍ଷମାମୟୀ ମତେ ନାନାଦିଗରୁ ଉତ୍ସାହିତ ଓ ସାହାଯ୍ୟ କରିଥିବାରୁ ମୁଁ ଏ ସମସ୍ତଙ୍କୁ ସାଧୁବାଦ ଜଣାଉଛି ।

 

ଭୁବନେଶ୍ୱର

ଲେଖକ

Image

 

ସୂଚୀପତ୍ର

 

୧.

ବିପ୍ଳବର ଅନ୍ୟ ନାମ

୨.

ଗୋଟିଏ ଅବହେଳିତ କଚା ସଡ଼କ ସମ୍ପର୍କରେ

୩ .

ଅସ୍ତ ସୂର୍ଯ୍ୟର ଛାଇ

୪.

ବନ୍ଦୀର ଆତ୍ମକଥା

୫.

ଶୋଭା ନାନୀ

୬.

ମଧ୍ୟାହ୍ନର ସୂର୍ଯ୍ୟ

୭.

ନିର୍ମୋକ

୮.

ରଜର ଶବ

୯.

ତୃତୀୟ ପୁରୁଷ

୧୦.

ବନ୍ୟ

୧୧.

ମଙ୍ଗଳା ଡିହ

୧୨.

ଘର ନମ୍ବର ୩୧/୮

୧୩.

ଯଶୋଦାର ଭିନ୍ନ ରୂପ

୧୪.

ପୋଡ଼ା ବକୁଳର ଗନ୍ଧ

Image

 

ବିପ୍ଳବର ଅନ୍ୟନାମ

 

ସୁବର୍ଣ୍ଣପୁର ହରିଜନ ବସ୍ତିରୁ ସେଦିନ ହଠାତ୍‌ ଗୋଟିଏ ଶୋଭାଯାତ୍ରା ବାହାରି ଗାଁ ଶେଷମୁଣ୍ଡ ପଡ଼ିଆ ଦିଗଦାଣ୍ଡିରେ ଅଟକିଗଲା । ସେଇ ଶୋଭାଯାତ୍ରାରେ ଯେଉଁସବୁ ସ୍ଳୋଗାନ୍‌ ଦିଆ ଯାଉଥିଲା, ତାହାର ଧ୍ୱନି କ୍ରମଶଃ ସାରା ଗାଁକୁ ସଂକ୍ରମିତ କଲା ।

 

ଦିଗଦାଣ୍ଡି ପଡ଼ିଆରେ ଏକ ନାଲି ରଙ୍ଗର ପତାକା ଜ୍ୟେଷ୍ଠ ମାସର ସକାଳ ପବନରେ ପ୍ରଥମଥର ଉଡ଼ୁଥିବାର ଦେଖି ଗାଁ ଲୋକେ ଆଚମ୍ବିତ ହୋଇଗଲେ ।

 

ଦିଗଦାଣ୍ଡି ପଡ଼ିଆଟି କେଉଁ ଅନାଦି କାଳରୁ ଅନାବାଦୀ ଭାବରେ କୁମ୍ଭକର୍ଣ୍ଣ ପରି ନିଦ୍ରା ଯାଇଛି । ଏଇ ପଡ଼ିଆଟିର କ୍ଷେତ୍ରଫଳ ଲୋକମୁଖରେ ଥିଲା ବାରବାଟୀ ବାରମାଣ ବାରଗୁଣ୍ଠ ଓ ବାରବିଶ୍ୱା । ଫଳରେ ସୁବର୍ଣ୍ଣପୁର ନୁହେଁ, ମଣ୍ଡାସାହୀ, ବଂଶୀପୁର ଓ ଇଶାନପଡ଼ା ପ୍ରଭୃତି ଗାମାନଙ୍କର ଗୋରୁମାନେ ଏଇ ପଡ଼ିଆରେ ଘାସ ଚରି ବଞ୍ଚିଥାନ୍ତି ।

 

ସୁବର୍ଣ୍ଣପୁର ଏକ ବନ୍ୟାପ୍ଳାବିତ ଅଞ୍ଚଳ । ବର୍ଷାଦିନେ ସେଇ ଗାଁ ପାଖକୁ ଲାଗି ଯେଉଁ ଛୋଟ ‘କାଣୀ’ ନଇଟି ବହିଯାଇଛି, ବନ୍ୟା ଆସିଲେ ତା’ର ଛାତି ଫୁଲି ଉଠେ ଓ ସୁବର୍ଣ୍ଣପୁର, ମଣ୍ଡାସାହୀ, ବଂଶୀପୁର ଓ ଇଶାନପଡ଼ା ପ୍ରଭୃତି ଗାଁକୁ ଲାଗି ଯେଉଁ ଶହ ଶହ ଏକର ଜମି ଦେଖାଯାଉଛି, ତାହା ସବୁ ହୋଇଯାଏ ଚିଲିକା ପରି ଛଇଳ । ତେଣୁ ଏଇସବୁ ଗାଁର ଲୋକେ ଗୋରୁମାନଙ୍କୁ ବର୍ଷାଦିନେ ଦିଗଦାଣ୍ଡିରେ ଛାଡ଼ି ବଞ୍ଚାଇଥାନ୍ତି ।

 

ସେଦିନ ଜ୍ୟେଷ୍ଠ ସକାଳରେ ଗୋଟିଏ ନାଲି ରଙ୍ଗର ପତାକା ଫର ଫର ହୋଇ ଉଡ଼ିବା ପରେ, ସ୍ଳୋଗାନ୍‌ର ମନ୍ଦ୍ରଧ୍ୱନି କ୍ରମଶଃ ଶିଥିଳ ପଡ଼ିଗଲା । ଶୋଭାଯାତ୍ରାକାରୀମାନେ ତା’ପରେ ଚୁପ୍‌ ଚାପ୍‌ ବସି ପଡ଼ିଲେ ବୃତ୍ତାକାରରେ ତଳେ । କେହି ଜଣେ ବ୍ୟକ୍ତି ଜ୍ୱାଳାମୟୀ ଭାଷାରେ ଅନର୍ଗଳ ବତ୍କୃତା ଦେଉଥିଲେ ବହୁ ସମୟ ଧରି ଏବଂ ମଝିରେ ମଝିରେ ସେହିସବୁ ସମବେତ ଶ୍ରୋତାମାନେ କରତାଳି ଦେଉଥିଲେ ଗଭୀର ଉତ୍ସାହରେ । ପଡ଼ିଆଟି ଥିଲା ସୁବର୍ଣ୍ଣପୁଠାରୁ ଦୁଇ ଫର୍ଲଙ୍ଗ ଦୂରରେ । ଯେତେବେଳେ ନାଲି ପତାକାଟିଏ ଉଡ଼ିବାର ଗାଁ ଲୋକେ ଲକ୍ଷ୍ୟକଲେ ସେତେବେଳେ ସେମାନେ ଭାବିଲେ ସମ୍ଭବତଃ କେହି ଜଣେ ବାଆଜୀ ଆସି ଧର୍ମ ସମ୍ପର୍କରେ ବୁଝାଉଛନ୍ତି ଓ ହରିଜନ ବସ୍ତିର ଲୋକେ କୀର୍ତ୍ତନ କରିବାକୁ ଆସିଛନ୍ତି ।

 

ଗାଁ ଲୋକଙ୍କ ଭିତରୁ କେହି କେହି କୌତୂହଳୀ ହୋଇ ନାଲି ପତାକା ପୋତାଯାଇଥିବା ଦିଗଦାଣ୍ଡି ପଡ଼ିଆକୁ ଚାଲିଯାଇଥିଲେ ଓ ସେହି ଧର୍ମ-ଅବତାରଙ୍କ ଅଗ୍ନିବର୍ଷୀ ଭାଷଣ ଶୁଣିଥିଲେ । ସେହି ଘଟଣାଠାରୁ ସୁବର୍ଣ୍ଣପୁର ଗାଁରେ ଚାଲିଲା ଫୁସୁର ଫାସର ଓ ଗାଁ ଗୋଟାକଯାକ ଏକ ଗୁମ୍‌ସୁମ୍‌ ବାୟୁମଣ୍ଡଳରେ ଛାଇ ହୋଇଗଲା ।

 

ଏଇ ଘଟଣାର ଦୁଇଦିନ ପରେ ଜ୍ୟେଷ୍ଠର ପ୍ରଚଣ୍ଡ ଗୁଳୁଗୁଳି ଓ ଅସହ୍ୟ ତାତିକୁ ଭାଙ୍ଗି ଦେଇ ଖୁବ୍‌ ଜୋର୍‌ରେ ଦିନେ ରାତିରେ ବଡ଼ ଧରଣର ଅସରାଏ ବର୍ଷା ହୋଇଗଲା ।

 

ବର୍ଷା ହେବାର ଠିକ୍‌ ପରଦିନ ସକାଳେ ଦେଖାଗଲା ଯେ ହରିଜନ ସାହିର ପ୍ରାୟ କୋଡ଼ିଏ ଜଣ ହଳିଆ କୋଡ଼ିଏ ହଳ ବଳଦ ବୁଲାଇ ଦିଗଦାଣ୍ଡି ପଡ଼ିଆକୁ ଚାଷ କରିବାରେ ଲାଗିଛନ୍ତି ।

 

ପଡ଼ିଆଟି କେଉଁ ଅନାଦିକାଳରୁ ରହିଥିଲା ଅନାବାଦୀ ହୋଇ । ତା’ରି ପିଠି ଉପରେ ଲଙ୍ଗଳର ଫାଳ ବାଜି ବିଦୀର୍ଣ୍ଣ ହୋଇଯାଉଛି ଭୂଇଁ । ମାତ୍ର ସାଧାରଣ କ୍ଷେତ ଜମିରେ ଲଙ୍ଗଳର ଫାଳ ଯେପରି ପଶିଯାଏ ଭିତରକୁ ଦିଗଦାଣ୍ଡି ପଡ଼ିଆର ପିଠିରେ ଲଙ୍ଗଳ ଫାଳ ଅବଶ୍ୟ ସେପରି ଭିତରକୁ ଦବି ଯାଉ ନଥିଲା । ନୂଆକରି ଜମି ଆବାଦ କରୁଥିବା ଓ ନୂଆକରି ଜମିର ପ୍ରାକୃତିକ ମାଲିକ ହେବାକୁ ଯାଉଥିବା ଜନିତ ଏକ ଆତ୍ମପ୍ରତ୍ୟୟର ଅସୁମାରି ଉଲ୍ଲାସରେ ହରିଜନ ଚାଷୀମାନେ ଲଙ୍ଗଳର କଣ୍ଟି ଉପରେ ସେମାନଙ୍କର ମୁଠିମାନଙ୍କୁ ଆହୁରି ଜୋରଦାର କରୁଥିଲେ ।

 

ସେଦିନ ଯେଉଁ ମହାନ୍‌ ପୁରୁଷଟି ଜ୍ୱାଳାମୟୀ ବତ୍କୃତା ଦେଇ ଭୂମିହୀନ ଚାଷୀମାନଙ୍କୁ ଭୟଙ୍କର ଭାବରେ ଉତ୍ସାହିତ ଓ ଉତ୍ତେଜିତ କରିଥିଲେ, ସେହି ମହାତ୍ମାଜଣକ ବସିଛନ୍ତି ଦିଗଦାଣ୍ଡିର ଏକ ଉଚ୍ଚ ଆଡ଼ି ଉପରେ । ସେଦିନ ଯେଉଁ ସ୍ଥାନରେ ନାଲି ରଙ୍ଗର ପତାକାଟିଏ ଫର ଫର ହୋଇ ଉଡ଼ୁଥିଲା, ସେ ପତାକାଟି ଆଜି ଆଡ଼ି କୁହାଯାଉଥିବା ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ ହୋଇଯାଇଛି ।

 

ସେଦିନ ସକାଳେ ଗାଁ ଲୋକେ ଯେତେବେଳେ ଦେଖିଲେ ଯେ ଦିଗଦାଣ୍ଡି ପଡ଼ିଆରେ କୋଡ଼ିଏ ହଳ ବଳଦ ଏକା ସାଙ୍ଗରେ ହଳ ହେଉଛନ୍ତି ଏବଂ ହରିଜନ ସାହୀର ଲୋକେ ସେଇସବୁ ହଳମାନଙ୍କୁ ବୁଲାଉଛନ୍ତି, ପ୍ରଥମଦିନ ନାଲି ରଙ୍ଗର ପତାକାଟିଏ ଉଡ଼ୁଥିବାର ଦେଖି ସନ୍ଧ୍ୟାବେଳେ ସାରା ଗାଁରେ ଯେଉଁ ଫୁସୁରୁ ଫାସର ଓ ଗୁମ୍‌ସୁମ୍ ଆବହାଓ୍ୱା ସୃଷ୍ଟି ହୋଇଥିଲା, ସେହି ବାତାବରଣ ଆଜି ଯେପରି ଅତ୍ୟନ୍ତ ପ୍ରଚଣ୍ଡ ହୋଇ ଉଠିଲା ।

 

ସେଦିନ ଗାଁ ଲୋକମାନଙ୍କ ମଧ୍ୟରେ ଅଚାନକ ଏକ ଆଲୋଡ଼ନ ସୃଷ୍ଟି ହେଲା ଗାଁରେ କେତେକ ଆଗୁଆ ଯୁବକ ଏହାର ତୀବ୍ର ପ୍ରତିବାଦ କରିବାକୁ ଆରମ୍ଭ କଲେ ଏବଂ ହରିଜନ ଚାଷୀମାନଙ୍କୁ ବାଧାଦେବାକୁ ସଜବାଜ ହୋଇ ବାହାରି ପଡ଼ିଲେ ।

 

ସୁବର୍ଣ୍ଣପୁରର ବୟସ୍କ ଲୋକ ଦୁର୍ଯ୍ୟୋଧନ ମଙ୍ଗରାଜ ଉତ୍ତେଜିତ ଯୁବକମାନଙ୍କୁ କ୍ରୋଧରୁ ନିବୃତ୍ତ ହେବାଲାଗି ପରାମର୍ଶ ଦେଲେ । ସେଦିନ ସନ୍ଧ୍ୟାବେଳେ ତିନୋଟି ଗାଆଁର ସବୁ ଅଣ-ହରିଜନମାନଙ୍କର ସଭା ହେଲା । ଦୁର୍ଯ୍ୟୋଧନ ବୁଝାଇଲେ–ସେମାନେ ସବୁ ଗରିବ ଶ୍ରେଣୀର ଲୋକ । ତମମାନଙ୍କ ଘରେ ମୂଳ ମଜୁରୀ ଲାଗି ସେମାନେ ପେଟ ପୋଷନ୍ତି । ଜମିବାଡ଼ି ଟଙ୍କା ପଇସା ପାଇଁ କାହାର ଲୋଭ ନାହିଁ ? ଭଗବତୀପୁରର ସେଇ ଯେଉଁ ନେତା, ଚାଷୀ ମୂଲିଆ ଓ ଖଟିଖିଆଙ୍କ ଦୁଃଖପାଇଁ ଯାହାଙ୍କ ଅନ୍ତର ବରାବର କାନ୍ଦେ, ସେ ହେଉଛନ୍ତି ଏସବୁ ବିଭ୍ରାଟ ଓ ଗଣ୍ଡଗୋଳର ମୂଳକର୍ତ୍ତା । ଅଯଥାରେ ସେସବୁ ଗରିବ ଲୋକମାନଙ୍କୁ ହଇରାଣ କରି ଲାଭ କ’ଣ ?

 

ସଭାସ୍ଥଳରେ ହଠାତ୍ ଏକ ଅଖଣ୍ଡ ନୀରବତା ରାଜତ୍ୱ କରିବସିଲା । ଯେଉଁସବୁ ଉନ୍ମତ୍ତ ଯୁବକ ହରିଜନମାନଙ୍କୁ ଶାରୀରିକ ଆକ୍ରମଣ କରି ଏହି ଅନ୍ୟାୟର ପ୍ରତିରୋଧ କରିବାକୁ ଇଚ୍ଛା କରୁଥିଲେ ସେମାନେ ସବୁ ବସି ପଡ଼ିଲେ ଚୁପ୍‌ ଚାପ୍ ।

 

ସେମାନେ ଭାବୁଥିଲେ, ଦୁର୍ଯ୍ୟୋଧନ ମଙ୍ଗରାଜ ସତକଥା କହୁଛନ୍ତି । ହରିଜନ ବାପୁଡ଼ାଙ୍କର ହିମତ୍ ବା କେତେ ? ଯୁଗ ଯୁଗ ଧରି ସେମାନେ ପରଘରେ ମୂଲ ଲାଗି ପେଟ ପୋଷନ୍ତି । କିନ୍ତୁ ଏବେ ଦେଶସାରା କ’ଣ ଗୋଟାଏ ପଡ଼ିଯାଇଛି ହୁରି । ବଡ଼ ବଡ଼ ଚାଷୀମାନଙ୍କଠାରୁ ବଳକା ଜମି ବାହାରିଲେ, ସେସବୁ ଭୂମିହୀନମାନଙ୍କ ମଧ୍ୟରେ ବଣ୍ଟାଯିବ । ସେମାନେ ହେବେ ଅନ୍ୟମାନଙ୍କ ପରି ଜମିମାଲିକ । ଏଇଥିଲାଗି ସେମାନଙ୍କ ମଧ୍ୟରେ ଦେଖାଦେଇଛି ଅଦ୍ଭୁତ ଉତ୍ସାହ ଓ ଉଦ୍ଦୀପନା ।

 

କିନ୍ତୁ ସୁବର୍ଣ୍ଣପୁର ଏକ ବନ୍ୟା ବିଧ୍ୱସ୍ତ ଅଞ୍ଚଳ । ଆଖପାଖ ଦଶଖଣ୍ଡ ଗାଁ ଲୋକମାନଙ୍କ ଭିତରେ ଯେଉଁମାନଙ୍କୁ ବଡ଼ ଚାଷୀ ବୋଲି କୁହାଯାଏ, ସେମାନଙ୍କର ଜମି ସର୍ବୋଚ୍ଚ ଦଶ ଏକର ମଧ୍ୟରେ । ତାହା ପୁଣି ବନ୍ୟାରେ ଧୋଇଯାଏ ଏବଂ ତଥାକଥିତ ବଡ଼ଚାଷୀ ଶ୍ରାବଣ ଓ ଭାଦ୍ରବ ମାସରେ ଚାଉଳ ମଧ୍ୟ କିଣିଥାନ୍ତି ।

 

ଦୁର୍ଯ୍ୟୋଧନ କଥା ଶୁଣି ସାରିଲା ପରେ ଯୁବକମାନେ ପଚାରିଲେ-ତା’ହେଲେ ଆମେ କ’ଣ କରିବୁ, ଆମକୁ ବାଟ ବତାନ୍ତୁ ।

 

ସ୍ୱାଧିନତା ସଂଗ୍ରାମୀ ଓ ଭୂଦାନ କର୍ମୀ ଦୁର୍ଯ୍ୟୋଧନ କହିଲେ—ଅପେକ୍ଷା କର ! ସେମାନେ ପରବୁଦ୍ଧିରେ କେତେ ବାଟ ଚାଲୁଛନ୍ତି ଅପେକ୍ଷା କରି ଦେଖ । ଭୂମିହୀନଙ୍କୁ ତ ଜମି ଦେବା ଖୁବ୍ ଭଲକଥା । କିନ୍ତୁ ଏଥିପାଇଁ ଯେଉଁ ନୀତି ଓ ଭିତ୍ତି ରହିଛି ତାକୁ ଯଦି ଜଳାଞ୍ଜଳି ଦେଇ ଅନାବାଦୀ ଭଳି ଏକ ସର୍ବସାଧାରଣ ଜାଗାଁକୁ ଜବର ଦଖଲ କରି ଚାଷ କରାଯାଏ, ତେବେ ତ ଶାନ୍ତିଭଙ୍ଗର ଆଶଙ୍କା ବରାବର ରହିଛି । ଯୁଗ ଯୁଗ ଧରି ଯେଉଁ ଗାଁର ଲୋକେ ଶାନ୍ତି ଓ ନିରାପଦରେ କାଳ କାଟୁଥିଲେ ସେମାନଙ୍କ ଭିତରେ ବିଭେଦ ଓ ସଙ୍ଘର୍ଷ ସୃଷ୍ଟି କରିବାପାଇଁ ଚାଷୀ ମୂଲିଆ ଦଳର ଅଶ୍ୱିନୀ ପୂଜାରୀ ଏବେ ଜୋର୍‌ରେ ଲାଗିଛନ୍ତି ।

 

ଦୁର୍ଯ୍ୟୋଧନ ଏହି କଥା କହିଲାବେଳେ ତାଙ୍କ ମନ ଭିତରେ ଆସ୍ତେ ଆସ୍ତେ ସଞ୍ଚରି ଉଠୁଥିଲା ଅଶ୍ୱିନୀଙ୍କ କଥା । ସ୍ୱାଧୀନତା ସଂଗ୍ରାମବେଳେ ଅଶ୍ୱିନୀ ଥିଲେ ତାଙ୍କ ପରି ଜଣେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ । ତାଙ୍କ ସହିତ ଅଶ୍ୱିନୀ ମଧ୍ୟ ଜେଲ ଯାଇଥିଲେ । କିନ୍ତୁ ଜେଲ୍ ଭିତରେ ତାଙ୍କ ଦଳ ଛାଡ଼ି ସେ ହେଲେ ଚାଷୀ ମୂଲିଆ ଦଳର ସମର୍ଥକ । ଦେଶ ସ୍ୱାଧୀନତା ଲାଭ କରିବାର ପନ୍ଦର ଦିନ ପୂର୍ବରୁ ସେ ଜେଲ୍‌ରୁ ଖଲାସ ହେଲେ । ସେ ଆଉ ନିର୍ବାଚନ ରାଜନୀତିରେ ଅଂଶଗ୍ରହଣ ନ କରି ସମାଜର ଦଳିତ, ଦରିଦ୍ର ଓ ନିର୍ଯ୍ୟାତିତ ଜନସାଧାରଣଙ୍କ ସେବା ଲାଗି ଆଦରି ନେଲେ ଗଠନମୂଳକ ସର୍ବୋଦୟ କାମ । କିନ୍ତୁ ଅଶ୍ୱିନୀ ରହିଗଲେ ସେହି ଚାଷୀମୂଲିଆ ଦଳରେ ଏବଂ ଥରେ ବିଧାନସଭାକୁ ନିର୍ବାଚିତ ହେବାର ସୁଯୋଗ ମଧ୍ୟ ଲାଭ କରିଥିଲେ ।

 

ପରବର୍ତ୍ତୀ ପର୍ଯ୍ୟାୟରେ ଅଶ୍ୱିନୀକୁମାରଙ୍କ ରାଜନୈତିକ ଦଳ ସାରା ଭାରତରେ ଏକ ବିରୋଧୀ ବୈପ୍ଳବିକ ରାଜନୈତିକ ଦଳ ଭାବରେ ଗଢ଼ି ଉଠିଲା । ସମାଜର ଚାଷୀ, ମଜଦୂର ଓ ଖଟିଖିଆଙ୍କ ସ୍ୱାର୍ଥରକ୍ଷା ଲାଗି ଅଶ୍ୱିନୀଙ୍କ ଦଳ ଏକ ଟାଣୁଆ ଗଣ ସଂଗ୍ରାମ ଗଢ଼ି ତୋଳିଲା ।

 

ଧୀରେ ଧୀରେ ଏଇ ବିପ୍ଳବୀ ଦଳ ମଧ୍ୟରେ ଦେଖାଦେଲା ଏକ ବିଭେଦର ଫାଙ୍କ ସାରା ଦେଶର ଚାଷୀ ମୂଲିଆ ଦଳ ଦୁଇ ଭାଗରେ ବିଭକ୍ତ ହୋଇଗଲା । ଏହି ଦଳରେ ଯେଉଁମାନେ ଥିଲେ ଅଧିକ ସଂଗ୍ରାମୀ ଓ ବିପ୍ଳବୀ ସେମାନେ ମୂଳ ସଙ୍ଗଠନଠାରୁ ଅଲଗା ହୋଇ ଗଢ଼ି ବସିଲେ ଅନ୍ୟ ଏକ ଦଳ । ଖଟିଖିଆ ସଂଗ୍ରାମର ରଥଚକ୍ରକୁ ଆହୁରି ଗତିଶୀଳ କରିବାପାଇଁ ଏଇ ବିପ୍ଳବୀମାନେ ଜେଲ୍, ପ୍ରାଣପାତ ଓ ରକ୍ତକ୍ଷରିତ କରିବାକୁ ଅଗ୍ରାଧିକାର ଦେଲେ । ସେମାନେ ହେଲେ ସଂଗ୍ରାମୀ ଖଟିଖିଆ ଦଳର ପର୍ଯ୍ୟାୟଭୁକ୍ତ । କିନ୍ତୁ ଅପରଦଳଟି ରହିଗଲା ସେଇ ଚାଷୀ ମୂଲିଆ ଦଳ ହୋଇ । ଆପେକ୍ଷାକୃତ ସୁବିଧାବାଦୀ, ଜେଲ୍, ରକ୍ତପାତ, ଗଣସଂଗ୍ରାମଜନିତ ଶାରୀରିକ ଓ ମାନସିକ ଯନ୍ତ୍ରଣା ବରଣ କରିବାପାଇଁ ଯେଉଁମାନେ ଆନ୍ତରିକ ଭାବରେ ଭୟ କରୁଥିଲେ ଓ ସମାଜରେ ବୁର୍ଜୁଆପରି ଯେଉଁମାନେ ଜୀବନଯାପନ କରିବାକୁ ଅଧିକ ପସନ୍ଦ କରୁଥିଲେ ସେଇମାନେ ରହିଗଲେ ଏଇ ଦ୍ୱିତୀୟ ଦଳଟିରେ । ଅଶ୍ୱିନୀକୁମାର ସୁତରାଂ ଆଦରିନେଲେ ଦ୍ୱିତୀୟ ଦଳଟିକୁ ଆପଣା ବ୍ୟକ୍ତିଗତ ଜୀବନାଦର୍ଶ ଅନୁଯାୟୀ ।

 

ଚାଷୀ ମୂଲିଆ ଦଳଟି କ୍ରମଶଃ ଗୋଡ଼ାଣିଆ ହୋଇଉଠିଲା କ୍ଷମତାସୀନ ଦଳର । ସେ ଭୁଲିଗଲା ଆପଣା ରାଜନୈତିକ ଦର୍ଶନର ମୂଳକଥା । ଶ୍ରେଣୀ ସଂର୍ଘଷ ବଦଳରେ ସେ ବାଛିନେଲା ଶ୍ରେଣୀ ସହଯୋଗର ପଥ, ଏକ ସଂଶୋଧନବାଦୀର ଭୂମିକା ।

 

ଚାଷୀ ମୂଲିଆ ଦଳର ବଡ଼ ନେତାଠାରୁ ଆରମ୍ଭ କରି ସାଧାରଣ କର୍ମୀ ପର୍ଯ୍ୟନ୍ତ କ୍ଷମତାସୀନ ଦଳର ସହଯୋଗରେ ସେମାନେ ଆରମ୍ଭ କଲେ ସୁଖୀ ଓ ବିଳାସପୂର୍ଣ୍ଣ ଜୀବନ । ସର୍ବହରାର ନେତାମାନେ ଦାମୀ ଦାମୀ କାର୍ ଚଢ଼ିଲେ ଏବଂ ସବୁ ସମୟରେ ବିମାନରେ ଓ ବିଳାସପୂର୍ଣ୍ଣ ହୋଟେଲରେ ରହିବାକୁ ଅଗ୍ରାଧିକାର ଦେଲେ । ବଡ଼ ବଡ଼ ନେତାଙ୍କ ଝିଅ ଓ ପୁଅ ବାହାଘରର ଭୋଜିଭାତରେ ହଜାର ହଜାର ଟଙ୍କା ଅକାତରରେ ଖର୍ଚ୍ଚ କରିବାକୁ ଲାଗିଲେ । ଅଶ୍ୱିନୀଙ୍କ ପରି ଆଉ କେତେକ ତଥାକଥିତ ଗରିବ ଖଟିଖିଆର ସାଥୀ ନାନା ଅସଦ୍‌ ଉପାୟରେ ଭୂ-ସମ୍ପତ୍ତି, କୋଠାବାଡ଼ିର ଅଧିକାରୀ ହୋଇ ବସିଲେ । ଫଳରେ ଗ୍ରାମେ ଗ୍ରାମେ ଜନସାଧାରଣଙ୍କ ମଧ୍ୟରେ ସଂଘର୍ଷ ଓ ବିଭେଦ ସୃଷ୍ଟି କରି ଆପଣା ଆୟର ପଥ ବେଶ୍ ପରିଷ୍କାର କରିଦେଲେ ଅଶ୍ୱିନୀ କୁମାର ।

 

ଦୁର୍ଯ୍ୟୋଧନ ଭାବୁଥିଲେ ମନେ ମନେ । ଏସବୁ କଥା ଗାଁର ଲୋକମାନଙ୍କୁ କହିଦେବାକୁ ତାଙ୍କର ଇଚ୍ଛା ଥିଲେ ମଧ୍ୟ ସେଦିନ ଭଳି ଏକ ଉତ୍ତେଜିତ ପରିସ୍ଥିତିରେ କହିବାକୁ ଇଚ୍ଛା ପ୍ରକାଶ କଲେ ନାହିଁ ।

 

ସୁବର୍ଣ୍ଣପୁର ହରିଜନ ବସ୍ତିରେ ଯେଉଁଠି ମା’ ମଙ୍ଗଳାଙ୍କର ଏକ ଚାଳଘର ତିଆରି ହୋଇଥିଲା, ସେଇଁ ଘରର ଅଧବଖରାଏରେ ବରଡ଼ା ତାଟି ଆଉଜିଆ ହୋଇ ଚାଷୀ ମୂଲିଆ ଦଳର ଅଫିସ ହୋଇଛି । ଗୋଟିଏ କଳା କାଠ ପଟାରେ, ବଡ଼ ବଡ଼ ହରଫ୍‌ରେ ଚାଷୀ ମୂଲିଆ ଦଳର ନାମ ଲେଖାଯାଇଛି । ଏବେ ପ୍ରତିଦିନ ସନ୍ଧ୍ୟାରେ ସେଇ ପାର୍ଟି ଅଫିସରେ ଗୋଟାଏ ଲଣ୍ଠନର ସ୍ତୀମିତ ଆଲୁଅରେ ଗହଳି ଜମିଉଠେ ।

 

ସ୍ଥାନୀୟ ପାର୍ଟି ସେକ୍ରେଟେରୀ ହୋଇଛି ରଙ୍କ ଦାସ । ଗତ ଦୁଇବର୍ଷ ତଳେ, ରଙ୍କ ଗାଁରୁ ଚୋରୀ କରି ଛଅମାସ କାରାଦଣ୍ଡ ଭୋଗ କରି ଏବେ ଗାଁକୁ ଫେରିଛି ।

 

ସୁବର୍ଣ୍ଣପୁରରେ ମୂଲ ଲାଗି ରଙ୍କ ଆଗରୁ ଚଳୁଥିଲା । ତା’ ବାବା ମଲାପରେ ସେ ହୋଇଗଲା ନିହାତି ଫେଚକାନିଆ ଓ ବଦ୍‌ମାସ । ହରିଜନ ବସ୍ତିରେ ସେଇ ପ୍ରଥମେ ଯୋତା ପିନ୍ଧିବା ଆରମ୍ଭ କଲା । ପ୍ୟାଣ୍ଟପିନ୍ଧା ପ୍ରଥା ସେଇ ଶିଖେଇଲା । ଶେଖ୍ ରସିଦ୍ ସାଇକେଲ୍ ଦୋକାନରୁ ଭଡ଼ାରେ ସାଇକେଲ୍ ଆଣି ଗାଁରୁ ସହର ପର୍ଯ୍ୟନ୍ତ ଯିବା ଆସିବା କରିବା ସଙ୍ଗେ ସଙ୍ଗେ ହରିଜନ ବସ୍ତିର ଅନ୍ୟ ଟୋକାମାନଙ୍କୁ ସାଙ୍ଗରେ ନେଇ ସିନେମା, ଥିଏଟର ଓ ସର୍କସ୍ ଦେଖିଯାଏ । ଟଙ୍କା ପଇସା ନ ମିଳିଲେ କାହା କ୍ଷେତରୁ ଫସଲ, କାହା ବାରିରୁ ଆଳୁ, ବାଇଗଣ ଏବଂ ଏପରିକି କାହାର ଗୁହାଳରୁ ଗାଈ ଗୋରୁ ରାତି ଅଧରେ ଚୋରୀ କରି ଦୂରଦୂରାନ୍ତ ହାଟରେ ବିକିଦିଏ । ଏଇ ସବୁ ଧନ୍ଦାରେ ଜଡ଼ିତ ରହି ଓ ବହୁ ଲୋକଙ୍କ ସହିତ ମିଶାମିଶି କରି ରଙ୍କ ଥିଲା ଭାରି କୁହାଳିଆ ଓ ମାମଲତ୍‌କାର ।

 

ଅଶ୍ୱିନୀକୁମାର ସପ୍ତାହରେ ଦୁଇ ତିନିଥର ଆସନ୍ତି ଏଇ ଅଫିସକୁ । ସେ ଆସି ପହଞ୍ଚିଲେ ସୁବର୍ଣ୍ଣପୁର ହରିଜନ ବସ୍ତିରେ, ଖେଳିଯାଏ ଏକ ନୂତନ ପ୍ରେରଣା ଓ ଉତ୍ସାହ । ମାଲିକପଣିଆର ଗର୍ବ ଓ ଗୌରବବୋଧ ସମସ୍ତଙ୍କ ଚେତନାକୁ ଯେପରି ଆଚ୍ଛନ୍ନ କରି ବସେ ।

 

ଆଷାଢ଼ ଯାଇ ଶ୍ରାବଣ ହେଲା । ଦିଗଦାଣ୍ଡି ପଡ଼ିଆରେ ଏବେ ଧାନଗଛ ସବୁ ଚହଟ ଚିକ୍କଣ ଦିଶୁଛନ୍ତି । ବର୍ଷା ଓ ନଦୀ ପାଣିରେ ଭରିଯାଇଛି କିଆରୀ ସବୁ । କାଳ କାଳ ଧରି ପଡ଼ିରହିଥିବା ପଡ଼ିଆ ଏଥର ପ୍ରଥମ ଥର ପାଇଁ ଆବାଦ ହୋଇଛି । ପ୍ରଚୁର ପାଣି ପାଇ ଧାନଗଛ ସବୁ ମୋଟେଇ ଯାଉଛନ୍ତି ଅସମ୍ଭବ ଭାବରେ ।

 

ହରିଜନ ସାହିରେ ଚାନ୍ଦାଭେଦା ଆଦାୟ ହୋଇ ପାଣ୍ଠି ଜମା ରହୁଛି । ସେସବୁ ଅର୍ଥ ରହୁଛି ଅଶ୍ୱିନୀଙ୍କ ପାଖରେ ।

 

ଏଣେ ସୁବର୍ଣ୍ଣପୁର ସୁବର୍ଣ୍ଣ ସାହିରେ, ମଣ୍ଡାସାହି ଓ ବଂଶୀପୁର ପ୍ରଭୃତି ମୌଜାରେ କ୍ରମଶଃ ଅସନ୍ତୋଷ କୁହୁଳିଛି । ଯଦି ଦୁର୍ଯ୍ୟୋଧନ ସେଇସବୁ ରୁଷ୍ଟ ଓ ଉତ୍ତେଜିତ ଲୋକମାନଙ୍କୁ ସବୁବେଳେ ପାଖରେ ବସାଇ ଉପଦେଶ ଦେଉ ନ ଥାନ୍ତେ, ତେବେ ଗାଁର ପରିସ୍ଥିତି ଭିନ୍ନ ଭିନ୍ନ ପ୍ରକାର ହୋଇଥାନ୍ତି ।

 

ଏବେ ନଦୀରେ ବନ୍ୟା ଆସିଛି । ଚାରିଆଡ଼େ ପାଣି ଏବଂ ପାଣି । ବିଲମାଳ ସବୁ ଛଇଳି ମଇଳି । ତିନିଖଣ୍ଡ ମୌଜାର ଗାଈ ଗୋରୁ ଚରିବେ କେଉଁଠି ? ବନ୍ୟା ଜଳରେ ଜମିବାଡ଼ି ସବୁ ବୁଡ଼ିଗଲେ ମଧ୍ୟ ଏଇ ଦିଗଦାଣ୍ଡି ପଡ଼ିଆକୁ ପାଣି ଯାଇପାରେ ନାହିଁ । କାରଣ ଏହା ଥିଲା ଖୁବ୍ ସୁଉଚ୍ଚ । ନଈବଢ଼ିରେ ବିଲମାଳ ସମୁଦ୍ର ପରି ଦେଖାଗଲେ ଗାଈ ଗୋରୁମାନେ ଏଇ ପଡ଼ିଆରେ ଚରିବୁଲି ଘରକୁ ଫେରନ୍ତି ।

 

ନଦୀରେ ବନ୍ୟା ଆସିଲା ପରେ ଏବେ ତିନିଖଣ୍ଡି ମୌଜାରେ ଅସନ୍ତୋଷ କ୍ରମଶଃ ବଢ଼ୁଛି । ଗାଈ ଗୋରୁ ସବୁ ବନ୍ଧା ରହିଛନ୍ତି ଖୁଣ୍ଟରେ । ସେମାନେ ସବୁ ଚରିବେ ଅବା କେଉଁଠି ? ଘାସ ମିଳୁନାହିଁ । କୁଟା କିମ୍ୱା ନଡ଼ା ଯାହା ଥିଲା ସେମାନେ ସବୁ ଗାଈ ଗୋରୁଙ୍କୁ ଦେଇ ସାରିଲେଣି-। ଖୁଣ୍ଟରେ ବନ୍ଧାହୋଇ ଗାଈ ଗୋରୁମାନେ ବୋବାଳି ଛାଡ଼ୁଛନ୍ତି ।

 

ଗତ ଦୁଇଦିନ ହେଲା ତିନି ଗାଁ ଲୋକଙ୍କ ମଧ୍ୟରେ ଆଲୋଚନା ଚାଲିଛି । ସେମାନେ ଜବରଦସ୍ତି ଦିଗଦାଣ୍ଡି ପଡ଼ିଆରେ ଗାଈ ପୂରାଇ ଧାନଗଛ ସବୁ ନଷ୍ଟ କରିଦେବେ । ସେମାନେ ହରିଜନ ବସ୍ତି ଲୋକଙ୍କର ଅତ୍ୟାଚାର ଆଉ ବରଦାସ୍ତ କରିବେ ନାହିଁ ।

 

ଶହ ଶହ ବର୍ଷ ଧରି ଯେଉଁ ଅନାବାଦୀ ଜମି ରହିଥିଲା ଅଣଆବାଦ ହୋଇ ଗାଈ ଗୋରୁ ଚରିବା ଲାଗି ସେଇ ପଡ଼ିଆକୁ ଚାଷୀ ମୂଲିଆ ପାର୍ଟିର ଅଶ୍ୱିନୀକୁମାରଙ୍କ ପ୍ରରୋଚନାରେ ଏତେ ବଡ଼ କାଣ୍ଡ କରିବସିଲେ । ପରଘରୁ ଚୋରୀ କରି ଜେଲ୍ ଖଟି ଯେଉଁ ରଙ୍କ ଦାସ ଦାଗୀ ହୋଇଛି, ସେ ହୋଇଯାଇଛି ନେତା କଣ କହୁଛି ବଡ଼ ବଡ଼ । ଏକଥା ସେମାନେ ଆଉ ହଜମ କରିପାରିବେ ନାହିଁ । ସେମାନେ ଆଉ ଦୁର୍ଯ୍ୟୋଧନ ବାବୁଙ୍କ କଥା ଶୁଣିବେ ନାହିଁ । ଦୁର୍ଯ୍ୟୋଧନ ଗାଁରେ ନାହାନ୍ତି । ଗତ ଦୁଇଦିନ ହେବ ସେ ଗାଁରେ ପହଞ୍ଚିଲାବେଳକୁ ଧାନକ୍ଷେତ ସବୁ ଉଜୁଡ଼ାଇ ଦେବାପାଇଁ ହେବ ।

 

ତେଣେ ହରିଜନ ବସ୍ତିରେ ଅଶ୍ୱିନୀ କୁମାରଙ୍କ ନେତୃତ୍ୱରେ ଓ ପରାମର୍ଶରେ ଚାଲିଛି ମନ୍ତ୍ରଣା । ଯଦି ସୁବର୍ଣ୍ଣ ଲୋକେ ଗାଈ ଗୋରୁ ପୂରାଇ ଧାନ କ୍ଷେତ ଉଜୁଡ଼ାଇ ଦେବେ, ସେମାନେ ତାହାର ପ୍ରତିରୋଧ କରିବେ । ଏଇ ପ୍ରତିରୋଧ ପାଇଁ ତାଙ୍କ ପାର୍ଟି ଅଫିସ୍ ରେ ସେମାନେ ସବୁ ରଖିଛନ୍ତି ବାଡ଼ି, ଠେଙ୍ଗା, ଖଣ୍ଡା, ତେଣ୍ଟା ଓ ବର୍ଚ୍ଛା । ଏଥିପାଇଁ କାଳେ ମାଲିମକଦ୍ଦମା ହେବ, ସେଥିପାଇଁ ସେମାନଙ୍କଠାରୁ ଅଶ୍ୱିନୀ କୁମାର ଆଦାୟ କରି ଚାଲିଛନ୍ତି ପ୍ରଚୁର ପଇସା ।

 

ଏଣେ ସୁବର୍ଣ୍ଣ ବସ୍ତିରେ ଟୋକାମାନେ ବାଡ଼ି ଲାଠି ଧରି ସଜବାଜ । କେତେକ ରେରେକାର ଧ୍ୱନି ଆରମ୍ଭ କଲେଣି । ସେମାନେ କ୍ଷେତ ଉଜୁଡ଼ାଇ ଦେବାପାଇଁ ପ୍ରତିଜ୍ଞାବଦ୍ଧ । ଯଦି ସେମାନଙ୍କୁ କେହି ଆସି ବାଧାଦିଏ ତେବେ ହରିଜନ ସାହିର ଅସ୍ତିତ୍ୱ ସେମାନେ ଧ୍ୱଂସ କରିଦେବେ-

 

ସେଦିନ ସକାଳ ଓଳି । ଦୁର୍ଯ୍ୟୋଧନ ଗାଁରେ ନାହାନ୍ତି । ନଈରେ ବନ୍ୟା ତଥାପି ଛାଡ଼ିନାହିଁ । ଗାଁଯାକର ଲୋକେ ବାଡ଼ି ଲାଠି ଧରି ଗାଈ ଗୋରୁମାନଙ୍କୁ ଫିଟାଇଦେଇ ଛୁଟି ଚାଲିଛନ୍ତି ଦିଗଦାଣ୍ଡି ଆଡ଼େ ।

 

ଗାଈ ଗୋରୁ ସତେ ଯେପରି ଏକ ଶୋଭାଯାତ୍ରା କରି ଏକମୁହାଁ ହୋଇ ଛୁଟିଛନ୍ତି । ଲୋକମାନଙ୍କ କ୍ରୋଧଠାରୁ ଗାଈ ଗୋରୁମାନଙ୍କ କ୍ରୋଧ ଯେପରି ଆହୁରି ଶହେଗୁଣ ବଢ଼ିଯାଇଛି । କାରଣ ଯେଉଁ ପଡ଼ିଆ ଥିଲା ସେମାନଙ୍କର ଏକମାତ୍ର ଚରାଭୂଇଁ ସେଇ ପଡ଼ିଆକୁ ଗତ ତିନିମାସ ହେଲା, ସେମାନେ ଦେଖି ନାହାନ୍ତି । ତେଣୁ ସେଠାକୁ ଯିବାପାଇଁ ଓ ତା’ ଭୂଇଁରେ ଗଜୁରି ଉଠିଥିବା ଧାନ ଓ ଘାସ ଖାଇବାପାଇଁ ସେମାନେ ଯେପରି ବ୍ୟାକୁଳିତ ।

 

ଗାଈ ଗୋରୁ ଚାହୁଁ ଚାହୁଁ ପଶିଗଲେ ଧାନ କ୍ଷେତରେ । କଅଁଳ ଛନ ଛନ ବୁଦି ବୁଦିକିଆ ଗଛମାନଙ୍କୁ ସେମାନେ ବଡ଼ ବଡ଼ ଜିଭ ମେଲାଇ ଖାଇ ଯାଉଛନ୍ତି ଏକ ସର୍ବଗ୍ରାସୀ କ୍ଷୁଧାର ପ୍ରଭାବରେ ଯେମିତି ।

 

ଦିଗଦାଣ୍ଡି ପଡ଼ିଆ ଚାରିପଟେ ବାଡ଼ି ଠେଙ୍ଗାଧରି ଛାଇ ହୋଇଗଲେଣି ସୁବର୍ଣ୍ଣପୁରର ସୁବର୍ଣ୍ଣ ଲୋକେ । ସେମାନଙ୍କ ସହିତ ଯୋଗ ଦେଇଛନ୍ତି ମଣ୍ଡାସାହି, ବଂଶୀପୁର ଓ ଈଶାନପଡ଼ାର ଲୋକେ ।

 

ଗାଈ ଗୋରୁମାନେ ଧ୍ୱଂସ କରିଚାଲିଛନ୍ତି କ୍ଷେତକୁ ।

 

ହରିଜନ ସାହିରେ ଏହି ଆକ୍ରମଣର ମୁକାବିଲା କରିବାଲାଗି ପ୍ରବଳ ପ୍ରତିକ୍ରିୟା । କେହି କେହି ଯୋଦ୍ଧା ଖଣ୍ଡା, ତଲ୍‌ଓ୍ୱାର ଧରି ରକ୍ତ ଚାଉଳ ଚୋବାଉଛନ୍ତି । ଆଉ କେତେକ ସମ୍ମୁଖ ସମରରେ ସାମିଲ ହେବାପାଇଁ ଇଚ୍ଛା କରୁଥିଲେ ମଧ୍ୟ ସୁବର୍ଣ୍ଣମାନଙ୍କର ସଂଖ୍ୟା ଦେଖି ସେମାନେ କ୍ରସ୍ତ ଶଙ୍କିତ ଦେଉଛନ୍ତି ।

 

ଅଶ୍ୱିନୀକୁମାର ଏପର୍ଯ୍ୟନ୍ତ ଆସିନାହାନ୍ତି । ଚାଷୀ ମୂଲିଆ ପାର୍ଟିର ସ୍ଥାନୀୟ ସେକ୍ରେଟେରୀ ରଙ୍କ ଖଣ୍ଡାଧରି ବନାଟି ବୁଲାଉଛି ଏବଂ ଘୋଷଣା କରୁଛି, ‘ମୁଁ ଗୋଟି ଗୋଟି କରି ହାଣିଦେବି ।’ ମୂଲିଆର ସଂସାର । ଜନତାର ରାଜତ୍ୱ । ଅଶ୍ୱିନୀକୁମାର କହିଛନ୍ତି ସର୍ବହରାର ଶାସନ ଚାଲିବ ଚାରିଆଡ଼େ ।

 

ଦୁର୍ଯ୍ୟୋଧନ ବାବୁ କଟକରୁ ଆସି ଘରେ ପହଞ୍ଚିଲା ମାତ୍ରେ ଏ ସମ୍ବାଦ ଶୁଣି ଦଉଡ଼ି ଦଉଡ଼ି ଚାଲି ଆସିଲେ ଦିଗଦାଣ୍ଡିକୁ; ସେ ଦିଗଦାଣ୍ଡିର ଉପର ମୁଣ୍ଡରେ ଅର୍ଥାତ୍‌ ଯେଉଁ ରାସ୍ତାଟି ହରିଜନ ବସ୍ତିରୁ ଆସି ଦିଗଦାଣ୍ଡିରେ ମିଶିଛି, ସେଇ ରାସ୍ତାରେ ଆସି ପହଞ୍ଚି ଅବସ୍ଥା ଲକ୍ଷ୍ୟ କରୁ‌ଥିଲେ । ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଗାଁ ଲୋକେ ଏଭଳି କାଣ୍ଡ କରି ବସିଲେ । ହୁଏତ ଅବସ୍ଥା ଅଣାୟତ୍ତ ହୋଇଯିବ ଏଇ ଆଶଙ୍କାରେ ସେ ବ୍ୟସ୍ତ ବିବ୍ରତ ହୋଇ ଚାରିଆଡ଼କୁ ଲକ୍ଷ୍ୟକଲେ-

 

ବହୁ ବିଳମ୍ବରେ ଧାନକ୍ଷେତ ପୂରା ଉଜୁଡ଼ିଗଲା ପରେ ହରିଜନ ସାହୀର ରଙ୍କ ଓ ଆଉ କେତେକ ଲୋକ ରକ୍ତମୁହାଁ ହୋଇ ଛୁଟି ଆସିଲେ ଦିଗଦାଣ୍ଡି ଆଡ଼କୁ । ମାତ୍ର ଚାରିଆଡ଼େ ଶତ୍ରୁପକ୍ଷ ସୈନ୍ୟର ଛାଉଣୀ । ଅସମ୍ଭବ ଜନ-ଅରଣ୍ୟ । ଗାଈ ଗୋରୁମାନଙ୍କର ଉଲ୍ଲସିତ କଳରବ ।

 

ଦୁର୍ଯ୍ୟୋଧନ ବାବୁ ରଙ୍କର ରକ୍ତମୁହାଁ ଅବସ୍ଥା ଦେଖି ପଚାରିଲେ-କିରେ ରଙ୍କ, ଏମାନେ ସବୁ ଧାନକ୍ଷେତ କାହିଁକି ଉଜଡ଼ାଇ ଦେଲେ ? ତମେମାନେ ସେମାନଙ୍କ ପାଖକୁ ଯାଇ ବୁଝାବୁଝି କଲନି କିଆଁ ?

 

ରଙ୍କର ଏସବୁ ଶୁଣିବାକୁ ଧୈର୍ଯ୍ୟ ନଥିଲା, ତା’ହାତରେ ଥିବା ଏକ ଠେଙ୍ଗାରେ ସେ ପିଟିଦେଲା ଦୁର୍ଯ୍ୟୋଧନ ବାବୁଙ୍କୁ । ରାଗରେ ପିଟିଦେଲାବେଳେ ସେ କହୁଥିଲା-ତମେ ହେଉଛ ଏ ସମସ୍ତ ନାଟର ଗୋବର୍ଦ୍ଧନ ।

 

ଦୁର୍ଯ୍ୟୋଧନ ବାବୁଙ୍କ ହାତ ଉପରେ ପାହାରଟି ଖୁବ୍‌ ଜୋର୍‌ରେ ବସିଲା । ସେ ଚିତ୍କାର କରି ଉଠିଲେ ଅସମ୍ଭବ ଯନ୍ତ୍ରଣାରେ ।

 

ଦିଗଦାଣ୍ଡିର ଚାରିପଟେ ଜମିଥିବା ଯୁଦ୍ଧଂଦେହୀ ଲୋକେ ହଠାତ୍‌ ଦଉଡ଼ି ଦଉଡ଼ି ଚାଲିଆସିଲେ ଦୁର୍ଯ୍ୟୋଧନ ବାବୁଙ୍କ ପାଖକୁ । ତାଙ୍କ ଭଳି ଶାନ୍ତପ୍ରିୟ, ଅହିଂସା ପରାୟଣ ଓ ପରୋପକାରୀ ଲୋକ ଉପରେ ମାଡ଼ ହେବାର ଦେଖି ଦିଗଦାଣ୍ଡିରେ ଘେରି ରହିଥିବା ଶହ ଶହ ସଂଖ୍ୟାର ଲୋକେ ବାଡ଼ି ଖିଙ୍କାରି, ରଣହୁଙ୍କାର ଦେଇ ଚାଲି ଆସୁଥିଲେ ରଙ୍କ ପାଖକୁ । ଏହିସବୁ ଲୋକମାନଙ୍କର ସମ୍ମିଳିତ ଆକ୍ରମଣକୁ ପ୍ରତିହତ କରିବାର ଶକ୍ତି ସେମାନଙ୍କର ନ ଥିବାରୁ ରଙ୍କ ଓ ତା’ର ସାଥୀମାନେ ପ୍ରାଣ ବିକଳରେ ପଛଘୁଞ୍ଚା ଦେଇ ହରିଜନ ବସ୍ତିଆଡ଼କୁ ଦଉଡ଼ି ଦଉଡ଼ି ପଳାଇ ଗଲେ ।

 

ସୁବର୍ଣ୍ଣପୁରର ଲୋକେ ଦୁର୍ଯ୍ୟୋଧନ ବାବୁଙ୍କ ହାତ ଆଉଁସି ବସିଲେ ଏବଂ ଗାଁଠାରୁ ଦୁଇମାଇଲ ଦୂରରେ ଥିବା ଡାକ୍ତରଖାନାକୁ ତାଙ୍କୁ ନେଇଗଲେ । ଦୁର୍ଯ୍ୟୋଧନ ଯିବା ପୂର୍ବରୁ କହିଲେ ତମେମାନେ ଆଉ ଅଧିକ ଉତ୍ତେଜିତ ହୁଅନାହିଁ । ଗାଈଗୋରୁ ଧରି ଗାଁକୁ ଫେରିଯାଅ । ମୁଁ ଫେରେ ଡାକ୍ତରଖାନାକୁ, ମୋର ମନେହେଉଛି ଏଇ ସମସ୍ତ କାଣ୍ଡ ପଛରେ ଅଶ୍ୱିନୀକୁମାର ରହିଛି ।

 

ସେଦିନ ଘଟଣାପରେ ଅଶ୍ୱିନୀକୁମାରଙ୍କ ପ୍ରରୋଚନାରେ ହରିଜନଙ୍କ ପକ୍ଷରୁ ସବର୍ଣ୍ଣମାନଙ୍କବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇଛି । ଲୁଟ ତରାଜ, ଦଙ୍ଗା ହେଙ୍ଗାମ ଓ ଜନାକାରୀ ବ୍ୟାପାରକୁ କେନ୍ଦ୍ରକରି, ହରିଜନ ସାହୀର ଜଣେ ମଧ୍ୟବୟସ୍କା ବିଧବା ସ୍ତ୍ରୀ ଲୋକଟିଏ ପକ୍ଷ ହୋଇ ସେ ଧର୍ଷିତ ହୋଇଛି ବୋଲି ଅଭିଯୋଗ କରିଛି ।

 

ଏଣେ ସୁବର୍ଣ୍ଣମାନଙ୍କ ପକ୍ଷରୁ ପାଲଟା ଅଭିଯୋଗ କରାଯାଇ ରଙ୍କ ଦାସ ଓ ଅନ୍ୟମାନଙ୍କ ବିରୁଦ୍ଧରେ ମକଦ୍ଦମା କରାଯାଇଛି ।

 

ଦିଗଦାଣ୍ଡିର ଅନାବାଦୀ ପଡ଼ିଆ ଏବେ ଦେଖାଯାଉଛି ଶୂନ୍ୟ ଓ ଫାଙ୍କା ।

 

ମକଦ୍ଦମା ଚାଲିଛି । ସବର୍ଣ୍ଣମାନେ ଚାନ୍ଦା ଭେଦା ଉଠାଇ ମକଦ୍ଦମା ଲଢ଼ୁଛନ୍ତି ଓ ସେମାନଙ୍କ ପକ୍ଷରେ ରହିଛନ୍ତି ଅନେକ କୁହାଳିଆ, ମାତ୍‌ବର ମାମଲତ୍‌କାରମାନେ ।

 

ଗରିବ ହରିଜନମାନଙ୍କର ଜୀବନ ହୋଇ ଉଠିଲା ଅତ୍ୟନ୍ତ ଦୁର୍ବିସହ । ଯେଉଁମାନେ ପରଘରେ ମୂଲ ଲାଗି ନିର୍ବାହ କରୁଥିଲେ ମୂଲ ଅଭାବରୁ ସେମାନଙ୍କ ପିଲାପିଲି ଭୋକ ଉପବାସରେ ରହିଲେ । ଘରେ ଥାଳୀ, କଂସା ଯାହାଥିଲା, ସେମାନେ ସବୁ ବିକ୍ରୀ କରି ମକଦ୍ଦମା ପାଇଁ ଚାନ୍ଦାଦେଲେ । ସେମାନେ ଆଉ କରିବେ କ’ଣ ?

 

ଏକ ପକ୍ଷରେ ଲଢ଼ିବା ପାଇଁ ଜିଦ୍‍, ଅନ୍ୟପକ୍ଷରେ ଅଭାବର କଳାଛାଇ । ସେମାନଙ୍କ ଗୁଜୁରାଣ ବେଶ୍‌ ସୁରୁଖୁରୁରେ ଚଳିଯାଉ ଥିଲା । ତାଙ୍କ ବସ୍ତିକୁ ଯେଉଁ ଦିନ ଏଇ ଅଶ୍ୱିନୀ ପୂଜାରୀ ଆସିଲେ ସେହିଦିନଠାରୁ ସେମାନଙ୍କ ଭିତରେ ଦେଖାଗଲା ଏକ ଭୟଙ୍କର ଲୋଭ । ସେମାନେ ଆଗ ପଛ କିଛି ନ ବିଚାରି ମାତିଗଲେ ଗୋଟାଏ ବଡ଼ ହୋ ରେ ।

 

କାଳ କାଳ ଧରି ସେମାନେ ଚଳି ଆସୁଥିଲେ ସବର୍ଣ୍ଣମାନଙ୍କ ସହିତ ସ୍ୱଚ୍ଛନ୍ଦରେ । ସେମାନଙ୍କ ଘରେ ମୂଲ ଲାଗି ଚଳିଯାଉଥିଲେ । ଏବେ ଅଶ୍ୱିନୀକୁମାର କେବଳ ଚାନ୍ଦାପାଇଁ ଆସୁଛନ୍ତି । ସେମାନେ ଚାନ୍ଦା ଦେଇ ଦେଇ ସର୍ବସ୍ୱ ହରାଇଲେଣି । ଆଉ ଉପାୟ କ’ଣ ? ତଥାପି ଅଶ୍ୱିନୀକୁମାର ସେମାନଙ୍କୁ ଶୋଷଣ କରି ଚାଲିଛନ୍ତି ।

 

ହରିଜନ ବସ୍ତିର ଶଙ୍କର ମଳିକ ଓ ଅନ୍ୟାନ୍ୟ ବୁଢ଼ାମାନେ ଭାବୁଥିଲେ ସବର୍ଣ୍ଣମାନଙ୍କ ସହିତ କୌଣସିମତେ ଏକ ଆପୋଷ ରାଜିନାମାରେ ପହଞ୍ଚିବା ପାଇଁ । ସେମାନେ ସମସ୍ତେ କ୍ଷମା ମାଗିବେ । ଦୁର୍ଯ୍ୟୋଧନ ବାବୁଙ୍କ ଭଳି ଲୋକଙ୍କୁ ଅଯଥାରେ ମାଡ଼ ମାରି ରଙ୍କ ବଡ଼ ଧରଣର ଭୁଲ୍‍ କରିଛି । ଚାଷୀ ମୂଲିଆ ପାର୍ଟି ଅଫିସରେ ହରିଜନ ବସ୍ତିର ସବୁ ଲୋକେ ବସିଥିଲାବେଳେ ଶଙ୍କର କହିଲା-ଚାଲ ଆଜି ଯିବା ସବର୍ଣ୍ଣସାହୀକୁ । ସେମାନଙ୍କୁ ଆମର ଦୋଷ ହୋଇଛି ବୋଲି କହିବା । ପିଲାଟିବେଳୁ ସେମାନଙ୍କ ମତିଗତି ମୁଁ ଜାଣିଛି । ମୋ ବାପ ଗୋସାପ ସେମାନଙ୍କ ମନକଥା ଜାଣିଥିଲେ । ଆମେ ପର କଥାରେ ମାତି ଆମର କାଳ କାଳର ସମ୍ପର୍କକୁ ଖରାପ କରିବା କାହିଁକି ?

 

ଶଙ୍କର ମଳିକଙ୍କ କଥାରେ ପ୍ରାୟ ସମସ୍ତେ ରାଜି ହୋଇଗଲେ । ରଙ୍କ ମଧ୍ୟ ଆପତ୍ତି କଲା ନାହିଁ । ସେ ବୁଝୁଥିଲା ସେମାନେ ଦିନକୁ ଦିନ ଦୁର୍ବଳ ହୋଇଯାଉଛନ୍ତି ଏବଂ ସେମାନେ ଚଳାଚଳି କରିବାରେ ଭାରି ଅସୁବିଧା ହେଉଛି । ଅତୀତରେ ଯାହା ଭୁଲ୍‌ ହୋଇଯାଇଛି, ସେ ଭୁଲ୍‌କୁ ଆଉ ବଢ଼ାଇବେ ନାହିଁ ।

 

ସେଦିନ ସନ୍ଧ୍ୟା ହେଲା, ଠାକୁରାଣୀଙ୍କ ଘରେ ସବୁ ଆସି ପହଞ୍ଚିଲେ । କାହିଁ କେଉଁଠି ଥିଲେ ଅଶ୍ୱିନୀକୁମାର କେଜାଣି, ଏ ସମ୍ବାଦ ପାଇ ସେଦିନ ସନ୍ଧ୍ୟାରେ ସେ ମଧ୍ୟ ଆସି ପହଞ୍ଚିଗଲେ-

 

ଶଙ୍କର ଓ ଅନ୍ୟମାନେ ପଡ଼ିଗଲେ ବଡ଼ ଅସୁବିଧାରେ । ସେମାନେ ଭାବି ନଥିଲେ ଅଶ୍ୱିନୀକୁମାର ସେମାନଙ୍କ ପାଖରେ ପହଞ୍ଚିବେ ବୋଲି ।

 

ଅଶ୍ୱିନୀକୁମାର ମନେ ମନେ ଖୁବ୍‌ ବିରକ୍ତ ହେଉଥିଲେ ଏବଂ କୌଣସିମତେ ହରିଜନମାନଙ୍କୁ ପୁଣି ଉତ୍ତେଜିତ କରିବାଲାଗି ଚାହୁଁଥିଲେ । ଅଶ୍ୱିନୀକୁମାର ସେମାନଙ୍କ ପାଖରେ ବସିଯାଇ ସ୍ୱାଭାବିକ ଭାବରେ କହିବା ଆରମ୍ଭ କରିଦେଲେ-ସାରା ଭାରତର ଖଟିଖିଆ ମେହେନତି ଜନତା ଆଜି ଏକଜୁଟ ହେଉଛନ୍ତି । ହକ୍‌ ମଜୁରୀପାଇଁ ସେମାନେ ଆଜି ସଂଘବଦ୍ଧ ହେଉଛନ୍ତି । ବଡ଼ ବଡ଼ ଜମି ମାଲିକମାନଙ୍କ ଜମି ଛଡ଼ାଇ ଆଣି ସେମାନେ ଜବରଦସ୍ତ ଚାଷ କରୁଛନ୍ତି । ଆମେ ଏ ଦିଗରେ ଅନେକ ଆଗେଇ ଯାଇଛୁ । ମକଦ୍ଦମା ଚାଲିଛି । ଆମକୁ ଦୁର୍ବଳ ଓ ଗରୀବ ମନେକରି ସମାଜର ବଡ଼ ବଡ଼ ଥିଲାବାଲା ଲୋକେ ଭୟଭୀତ କରାଉଛନ୍ତି ।

 

ମୁଁ ଦୁଃଖିତ ହେଲି ତମେ ସବୁ ଭାଙ୍ଗିପଡ଼ୁଛ । ମୁଁ ଶୁଣିଲି ସେମାନଙ୍କ ପାଖକୁ ଯାଇ ତମେ ସବୁ କ୍ଷମା ମାଗିବ । ଏହା କିପରି କଥା ? ମଣିଷ ଲଢ଼ାଇ କରି ବଞ୍ଚିବାକୁ ଚାହେ । ତେଣୁ ଆମେ ଲଢ଼ିବା ଓ ବଞ୍ଚିବାକୁ ଶିଖିବା ।

 

ଏକଜୁଟ ହୋଇଥିବା ହରିଜନମାନଙ୍କ ଶାନ୍ତ ସମାହିତ ମନ ଭିତରେ ପୁଣି ହଇଚଇ ଆରମ୍ଭ ହେଲା । ସେମାନଙ୍କ କ୍ରମଃଶୀତଳ ଚେତନାରେ ପୁଣି ଏକ ଅଗ୍ନିବର୍ଷୀ ଝଡ଼ ଦେଖାଦେଲା । ସେମାନେ ସବୁ ଇତସ୍ତତଃ ହେଲେ ଏବଂ ସେମାନଙ୍କ ସିଦ୍ଧାନ୍ତ ଗୋଳମାଳିଆ ରୂପ ନେଲା ।

 

କିଛି ସମୟ ବିତିଲା । ସମସ୍ତେ ବସିଛନ୍ତି ନିରୁତ୍ତର, ନିର୍ବେଦ ପରି ।

 

ଅଶ୍ୱିନୀ ସେମାନଙ୍କର ଏଇ ନିରୀହ ଓ ମନସ୍ତାତ୍ତ୍ୱିକ ସଂକ୍ରମଣ ଜାଣି କହିଲେ-ତମେ ସବୁ କ’ଣ କରିବାକୁ ଚାହୁଁଛ ? ଆମ ଦଳର ବିପ୍ଳବକୁ ତମେ କ’ଣ ମାରି ଦେବାକୁ ଚାହଁ ? ତମେ କ’ଣ ଯୁଗ ଯୁଗ ଧରି ତମ ସାଆନ୍ତମାନଙ୍କ ଗୋଡ଼ ଧରି କ୍ଷମାଭିକ୍ଷା କରୁଥିବ ? ଯୁଗ ବଦଳିଛି, ତମେ ସବୁ ବଞ୍ଚିବାକୁ ଶିଖ, ତମର ନ୍ୟାଯ୍ୟ ଦାବୀ ହାସଲ ଲାଗି ତମେ ଦୃଢ଼ ହୁଅ ।

 

ଶଙ୍କର ଓ ଅନ୍ୟମାନେ ଭକୁଆଙ୍କ ପରି ଚାହିଁ ରହିଥିଲେ ଅଶ୍ୱିନୀକୁମାରଙ୍କ ! ଅଶ୍ୱିନୀକୁମାରଙ୍କ ବତ୍କୃତାର ଭାଷା ବୁଝିବାକୁ ସେମାନେ ଅକ୍ଷମ ଥିଲେ ମଧ୍ୟ ତାଙ୍କର ବିଭେଦକାରୀ ଭୂମିକା ସମ୍ପର୍କରେ ସେମାନେ ସ୍ପଷ୍ଟ ଭାବରେ ବୁଝୁଥିଲେ ।

 

ଶଙ୍କର ଓ ଅନ୍ୟମାନେ ଗଭୀର ଦୁଃଖରେ ଭାଙ୍ଗିପଡ଼ୁଥିଲେ । ଅଶ୍ୱିନୀକୁମାରଙ୍କ କଥାରେ ପ୍ରତିବାଦ ଜଣାଇବା ଲାଗି ସେମାନଙ୍କର ଯେପରି ସାମର୍ଥ୍ୟ ନଥିଲା ।

 

ସମସ୍ତେ ବସିଛନ୍ତି ଚୁପ୍‌ଚାପ୍‌ । ଅଶ୍ୱିନୀ କହିଲେ ରଙ୍କ, ମୁଁ ଫେରିଯାଉଛି ଗାଁକୁ । ଆଉ ଦୁଇଦିନ ପରେ ତମର ମକଦ୍ଦମା ତାରିଖ । ଚାନ୍ଦା ଆଦାୟ କରି ମତେ ଦେଇ ଆସିବ ପରେ । ଆଉ ଦେଖ, ତମେମାନେ କୌଣସି ପରିସ୍ଥିତିରେ ଯେପରି ତମମାନଙ୍କ ସାଆନ୍ତ ବସ୍ତିରେ ଯାଇ ମୁଣ୍ଡ ନ ନୁଆଁଅ । ତମେ ଯଦି ସେମାନଙ୍କ ପାଖରେ ମୁଣ୍ଡ ନୋଇଁବ, ତେବେ ମୋର ଓ ଆମ ପାର୍ଟିର ଆଉ ସାହାଯ୍ୟ ସହଯୋଗ ପାଇବ ନାହିଁ ।

 

ଅଶ୍ୱିନୀକୁମାର ସେହି ଅନ୍ଧାର ଭିତରେ କୁଆଡ଼େ ମିଳାଇଗଲେ, ହରିଜନ ବସ୍ତିର ଭୋକିଲା ମୂଲିଆମାନେ ରାତିର ନିଃଶବ୍ଦତା ମଧ୍ୟରେ ବସିଥିଲେ କିଂକର୍ତ୍ତବ୍ୟବିମୂଢ଼ ହୋଇ ।

 

।। ଦୁଇ ।।

 

ସୁବର୍ଣ୍ଣପୁରର ସବର୍ଣ୍ଣଲୋକେ ଅପେକ୍ଷା କରିଛନ୍ତି ହରିଜନମାନଙ୍କୁ । ସେମାନେ ପ୍ରଥମେ ଆସି କ୍ଷମା ଭିକ୍ଷା କଲେ, ତା’ପରେ ସମାଧାନର ସୂତ୍ର ଆପେ ଆପେ ବାହାରିବ । ଏଇ ଧାରଣା ସବର୍ଣ୍ଣଲୋକମାନଙ୍କ ମଧ୍ୟରେ କ୍ରମଶଃ ଦୃଢ଼ୀଭୂତ ହେଉଥିଲା ।

 

ଏଣେ ବୟସ୍କ ହରିଜନମାନଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଯେଉଁ ଆଗ୍ରହ ଓ ଉତ୍ସାହ ପ୍ରକାଶ ପାଉଥିଲା, ତାହା ଧୀରେ ଧୀରେ ଅଶ୍ୱିନୀଙ୍କ ଚାପ ଓ ପ୍ରବର୍ତ୍ତନା ଫଳରେ କ୍ରମଶଃ ମଉଳିବାରେ ଲାଗିଲା । ଶଙ୍କର ଓ ଅନ୍ୟାନ୍ୟ ବୟସ୍କ ଲୋକେ କେବଳ ଅନୁତାପ ଓ ଅନୁଶୋଚନାରେ ରହିଗଲେ ଚୁପ୍‌ ଚାପ୍‌ ହୋଇ । ଅଶ୍ୱିନୀ ପୂଜାରୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ଲାଗି ସେମାନଙ୍କ ମଧ୍ୟରେ ପ୍ରବଳ ପ୍ରତିବାଦର ସ୍ୱର ଗୁମୁରି ଉଠୁଥିଲେ ମଧ୍ୟ ସେମାନେ ସବୁ ପାଟି ଫିଟାଇବାକୁ ସାହସ କରିପାରୁ ନ ଥିଲେ ।

 

ଦୁର୍ଯ୍ୟୋଧନ ଏବେ ତିନି ଦିନ ହେଲା ଫେରିଲେଣି ଗାଁକୁ । ତାଙ୍କ ହାତରେ ଏକ ଶକ୍ତ ପହାର ଦେଇ ରଙ୍କ ଦାସ ଦୁର୍ଯ୍ୟୋଧନଙ୍କୁ ହଠାତ୍‌ ଅଚେତ୍‌ କରିଦେଇଥିଲା । ସେଥିପାଇଁ ଦୁର୍ଯ୍ୟୋଧନ ଡାକ୍ତରଖାନାରେ ପନ୍ଦରଦିନ କଟାଇ ଏବଂ ହାତ ଭଲ ହେଲାପରେ ଗତକାଲି ଫେରିଆସିଛନ୍ତି ଗାଁକୁ ।

 

ସର୍ବୋଦୟ କର୍ମୀ ଦୁର୍ଯ୍ୟୋଧନ ଗାଁକୁ ଫେରିଲା ପରେ ତାଙ୍କୁ ଭେଟିବାକୁ ଆସିଛନ୍ତି ଅନେକ ଲୋକ । କାରଣ ତାଙ୍କ ଭଳି ଅହିଂସା ଓ ନ୍ୟାୟବାନ୍‌ ଲୋକଙ୍କ ଉପରେ ଏପରି ଏକ ବର୍ବର ଆକ୍ରମଣର ପ୍ରତିଶୋଧ ନେବାଲାଗି ଅନେକଙ୍କ ମନରେ କ୍ରୋଧାଗ୍ନି ଜଳୁଥିଲା ଏବଂ ଆଉ କେତେକ ଆସିଥିଲେ ତାଙ୍କୁ ସମବେଦନା ଜଣାଇବାଲାଗି ।

 

ଦୁର୍ଯ୍ୟୋଧନ ତାଙ୍କ ପିଣ୍ଡାଉପରେ ସଉପଟିଏ ପକାଇ ବସିଥିଲେ । ଦଳଦଳ ହୋଇ ଲୋକ ଆସୁଛନ୍ତି ତାଙ୍କ ପାଖକୁ । ସମସ୍ତଙ୍କୁ ହସି ହସି ଶାନ୍ତ ହେବାଲାଗି କହୁଛନ୍ତି ଦୁର୍ଯ୍ୟୋଧନ । ଏବେ ସୁଦ୍ଧା ଉତ୍ତେଜିତ ଯୁବକମାନଙ୍କୁ ପାଖକୁ ଡାକି ଦୁର୍ଯ୍ୟୋଧନ କହୁଛନ୍ତି ରଙ୍କ ତା’ର ଭୁଲ୍‍ ବୁଝିବ ନିଶ୍ଚୟ ଦିନେ । ସେ ମତେ ରାଗରେ ପିଟିଦେଲା ବୋଲି ତମେ କ’ଣ ତାକୁ ପିଟିବ ? ଯେ କ୍ଷମା ଦେଇ ଜାଣେ, ସେଇ ଏକା ଏ ପୃଥ୍ୱୀକି ସମ୍ଭାଳିବ ।

 

ସୁବର୍ଣ୍ଣପୁରର ଯୁବକମାନଙ୍କ ମଧ୍ୟରେ କୁହୁଳି କୁହୁଳି ରହିଥିବା କ୍ରୋଧ ଯେପରି ଦୁର୍ଯ୍ୟୋଧନଙ୍କ ଶାନ୍ତ ସମାହିତ କଣ୍ଠସ୍ୱରରେ କ୍ରମଶଃ ଶୀତଳ ପଡ଼ିଯାଉଥିଲା । ସେମାନେ ଭାବୁଥିଲେ ଦୁର୍ଯ୍ୟୋଧନବାକୁ ସାରା ଜୀବନ ବିତାଇଦେଲେ ଜନତାର ସେବାରେ । ତାଙ୍କରି ସାଙ୍ଗରେ ଯେଉଁମାନେ ରାଜନୀତି କରୁଥିଲେ, ସେମାନେ ଆଜି ସମସ୍ତେ ପ୍ରତିଷ୍ଠିତ । କେହି କେହି ମନ୍ତ୍ରୀ, ଏମ. ଏଲ, ଏ, ପଞ୍ଚାୟତ ସମିତି ଚେୟାରମ୍ୟାନ କିମ୍ବା ସମାଜର ଭିନ୍ନ ଭିନ୍ନ ସ୍ତରରେ ପ୍ରତିଷ୍ଠିତ ଓ ବିଭବଶାଳୀ ହୋଇଥିଲେ ମଧ୍ୟ ଦୁର୍ଯ୍ୟୋଧନ ରହିଗଲେ ସେହିପରି ନିଃସ୍ୱ, ନିସ୍ୱାର୍ଥପର ସମାଜସେବୀ ହୋଇ ।

 

୧୯୪୨ ଅଗଷ୍ଟ ଆନ୍ଦୋଳନରେ ଜେଲରୁ ମୁକ୍ତି ଲାଭ କଲା ପରେ ସେ ଆଣ୍ଠୁ ନ ଡେଉଁ ଥିବା ଲୁଗା ଖଣ୍ଡିଏ ପିନ୍ଧି, ଛୋଟ ଚାଦରଟିଏ କାନ୍ଧରେ ପକାଇ ବହୁବର୍ଷ ରହିଯାଇଥିଲେ କୋରାପୁଟର ମାଳ ଅଞ୍ଚଳରେ । ଗତ ଦୁଇବର୍ଷ ହେଲା ସେ ଫେରିଆସିଛନ୍ତି ଗାଁକୁ ।

 

ଦୁର୍ଯ୍ୟୋଧନ ବାବୁଙ୍କୁ ସମସ୍ତେ ସହାନୁଭୂତି ଜଣାଉଥିଲେ । ସେ ବସିଥିଲେ ପିଣ୍ଡା ଉପରେ ଯେପରି ସମସ୍ତ ଗାଁ ଲୋକଙ୍କ ମନକଥା ଏକାନ୍ତରେ ବୁଝିଲା ପରି ।

 

ଦୁର୍ଯ୍ୟୋଧନବାବୁ ଉତ୍ତେଜିତ ଲୋକମାନଙ୍କୁ ଶାନ୍ତହେବା ପାଇଁ କହୁଥିଲେ । ବିକ୍ଷୁବ୍‌ଧ ଲୋକେ ତାଙ୍କ ପାଖରେ ବସି ଏକାନ୍ତ ସମୟରେ କଥାବାର୍ତ୍ତା କଲାପରେ, ଅବଶ୍ୟ ଶାନ୍ତ ପଡ଼ି ଆସୁଥିଲେ ।

 

ସେଦିନ ଛାଇ ଲେଉଟାବେଳ । ଆକାଶରେ ପୁଳାଏ ପୁଳାଏ ଭସାମେଘ ବାଟ ହୁଡ଼ିଲା ପରି ଘୂରି ବୁଲୁଛି । ସୂର୍ଯ୍ୟ ତାତିର ପ୍ରକୋପ ମଉଳି ନଥିଲେ ସୁଦ୍ଧା ଭସା ମେଘର ଆଢ଼ୁଆଳରେ ସେ ଲୁଚିଯାଇଛି ଆକାଶର କେଉଁ କୋଣରେ ।

 

ଦୁର୍ଯ୍ୟୋଧନ ବାବୁ ଧୀରେ ଧୀରେ ଚାଲିଲେ ଦିଗଦାଣ୍ଡି ଆଡ଼େ । ପ୍ରାୟ ଏକମାସ ହେଲା ଡାକ୍ତରଖାନାରେ ରହିଥିବାରୁ ସେ ଦେଖି ପାରିନାହାନ୍ତି ତାଙ୍କର ପ୍ରିୟ ଦିଗଦାଣ୍ଡିକୁ ।

 

ଦିଗଦାଣ୍ଡିର ବିରାଟ ଆଡ଼ି ଉପରେ ଠିଆହୋଇ ଆକାଶକୁ ଅନାଇଲେ ଦୁର୍ଯ୍ୟୋଧନ ମନେକରନ୍ତି ସେ ଯେପରି ଏଇ ବିଶାଳ ପୃଥିବୀର ଏକମାତ୍ର ନରପତି । ଏଇ ସ୍ୱପ୍ନମୟ ଅନୁଭୂତି ଅତି ବାଳୁତ ଅବସ୍ଥାରେ ତାଙ୍କ ଚେତନାରେ ଜାଗ୍ରତ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ସେଇ ଆବେଗପୂର୍ଣ୍ଣ ଅନୁଭୂତି ସଜୀବ ରହିଛି ।

 

ଦୁର୍ଯ୍ୟୋଧନ ଦିଗଦାଣ୍ଡିର ସେଇ ବିଶାଳ ଆଡ଼ି ଉପରକୁ ଉଠିଯାଇ ଆକାଶକୁ ଚାହିଁଲେ-। ଶୈଶବର ସେଇ ବିଳମ୍ବିତ ସୁନୀଳ ଆକାଶ, ଆଜି ଅବଶ୍ୟ ତାଙ୍କ ଭିତରେ ବିଶେଷ କୌତୁହଳ ସୃଷ୍ଟି କରୁନାହିଁ; ମାତ୍ର ଆଜିର ଏଇ ମେଘଢଙ୍କା ଆକାଶ ତଳେ ଦିଗଦାଣ୍ଡିର ସବୁଜ ପ୍ରାନ୍ତର ଓ ତାହାକୁ କେନ୍ଦ୍ର କରି ଗାଁ ଭିତରେ ସୃଷ୍ଟି ହୋଇଥିବା କୃତ୍ରିମ ବିଭେଦ ତାଙ୍କୁ ଯେପରି ଶୈଶବର ‘ନରପତି’ ଆସନରୁ ଓହ୍ଲାଇଆଣି ଏକ ଭୟତ୍ରସ୍ତ ପ୍ରଜା କରିଦେଲା ।

 

ଦୁର୍ଯ୍ୟୋଧନଙ୍କର ସେହି ଆଶୈଶବ ଭାବୁକତା କଟିଗଲା ହଠାତ୍‌ । ସେ ଆଡ଼ି ଉପରୁ ଓହ୍ଲାଇପଡ଼ି ଚାଲିଲେ ଦିଗଦାଣ୍ଡିର ଦକ୍ଷିଣ ଭାଗକୁ ଯେଉଁଠାରେ ହରିଜନମାନେ ଜମି ଆବାଦ କରି ଧାନ ଫସଲ କରିଥିଲେ ।

 

ଗୋଟିଏ ମାସ ତଳେ ଦିଗଦାଣ୍ଡିର ଯେଉଁ ଅଂଶ ନୂତନ ଶସ୍ୟର ଶ୍ୟାମଳିମାରେ ଦେଖାଯାଉଥିଲା ଚହଟ ଚିକଣ ଆଜି ସେହି ଅଂଶ ଦେଖାଯାଉଛି ଦିଗଦାଣ୍ଡିର ଅନ୍ୟ ଅଂଶ ପରି ଘାସମୟ । ସୁବର୍ଣ୍ଣପୁରର ସବର୍ଣ୍ଣ ଲୋକେ ଯଦି ସେଦିନ ଗାଈଗୋରୁ ପୂରାଇ ଧାନ କ୍ଷେତକୁ ଉଜୁଡ଼ାଇ ଦେଇ ନ ଥାନ୍ତେ, ତେବେ ବର୍ତ୍ତମାନ ପ୍ରଚୁର ଶସ୍ୟ ଭାରାରେ ନଇଁ ପଡ଼ୁଥାନ୍ତେ ଧାନଗଛମାନେ । ଗରିବ ହରିଜନମାନେ ହୁଏତ ଧାନକାଟି କିଛିଦିନ ଚଳି ଯାଇଥାନ୍ତେ ।

 

ଦୁର୍ଯ୍ୟୋଧନ ଉଜୁଡ଼ା କ୍ଷେତକୁ ଆସି ଚାରିଆଡ଼େ ଚାହିଁଲେ । ଆହା ! ବିଚରା ହରିଜନମାନେ ! କେତେ ସେମାନେ ପରିଶ୍ରମ କରି ନ ଥିଲେ !

 

ଦୁର୍ଯ୍ୟୋଧନ ଭାବିଲେ, ହରିଜନମାନେ ଅନାବାଦୀ ଜମିକୁ ଚାଷ କରିବାରେ କ’ଣ ଅବା ବାଧାଅଛି ? ସେମାନେ ଯଦି ଦିଗଦାଣ୍ଡିର କିଛି ଅଂଶ ଚାଷ କରିଥାନ୍ତେ, ତେବେ ସୁବର୍ଣ୍ଣପୁର, ମଣ୍ଡାସାହି ଲୋକମାନଙ୍କ ମଧ୍ୟରେ ହୁଏତ ଏତେ ପରିମାଣରେ ଅସନ୍ତୋଷ ସୃଷ୍ଟି ହୋଇ ନ ଥାନ୍ତା ।

 

ସୁବର୍ଣ୍ଣପୁରରେ ଏ ପର୍ଯ୍ୟନ୍ତ ଦିଗଦାଣ୍ଡିକୁ କେନ୍ଦ୍ରକରି ଯେତେସବୁ ଘଟଣା ଘଟିଯାଇଛି, ସେ ସବୁକୁ ମନେପକାଇ ଦୁର୍ଯ୍ୟୋଧନ ଦୁଃଖ ଓ ଅନୁତାପରେ ପଳେ ପଳେ ଜଳିବାକୁ ଲାଗିଲେ । ତାଙ୍କ ଭଳି ଲୋକ ଗାଁରେ ଥାଉ ଥାଉ ଏତେ ବଡ଼ ବିଭେଦ ଓ ଉତ୍ତେଜନା ସୃଷ୍ଟି ହୋଇଗଲା ? ବହୁ କଷ୍ଟରେ ଧାର ଉଧାର କରି ଯେଉଁ ହରିଜନମାନେ ଧାନ ରୋଇଥିଲେ ଓ ପ୍ରଥମ ଜମି ମାଲିକର ପ୍ରଭାତୀ ସ୍ୱପ୍ନରେ ମସ୍‌ଗୁଲ ରହିଥିଲେ, ଅବଶେଷରେ ସେମାନେ ପରାଜିତ ହେଲେ ? ଗତ ତିରିଶ ବର୍ଷଧରି ସମାଜର ଦଳିତ ଓ ଅବହେଳିତ ଲୋକଙ୍କୁ ସମାଜରେ ଥଇଥାନ କରିବା ପାଇଁ ସେ ଯେଉଁ ନିରବଚ୍ଛିନ୍ନ ସଂଗ୍ରାମ ଓ ଶ୍ରମ କରିଆସିଛନ୍ତି ତାହା ହିଁ ବ୍ୟର୍ଥତାରେ ପର୍ଯ୍ୟବସିତ ହୋଇଗଲା ?

 

ଦୁର୍ଯ୍ୟୋଧନ ନିଜକୁ ଏକ ଅପରାଧୀ ମନେକଲେ । ତାଙ୍କ ଉପରେ ଯେଉଁ ମାଡ଼ହେଲା, ସେଥିପାଇଁ ତାଙ୍କର ତିଳେମାତ୍ର ଶୋଚନା ନାହିଁ । ମାତ୍ର ମାଡ଼ ବଦଳରେ ଯଦି ଉଭୟ ସବର୍ଣ୍ଣ ଓ ହରିଜନମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠିତ ହୋଇଥାନ୍ତା, ତା’ହେଲେ ହୁଏତ ସେ ସବୁଠାରୁ ସୁଖୀ ହୋଇଥାନ୍ତେ ।

 

ଦୁର୍ଯ୍ୟୋଧନ ସେହି ଶୂନ୍ୟ ଓ ରିକ୍ତ କ୍ଷେତରେ ବସିପଡ଼ିଲେ । ଆକାଶର ଭସାମେଘ କ୍ରମେ କ୍ରମେ ଜମାଟ ବାନ୍ଧିଲାଣି । ସାରା ଆକାଶ ଛାଇ ହୋଇଗଲାଣି ଘୋର ମେଘ ଅନ୍ଧାରରେ, ଆଉ ଅଳ୍ପ ସମୟ ପରେ ହୁଏତ ବର୍ଷା ବର୍ଷିବ ମୂଷଳ ଧାରାରେ ।

 

ଦୁର୍ଯ୍ୟାଧନଙ୍କର ବର୍ଷା ପ୍ରତି ନଜର ନାହିଁ । ତାଙ୍କୁ ଏ ସମସ୍ୟାର ସମାଧାନ କରିବାକୁ ପଡ଼ିବ । ହରିଜନମାନଙ୍କୁ ବିଭେଦକାମୀ ଚାଷୀ ମୂଲିଆ ଦଳର ନେତା ଅଶ୍ୱିନୀକୁମାରଙ୍କ ଶୋଷଣ କବଳରୁ ମୁକ୍ତ କରିବାକୁ ହେବ । ଦିଗଦାଣ୍ଡି ହେବ ହରିଜନମାନଂକର କ୍ଷେତଜମି । ସେମାନେ ଚାଷ କରିବେ । ପ୍ରତ୍ୟେକ ହରିଜନ ଚାଷୀ ପାଇବେ ଅଧଏକର ଜମି ।

 

ମାତ୍ର ସୁବର୍ଣ୍ଣପୁର ଓ ମଣ୍ଡାସାହିର ତଥାକଥିତ ସାଆନ୍ତମାନଙ୍କ ହୃଦୟକୁ ପରିବର୍ତ୍ତନ କରିବାକୁ ପଡ଼ିବ । ସେମାନଙ୍କ ସାଆନ୍ତିଆ ମନୋଭାବ ମଧ୍ୟରେ ହରିଜନମାନଙ୍କ ପ୍ରତି ସ୍ନେହ ଓ ସହାନୁଭୂତି ଉଦ୍ରେକ କରାଇବାକୁ ପଡ଼ିବ ।

 

ସେମାନଙ୍କୁ ବୁଝାଇବାକୁ ପଡ଼ିବ ନିଖିଳ ଭାରତର ନୂତନ ବାର୍ତ୍ତା, ନୂତନ ସନ୍ଦେଶ । ଜୀବନକୁ ନୂଆ କରି ଗଢ଼ିବା ପାଇଁ, ସମାଜର ନିସ୍ପେଷିତ ଓ ଅତ୍ୟାଚାରିତ ଜନସାଧାରଣଙ୍କୁ ସେମାନଙ୍କ ସହିତ ସମାନ ଭାବରେ ଚଳିବାପାଇଁ ସେମାନଙ୍କ ଦୃଷ୍ଟିକୋଣ ବଦଳାଇବାକୁ ହେବ ।

 

ଦୁର୍ଯ୍ୟୋଧନ ଭାବୁଥିଲେ, ଓଃ ମୁଣ୍ଡଉପରେ ତାଙ୍କର କେତେ ବୋଝ ! ଏସବୁ ସମସ୍ୟାର ସମାଧାନ ନ ହେଲେ, ଗାଁ ଲୋକଙ୍କ ମଧ୍ୟରେ ଶ୍ରଦ୍ଧା ଓ ଏକତା ପ୍ରତିଷ୍ଠିତ ନ ହେଲେ, ହରିଜନମାନଙ୍କୁ କିଛି କିଛି ଜମି ଚାଷ କରିବାକୁ ନ ଦେଲେ, ତାଙ୍କର କାମ ରହିଯିବ ଅପୂର୍ଣ୍ଣ । ଏହା ହିଁ ତାଙ୍କୁ କରିବାକୁ ପଡ଼ିବ । ସଙ୍ଘର୍ଷ ପରିବର୍ତ୍ତେ ଶାନ୍ତିପୂର୍ଣ୍ଣ ଭାବରେ, ହୃଦୟ ପରିବର୍ତ୍ତନ କରି ଏକ ଶୋଷଣହୀନ ସମାଜ ପ୍ରତିଷ୍ଠିତ କରିବାକୁ ପଡ଼ିବ । ତେଣୁ ରକ୍ତାକ୍ତ ସଂଘର୍ଷର ପ୍ରୟୋଜନ ଅବା କ’ଣ ?

 

ବର୍ଷା ପଡ଼ିଲାଣି ଟୁପୁ ଟୁପୁ । ଦୁର୍ଯ୍ୟୋଧନ ଅନାଇଲେ ଗାଁ ଆଡ଼କୁ । ମୂଷଳ ଧାରାରେ ବୃଷ୍ଟିପାତ ହେଉଛି ଏବଂ ଗାଁର ଗଛଲତା ଓ ଘରଦ୍ୱାର ଯେପରି ଦେଖାଯାଉଛି କୁହେଳିକାପୂର୍ଣ୍ଣ ।

 

ଦୁର୍ଯ୍ୟୋଧନ ସେଠାରୁ ଉଠିଲେ ଏବଂ ତାଙ୍କ ସାହୀ ଓ ହରିଜନସାହୀକୁ ପଡ଼ିଥିବା ଦୋଛକି ରାସ୍ତାରେ ପହଞ୍ଚିଲାବେଳକୁ ପ୍ରଚଣ୍ଡ ବେଗରେ ବର୍ଷା ଆରମ୍ଭ ହୋଇଗଲା । ଦୁର୍ଯ୍ୟୋଧନ ଆଉ ଗାଁ ରାସ୍ତାରେ ନ ଯାଇ ହରିଜନସାହୀକୁ ପଡ଼ିଥିବା ରାସ୍ତାରେ ଦଉଡ଼ିବାକୁ ଲାଗିଲେ ।

 

ବର୍ଷାର ବିରତି ନାହିଁ । ଦୁର୍ଯ୍ୟୋଧନଙ୍କ ଦଉଡ଼ା ବନ୍ଦ ହୋଇନାହିଁ ।

 

ସେ ପହଞ୍ଚିଗଲେ ହରିଜନ ସାହୀ ଠାକୁରାଣୀ ଘର ନିକଟରେ ଯେଉଁଠାରେ ଚାଷୀ ମୂଲିଆ ପାର୍ଟି ଅଫିସ୍‌ ହୋଇଥିଲା ।

 

ଦୁର୍ଯ୍ୟୋଧନ ବର୍ଷାରେ ତିନ୍ତି ବୁଡ଼ି ଠାକୁରାଣୀଘରେ ପହଞ୍ଚିଲା ବେଳକୁ ଦେଖିଲେ ସେଠାରେ ବସିଛନ୍ତି ଶଙ୍କର ଓ ଆଉ ଚାରି ପାଞ୍ଚଜଣ ହରିଜନଲୋକ । ତାଙ୍କୁ ବର୍ଷାରେ ଭିଜି ଭିଜି ପୁଣି ପାର୍ଟି ଅଫିସ୍‌ରେ ଆକସ୍ମିକ ଭାବରେ ଦେଖି ସେମାନେ ସବୁ ଚମକି ପଡ଼ିଲେ ।

 

ଦୁର୍ଯ୍ୟୋଧନଙ୍କ ପ୍ରତି ସମଗ୍ର ହରିଜନ ବସ୍ତିରେ ଥିଲା ଯଥେଷ୍ଟ ସମ୍ମାନ ଓ ସଂଭ୍ରମ । ତାଙ୍କୁ ଦେଖିଦେଲା ମାତ୍ରେ ସେମାନେ ସମସ୍ତେ ଚାଲିଆସିଲେ ତାଙ୍କ ପାଖକୁ ଏବଂ ଶଙ୍କର ପଚାରି ବସିଲା–ଆଜ୍ଞା, ବର୍ଷା ଛାଡ଼ିଯାଇଥିଲେ ଆପଣ ଆସିଥାନ୍ତେ । ଅଯଥାରେ ବର୍ଷାରେ ଭିଜିଗଲେ ସିନା-!

 

ଦୁର୍ଯ୍ୟୋଧନ ନିଜ ଚଦରଟା ଚିପୁଡ଼ି ପୋଛିପାଛି ହେଲେ ଏବଂ ହସି ହସି କହିଲେ-ଅବିକା ତ ବର୍ଷାଋତୁ । ବର୍ଷା କେତେବେଳେ ବର୍ଷିବ ଏବଂ କେତେବେଳେ ପୁଣି ଛାଡ଼ିବ, କହି ହେବ ନାହିଁ । ତେଣୁ ବର୍ଷାଦିନେ ଏମିତି ଭିଜିଗଲେ କିଛି କ୍ଷତି ନାହିଁ । ଆଉ ତମେମାନେ ସବୁ ଭଲ ଅଛ ତ ?

 

ଶଙ୍କର ଦୁର୍ଯ୍ୟୋଧନଙ୍କ ପାଖକୁ ଲାଗି ଆସି କହିଲା-ଆପଣଙ୍କ ପାଇଁ ଆଜ୍ଞା, ଆମ ସମସ୍ତଙ୍କ ଭିତରେ ନାହିଁ ନ ଥିବା ଦୁଃଖ । ପରର କଇଲାଣ ପାଇଁ ଆପଣ କେତେ କଷ୍ଟ ସହିଛନ୍ତି । ଗରିବ ଲୋକଙ୍କ ପାଇଁ ଆପଣଙ୍କ ପ୍ରାଣ କେତେ ବିକଳ ହେଉଛି । ଅଥବ ବିନା କାରଣରେ ଦୋଷୀ ରଙ୍କ ପିଟିଦେଲା ଆପଣଙ୍କୁ । କେତେ କଷ୍ଟ ଭୋଗିଲେ ଆଜ୍ଞା ! ଆମର ଦୋଷ ହୋଇଛି । ଆମକୁ ମାଫ୍‌ କରନ୍ତୁ ।

 

ଦୁର୍ଯ୍ୟୋଧନ ହସି ହସି ଶଙ୍କର ପିଠିରେ ହାତ ଆଉଁସାଇ ଆଣିଲେ । ସେ କହିଲେ-ଦୁନିଆଁରେ ସବୁଲୋକ କ’ଣ ସମାନ ଶଙ୍କର ? କିଏ କ୍ରୋଧୀ, କିଏ ଶାନ୍ତ । କିଏ ହିତାହିତ ଜ୍ଞାନ ଶୂନ୍ୟ, କିଏ ପୁଣି ବିବେକୀ । ରଙ୍କର କିଛି ଭୁଲ୍‌ ନାହିଁ । ସେ ଅନ୍ୟ କଥାରେ ମାତିଗଲା, ସେଥିପାଇଁ ତା ଉପରେ ମୋର ତିଳେମାତ୍ର ରାଗ ନାହିଁ । ସେ ଯେଉଁଦିନ ତା’ର ଭୁଲ୍‌ ବୁଝିପାରିବ, ସେଦିନ ସବୁ ଠିକ୍‌ ହୋଇଯିବ ।

 

ବର୍ଷାର ବେଗ ଟିକିଏ ଥମିଛି । ଦୁର୍ଯ୍ୟୋଧନ ଠିଆ ହୋଇଛନ୍ତି । ଶଙ୍କର ଓ ଅନ୍ୟ ମାନେ ତାଳବରଡ଼ା ଚଟରେ ତାଙ୍କୁ ବସିବା ପାଇଁ ଯେତେ ଅନୁରୋଧ କଲେ, ସେ କିନ୍ତୁ ବସିଲେ ନାହିଁ । ଦୁର୍ଯ୍ୟୋଧନ କହିଲେ-ଲୁଗା ପଟା ସବୁ ତ ଓଦା, ଓଦା ଲୁଗା ପିନ୍ଧି କିପରି ବସିବିରେ ଶଙ୍କର ?

 

ବର୍ଷା ଥମିଲାପରେ କାହିଁ କେଉଁଠି ଥିଲା ରଙ୍କ କେଜାଣି, ହଠାତ୍‌ ପାର୍ଟି ଅଫିସ ଭିତରକୁ ପଶିଯାଇ ଦୁର୍ଯ୍ୟୋଧନଙ୍କ ଗୋଡ଼ତଳେ ପଡ଼ିଯାଇ କହିଲା-ମୋର ଆଜ୍ଞା ଭୁଲ୍‌ ହୋଇଛି । ମତେ କ୍ଷମା କରନ୍ତୁ । ସେଦିନ ରାଗ ତମରେ ଆପଣଙ୍କୁ ପାହାରେ ପିଟି ଦେଇଥିଲି । ଆପଣ ମତେ କ୍ଷମା ନ ଦେଲେ, ମୁଁ ତଳୁ ଉଠିବି ନାହିଁ ।

 

ଦୁର୍ଯ୍ୟୋଧନ ରଙ୍କର ଏପରି ପରିବର୍ତ୍ତନ ଓ ଅନୁତାପରେ ବିସ୍ମିତ ହୋଇଗଲେ । ସେ ହଠାତ୍‌ ନଇଁପଡ଼ି ରଙ୍କକୁ ତଳୁ ଉଠାଇ ଆଣି କହିଲେ-ତୁ କିଛି ଅପରାଧ କରିନୁରେ ବାବା ! କ୍ଷମା ମାଗୁଛୁ କାହିଁକି ? ମୁଁ ତ ଛାର ମଣିଷଟିଏ । ମଣିଷକୁ କ’ଣ ମଣିଷ କ୍ଷମା ଦେଇପାରେ ? ତଥାପି ତୁ ଯଦି ତୋର ଭୁଲ୍‌ ବୁଝି ପାରିଛୁ, ତାହା ହିଁ ତ ଯଥେଷ୍ଟ । ଉଠୁ-ଉଠୁ ରେ ରଙ୍କ ।

 

ରଙ୍କ ଉଠିପଡ଼ିଲା ତଳୁ । ଦୁର୍ଯ୍ୟୋଧନ ତାକୁ ଦୁଇ ହାତରେ ନିଜ ପାଖକୁ ଟାଣି ଆଣି କହିଲେ-ଭଗବାନଙ୍କ ସଂସାରରେ ଆମେ ସଭିଏଁ ସମାନରେ ରଙ୍କ । ଧନୀ ଓ ଗରିବ ଏସବୁ ଯାହା ଲୋକ ଦେଖାଣିଆ । ଏଇ ଲୋକ ଦେଖାଣିଆ ଧନୀ ଓ ଦରିଦ୍ରର ତଫାତ୍‌କୁ ଭାଙ୍ଗି ଦେବା ପାଇଁ ଆମେ ସମସ୍ତ ଲଢ଼େଇ କରୁଛେଁ । କିନ୍ତୁ ଏଥିପାଇଁ ହାଣ କାଟ କରି କ’ଣ ଅବା ଲାଭ ? ଜୋର ଜବରଦସ୍ତିର କ’ଣ ଅଛି ଫାଇଦା ?

 

ରଙ୍କ ଓ ଅନ୍ୟମାନେ ଦୁର୍ଯ୍ୟୋଧନଙ୍କ ବଚନିକାକୁ ଶୁଣୁଥିଲେ ମନ୍ତ୍ରମୁଗ୍‌ଧ ହୋଇ ।

 

ଦୁର୍ଯ୍ୟୋଧନ କହିଲେ ମୁଁ ଜାଣେ, ତମେମାନେ ଅଶ୍ୱିନୀଙ୍କ କଥାରେ ମାତିଯାଇଛ । ଆଚ୍ଛା କହିପାରିବୁ ରଙ୍କ, ଆଜିକୁ କୋଡ଼ିଏ ବର୍ଷ ତଳେ ଅଶ୍ୱିନୀଙ୍କର ଯେପରି ଚଳାଚଳ ଥିଲା, ଆଜି ସେଇ କୋଡ଼ିଏବର୍ଷ ତଳର ପୁରୁଣା ଚଳଣୀ ତାଙ୍କର ବଦଳି ନାହିଁ କି ? ମୁଁ ଏକାନୁହେଁ, ଏ ଅଞ୍ଚଳର ସବୁଲୋକ ଏକଥା ସ୍ୱୀକାର କରିବେ ନାହିଁ କି ? ଦୁଇତିନି ଏକର ଜମି ଆଜି ବଢ଼ିଯାଇଛି କୋଡ଼ିଏ ଏକରକୁ । ମାଟି ଘର ପରିବର୍ତ୍ତେ ଏବେ ସେ ତିଆରି କରିଛନ୍ତି ଦୁଇମହଲା କୋଠାଟିଏ । ସାଇକେଲ ଛାଡ଼ି ଏବେ ସେ ମଟର ସାଇକେଲରେ ବୁଲୁଛନ୍ତି । ଏସବୁ ଆସିଲା କୋଉଁଠୁ ? ତମେ ଯେଉଁ ଚାନ୍ଦା ଭେଦା ଆଦାୟ କରିଦିଅ, ସେସବୁର ସେ ହିସାବ ଦିଅନ୍ତି କି ?

 

ରଙ୍କ ଓ ଶଙ୍କର ଏକା ସାଙ୍ଗରେ କହି ଉଠିଲେ-ଅନେକ ଡେରିରେ ଆମେ ତାଙ୍କ କଥା ଜାଣିଲୁ ଆଜ୍ଞା ! ମୁହଁରେ ଖଟିଖିଆ କଥା କହି ବାସ୍ତବରେ ସେ ସେମାନଙ୍କ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟକରନ୍ତି । ସଭା ସମିତିରେ ସରକାର ଓ ମନ୍ତ୍ରୀମାନଙ୍କୁ ଗାଳି ଫଜିତ୍‌ କରି ଅନେକ ସମୟରେ ମନ୍ତ୍ରୀମାନଙ୍କ ଅଫିସ୍‌ ଓ ଘରେ, ବେଳେ ବେଳେ ସେମାନଙ୍କ ଗାଡ଼ିରେ ଓ ସଭାସମିତିରେ ଯୋଗଦିଅନ୍ତି । ଅଯଥାରେ ଆମେ ଆମ ଗାଁ ଲୋକଙ୍କ ସହିତ କଳି କରି ଚିହ୍ନା ପଡ଼ିଲୁ । ଅକାରଣରେ ମାଲି ମୋକଦ୍ଦମାରେ ବହୁତ ପଇସା ଖର୍ଚ୍ଚ କଲୁ । ଆମେ ଶେଷକୁ ଆଜ୍ଞା ଭିକାରୀ ହୋଇଗଲୁ । ବର୍ତ୍ତମାନ କାହାରି ଘରେ ଖାଇବା ପାଇଁ ବାସନ ଖଣ୍ଡିଏ ମଧ୍ୟ ନାହିଁ, ଆମର ସବୁ ଭୁଲ୍‌ ହୋଇଛି । ଆମେ ଆଉ ଦିଗଦାଣ୍ଡିକୁ ଚାଷ କରିବୁ ନାହିଁ ।

 

ଦୁର୍ଯ୍ୟୋଧନ ହସିଲେ । ସେ ହସି ହସି କହିଲେ-ଏ କିପରି କଥା ? ଜମିହୀନଙ୍କୁ ଜମି ଦେବା ପାଇଁ ଆମେ ତ ବହୁବର୍ଷ ହେଲା ଦାବୀ ଓ ଲଢ଼େଇ କରିଆସିଛୁ । କିନ୍ତୁ ଆମ କଥା ସେତେବେଳକାର ସରକାର ଶୁଣିଲେ ନାହିଁ । ମୁହଁରେ ଜମିହୀନ ଲୋକଙ୍କ ପାଇଁ ସେମାନଙ୍କର ଥିଲା ଗୁଡ଼ାଏ ମୂଲ୍ୟହୀନ ସହାନୁଭୂତି । ଖବରକାଗଜ ପୃଷ୍ଠାରେ ଏଥିପାଇଁ ବିପ୍ଳବ ହେବ ବୋଲି ସେମାନେ ରଡ଼ିଛାଡ଼ନ୍ତି । ମାତ୍ର ତମେ ସବୁ ଜାଣ, ସେ ସମସ୍ତେ ବଡ଼ ବଡ଼ ଜମିମାଲିକ । ତେଣୁ ଭୂମିହୀନମାନଙ୍କୁ ଜମି ବାଣ୍ଟିବା କାର୍ଯ୍ୟ ସେମାନେ କରନ୍ତେ କିପରି ?

 

ତମକୁ ସବୁ ଜମି ମିଳିବରେ । ଦିଗହାଣ୍ଡି ପଡ଼ିଆରୁ ପ୍ରତ୍ୟେକ ଭୂମିହୀନ ଚାଷୀ ଯେପରି ଅଧ ଏକର ଜମି ପାଇବେ, ମୁଁ ସେଥିପାଇଁ ବ୍ୟବସ୍ଥା କରିବି । ତମେ ସବୁ ନିଶ୍ଚିନ୍ତ ରୁହ ! ଏହା ନ କଲା ପର୍ଯ୍ୟନ୍ତ ମୋ ସ୍ୱପ୍ନ ସଫଳ ହେବ ନାହିଁ । ଆଉ ବେଶୀଦିନ ନୁହେ । ଆଉ ଅଳ୍ପଦିନ ମଧ୍ୟରେ ସବୁ କିଛି ଠିକ୍‌ଠାକ୍‌ ହୋଇଯିବ ।

 

ଦୁର୍ଯ୍ୟୋଧନ ଏତିକି କହିସାରି ଆକାଶକୁ ଅନାଇଲେ । ସନ୍ଧ୍ୟା ଆଗତ ପ୍ରାୟ । ମେଘ ସଂପୂର୍ଣ୍ଣ ଛାଡ଼ିଯାଇଛି । ଦୁର୍ଯ୍ୟୋଧନ ସେମାନଙ୍କଠାରୁ ବିଦାୟ ନେଇ ନିଜ ଘର ଆଡ଼କୁ ଆଗେଇଲେ ।

 

ଏ ଘଟଣାର ପନ୍ଦରଦିନ ପରେ ସୁବର୍ଣ୍ଣପୁରର ଦିଗଦାଣ୍ଡି ପଡ଼ିଆରେ ଅନୁଷ୍ଠିତ ହେଉଛି ଏକ ବିରାଟ ସାଧାରଣ ସଭା । ଯେଉଁ ହରିଜନ ଓ ସବର୍ଣ୍ଣ ଲୋକମାନଙ୍କ ମଧ୍ୟରେ ଗତ ଛଅମାସ ଧରି ଚାଲିଥିଲା ସଂଘର୍ଷ ଓ କଳି ତକରାଳ, ଉଭୟ ଗୋଷ୍ଠୀର ମିଳିତ ସଭାରେ ସେହି ମାନ ମନାନ୍ତର ଓ ଶତ୍ରୁତାର ବାଲିବନ୍ଧ ଆଜି ଯେପରି ନିବିଡ଼ ଆତ୍ମୀୟତା ଓ ଏକାତ୍ମବୋଧନ ଉଲ୍ଲସିତ ବନ୍ୟାରେ କୁଆଡ଼େ ମିଳାଇଯାଇଛି । ସେମାନେ ସମସ୍ତ ଆଜି ସୁବର୍ଣ୍ଣପୁରର ଲୋକ । ସେମାନେ ସମସ୍ତ ଆଜି ଭାଇ ଭାଇ । ପରସ୍ପରକୁ ସ୍ନେହ ଓ ଆଲିଙ୍ଗନ କରିବାରେ ଆଜିର ଏ ସଭା ସ୍ଥଳ ଯେପରି ହୋଇଯାଇଛି ଅନେକବର୍ଷ ଏକ ଏକ ପୁଣ୍ୟପୀଠ । ଛୁଆଁ ଅଛୁଆର ସେଇ ପୁରୁଣା ପ୍ରାଚୀରକୁ ଭାଙ୍ଗି ଦେଇ ସେମାନେ ହୋଇ ଉଠିଛନ୍ତି ଗୋଟିଏ ମାତାର ଔରସରୁ ଜନ୍ମିତ ଦୁଇଟି ସହୋଦର ।

 

ସଭା ମଣ୍ଡପରେ ବସିଛନ୍ତି ସର୍ବୋଦୟ କର୍ମୀ ଦୁର୍ଯ୍ୟୋଧନ ମଙ୍ଗରାଜ । ଗତ ତିରିଶି ବର୍ଷଧରି ଆଣ୍ଠୁଲୁଚା ଖଦଡ଼ ଧୋତି ଯେପରି ପିନ୍ଧି ଆସୁଥିଲେ ସବୁଦିନ, ଆଜି ମଧ୍ୟ ପିନ୍ଧିଛନ୍ତି ସେଇମିତି ସେଇଭଳି ମଧ୍ୟ ଘୋଡ଼ାଇ ହୋଇଛନ୍ତି ଚଦରଟିଏ । ମାତ୍ର ତାଙ୍କ ଗୌର ପ୍ରଶସ୍ଥ ଲଲାଟରେ ଆଜି ଯେପରି ଝଟକିଉଠୁଛି ସୂର୍ଯ୍ୟୋଦୟର ରକ୍ତିମ ଆଭା । ସମ୍ଭବତଃ ଅନେକ ବର୍ଷ ପରେ ଆଜି ତାଙ୍କର ସ୍ୱପ୍ନ ସାର୍ଥକ ହୋଇଛି ।

 

ଦିଗଦାଣ୍ଡି ପଡ଼ିଆରେ ଅସଂଖ୍ୟ ଜନସମାବେଶ । ଶରତ୍‌ ଆକାଶରେ ଆଜି ମେଘ ନାହିଁ-। ଆକାଶ ଦେଖାଯାଉଛି ଅତ୍ୟନ୍ତ ସୁନୀଳ । କାଣୀ ନଦୀର ତୀରେ ତୀରେ କାଶତଣ୍ଡୀ ଫୁଲର ବର୍ଣ୍ଣୋତ୍ସବ ଦେଖାଯାଉଛି ଦିଗଦାଣ୍ଡ ପଡ଼ିଆରୁ ।

 

ଦୁର୍ଯ୍ୟୋଧନ ସଭା ମଞ୍ଚରେ ଠିଆହେଲେ । ସଭା କକ୍ଷର କୋଳାହଳ ହଠାତ୍‌ ନିସ୍ତବ୍‌ଧ ହୋଇଗଲା । ସେ କହିଲେ-ମୋର ଅନେକ ଦିନର ସ୍ୱପ୍ନ ସାର୍ଥକ ହୋଇଛି । ଚାଷୀମୂଲିଆ ପାର୍ଟିର ବିଭେଦକାମୀ ଭୂମିକା ଆଜି ବ୍ୟର୍ଥ ପ୍ରମାଣିତ ହୋଇଛି । ଶାନ୍ତିପୂର୍ଣ୍ଣ ଭାବରେ ଆଜି ସୁବର୍ଣ୍ଣପୁର ଲୋକମାନଙ୍କ ମଧ୍ୟରେ ସବୁ ସମସ୍ୟାର ସମାଧାନ ହୋଇଯାଇଛି । ହରିଜନମାନେ ପ୍ରତ୍ୟେକ ଅଧ ଏକର ଲେଖାଏଁ ଜମି ପାଇବେ । ଏଇଠି ସେମାନେ ନିର୍ଭୀକଭାବରେ ଚାଷ କରିବେ । ଆସନ୍ତାକାଲି କେଉଁ ଜମି କିଏ ନେବ, ତାହା ନିର୍ଣ୍ଣିତ ହେବ । ସବର୍ଣ୍ଣ ଲୋକମାନେ ଆଉ ବିରୋଧ କରିବେ ନାହିଁ । ସେହିମାନଙ୍କ ହଳବଳଦ ସାହାଯ୍ୟରେ ହରିଜନ ଭାଇମାନେ ଚାଷ କରିବେ ।

 

ସଭା ସ୍ଥଳରେ ଖେଳିଗଲା ଏତ ଅପୂର୍ବ ଆନନ୍ଦର ତରଙ୍ଗ । କ୍ରମାଗତ କରତାଳି ଧ୍ୱନିରେ ଫାଟିପଡ଼ିଲା ଦିଗଦାଣ୍ଡି ପଡ଼ିଆ ।

 

ଦୁର୍ଯ୍ୟୋଧନ ସେମାନଙ୍କୁ ଶାନ୍ତ ହେବାକୁ ହାତ ଠାରୁଥିଲେ; ମାତ୍ର ସେମାନଙ୍କ ମଧ୍ୟରେ କ୍ରମାଗତ କୋଳାହଳ ଓ ଉଲ୍ଲାସର କଳରବ ହୋଇ ଉଠୁଥିଲା ପ୍ରଚଣ୍ଡ ।

 

ଦୁର୍ଯ୍ୟୋଧନ ଶାନ୍ତ ହେବାପାଇଁ ସମଗ୍ର ଜନତାକୁ ହାତଠାରିଲେ । କିଛିକ୍ଷଣ ପରେ କ୍ରମେ କୋଳାହଳ ଶାନ୍ତ ପଡ଼ିଆସିଲା ।

 

ଦୁର୍ଯ୍ୟୋଧନ କହୁଥିଲେ ଗାନ୍ଧିଜୀଙ୍କ ଶାନ୍ତି ଓ ସହାବସ୍ଥାନର କଥା, ରକ୍ତାକ୍ତ ବିପ୍ଳବ ପରିବର୍ତ୍ତେ ଶାନ୍ତିପୂର୍ଣ୍ଣ ଭାବରେ ଏକ ନିରବଚ୍ଛିନ୍ନ ନୀରବ ସଂଗ୍ରାମ ଦରକାର । ତା’ ହେଲେ ଯାଇ ସମାଜର ରୂପ ବଦଳିଯିବ ।

 

ପୁଣି ସଦ୍ଭକକ୍ଷରେ ସେଇ ବିଳମ୍ବିତ କରତାଳି ଧ୍ୱନି । ସେଇ କରତାଳି ଧ୍ୱନିର ଆଜି ଯେପରି ବିରତି ନାହିଁ । ସୁବର୍ଣ୍ଣପୁରରେ ଆଜି ଗୋଟାଏ ନୂଆ ଇତିହାସ ଯେପରି ଲେଖାଚାଲିଛି ।

Image

 

ଗୋଟିଏ ଅବହେଳିତ କଚା ସଡ଼କ ସମ୍ପର୍କରେ

 

ସବଡ଼ିଭିଜନର ତଳମାଳ ଅଞ୍ଚଳ ଯେଉଁଠାରୁ ଆରମ୍ଭ ଠିକ୍‌ ସେଇଠି ପିଚୁରାସ୍ତା ଶେଷ ହୋଇଛି ଏବଂ ତା’ପରେ ଆଉ ଯେଉଁ ଅବଶିଷ୍ଟ ପାଞ୍ଚ ମାଇଲ ରାସ୍ତା ରହିଲା ଆଜିକୁ ତିରିଶି ବର୍ଷରୁ ଅଧିକ କାଳ ଧରି ତାହା କଚା ରାସ୍ତା ରୂପେ ରହି ଆସିଛି ।

 

ସବଡ଼ିଭିଜନର ହେଡ଼କ୍ୱାଟର ଦେଇ ତିନିମୁହାଣୀ ଛକ ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ବସ୍‌ ଯିବା ଆସିବା କରେ । ଏଇଠାରୁ ଭିନ୍ନ ଭିନ୍ନ ଜିଲାର ସଦର ମହକୁମା, ଶିଳ୍ପାଞ୍ଚଳ ଓ ଏପରିକି କଲିକତା ଟାଟା ପର୍ଯ୍ୟନ୍ତ ପ୍ରତିଦିନ ବସ୍‌ ଯିବା ଆସିବା କରିବା ଫଳରେ ତଳମାଳ ଅଞ୍ଚଳର ଏଇ ତିନିମୁର୍ହାଣୀ ବଜାରଟି ରାତିଦିନ ଲୋକଗହଳି ଓ କୋଳାହଳରେ ଫାଟିପଡ଼େ ।

 

ଜିଲାର ଭୌଗୋଳିକ ସୀମା, ଏଇ ପାଞ୍ଚ ମାଇଲ କଚା ସଡ଼କ ପାରି ହେଲାପରେ ଶେଷ ହୋଇ ଅନ୍ୟ ଏକ ଜିଲାର ଅବସ୍ଥିତି ଆରମ୍ଭ ହୁଏ । ଯେଉଁ ଗାଆଁଟି ପାର ହେଲେ ଅନ୍ୟ ଜିଲାର ପ୍ରଥମ ଗ୍ରାମ ଆରମ୍ଭ ହୁଏ ସେଇ ଶେଷ ସୀମାନ୍ତ ଗ୍ରାମଟି ହେଉଛି ଶ୍ରୀବନ୍ତପୁର । ତିନିମୁହାଣୀ ଠାରୁ ଶ୍ରୀବନ୍ତପୁର ପାଞ୍ଚ ମାଇଲ ରାସ୍ତା ଯାହା ରହିଯାଇଛି ଅବହେଳିତ ହୋଇ ଗତ ତିରିଶି ବର୍ଷ ଧରି । ଏଇ ପାଞ୍ଚ ମାଇଲ ରାସ୍ତା ଚାରିପଟେ ଛନ୍ଦି ହୋଇ ରହିଥିବା ଗାଁମାନଙ୍କରୁ ଲୋକେ ଆସନ୍ତି ଚାଲି ଚାଲି ବସ୍‌ ଧରିବା ପାଇଁ ଏବଂ ଏସବୁ ଗାଁର ଲୋକେ ଯେଉଁମାନେ ବାହାରେ ଚାକିରୀ ବାକିରୀ ବ୍ୟବସାୟ କରି ରହନ୍ତି ସେମାନେ ଏଇ ତିନିମୁହାଣୀ ଛକରେ କି ସକାଳ ସଞ୍ଜ, କି ଖରା ବର୍ଷା, କି ଝଡ଼ ତୋଫାନ ରାତିରେ ବସ୍‌ ଯେତେବେଳେ ରହେ ସେମାନେ ଚାଲି ଚାଲି ନିଜ ନିଜ ଗାଁକୁ ଚାଲି ଯାଆନ୍ତି ।

 

ଏଇସବୁ ଲୋକେ ବେଶ୍‌ ତଳମାଳ ଲୋକ ହିସାବରେ ପରିଚିତ । ଯେଉଁମାନେ ଗାଁରେ ରହନ୍ତି, ସେମାନେ ପୁଣି କାଦୁଅ ଓ ଅନ୍ଧାର ଆଲୁଅ ସହିତ ଭଲ ଭାବରେ ଜଣା ଶୁଣା । ତେଣୁ ସେମାନଙ୍କ ପକ୍ଷରେ ଯିବା ଆସିବାରେ ଅସୁବିଧା ହୁଏ ନାହିଁ । ଯେଉଁସବୁ ପାଠପଢ଼ୁଆ ବିଦେଶରେ ରହୁଥିବା ବାବୁମାନେ ଗାଁକୁ ଆସନ୍ତି, ବର୍ଷାଦିନେ ପ୍ୟାଣ୍ଟ ମୋଡ଼ି, ଲୁଗା ଉପରକୁ ଟେକି, ହାତରେ ଯୋତାଧରି ଏଇ ତିନିମୁହାଁଣୀ ଛକ ପର୍ଯ୍ୟନ୍ତ ଆସନ୍ତି । ଛକଠାରେ ସରକାରୀ ଅର୍ଥରେ ତିଆରି ହୋଇଥିବା ଟ୍ୟୁବ ଉଏଲରେ ଗୋଡ଼ ହାତ ଧୋଇ ରୁମାଲ କିମ୍ବା ବ୍ୟାଗ ଭିତରୁ ଗାମୁଛା ବାହାର କରି ପୋଛି ପାଛି ହୋଇ ସାରିଲା ପରେ ବସ୍‌ ଧରିବା ପାଇଁ ତକାଇ ବସନ୍ତି ।

 

ତିନିମୁହାଁଣୀ ଛକରେ ଯେଉଁମାନେ ଦୋକାନ ବଜାର କରି ରହିଛନ୍ତି କିମ୍ବା ପାଖ ଆଖ ଗାଁର ଯେଉଁ ଲୋକେ ପିଚୁ ରାସ୍ତା କଡ଼ରେ ଘରକରି ରହିବାର ସୁଯୋଗ ପାଇଛନ୍ତି ସେମାନେ ଏଇ ତଳମାଳ ଅଞ୍ଚଳ ଲୋକଙ୍କୁ ଏକ ନ୍ୟୁନ ଓ ହେୟ ଦୃଷ୍ଟିରେ ଦେଖିଥାନ୍ତି । ଦେଖିବା ମଧ୍ୟ ସ୍ୱାଭାବିକ । କାରଣ ସେମାନେ ଆଧୁନିକ ସୁବିଧା ସୁଯୋଗର ସବୁ ସୁଫଳ ପାଉଥିବା ବେଳେ ଏଇ ଛକଠାରୁ ପାଞ୍ଚମାଇଲ ଅଞ୍ଚଳ ମଧ୍ୟରେ ଯେଉଁଠାରେ ସଡ଼କଟି କଚା ରାସ୍ତା ଭାବରେ ନିଦ୍ରା ଯାଇଛି ଓ ଯେଉଁସବୁ ଗାଁମାନଙ୍କୁ ବିଜୁଳି ଆଲୁଅ ଯାଇନାହିଁ ସେ ସବୁ ଲୋକମାନଙ୍କୁ ନ୍ୟୂନ ଦୃଷ୍ଟିରେ ଦେଖିବା ଅସ୍ୱାଭାବିକ ନୁହେଁ ।

 

ରବିନାରାୟଣ ଏଇ ଅଞ୍ଚଳର ଜଣେ ଶିକ୍ଷିତ ଲୋକ । ଅବଶ୍ୟ ସେ ଦୂରାନ୍ତ ସହରରେ ରହି ବ୍ୟବସାୟ କରନ୍ତି ଏବଂ ଗାଁ ଚାଷବାସ ବୁଝିବା ଲାଗି ପ୍ରତିମାସରେ ଥରେ ଅଧେ ଗାଁକୁ ଆସନ୍ତି । ସେଦିନ ରାତିରେ ଏକାକୀ କଟକ ବସ୍‌ରୁ ଓହ୍ଲାଇ ଝିପି ଝିପି ବର୍ଷାରେ ଯୋତାକୁ ହାତରେ ରଖି ଓ ଅନ୍ୟ ହାତରେ ଛତା ଓ ଟର୍ଚ୍ଚ ଧରି ରବିନାରାୟଣ ଗାଁକୁ ଗଲାବେଳେ ଏଇ ରାସ୍ତାଟି ପ୍ରତି ସ୍ୱାଧୀନତାର ତିରିଶି ବର୍ଷ ପରେ ଶୋଚନୀୟ ଅବହେଳା କରାଯାଇଥିବା ଓ ଏଥିପ୍ରତି ନିଜ ଅଞ୍ଚଳର ଜନଚେତନାର ନପୁଂସକତା ସମ୍ପର୍କରେ ସଚେତନ ହୋଇ ଗଭୀର ଦୁଃଖରେ ଭାଜି ପଡ଼ିଲେ ।

 

ବର୍ଷାର ବେଗ ଧୀରେ ଧୀରେ ବଢ଼ୁଛି । ପବନର ଗତି କ୍ରମଶଃ ଜୋର ହେଉଛି । ରବିନାରାୟଣ ରାତିର ଅନ୍ଧକାରରେ ପାଦ ଚିପି ଚିପି, ବେଳେ ବେଳେ ଟର୍ଚ୍ଚଲାଇଟର କିଞ୍ଚିତ୍‌ ଆଲୋକରେ ଆଗେଇ ଚାଲିଛନ୍ତି ଗାଁକୁ ।

 

ଝିପି ଝିପି ବର୍ଷାରେ ଚାଲିଲାବେଳେ ରବିନାରାୟଣଙ୍କର ମନେପଡ଼ୁଛି ଶ୍ରୀବନ୍ତପୁର ଅଞ୍ଚଳର କଥା । ସେ ସେତେବେଳେ ପ୍ରାଥମିକ ସ୍କୁଲରେ ପଢ଼ୁଥାନ୍ତି । ବୋଧହୁଏ ପ୍ରଥମ କିମ୍ବା ଦ୍ୱିତୀୟ ଶ୍ରେଣୀରେ । ସେତେବେଳେ ତାହା ଥିଲା ଏକମାତ୍ର ମାଇନର ସ୍କୁଲ, ଯାହା ଚାଳିଶି ମାଇଲ ବ୍ୟାସାର୍ଦ୍ଧ ମଧ୍ୟରେ ଏକମାତ୍ର ଶିକ୍ଷାନୁଷ୍ଠାନ ।

 

ସେ ସେହି ପ୍ରାଥମିକ ସ୍କୁଲରେ ପଢ଼ୁଥିବାବେଳେ ସାରା ଦେଶରେ ଦେଖା ଦେଇଥିଲା ଏକ ବିରାଟ ଜାତୀୟ ଆନ୍ଦୋଳନ । ଏଇ ଶ୍ରୀବନ୍ତପୁର ହୋଇଥିଲା ସାରା ସ ବଡ଼ିଭିଜନର ଏଇ ଜାତୀୟ ଆନ୍ଦୋଳନର ମୁଖ୍ୟ କେନ୍ଦ୍ର । ତାଙ୍କର ସେଇ ଶୈଶବର ସ୍ମୃତି ଆଜି ମନେପଡ଼ିଯାଉଛି ସ୍ପଷ୍ଟ ଭାବରେ ।

 

କେତେ ସଭା ସମିତ ! କେତେ ବତ୍କୃତା ପୁଣି କେତେ ଗିରଫଦାରୀ, କେତେ ସରକାରୀ କୋଠାବାଡ଼ି, ଡାକବଙ୍ଗଳା ପୋଡ଼ିଜାଳି ଧ୍ୱଂସ କରି ଦିଆଗଲା । ଶ୍ରୀବନ୍ତପୁର ଡାକବଙ୍ଗଳାଟିର ଗଠନ ପରିପାଟୀ ଦେଖି ପିଲାବେଳେ ସେମାନେ ସବୁ କେଡ଼େ ଉଲ୍ଲସିତ ହେଉଥିଲେ ! ମାତ୍ର ରାତି ପାହି ସକାଳ ହେଲାବେଳକୁ ସେହି ସୁନ୍ଦର ଡାକବଙ୍ଗଳାଟି ପୋଡ଼ିଜଳି ଧ୍ୱଂସ ହୋଇଯାଇଥିଲା । ଡାକବଙ୍ଗଳାର ଠିକ ଅଳ୍ପ ଦୂରରେ ତାଙ୍କର ପ୍ରାଥମିକ ସ୍କୁଲଟି ଅବଶ୍ୟ ସେଦିନ ଠିଆ ହୋଇଥିଲା ନିର୍ବେଦ ଓ ନିଃସହାୟ ହୋଇ ।

 

ସେତେବେଳେ ତାଙ୍କ ଅଞ୍ଚଳକୁ ପ୍ରତିଦିନ ଛୁଟି ଆସୁଥିଲା ଶହ ଶହ ଜିପ୍‌, ଗୋରା ପଲଟଣ ଓ ପୋଲିସ୍‌ । ଦିନେ ଦିନେ ସେମାନେ ସବୁ କ୍ୟାମ୍ପ ପକାଇ ଏଇଠାରେ ରହୁଥିଲେ । ରବିନାରାୟଣଙ୍କ ଅଞ୍ଚଳରେ ସେତେବେଳେ ଖେଳି ଯାଇଥିଲା ଏକ ଆତଙ୍କର କୋକୁଆ ଭୟ । କେତେ ଲୋକ ସବୁ ଗିରଫ ହୋଇ ଜେଲକୁ ଗଲେ । ଭଗବାନ ସାହୁ, ଭଗବାନ ଶତପଥୀ, ଦୁର୍ଯ୍ୟୋଧନ ମହାନ୍ତି, କପିଳ ପାଣି ଓ ଆହୁରି ଅନେକ । ଶ୍ରୀବନ୍ତପୁରର ବିପ୍ଲବୀ ମାଟି ସେତେବେଳେ ହୋଇଗଲା ପୁଣ୍ୟତୀର୍ଥ ।

 

ରବିନାରାୟଣଙ୍କର ପୁଣି ମନେପଡ଼ୁଛି ସେ ଯେତେବେଳେ ମାଇନର ପାସ୍‌ କଲେ ସେତେବେଳେ ଏଇ ଶ୍ରୀବନ୍ତପୁରରେ ଗଢ଼ିଉଠେ ହାଇସ୍କୁଲଟିଏ ନୂଆକରି । ସେ ସେଇଠି ପଢ଼ା ଆରମ୍ଭ କଲେ । ଠିକ୍‌ ସେଇବର୍ଷ ଭାରତ ସ୍ୱାଧୀନ ହେଲା । ଅଗଷ୍ଟ ଚଉଦ ତାରିଖ ରାତିସାରା ସେମାନେ ଉଜାଗର ରହିଥିଲେ ଓ ପନ୍ଦର ତାରିଖ ଦିନ ପାହାନ୍ତା ପହରୁ ଏକ ଶୋଭାଯାତ୍ରାରେ ସାରାଗା ପରିକ୍ରମା କରି, ଗୁଡ଼ମ୍‌ ଗୁଡ଼ମ୍‌ ବାଣ ଫୁଟାଇ ଏକ ଦୀର୍ଘ ଜାତୀୟପତାକା ତଳେ ସେମାନେ ସମବେତ ହୋଇଥିଲେ । ‘ଝଣ୍ଡା ଉଞ୍ଚା ରହେ ହମାରା’ ସଙ୍ଗୀତର ଜଲଦ ଗମ୍ଭୀର ଧ୍ୱନି ଏବେ ମଧ୍ୟ ରବିନାରାୟଣଙ୍କ ଚେତନାରେ ରହିଯାଇଛି ସଞ୍ଚିତ ହୋଇ ।

 

ରବିନାରାୟଣ ଚାଲିଛନ୍ତି । ଭାବୁଛନ୍ତି ଦେଶରେ ଛଅ ଛଅ ଥର ସାଧାରଣ ନିର୍ବାଚନ ହୋଇଯାଇଛି । ଏହି ନିର୍ବାଚନ ମଣ୍ଡଳୀରୁ ଅତନୁ ବାବୁ ତିନିଥର ବିଧାନସଭାକୁ ନିର୍ବାଚିତ ହୋଇ ଦୁଇଥର ମନ୍ତ୍ରିମଣ୍ଡଳରେ ଯୋଗଦେଇଛନ୍ତି; ମାତ୍ର ପାଞ୍ଚମାଇଲ ଧରି ଏଇ କଚା ରାସ୍ତାଟି ରହିଗଲା ସେହିପରି ଅପରିବର୍ତ୍ତିତ ଭାବରେ ଯଦିଓ ଦୁଇଟି ମନ୍ତ୍ରିମଣ୍ଡଳର ସେ ହୋଇଥିଲେ ଜଣେ ଟାଣୁଆ ସଭ୍ୟ ।

 

ତିନିମୁହାଁଣୀ ଶ୍ରୀକାନ୍ତପୁର ପାଞ୍ଚମାଇଲ କଚା ରାସ୍ତାର ଚଉପାଖରେ ରହୁଥିବା ଜନସାଧାରଣଙ୍କ ଅସନ୍ତୋଷ ପ୍ରବଳ ଆକାର ଧାରଣ କରିବାକୁ ଲାଗିଲା । ପରବର୍ତ୍ତୀ ନିର୍ବାଚନରେ ଅତନୁ ବାବୁଙ୍କୁ ପରାଜିତ କରିବାଲାଗି ଜଣେ ଉପଯୁକ୍ତ ପ୍ରାର୍ଥୀ ଖୋଜିବାଲାଗି ସେ ଅଞ୍ଚଳର ଶିକ୍ଷିତ ଲୋକେ ଲାଗିପଡ଼ିଲେ ।

 

ସେହି ପାଞ୍ଚମାଇଲ ଅବହେଳିତ ରାସ୍ତାର ଅବବାହିକା ଅଞ୍ଚଳରେ ମନ୍ମଥର ଘର । ପାଠପଢ଼ିବାବେଳେ ଅଞ୍ଚଳର ଉନ୍ନତି ପାଇଁ ମନ୍ମଥ କିଛି କିଛି କାମ କରିଥିଲା ଏବଂ ସେ ଅଞ୍ଚଳର ଜନସାଧାରଣ ତା’ ଉପରେ କାହିଁକି କେଜାଣି ଏକ ପ୍ରକାର ଆସ୍ଥାବାନ ହୋଇ ଉଠିଥିଲେ । କିଛିଦିନ ଗାଁରେ କାମ କଲାପରେ ମନ୍ମଥ ପାଇଗଲା ସରକାରୀ ଚାକିରୀଟିଏ । ଗାଁକୁ ଯଦିଓ ସେ ଆସୁଛି ବେଳେ ବେଳେ, କିନ୍ତୁ ସରକାରୀ ଚାକିରୀ କରି ଗାଁ ଉନ୍ନୟନ ସମ୍ପର୍କରେ ସେ ସମୟ ଦେଇ କିଛି କାମ କରିପାରୁ ନାହିଁ । ସେଇ ମନ୍ମଥ ଯଦି ସରକାରୀ ଚାକିରୀ ଛାଡ଼ି ଅତନୁବାବୁଙ୍କ ସହିତ ପ୍ରତିଦ୍ୱନ୍ଦିତା କରନ୍ତା, ତେବେ ଅତନୁବାବୁ ଉଡ଼ିଯାଆନ୍ତେ ଆପେ ଆପେ ।

 

ରବିନାରାୟଣଙ୍କର ମନେପଡ଼ୁଛି ମନ୍ମଥର କଥା । ତାଙ୍କ ଅଞ୍ଚଳର ଆଉ ଦୁଇଜଣ ବିଶିଷ୍ଟ ଲୋକଙ୍କ ସହିତ ନିଜେ ରବିନାରାୟଣ ଯାଇଥିଲେ ମନ୍ମଥ ପାଖକୁ । ଆସନ୍ତା ନିର୍ବାଚନରେ ତମେ ଏଥର ମନ୍ମଥ ପ୍ରାର୍ଥୀହୁଏ । ତା’ ନ ହେଲେ ଆମ ଅଞ୍ଚଳର ବିକାଶ ଆଉ ସମ୍ଭବ ହେବନାହିଁ । ଆମ ଅଞ୍ଚଳର ଲୋକମାନଙ୍କର ଇଚ୍ଛା: ତମେ ଚାକିରୀ ଛାଡ଼ । ଆମେ ଆସିଛୁ ଜନସାଧାରଣଙ୍କ ଇଚ୍ଛା ତମକୁ ଜଣାଇବା ପାଇଁ । ତମେ ପ୍ରାର୍ଥୀ ହେବ କି ନାହିଁ ସିଦ୍ଧାନ୍ତ କର ।

 

ନିର୍ବାଚନ ଆସିଲା । ମନ୍ମଥ ସରକାରୀ ଚାକିରୀ ଛାଡ଼ି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କଲେ । ବହୁ ଅଧିକ ଭୋଟରେ ମନ୍ନଥ ଜୟଲାଭ କଲେ । ମନ୍ମଥ ଜୟଲାଭ କଲାପରେ, ଏଇ ଯେଉଁ ପାଞ୍ଚମାଇଲ କଚା ରାସ୍ତା ତାହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଗଲା । ଏଇ ରାସ୍ତାକୁ ମୋରମ ଛାଉଁଣୀ କରିବା ଉଦ୍ଦେଶ୍ୟରେ ପଥର, ଗୋଡ଼ି ମାଟି ପ୍ରଭୃତି ଜମାହେଲା । ଏଇସବୁ ମାଟିଗୋଡ଼ି ଜମା ହେଉଥିବା ଅବସ୍ଥାରେ ପୁଣି ରାସ୍ତାକାମ ବନ୍ଦ ହୋଇଗଲା । କାରଣ ରାସ୍ତା ସମ୍ପର୍କରେ ଗୁଡ଼ାଏ ଅଭିଯୋଗପତ୍ର ସରକାରଙ୍କ ନିକଟରେ ଆସି ପହଞ୍ଚିଲା । ଯେଉଁ ଠିକାଦାର ଏଇ ରାସ୍ତାଟିକୁ ଠିକା ନେଇଥିଲେ, ତାହା କୁଆଡ଼େ ସରକାରୀ ନିୟମ ଅନୁଯାୟୀ ହୋଇନଥିଲା ।

 

ଏ ଘଟଣା ପରେ ଆଉ ରାସ୍ତାକାମ ହୋଇନାହିଁ । ଯେଉଁସବୁ ଗୋଡ଼ି ମାଟି କଚା ରାସ୍ତାର ଦୁଇ ପାର୍ଶ୍ୱରେ ଜମା ହୋଇଥିଲା ସେ ସବୁ ବର୍ଷା, ପବନ ଓ ଶଗଡ଼ଗାଡ଼ିମାନଙ୍କର କ୍ରମାଗତ ଯିବା ଆସିବା ଫଳରେ ନଷ୍ଟ ଭ୍ରଷ୍ଟ ହୋଇଗଲା । ଅନେକବର୍ଷ ପରେ ରବିନାରାୟଣ ଓ ତାଙ୍କ ଅଞ୍ଚଳର ଶହ ଶହ ଲୋକଙ୍କ ମଧ୍ୟରେ ଆଶାର ଯେଉଁ ଇନ୍ଦ୍ରଧନୁ ଝଟକି ଉଠିଥିଲା, ତାହା ପୁଣି ମିଳାଇଗଲା ଅନ୍ଧାରୀ ତଳମାଳ ଅଞ୍ଚଳର ନିଦା ନିବୁଜ ଆକାଶରେ ।

 

ରବିନାରାୟଣ ତଥାପି ଚାଲିଛନ୍ତି; କଚା ସଡ଼କରେ ଶଗଡ଼ ଗୁଳା ଓ ମଣିଷର ପାଦ ମଧ୍ୟରେ ରହିଯାଇଥିବା ବ୍ୟାବଧାନର ଗାଡ଼ିଆ ଭିତରେ ପୁଳାଏ ପୁଳାଏ ପାଣି ଜମି ଉଠିଥିଲା । ରବିନାରାୟଣଙ୍କ ପାଦ ଅସତର୍କତା ଯୋଗୁଁ ସେଠାରେ ପଡ଼ିଗଲେ ପାଣି କାଦୁଅ ଛିଟିକି ଆସୁଥିଲା ତାଙ୍କ ମୁଣ୍ଡ ପର୍ଯ୍ୟନ୍ତ । ଏ ଅନୁଭୂତି ଅବଶ୍ୟ ତାଙ୍କର ନୂଆ ନୁହେଁ, ଅନେକ ଦିନର ।

 

ମନ୍ମଥ ଦୁଇ ଦୁଇ ଥର ନିର୍ବାଚନରେ ଜିତି ବିଧାନସଭାକୁ ଆସି ପାରିଛି । ମାତ୍ର ସେଇ କଚା ରାସ୍ତାଟି ରହିଯାଇଛି ସେଇଭଳି ଅପରିବର୍ତ୍ତିତ । ମନ୍ମଥର ସମସ୍ତ ଉଦ୍ୟମ ସତ୍ତ୍ୱେ ସରକାରୀ ଦଳ ତା’ ସହିତ ଅସହଯୋଗ କରିଛନ୍ତି । କାରଣ ସେ ବିରୋଧୀ ଦଳରେ ରହିଯାଇଛି । ରାସ୍ତାଟିକୁ ପୂର୍ଣ୍ଣାଙ୍ଗ କରି ନ ଦେବା ପଛରେ ଅବଶ୍ୟ ରାଜନୈତିକ ଉଦ୍ଦେଶ୍ୟ ରହିଥିଲା । ଜନସାଧାରଣ ବିରୋଧୀ ଦଳ ପ୍ରତି ଅସନ୍ତୁଷ୍ଟ, ହୁଅନ୍ତି, ଏହାହିଁ ଥିଲା ସରକାରୀ କଳର ଉଦ୍ଦେଶ୍ୟ ।

 

ଇମର ଜେନ୍‌ସିର ଅତ୍ୟାଚାର ଓ ଗଣତନ୍ତ୍ରକୁ ସଙ୍କୁଚିତ କରିଦେବା ଲାଗି ସାରା ଦେଶରେ ଯେଉଁ ଏକନାୟକ ଶାସନ ଚାଲିଲା; ତାହାକୁ ପ୍ରଚଣ୍ଡ କରି ମନ୍ମଥ ପୁଣି ଥରେ ନିର୍ବାଚନରେ ବହୁ ଅଧିକ ଭୋଟରେ ଜିତିଗଲେ । ଦୁଇ ଦୁଇ ଥର ନିର୍ବାଚନରେ ଜିତି, ନିଜ ଅଞ୍ଚଳରେ ବିଶେଷ କିଛି ଆଖିଦୃଶିଆ କାର୍ଯ୍ୟ କରି ନ ଥିଲେ ମଧ୍ୟ ଓ କିଛି ଅଂଶରେ ଜନ ଅସନ୍ତୋଷ ରହିଥିଲେ ସୁଦ୍ଧା ସେ ପୁଣି ଜିତିଗଲେ ବହୁ ଲୋକଙ୍କ ସମର୍ଥନ ପାଇ ।

 

ଯେଉଁ ଦିନ ମନ୍ମଥକୁ ଏ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ସମ୍ୱର୍ଦ୍ଧନା ଦିଆଗଲା ସେଦିନ ରବିନାରାୟଣ ସେଠାରେ ଉପସ୍ଥିତ ଥିଲେ । ମନ୍ମଥକୁ ଜିତେଇବାରେ ଅବଶ୍ୟ ସେ ତାଙ୍କ ତଳମାଳ ଅଞ୍ଚଳରେ ମୁଖ୍ୟ ଦାୟୀତ୍ୱ ଗ୍ରହଣ କରିଥିଲେ । ସେଦିନ ସମ୍ବର୍ଦ୍ଧନା ସଭାରେ ରବିନାରାୟଣ କହିଥିଲେ ଆଜିର ଏ ସମ୍ବର୍ଦ୍ଧନା ସଭାରେ ଦାବୀର ଗୋଟାଏ ଲମ୍ବା ଫର୍ଦ୍ଦ ବାଢ଼ିବାକୁ ମୁଁ ଇଚ୍ଛା କରେନାହିଁ । କେବଳ ଗୋଟିଏ ମାତ୍ର ଦାବୀ-ତିନିମୁହାଁଣୀ-ଶ୍ରୀବନ୍ତପୁର କଚା ରାସ୍ତାକୁ ତୁରନ୍ତ ତମେ ପକ୍‌କା ରାସ୍ତାରେ ପରିଣତ କରିବାକୁ ଚେଷ୍ଟା କରିବ ।

 

ରବିନାରାୟଣ ଚାଲିଛନ୍ତି ଘରକୁ । ପାଞ୍ଚ ମାଇଲକଚା ରାସ୍ତା ତଥାପି ସରିନାହିଁ । ବର୍ଷା ଓ ଅନ୍ଧାର ତଥାପି ଥମିନାହିଁ । ସେ ଭାବୁଥିଲେ, ସମ୍ବର୍ଦ୍ଧନା ସଭା ପରେ, ମନ୍ମଥ ଆଉ ଏ ଅଞ୍ଚଳକୁ ଆସିନାହିଁ । ଏ ରାସ୍ତା ସମ୍ପର୍କରେ ସେ କି ପଦକ୍ଷେପ ଗ୍ରହଣ କରିଛି, ତାହା ମଧ୍ୟ ଜଣାନାହିଁ । ପୁରୁଣା ଓ ଅଭିଜ୍ଞ ବିଧାୟକ ଭାବରେ ଏଥର ତା’ ଭାଗ୍ୟରେ ମନ୍ତ୍ରୀତ୍ୱ ଥୁଆ ଥିଲା । ମାତ୍ର ଶେଷ ମୁହୂର୍ତ୍ତରେ, ତାକୁ ବାଦ୍‌ ଦିଆଯାଇ ମନ୍ତ୍ରିମଣ୍ଡଳ ଗଢାଗଲା, କାରଣ ମନ୍ତ୍ରିମଣ୍ଡଳକୁ ଯଥାସମ୍ଭବ କ୍ଷୁଦ୍ର କରାଯାଇ ଥିବାରୁ ମନ୍ମଥ ଅଳ୍ପକେ ମନ୍ତ୍ରୀ ହେବାର ସୁଯୋଗରୁ ବଞ୍ଚିତ ହୋଇଗଲା ।

 

ଜନସେବା କରିବା ପାଇଁ ମନ୍ତ୍ରୀ ହେବା କ’ଣ ନିହାତି ପ୍ରୟୋଜନ ? ମନ୍ତ୍ରୀ ହେବା ବରଂ ଏକ ଅଭିଶାପ । ଲୋକେ ଖୁଆଇ ପିଆଇ ଦେବେ ନାହିଁ । ଶହ ଶହ ସଂଖ୍ୟାରେ ଜମିଯିବେ ଘରେ, ବାହାରେ ଓ ବାରଣ୍ଡାରେ ନିଯୁକ୍ତି, ବଦଳି, ପରମିଟ ଲାଇସେନ୍‌ସ ଓ କୋଟାପାଇଁ ଦିନ ରାତି ଗହଳି କରି ବସିବେ । ଶାନ୍ତିରେ ଟିକିଏ ଶୋଇ ହେବନାହିଁ । ଶାନ୍ତିରେ ଟିକିଏ ଖାଇହେବ ନାହିଁ । ମନ୍ମଥ ବରଂ ମନ୍ତ୍ରୀ ନ ହୋଇ ଭଲ କରିଛି । ଗାଡ଼ି, ଘୋଡ଼ା, ପାରିଷଦ ଓ ତୋଷାମଦିଆମାନଙ୍କର ଚବିଶିଘଣ୍ଟିଆ ଆଡ଼ଡ଼ା ଭିତରେ ମନ୍ମଥ ଭୁଲି ଯାଇଥାଆନ୍ତା ତା’ର ଛୋଟ ନିର୍ବାଚନ ମଣ୍ଡଳୀଟିର ଅସଂଖ୍ୟ ଅସୁମାରୀ ସମସ୍ୟା । ତା’ ଅଞ୍ଚଳର ଅଭାବଗ୍ରସ୍ତ ଜନସାଧାରଣଙ୍କର ସୁଖ-ଦୁଃଖ ଓ ହସକୌତୁକ ସବୁ କିଛି ।

 

ରବିନାରାୟଣ ନିଜେ ଆଶ୍ୱସ୍ତ ହେଲେ ସିନା; ମାତ୍ର ମନ୍ମଥର ମନ କଥା ସେ ଭଲ ଭାବରେ ଉପଲବ୍‌ଧି କରିଥିଲେ । ମନ୍ତ୍ରୀ ହେବାପାଇଁ ସେ ଭୟଙ୍କର ଆଶାୟୀ ହୋଇଥିଲା । ମନ୍ତ୍ରୀ ନ ହେଲା ବୋଲି ମନ ଦୁଃଖରେ ଏବେ ମଧ୍ୟ ସେ ନିର୍ବାଚନ ମଣ୍ଡଳୀକୁ ଆସୁନାହିଁ । ତା’ର ଅଭିମାନ ସମ୍ପର୍କରେ ଭଲ ଭାବରେ ଧାରଣା କରି ରବିନାରାୟଣ ଗତ ପନ୍ଦରଦିନ ତଳେ ମନ୍ମଥ ପାଖକୁ ଚିଠି ଲେଖିଥିଲେ ତମ ଦଳର ଶତାଧିକ ଲୋକେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେମାନେ ସମସ୍ତ କ’ଣ ମନ୍ତ୍ରୀ ହେବେ ? ତମେ ମନ୍ତ୍ରୀ ହୋଇଥିଲେ ଆମେ ବରଂ ସୁଖି ହୋଇଥାନ୍ତୁ । ନ ହେଲ ନାହିଁ ତମେ ତମ ଅଞ୍ଚଳର ସେବାକରି ଜନସାଧାରଣଙ୍କ ପ୍ରିୟପାତ୍ର ହେବାକୁ ଚେଷ୍ଟାକର । ତାହାହିଁ ହେବ ତମ ପକ୍ଷରେ ଚରମ ସାର୍ଥକତା ଓ ପରମ ଗୌରବ ।

 

ରବିନାରାୟଣ ଏଇ ସମସ୍ତ ଭାବନା ମଧ୍ୟରେ ତାଙ୍କ ଗାଁ ସ୍କୁଲ ପାଖରେ ପହଞ୍ଚିଲେ । ଏଇଠାରେ ତାଙ୍କର ଶୈଶବ ଓ କୈଶୋର ଅତିକ୍ରାନ୍ତ କରିଥିଲା ଏବଂ ଏଇ ଅନୁଷ୍ଠାନ ତାଙ୍କୁ ମଣିଷ କରି ଗଢ଼ି ତୋଳିବାରେ ହୋଇଥିଲା ମୁଖ୍ୟ ସହାୟକ ।

 

ରବିନାରାୟଣ ଝିପି ଝିପି ବର୍ଷାରେ ଟର୍ଚ୍ଚ ମାରି ଦେଖିଲେ ତାଙ୍କର ପିଲାଦିନର ସେଇ ସ୍କୁଲକୁ । ମହାକାଳର ନିଷ୍ଠୁର ରାକ୍ଷସ ସହିତ ଲଢ଼ି ଲଢ଼ି ସ୍କୁଲ ଘରଟି ଏବେ ମଧ୍ୟ ଠିଆ ହୋଇଛି ସ୍ଥିର ଅବିଚଳିତ ଭାବରେ ।

 

ରବିନାରାୟଣ ଭାବିଲେ, ସ୍ୱାଧୀନତା ପୂର୍ବରୁ ଏ ଅଞ୍ଚଳ ଥିଲା ଏକ ଅଗ୍ରଗାମୀ ଅଞ୍ଚଳ, ସ୍ୱାଧୀନତାର ତିରିଶିବର୍ଷ ପରେ ଜନସାଧାରଣଙ୍କ ସର୍ବନିମ୍ନ ଚାହିଦା ମେଣ୍ଟାଇବା ପାଇଁ ଯେଉଁଠି ରାସ୍ତାଟିଏ ହୋଇପାରିଲା ନାହିଁ, ସେ ଅଞ୍ଚଳର ଜନସାଧାରଣଙ୍କ ପାଖରେ ଭାରତୀୟ ଗଣତନ୍ତ୍ରର ମୂଳଦୁଆ ଖୁବ୍‌ ଶକ୍ତିଶାଳୀ ହୋଇଛି ବୋଲି କହିବାର କ’ଣ ଅବା ପ୍ରୟୋଜନ ? ସେହି ଅବହେଳିତ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଯେପରି ଥିଲା ଦୁର୍ବୋଧ୍ୟ, ୧୯୭୭ ମାର୍ଚ୍ଚ ମାସରେ ଭାରତୀୟ ଗଣନ୍ତ୍ରଣର ପୁନଃପ୍ରତିଷ୍ଠା ଲାଗି ଚାଲିଥିଲା ଯେଉଁ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ, ତାହା ମଧ୍ୟ ସେହିଭଳି ରହସ୍ୟମୟ ।

 

ବର୍ଷା ବନ୍ଦ ହୋଇନାହିଁ । ରବିନାରାୟଣ ନିଜ ଘରର ଦୁଆର ମୁହଁ ନିକଟରେ ପହଞ୍ଚି ଛତା ବନ୍ଦକଲେ ।

Image

 

Unknown

ଅସ୍ତ ସୂର୍ଯ୍ୟର ଛାଇ

 

ଦଶବର୍ଷ ପରେ ସମୁଦ୍ରକୂଳରେ ମୁଁ ମିନି ଭାଉଜଙ୍କୁ ହଠାତ୍‌ ଦେଖିଲି । ଗ୍ରୀଷ୍ମ ସନ୍ଧ୍ୟାର ଅପ୍ରଚୁର ଗହଳି ମଧ୍ୟରେ ତାଙ୍କୁ ଦେଖି ପୁଲକରେ ତାଙ୍କ ପାଖକୁ ଦଉଡ଼ି ଯିବାକୁ ଇଚ୍ଛାକଲି ।

ମୁଁ ଆବେଗରେ ବେଳାଭୂମିର ବାଲିରେ କିଛି ବାଟ ଆଗେଇଲି । ମିନି ଭାଉଜଙ୍କୁ ଦୂରରୁ ଦେଖି ଭଲ ଲାଗିଥିଲା । କିନ୍ତୁ ପାଖକୁ ଆସି ଭଲ ଲାଗିବା ବଦଳରେ ଯନ୍ତ୍ରଣା ଅନୁଭବ କଲି ।

ମିନି ଭାଉଜ ଅନାଇଛନ୍ତି ସମୁଦ୍ରକୁ ଅନ୍ୱେଷାର ଆଖିରେ ।

ମୋ ଚେତନାରେ ଏକ ଗୁରୁ ପନ୍ତ୍ରଣା, ଯାହା କି ଦଶବର୍ଷ ତଳେ ଖୁବ୍‌ ଏକୁଟିଆ ମୁଁ ଅନୁଭବ କରିଥିଲି । ସେଇ ଯନ୍ତ୍ରଣାର ପ୍ରକୋପ ମୋର ସମଗ୍ର ଶରୀରକୁ ଆଚ୍ଛନ୍ନ କରିଦେଲା । ମିନି ଭାଉଜଙ୍କୁ ଦେଖି ମୁଁ ସେହି ଯନ୍ତ୍ରଣା ଅନୁଭବ କରୁଥିଲି ଓ ଅପର ପକ୍ଷରେ କଥିତ ଯନ୍ତ୍ରଣାରୁ କିଛି ଅଂଶରେ ମୁକ୍ତି ମଧ୍ୟ ପାଉଥିଲି ।

ମିନି ଭାଉଜ ଯେଉଁଦିନ ବୋହୂ ହୋଇ ପ୍ରଥମେ ଆସିଥିଲେ ଆମ ସାହିର ବନୁ ବଡ଼ାପାଙ୍କ ଘରକୁ, ସେଦିନ ମୁଁ ହୋଇଥିଲି ପିଲାଟିଏ । ସେତେବେଳେ ମୋ ବୟସର ପୁଅ ପିଲାମାନଙ୍କ ଅପେକ୍ଷା, ଆମ ସାହିର ବଡ଼ ବଡ଼ ଝିଅମାନଙ୍କ ସହିତ (ଯେଉଁମାନଙ୍କୁ ଅପା ବୋଲି ଡାକୁଥିଲି) ମୁଁ ବେଶି ମିଶୁଥିଲି ଏବଂ ସେମାନେ ମୋତେ ମାଇଚିଆ ବୋଲି ଭାବିନେଇ ମୋ ପୁରୁଷକାରକୁ ଅତି ନିର୍ମମ ଭାବରେ ଅସ୍ୱୀକାର କରୁଥିଲେ ।

ସେଇ ସବୁ ଅପାମାନେ ମୋ ପୁରୁଷକାର ପ୍ରତି ତାଚ୍ଛଲ୍ୟ ପ୍ରକାଶ କରିବାରେ ମୋର ସେତେବେଳେ କୌଣସି ପ୍ରତିକ୍ରିୟା ନ ଥିଲା । ମୋତେ କିନ୍ତୁ ଭଲ ଲାଗୁଥିଲା ସେମାନଙ୍କ ସହିତ ମିଶିବାକୁ, ସାଙ୍ଗ ହୋଇ ପୋଖରୀରେ ଗାଧୋଇବାକୁ, କୁଆଁର ପୁନେଇଁରେ ସେମାନଙ୍କ କାନ୍ଧରେ ହାତ ପକାଇ ଗୀତ ଗାଇବାକୁ ।

ସେମାନଙ୍କ ଶାଢ଼ିରେ କେଜାଣି କେମିତି ଗୋଟିଏ ବାସ୍ନା ଥିଲା । ସେମାନଙ୍କ ବ୍ଳାଉଜ ଓ ମୁଣ୍ଡ ବାଳରେ ଗୋଟିଏ ଚମତ୍କାର ମହକ ଥିଲା । ତେଣୁ ସେମାନଙ୍କ ସହିତ ମିଶିବାକୁ ଭଲ ଲାଗୁଥିଲା ଏବଂ ସେହି ଅପାମାନଙ୍କଠାରୁ ମୁଁ ଅନେକ କଥା ଶିଖି ପାରୁଥିଲି ।

ମୋ ଭିତରେ ଏଇଭଳି ଏକ ବିଚିତ୍ର ପ୍ରତିକ୍ରିୟା ସୃଷ୍ଟି ହେଉଥିବା ବେଳେ ମିନି ଭାଉଜ ଆସିଲେ ଆମ ସାହିକୁ । ସମସ୍ତ ଅପାମାନଙ୍କ ଅପେକ୍ଷା ମିନି ଭାଉଜ ଥିଲେ ଭାରି ସୁନ୍ଦରୀ ।

ଯେଉଁଦିନ ରାତିରେ, ପ୍ରଥମେ ଯେତେବେଳେ ସବାରୀରୁ ଓହ୍ଲାଇ ଘର ଭିତରକୁ ସେ ଆସିଲେ ବଧୂ ବେଶରେ, ସେତେବେଳେ ତାଙ୍କର ଆଦୌ ଲାଜ ନଥିଲା । ଆମ ସାହିର ବୋହୂମାନେ ଯେପରି ଓଢ଼ଣା ଟାଣି ମୁହଁ ଢାଙ୍କୁଥିଲେ, ମିନି ଭାଉଜ ପ୍ରଥମକରି ସେ ପରମ୍ପରା ଭାଙ୍ଗି ଦେଲେ ।

ମିନି ଭାଉଜଙ୍କର ସେଇ ମୁହଁଟି, ମୋର ଅବହେଳିତ ଓ କ୍ରମବର୍ଦ୍ଧିଷ୍ଣୁ ଅଥଚ ଅପ୍ରତିଷ୍ଠିତ ପୁରୁଷକାରର ଚେତନାର ପୋଖରୀରେ ଯେଉଁ ପଦ୍ମ ଫୁଲଟିଏ ଫୁଟାଇଲା, ଆଜି ବି ସେ ଫୁଲର ପ୍ରତ୍ୟେକ ପାଖୁଡ଼ା ସଜୀବ ଓ ସତେକ ରହିଛି । ସେଇ ମୁହଁଟିକୁ ଦେଖିବାପାଇଁ ମୁଁ ଯେ କେତେ ହାଇଁ ପାଇଁ ନ ହୋଇଛି !

ଅପାମାନଙ୍କ ପାଖରେ ସବୁବେଳେ ରହି ଓ ସେମାନଙ୍କ ପ୍ରତୀକଧର୍ମୀ କଥାବାର୍ତ୍ତା ଶୁଣି ଶୁଣି, ସେମାନଙ୍କ ଅଲକ୍ଷ୍ୟରେ ମୋ ଭିତରେ ସେ ସମସ୍ତଙ୍କୁ ଯେପରି ଭଲ ପାଇବାର ଏକ ଅହେତୁକ ନିଶା ଦେଖାଦେଇଥିଲା, ମିନି ଭାଉଜଙ୍କୁ ପ୍ରଥମ ଦେଖାରେ ମୁଁ ସେହିଭଳି ଭଲ ପାଇଲି ।

କିଛିଦିନ ପରେ ମିନି ଭାଉଜ ମୋତେ ମଧ୍ୟ ସେ ଅପାମାନଙ୍କ ପରି ବ୍ୟବହାର କଲେ ଏବଂ ମୋ ଅସ୍ୱୀକୃତ ପୁରୁଷକାରକୁ ଅତିମାତ୍ରାରେ ଦଳି ଦେଇ ମୋତେ ଏକ ନିରୀହ ପରିଚାରିକା ପରି ଦେଖିଲେ ।

ଶ୍ୟାମ ଭାଇନା ବିବାହର ମାସକ ପରେ ସୋନପୁର ଚାଲିଗଲେ । ଭାଇ ଓ ଭାଉଜଙ୍କ ଭିତରେ କେତେ ଚିଠି ଲେଖାହୁଏ । ପ୍ରତିଦିନ ମୁଁ ଦଉଡ଼େ ଡାକଘରକୁ । ଚିଠିଆଣେ । ଡାକରେ ଛାଡ଼େ ।

କିଛିଦିନ ଉତ୍ତାରେ ସେମାନଙ୍କ ଚିଠି ମୁଁ କେତେ ଖୋଲି ପଢ଼ିଛି ଓ ପୁଣି ଅଠା ଦେଇ ମୁଦିଛି । କି ଯେ ସେ ଭାଷା । ସେ ଚିଠିଗୁଡ଼ିକ ପଢ଼ି ମୁଁ ଟିକି ଟିକି ହୋଇ ଭାଜି ପଡ଼େ । ମୋ ଅସ୍ୱୀକୃତ ପୁରୁଷକାରର ମେଣ୍ଢା ରୁମରେ ଖାଲି ନିଆଁ ଜଳେ....

ଦିନେ ଖରାବେଳେ ମୁଁ ମିନି ଭାଉଜଙ୍କ ପାଖକୁ ଗଲି । ସେ ଶୋଇଥିଲେ ନିଦରେ । ତାଙ୍କର-କୁନ୍ଦିଲା କୁନ୍ଦିଲା ଗୋରା ତକ ତକ ଦେହ ଢଳି ପଡ଼ିଥିଲା ବିଛଣାରେ ।

ତାଙ୍କ ପିଠିରେ ଲୁଗା ନ ଥିଲା, ତାଙ୍କର ବାହୁମୂଳ ଖୋଲା । ବଳିଲା ବଳିଲା ମାଂସପେଶୀ । ଭାରି ଭଲ ଲାଗିଲା ବାହୁ ଉପରେ ଥିବା ଏକ କଳାଜାଇକୁ ଦେଖିବାକୁ । ଲଙ୍ଗଳା ବାହୁର ସୌନ୍ଦର୍ଯ୍ୟକୁ । ଆହା ସେ କଳାଜାଇଟି ଦେଖା ଯାଉଥିଲା କଳା ବାଛୁରୀ ମୁଣ୍ଡରେ ଧଳା ଚାନ୍ଦ ଦିଶିଲା ପରି ।

ଜ୍ୟେଷ୍ଠର ଖରାବେଳ । ତଳ ଖଞ୍ଜାରେ କେହି ନ ଥିଲେ । ଦ୍ୱିପ୍ରହରର ଉଦାସ ନିଃସଙ୍ଗତା । ଏଇ ନିର୍ଜନତାରେ ଏକ ପ୍ରଚଣ୍ଡ ସୂର୍ଯ୍ୟଶିଖା ମୋର ନିପୀଡ଼ିତ ପୁରୁଷକାର ମଧ୍ୟରେ ହଠାତ୍‌ ଜଳିଉଠିଲା ହୁତ୍‍ହୁତ୍‍ ହୋଇ ।

ମୁଁ ମିନି ଭାଉଜଙ୍କ ଶୋଇଲା ବିଛଣାରେ ବସିଗଲି ଏବଂ ତାଙ୍କ ବାହୁ ଦେଶରେ ଯେଉଁ ଅଂଶରେ କଳା ନାଇଟି ମଣ୍ଡିତ ହୋଇଥିଲା, ସେଇ ଅଂଶଟିକୁ ମୁଁ ନିର୍ବିକାର ଭାବରେ ଆଉଁଷିବାକୁ ଲାଗିଲି ।

ମିନି ଭାଉଜଙ୍କୁ ନିଦ ଲାଗି ଯାଇଥିଲା । ବିଲମ୍ବିତ ବାଳ ତାଙ୍କର ବିଞ୍ଚି ପଡ଼ିଥିଲା ତକିଆରେ ଚତୁର୍ଦ୍ଦିଗରେ । ଉଦାସ ଦ୍ୱିପ୍ରହରରେ ସେ ଥିଲେ ଢେଉହୀନ ଏକ ଶାନ୍ତ ସମୁଦ୍ର । ଆଉ ମୁଁ ଥିଲି ଯେପରି ବେଳାଭୂମିରେ ତଟସ୍ଥ ଏକ ଦୂରାଗତ ପରିବ୍ରାଜକ ।

କଳାଜାଇଟିକୁ କେତେ ଆତ୍ମୀୟତା ସହିତ ମୁଁ ଆଉଁଷିଲି । ମୋର ନିପୀଡ଼ିତ ପୁରୁଷକାର ଭିତରେ ଏକ ନୂଆ ଉତ୍ସାହ ଓ ଆନନ୍ଦର ସ୍ପର୍ଶ ଅନୁଭବ କଲି ପ୍ରଥମ ଥର ପାଇଁ ।

ଅନେକ ସମୟ ପରେ ମୋର କ୍ରମାଗତ ଆଉଁଷାର ପ୍ରଲେପରେ ମିନି ଭାଉଜଙ୍କ ନିଦ ଭାଜିଲା । ସେ ପ୍ରଥମ ନିଦ ବାଉଳାରେ ମୋ ହାତକୁ ତାଙ୍କ ବାହୁ ଉପରୁ ଠେଲି ଦେଲେ ଓ ଆଖି ଖୋଲି ମୋତେ ଚାହିଁ ଅକସ୍ମାତ୍‌ ବିଛଣାରୁ ଉଠି ପଡ଼ିଲେ ।

ପରେ ବିଛଣାରେ ସଳଖ ହୋଇ ବସି ଲୁଗାପାଟା ସଜାଡ଼ି ନେଲେ ଏବଂ ମତେ ଦେଖି ମୃଦୁ ହସି କହିଲେ, ‘‘ତମେ ନିତାନ୍ତ ମାଇଚିଆ ।’’

ସେଦିନର ସେଇ ଦ୍ୱିପ୍ରହରର ବିଷର୍ଣ୍ଣତା ମଧ୍ୟରେ ମିନି ଭାଉଜଙ୍କର ସେଇ ପଦକ କଥା, ମୋର ବିଡ଼ମ୍ବିତ ପୁରୁଷକାର ମଧ୍ୟରୁ ଅନେକ ଦିନ ପରେ ଜନ୍ମ ନେଉଥିବା ଏକ ପର୍ଶୁରାମର ଉତ୍ତୋଳିତ ପର୍ଶୁ କିଏ ଯେପରି ଛଡ଼ାଇ ନେଇ, ମୋତେ ଭୀଷଣ ଲଂଛିତ ଓ ଅପମାନିତ କରିଦେଲା-

ଅପମାନରେ ମୁଁ ଭାରି ଭାରି ହୋଇ ଉଠିଲି ଏବଂ ବିଛଣାରୁ ଉଠିପଡ଼ି, ତାଙ୍କ କଥାରେ କୌଣସି ଉତ୍ତର ନ ଦେଇ, ତଳଖଞ୍ଜା ପାରି ହୋଇ ଦାଣ୍ଡକୁ ଚାଲି ଆସିଲି । ମୋତେ ମିନି ଭାଉଜ ପଛରୁ ତୁହାଇ ତୁହାଇ ଡାକୁଥିବାର ମୁଁ ଶୁଣି ପାରୁଥିଲି । ମୁଁ କିନ୍ତୁ ଆଉ ଫେରି ନଥିଲି ।

ସେ ଆଜିକୁ ଦଶବର୍ଷ ତଳର କଥା । ସେ ଦିନର ସେଇ ଅପମାନର ପ୍ରତିଶୋଧ ନେବାପାଇଁ ମୋ ଅସ୍ୱୀକୃତ ପୁରୁଷକାରର ଅନୁର୍ବର ମରୁଭୂମିରେ ମୁଁ ଯେ କେତେ ଫୁଲ ଫଟାଇଛି କେତେ ସ୍ତନ୍ୟ ବନର ମୁଁ ମତ୍ତଗଜ । କେତେ ଦେହ ସାମ୍ରାଜ୍ୟର ମୁଁ ମୁକୁଟହୀନ ସମ୍ରାଟ ।

ମିନି ଭାଉଜ ତଥାପି ଅନାଇଁ ରହିଛନ୍ତି’ ସମୁଦ୍ରକୁ କେଜାଣି କେଉଁ ଏକ ଅନ୍ୱେଷାରେ । ଶ୍ୟାମଭାଇନା ନାହାନ୍ତି । ଆଉ ବି କେହି ନାହାନ୍ତି ପାଖରେ ।

ଏକାକୀ ସେ କିପରି ଆସିଲେ ଏ ସହରର ସମୁଦ୍ର କୂଳକୁ ?

ମୋ ଭିତରର ଦ୍ୱିଧା କଟିଗଲା ଓ ମୁଁ ଚାଲିଲି ତାଙ୍କ ଆଡ଼େ ।

ମୁଁ ମିନି ଭାଉଜଙ୍କର ଖୁବ୍‌ ପାଖରେ ଅଥଚ ସେ ଅନାଇଁଛନ୍ତି ସମୁଦ୍ରକୁ ଏକ ଲୟରେ ।

ମୁଁ ବାଧ୍ୟ ହୋଇ ତାଙ୍କ ଆଗକୁ ଗଲି ଓ ତାଙ୍କୁ ଚାହିଁ କହିଲି ‘‘ନମସ୍କାର ମିନିଭାଉଜ ।’’

ସେ ମୋତେ ଚାହିଁ ଦେଲେ ଓ ତାଙ୍କ ଆଖି ଅପ୍ରମିତ ପୁଲକରେ ବତୁରି ଉଠିଲା । ସେ ହଠାତ୍‌ ମୋତେ ଧରିପକାଇ କହିଲେ, ‘‘ଆଜି ସମୁଦ୍ରକୂଳେ ବହୁବର୍ଷ ପରେ ତୁମକୁ ଦେଖିଲି । ଆହା ମୋର କି ଭାଗ୍ୟ ।’’

ମୁଁ ନିର୍ବାକ ରହିଲି ।

ସେ କହିଲେ, ‘‘ଚାଲ ସୁଦର୍ଶନ, ଆମେ ସମୁଦ୍ର କୂଳେ କୂଳେ ଯେତେ ବାଟ ପାରିବା, ସେତେବାଟ ଚାଲି ଚାଲି ଯିବା । ତୁମ ଭାଇନା ଅଛନ୍ତି ‘ବେ-ଭ୍ୟୁ ହୋଟେଲ ସେ ପାଖରେ ।’’

ମିନି ଭାଉଜଙ୍କ ହାତରେ ହାତ ରଖି ମୁଁ ଚାଲୁଥିଲି । ଦଶବର୍ଷ ତଳେ ଏକ ବିଷର୍ଣ୍ଣ ଦ୍ୱିପ୍ରହରରେ ମୋ ଭିତରେ ଜଳି ଉଠିଥିଲା ଯେଉଁ ଗୋଟିଏ ସୂର୍ଯ୍ୟ ଆଜି ଏଇ ସମୁଦ୍ର ସଞ୍ଜରେ ତାହା ଯେପରି ମିନି ଭାଉକଙ୍କ ହାତ ପାପୁଲିରେ ଅସ୍ତମିତ ହୋଇ ଯାଉଥିଲା ।’’

କିଛିବାଟ ଗଲାପରେ ମୁଁ କୌତୁହଳରେ ପଚାରିଲି, ‘ଶ୍ୟାମ ଭାଇନା ଆସିଲେ କିଆଁ ତମ ସାଙ୍ଗରେ ?’’

ମିନି ଭାଉଜଙ୍କ ଦୀର୍ଘଶ୍ୱାସ ମିଳାଇଗଲା ସମୁଦ୍ରଗାମୀ ଗ୍ରୀଷ୍ମ ସନ୍ଧ୍ୟାରେ ସହଜରେ ସେ କହିଲେ, ‘‘ଗତ ଛଅବର୍ଷଧରି ସେ ଅସୁସ୍ଥ ।’’

ସେ ଏଠାରେ ଫେରିଲେ ଦେଖିବ ତୁମ ଭାଇନାଙ୍କୁ । ସେ ସଦାବେଳେ ଶଯ୍ୟାଶାୟୀ । ଏକ ଦୁରାରୋଗ୍ୟ ରୋଗରେ ପୀଡ଼ିତ ।

ମିନି ଭାଉଜଙ୍କ କଣ୍ଠ ଭାଙ୍ଗି ପଡ଼ୁଥିଲା ଓ ସେ କ୍ରମେ କ୍ରମେ ନିଜ ସମ୍ପର୍କରେ ସଚେତନ ହୋଇ ଉଠୁଥିଲେ । ତାଙ୍କର ଦୁଃଖ ଓ ବେଦନା ସମ୍ପର୍କରେ ମୋ ପକ୍ଷରେ ଅଧିକ କିଛି ଜାଣିବାର ପ୍ରୟୋଜନ ନ ଥିଲା ।

Image

 

ବନ୍ଦୀର ଆତ୍ମକଥା

 

ଗତ ଚଉଦ ମାସ ଧରି ଜେଲ୍‍ର ଅମୁହାଁ ଦେଉଳ ଭିତରେ ରହି ଶୁଭକାନ୍ତ ଯେପରି ଅଣନିଃଶ୍ୱାସୀ ହୋଇ ଉଠିଥିଲେ ।

 

ସେ ଭାବୁଥିଲେ ଆଉ କେତେକାଳ ରହିବେ ଏଇମିତି ବନ୍ଦୀ ହୋଇ ? ଭାରତର ହଜାର ହଜାର ରାଜନୈତିକ ବନ୍ଦୀ ତାଙ୍କ ଭଳି ଜେଲରେ ଏକ ଅପନ୍ତରା ଅନ୍ଧାରୀ ଗୁହା ତଳେ, ଦୀର୍ଘଶ୍ୱାସ ଛାଡ଼ୁଥିବେ । ସେମାନଙ୍କ ସଂଖ୍ୟା ହଜାରେ କି ଲକ୍ଷେ, ତା’ ଭଳି ଏକ ରାଜନୈତିକ ବନ୍ଦୀ ପକ୍ଷରେ ଜାଣିବା କଷ୍ଟକର ।

 

ଶୁଭକାନ୍ତ ସକାଳୁ ଉଠିଲାବେଳକୁ ଦେଖିଲେ, ସେ ଯେଉଁ ସେଲରେ ବନ୍ଦୀ ଅଛନ୍ତି, ତାହାର ବାହାର ପଟ କବାଟରେ ଏବେ ମଧ୍ୟ ତାଲାଟିଏ ଝୁଲୁଛି । ରାତି ପାହି ସକାଳ ହେଲେ ମଧ୍ୟ ୱାଡ଼ର ଏବେ ସୁଦ୍ଧା ସେଲର ତାଲା ନାହିଁ । ଖୋଲିବାକୁ ହୁଏ ତା’ର ମନେ ନାହିଁ ।

 

ଶୁଭକାନ୍ତ ବିରକ୍ତ ହେଲେ ଓ ଭାବିଲେ, ଜେଲର କର୍ତ୍ତୃପକ୍ଷ ଭାବନ୍ତି ଯେଉଁମାନେ ବନ୍ଦୀ ହୋଇ ଜେଲ୍‍କୁ ଆସନ୍ତି, ସେମାନେ ଯେପରି ଜାତିଦ୍ରୋହୀ, ରାଷ୍ଟ୍ରଦ୍ରୋହୀ ଓ ନିତାନ୍ତ ଅଦରକାରୀ । ଜେଲରେ ବନ୍ଦୀ ହୋଇ ରହିବା କିମ୍ବା ଘଟଣାଚକ୍ରରେ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ଯେପରି ସେମାନଙ୍କର ସହଜାତ ଧର୍ମ ।

 

ଶୁଭକାନ୍ତ ନିଜ ସେଲର ରୁଦ୍ଧ ଦର୍ଜା ପାଖକୁ ଆସି ଅନାଇଲେ ଜେଲ୍‌ର ଅଗଣାକୁ । ରାତି ପାହି ବେଶ୍‌ ସକାଳ ହୋଇଗଲାଣି । ଅପରାଧୀ କଏଦୀମାନେ ଜେଲରେ ଅଗଣାରେ ଯେଉଁଠାରେ କୋବି, ଆଳୁ, ମୂଳା, ଲଙ୍କାମରିଚ ଓ ଶାଗ ଲଗାଯାଇଛି, ସେ ସବୁ କିଆରୀ ଘାସ, କୁଟା ବାଛୁଛନ୍ତି । କେହି କେହି କୋଡ଼ି କୋଦାଳ ଧରି କୋବି ଓ ଲଙ୍କା ଗଛମାନଙ୍କ ପାଖରେ ମାଟି ଖୁସାଉଛନ୍ତି । କେହି କେହି ଗହରୀଆ କୂଅରୁ ପାଣି ବାହାର କରି, ଗଛମାନଙ୍କରେ ପାଣି ଢାଳୁଛନ୍ତି-

 

ଶୁଭକାନ୍ତ ଆଶ୍ଚର୍ଯ୍ୟ ହେଲେ । କଏଦୀମାନଙ୍କୁ ସକାଳ କାର୍ଯ୍ୟରେ ବ୍ୟସ୍ତ ରଖିବା ଲାଗି ଜେଲ କର୍ତ୍ତୃପକ୍ଷ ଖୁବ୍‌ ଭୋଓରୁ ମୁକ୍ତ କରି ଦେଇଥିବା ବେଳେ, ରାଜନୈତିକ ବନ୍ଦୀମାନଙ୍କୁ ଏବେ ସୁଦ୍ଧା ମୁକ୍ତ କରିନାହାନ୍ତି । ଏହାର କାରଣ ଶୁଭକାନ୍ତଙ୍କୁ ପକ୍ଷରେ ସ୍ପଷ୍ଟ ହୋଇଗଲା । ଜେଲ୍‌ କର୍ତ୍ତୃପକ୍ଷ ବିଚାର କରନ୍ତି କଏଦୀମାନେ ହେଉଛନ୍ତି ଉତ୍ପାଦନକ୍ଷମ ଶ୍ରମିକ । ସେମାନେ ଅପରାଧ କରିଛନ୍ତି । ଚୋରୀ, ଡକାୟତି ହତ୍ୟା ଓ ଲୁଟତରାଜ କରି ଯେହେତୁ ଜେଲ୍‌ ଦଣ୍ଡ ଭୋଗୁଛନ୍ତି, ସେମାନଙ୍କଠାରୁ କାମ ଆଦାୟ କରିବା ଯେପରି ଏକ ରାଷ୍ଟ୍ରୀୟ କର୍ତ୍ତବ୍ୟ । ସେଇଥିପାଇଁ ସେମାନଙ୍କୁ ସନ୍ଧ୍ୟା ଛଅଟା ବେଳେ ଗୋଠ ଭିତରେ ଭର୍ତ୍ତି କରି ଚାବି ଦିଆଯାଏ ଏବଂ ସକାଳ ଛଅଟା ପୂର୍ବରୁ ଗୋଠ ଭିତରୁ ମୁକ୍ତ କରି ଦିଆଯାଏ ।

 

ଆଉ ସେମାନଙ୍କ କଥା-ସେମାନେ ତ ରାଜନୈତିକ ବନ୍ଦୀ । ପ୍ରଚଳିତ ଶାସନକୁ ହଟାଇବା ଲାଗି ସେମାନେ ଉଦ୍ୟମ କରିଛନ୍ତି । ସେମାନେ ଏକଛତ୍ରବାଦ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି । ଗଣତନ୍ତର ପୁନଃ ପ୍ରତିଷ୍ଠା ପାଇଁ, ସମ୍ବାଦପତ୍ରର ସ୍ୱାଧୀନତା ରକ୍ଷା ଲାଗି ଓ ବିଚାର ବିଭାଗର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ନିମନ୍ତେ ସେମାନେ କୁଚ୍ଛ ସଂଗ୍ରାମ ଚଳାଇଛନ୍ତି । ତେଣୁ ସେମାନେ ଅଦରକାରୀ । ସକାଳ ଆଠଟାବେଳେ ସେଲ୍‌ର ଚାବି ଖୋଲିଲେ ମଧ୍ୟ ଅସୁବିଧା ନାହିଁ । କାରଣ ରାଜନୈତିକ ବନ୍ଦୀମାନେ କେବଳ ନିଷ୍କର୍ମୀ । ସେମାନେ ସକାଳ ହେଲେ ଖବରକାଗଜ ଲୋଡ଼ିବେ । ରେଡ଼ିଓ ଶୁଣିବେ । ଚା’ ଜଳଖିଆ ଖାଇବେ । ବଡ଼ ବଡ଼ ବହି ପଢ଼ିବେ ।

 

ଶୁଭକାନ୍ତ ବଡ଼ ଅଶ୍ୱସ୍ତି ବୋଧ କଲେ । କେଉଁଦିନ ଏ ଦେଶରୁ କଳାଶାସନର ଅବସାନ ହେବ ? ଆପଦକାଳୀନ ଅବସ୍ଥା କେଉଁଦିନ ଭାରତରୁ ଉଠିଯିବ ? କେଉଁଦିନ ବ୍ୟକ୍ତିତନ୍ତ୍ର ଶାସନର ଅବସାନ ଘଟିବ ? ସମ୍ବାଦପତ୍ର, ରେଡ଼ିଓ ଓ ଟେଲିଭିଜନରେ କେବଳ ଦେଖାଯାଉଛି ଗୋଟିଏ ଏକଛତ୍ରବାଦୀ ଶାସକର ରୂପ । ଶୁଣାଯାଉଛି ଏକ ବ୍ୟକ୍ତିତନ୍ତ୍ରବାଦୀ ଶାସକର ରୂଢ଼ ସ୍ୱର, ତା’ର ବତ୍କୃତା ଓ ବିବୃତିରେ, ଦେଶକୁ ନୂଆ ଭାବରେ ଏକଛତ୍ର ଦିଗରେ ଶାସନ କରିବା ପାଇଁ ତା’ର କୋଡିଏ ଗୋଟି ସନନ୍ଦ ବାରମ୍ବାର ଆକାଶ ପବନରେ ପ୍ରତିଧ୍ୱନିତ ହେଉଛି । ସେ ସନନ୍ଦ ଭାରତର ପୁରପଲ୍ଲୀର କାନ୍ଥବାଡ଼ରେ, ଘର ଅଗଣାରେ ଝୁଲାଯାଇଛି ।

 

ଶୁଭକାନ୍ତଙ୍କର ମନେପଡ଼ୁଛି ଯେଉଁଦିନ ହଠାତ୍‌ ଆପଦକାଳୀନ ପରିସ୍ଥିତି ଜାରୀ ହେଲା, ତା’ ପରଦିନ ସକାଳେ ସାରା ସହରଟା ଯେପରି ଏକ ଗୁମ୍‌ସୁମ୍‌ ନିସ୍ତବ୍‌ଧତାରେ ଆଚ୍ଛନ୍ନ ହୋଇଗଲା । ଏ ସମ୍ବାଦ ରେଡିଓରେ ଘୋଷିତ ହେଲା ପରେ ସାରା ସହରର ଜନତା ମୁହରେ ଆଶଙ୍କାର ଏକ କଳାମେଘ ଯେପରି ଛାଇଗଲା । ବସ୍‌ଷ୍ଟାଣ୍ଡରେ, ରେଲୱଏ ଷ୍ଟେସନ୍‌ରେ, ଦୋକାନ ବଜାରରେ ସେହି ଗୋଟିଏ କଥା ଆଲୋଚନା ଦେଶ କୁଆଡ଼କୁ ଯାଉଛି ?

 

ଶୁଭକାନ୍ତ ସେଦିନ ଆହୁରି ମ୍ରିୟମାଣ ହୋଇଗଲେ ସେ ଯେତେବେଳେ ଜାଣିଲେ ଯେ ଭାରତର ସମସ୍ତ ବିରୋଧୀ ଦଳର ନେତା ଗତକାଲି ରାତିରେ ଗିରଫ ହୋଇଯାଇଛନ୍ତି । ସହରରେ ଗଳି କନ୍ଦିରେ ବର୍ତ୍ତମାନ ଘୁରି ବୁଲୁଛନ୍ତି ପୋଲିସ୍‌ ବାହିନୀ, ବିରୋଧୀ ପକ୍ଷରେ ସମସ୍ତ ସକ୍ରିୟ ଲୋକଙ୍କୁ ଗିରଫ କରିବା ପାଇଁ । ସମ୍ବାଦପତ୍ର ଉପରେ ଯାଞ୍ଚ ବ୍ୟବସ୍ଥା ଜାରୀ ହୋଇଛି । ସେମାନଙ୍କର ସ୍ୱାଧୀନତାକୁ ଅପହରଣ କରାଯାଇଛି ।

 

ଶୁଭକାନ୍ତଙ୍କର ମନେପଡ଼ୁଛି ଜୁନ୍‌ ୨୭ ତାରିଖ ରାତିରେ ସେ ନିଜ ବାସଭବନ ଛାଡ଼ି ସହରତଳି ଅଞ୍ଚଳର ଏକ ଶ୍ରମିକ ବସ୍ତିକୁ ଆତ୍ମଗୋପନ କରିବା ପାଇଁ ଚାଲି ଯାଇଥିଲେ । ସେତେବେଳକୁ ପୋଲିସର ସତୃଷ୍ଣ ଆଖି ତାଙ୍କ ଉପରେ ବେଶ୍‌ ଘୂରି ବୁଲୁଥିଲା । ସହରତଳି ଅଞ୍ଚଳର ସେହି ଶ୍ରମିକ ବସ୍ତିରେ ଶୁଭକାନ୍ତଙ୍କର ଏକ ଛୋଟ ସାଙ୍ଗଠନିକ ଅଫିସ୍‌ ରହିଥିଲା । ସେ ସେଇଠି ଆତ୍ମଗୋପନ କରି ଇମାର୍‌ଜେନ୍‌ସି ବିରୁଦ୍ଧରେ କାର୍ଯ୍ୟ କରିବା ଲାଗି ଓ ଜନସାଧାରଣଙ୍କୁ ସଙ୍ଗଠିତ କରିବା ପାଇଁ ଆଶ୍ରୟ ନେଇଥିଲେ ।

 

ସେଠି ମାତ୍ର ସପ୍ତାଟିଏ ସେ ରହିଥିଲେ । ସହରର କୋଳାହଳ ଶାନ୍ତ ପଡ଼ିଗଲେ, ରାତିରେ ନିଝୁମ ପହର ସହରରେ କ୍ରମେ ନଇଁ ଆସିଲେ, ସେ ଓ ତାଙ୍କର ତିନିଜଣ ସହକର୍ମୀ ତିନୋଟି ସାଇକେଲ ଧରି ସହର ପରିକ୍ରମା କରୁଥିଲେ । ସେମାନେ ସେତେବେଳେ ଆପଣାର ସ୍ୱାଭାବିକ ବେଶ ପୋଷାକରେ ନ ବାହାରି କୃତ୍ରିମ ବେଶରେ କଳାରଙ୍ଗର ପୋଷାକ ପିନ୍ଧି ସହରର ଏ ପ୍ରାନ୍ତରୁ ସେ ପ୍ରାନ୍ତ ପ୍ରାୟ ବାର ମାଇଲ ବାଟ ଘୂରି ବୁଲୁଥିଲେ । କେଉଁ ପ୍ରଶସ୍ତ କାନ୍ଥରେ, କେଉଁ କଲେଜରେ ମେନ୍‌ ଗେଟରେ କେଉଁ ସୁପ୍ରସିଦ୍ଧ ହୋଟେଲରେ ଦ୍ୱାର ସାମନାରେ ଓ ସର୍ବୋପରି କଲେକ୍‌ଟରିଏଟ୍‌ର ସୁଉଚ୍ଚ କାନ୍ଥରେ ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ସଂଗ୍ରାମବ କରିବା ପାଇଁ ଜନସାଧାରଣଙ୍କୁ ନିର୍ଭୀକ ହେବା ପାଇଁ ଆହ୍ୱାନ ଦେଉଥିଲେ । ପ୍ରତିଦିନ ନୂଆ ନୂଆ ଭାବରେ, ପ୍ରାଚୀରପତ୍ର ପ୍ରସ୍ତୁତ ହେଉଥିଲା । ସହରତଳିର କେଉଁ ଏକ ଅଜ୍ଞାତ ପ୍ରେସ୍‌ରେ ରାତିରେ ନିଃଶବ୍ଦ ପ୍ରହରରେ ଛାପା ସରିଲା ପରେ ସେ ସବୁ ପ୍ରତିଦିନ କାନ୍ଥବାଡ଼ରେ ଶୋଭା ପାଉଥିଲା ।

 

ଲାଗ ଲାଗ ସାତ ଦିନ ଏପରି କଲାପରେ, ଏକଛତ୍ରବାଦୀ ଶାସନର ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ସରକାରୀ କର୍ତ୍ତୃପକ୍ଷ ଏକ ଆରଣ୍ୟ ହିଂସ୍ରତାରେ ଗର୍ଜିଉଠିଲେ । ସହରର କୋଣ ଅନୁକୋଣରେ ସେମାନେ ଘେରିଗଲେ ଏବଂ ପ୍ରତି ଘର ତଲାସ କରିବାରେ ଲାଗିଗଲେ । ଏ ସମସ୍ତେ ବ୍ୟାପାରରେ ବାମପନ୍ଥୀ ବିପ୍ଳବୀ ନେତା ଶୁଭକାନ୍ତଙ୍କର ପ୍ରତ୍ୟକ୍ଷ ହାତ ଅଛି ବୋଲି ସରକାରୀ ଦପ୍ତରରେ ଲେଖା ହୋଇ ରହିଗଲା ।

 

ଶୁଭକାନ୍ତ ଏ ସମସ୍ତ ଘଟଣା ଜାଣିଲା ପରେ ଦିନେ ଅକସ୍ମାତ୍‌ ସେଇ ସହରତଳି ଅଞ୍ଚଳ ଛାଡ଼ି ଚାଲିଗଲେ ଜିଲାର ଥାଉ ଏକ ଛୋଟ ସବ୍‌ଡ଼ିଭିଜନ୍‌ର ସଦର ମହକୁମା ଅଞ୍ଚଳକୁ । ସାରା ରାତି ଚାଲି ଚାଲି, ପ୍ରାୟ ୪୦ ମାଇଲ ଦୂରରେ ଅବସ୍ଥିତ ସେଇ ଛୋଟ ସବଡ଼ିଭିଜନ୍‌ରେ ପହଞ୍ଚି ଜଣେ ବନ୍ଧୁଙ୍କୁ ଘରେ ଆଶ୍ରୟ ନେଇଥିଲେ । ଏବଂ ପୁଣି ସେଇଠାରେ ସେ ଆରମ୍ଭ କରିଦେଲେ ଇମରଜେନ୍‌ସି ବିରୁଦ୍ଧରେ ଜନମତ ଜାଗ୍ରତ କରିବା ପାଇଁ ହ୍ୟାଣ୍ଡବିଲ ଲେଖା । ଛୋଟ ସହରର ସାନ ସାନ ପିଲାଙ୍କୁ ହାତକରି ସାରା ରାତି ଅନିଦ୍ରା ରହି କାନ୍ଥ ବାଡ଼ରେ ମାରି ଚାଲିଲେ ସେଇସବୁ କାର୍ବୁନ ଉତରା ହ୍ୟାଣ୍ଡବିଲ । ଏକଛତ୍ର ଶାସନର ବିରୋଧ କର । ଗଣତନ୍ତ୍ରର ହତ୍ୟାକାରୀମାନଙ୍କୁ ଚିହ୍ନରଖ । ନାଗରିକ ସ୍ୱାଧୀନତା ନ ଫରିଲା ପର୍ଯ୍ୟନ୍ତ ଆମ ସଂଗ୍ରାମର ଶେଷ ନାହିଁ ।

 

ସବ୍‌ଡ଼ିଭିଜନ ହେଡ଼କ୍ୱାଟରରେ ପ୍ରତିଦିନ ନୂଆ ନୂଆ ହ୍ୟାଣ୍ଡେବିଲ୍‌ କାନ୍ଥବାଡ଼ରେ ମରାଯାଇ ଏକ ନୂଆ ପ୍ରକାର ସ୍ନାୟବିକ ଉତ୍ତେଜନା ସୃଷ୍ଟି କଲେ । ଶୁଭକାନ୍ତ । ଯେଉଁ ଛୋଟ ସହରଟିର ପ୍ରଶାସନିକ ଓ ପୋଲିସ୍‌ କର୍ତ୍ତୃପକ୍ଷ ଖୁବ୍‌ ନିଶ୍ଚନ୍ତରେ ସମୟ କାଟୁଥିଲେ, ସେମାନଙ୍କ ମଧ୍ୟରେ ଖେଳିଗଲା ଆତଙ୍କର ଏକ କୋକୁଆ ଭୟ । କିଏ ସବୁ ଏମିତି କାଣ୍ଡ କରୁଛି ? ଶାନ୍ତ ନିରୁପଦ୍ରବ ସହରରେ କିଏ ଆସି ସୃଷ୍ଟି କରୁଛି ଶାସନ ବିରୋଧରେ ପ୍ରଚଣ୍ଡ ଆକ୍ରମଣ ? ଛୋଟ ସବ୍‌ଡ଼ିଭିଜନ୍‌ଟି ବିପଦମୁକ୍ତ ଓ ବିରୋଧି ରାଜନୈତିକ ନେତାମାନଙ୍କର ଉପଦ୍ରବରୁ ମୁକ୍ତ ରହିଥିଲାବେଳେ ପ୍ରତିଦିନ ହ୍ୟାଣ୍ଡବିଲ ବଣ୍ଟା ଯାଇ ଜନସାଧାରଣଙ୍କୁ ବିଦ୍ରୋହୀ ହେବାପାଇଁ କିଏ ଯୋଗାଇ ଦେଉଛି ପ୍ରଚୁର ଅନୁପ୍ରେରଣା ଓ ଉତ୍ତେଜନା ?

 

ପ୍ରଶାସନିକ ଓ ପୋଲିସ୍‌ କର୍ତ୍ତୃପକ୍ଷ ହଠାତ୍‌ ସଜାଗ ହୋଇଉଠିଲେ । ସେମାନଙ୍କୁ ଏ ଦିଗରେ ସାହାଯ୍ୟ କରିବା ଲାଗି ଜିଲା ହେଡ଼କ୍ୱାଟରରୁ ଚାଲିଆସିଲେ ଗୁଇଦା ଦଳ ଷଡ଼ଯନ୍ତ୍ରକାରୀକୁ ଠାବ କରିବା ପାଇଁ । ବେଶ୍‌ ଛୋଟ ସହରଟିର ବାତାବରଣ ହୋଇ ଉଠିଲା ସରଗରମ । ଖୋଜା ଚାଲିଲା ଶୁଭକାନ୍ତକୁ ସହରର ସବୁଆଡ଼େ ।

 

ଶୁଭକାନ୍ତ ଦିନେ ଢୁ ଢୁ ଶ୍ରାବଣ ରାତିରେ ସେଠା ଛାଡ଼ି ଅନ୍ୟତ୍ର ଚାଲିଗଲେ । ସହରର ଉପକଣ୍ଠରେ ଯେଉଁଠାରେ ମ୍ୟୁନିସିପାଲିଟିର ସରହଦ୍‌ ଶେଷ ହୋଇଛି, ସେଇଠି ଜଗି ରହିଥିଲେ ଅନେକ ସଶସ୍ତ୍ର ପୋଲିସ୍‌ ବାହିନୀ । ମାତ୍ର ଶୁଭକାନ୍ତ ଛଦ୍ମବେଶରେ ଲୁଙ୍ଗି ମାରି, ଦାଢ଼ୀରଖି, ଦେହରେ ପଞ୍ଜାବୀଟିଏ ଦେଇ ଏବଂ ମୁଣ୍ଡରେ ପଗଡ଼ିଟିଏ ବାନ୍ଧି, ବର୍ଷଣ କ୍ଲାନ୍ତ ରାତିରେ ଛତାଟିଏ ଖୋଲି ଚାଲିଗଲେ ସେମାନଙ୍କ ସାମ୍ନାରେ ନିକଟସ୍ଥ କେଉଁ ଅନ୍ଧାରିଆ ଗାଁକୁ । କେହି ତାଙ୍କୁ ଚିହ୍ନିପାରିଲେ ନାହିଁ, କେହି ତାଙ୍କୁ ଧରିପାରିଲେ ନାହିଁ । ଅଥଚ ତାଙ୍କ ନାରେ ପରୁୱାନା ଝୁଲୁଛି ଗତ ଏକମାସ ହେଲା ।

 

ଶୁଭକାନ୍ତଙ୍କର ମନେପଡ଼ୁଛି...ଇମରଜେନ୍‌ସି ଭିତରେ ଜେଲ୍‌ ବାହାରେ ରହି ସେ ଯେଉଁ ବିଦ୍ରୋହୀ ଭୂମିକା ନେଇଥିଲେ, ସେଇ ସମସ୍ତ ରୋମାଞ୍ଚକର କାହାଣୀର ଇତିବୃତ୍ତି । ସେଲର ଫାଟକ ଏପର୍ଯ୍ୟନ୍ତ ଖୋଲା ଯାଇନାହିଁ । ଖୋଲାଯିବାର କୌଣସି ପ୍ରୟୋଜନୀୟତା ଅଛି ବୋଲି କେହି ବୋଧହୁଏ ଅନୁଭବ କରୁନାହାନ୍ତି । ପୌଷ ସକାଳର ଝିଲିମିଲି ଖରା ଜେଲ୍‍ ଅଗଣାରେ, କୋବି କିଆରୀରେ, ଲଙ୍କା ପଟାଳୀରେ ବୁଣି ହୋଇଯାଇଛି ଚିକ୍‌ ଚିକ୍‌ ହୋଇ । ଅଥଚ ସେ ରହିଛନ୍ତି ତଥାପି ବନ୍ଦୀ ହୋଇ ଗୋଟିଏ ସଂକୀର୍ଣ୍ଣ, ନାତିଦୀର୍ଘ କୋଠରୀରେ ।

 

ଶୁଭକାନ୍ତଙ୍କର ମନେପଡ଼ୁଛି ତାଙ୍କର ସେଇ ଦୁଃସାହସିକ ଅଭିଯାନର ଟୁକୁରା କାହାଣୀରୁ କିଛି ।

 

ସେଦିନ ରାତିରେ ଛୋଟ ସହରରୁ ଆଖିରେ ଧୂଳି ଦେଇ ଖସିଗଲା ପରେ ତାଙ୍କର ଆପାତତଃ ହେଡ଼କ୍ୱାଟର ହେଲା ଇଚ୍ଛମତୀପୁର ଗାଁ । ଏଇ ଗାଁ ଥିଲା କୃଷକ ଆନ୍ଦୋଳନ ପାଇଁ ସାରା ଓଡ଼ିଶାରେ ଖ୍ୟାତ । ତାଙ୍କ ପାର୍ଟିର ବହୁ ସମର୍ଥକ ଓ ଶୁଭାକାଂକ୍ଷୀ ଏଇ ଗାଁରେ ରହିଛନ୍ତି । ତେଣୁ ସେଇଠାରେ ତାଙ୍କର ଅସ୍ଥାୟୀ ରହଣୀ ଆରମ୍ଭ ହୋଇଗଲା ।

 

ପ୍ରତିଦିନ ରାତିରେ ସେ କୃଷକମାନଙ୍କୁ ଦେଶର ଅବସ୍ଥା ବୁଝାଇଥିଲେ । ଏକଛତ୍ର ଶାସନ ବିରୁଦ୍ଧରେ ସେମାନଙ୍କୁ ସଂଗ୍ରାମ ଓ ସତର୍କ ହେବାଲାଗି ପ୍ରବର୍ତ୍ତାଉଥିଲେ । କେବଳ ଇଚ୍ଛାମତୀପୁର ନୁହେଁ, ସେଇ ଗାଁର ଆଖପାଖ ଲୋକେ ଯେଉଁମାନେ ଆପଦକାଳୀନ ପରିସ୍ଥିତିରେ ଅଣନିଃଶ୍ୱାସୀ ହେଉଥିଲେ ଏବଂ ଖବରକାଗଜରେ ଦେଶର ଏକଛତ୍ରଶାସନ କର୍ତ୍ତାଙ୍କ ବାଣୀ ଓ ବତ୍କୃତା ବ୍ୟତୀତ ଆଉ କୌଣସି ସମ୍ବାଦ ପାଉ ନଥିଲେ ସେମାନେ ମଧ୍ୟ ଆସି ତାଙ୍କ ପାଖରେ ପହଞ୍ଚିଥିଲେ । ଅର୍ଥାତ୍‌ ଆଠ ମାଇଲ ପରିମିତି ଗ୍ରାମମାନଙ୍କରେ ଧୀରେ ଧୀରେ ଶାସନ ବିରୋଧୀ ଏକ ଅବହାୱା । ସୃଷ୍ଟି ହେବାକୁ ଲାଗିଲା । ଏକଛତ୍ର ଶାସକ ଓ ତାଙ୍କର ସୁବେଦାରମାନଙ୍କ ବିରୁଦ୍ଧରେ ଗ୍ରାମାଞ୍ଚଳର ହାଟ ବଜାରରେ, ଚା ଦୋକାନର ଖଟିମାନଙ୍କରେ ପ୍ରତିବାଦର କ୍ରମ ଗୁଞ୍ଜରଣ ଆରମ୍ଭ ହୋଇଗଲା ।

 

ଏକଛତ୍ର ଶାସନର ଏଜେଣ୍ଟମାନଙ୍କ କାନରେ ଏ ସମ୍ବାଦ ନ ପହଞ୍ଚିବ ବା କିପରି ? ବିରୋଧୀଦଳର ବହୁ ନେତା ଓ କର୍ମୀ ତଥାପି ଗିରଫ ହୋଇନାହାନ୍ତି ! ସେମାନେ କେଉଁଠାରେ ଆତ୍ମଗୋପନ କରି ଜନସାଧାରଣଙ୍କୁ ଉତ୍ତଜିତ ଓ ଉତ୍ସାହିତ କରୁଛନ୍ତି । ନୂଆ ଶାସନର ମୂଳଦୁଆକୁ ହୁଗୁଳା କରିଦେବା ପାଇଁ, ଏକଛତ୍ର ଶାସକଙ୍କର ଜନପ୍ରିୟତାକୁ ମଳିନ କରିଦେବାଲାଗି ଏବେ ମଧ୍ୟ ବିରୋଧୀ ନେତା ଓ କର୍ମୀ ଅଣ୍ଡରଗ୍ରାଉଣ୍ଡରେ ରହି କାର୍ଯ୍ୟ କରୁଛନ୍ତି । ତେଣୁ ସରକାରୀ ଗୁଇନ୍ଦା ଦଳ ଅତ୍ୟନ୍ତ ସତର୍କତାର ସହିତ ଘୂରି ବୁଲୁଛନ୍ତି ସହରରୁ ମଫସଲ ପର୍ଯ୍ୟନ୍ତ ।

 

ଦିନେ ରାତିରେ ସମୟ ସମ୍ଭବତଃ ଦୁଇଟା ହେବ । ଶୁଭକାନ୍ତ ଶୋଇଛନ୍ତି ଇଚ୍ଛାମତୀପୁର ଗାଁର ଯୁବକ ସଂଘ ଅଫିସରେ । ଅବଶ୍ୟ ଆଖିରେ ତାଙ୍କର ନିଦ୍ରା ନଥିଲା । ହଠାତ୍‌ ସେ ଶୁଣିପାରିଲେ କେତୋଟି ଜିପ୍‌ରେ ମିଳିତ ଘର୍ଘର ଧ୍ୱନୀ । ରାତ୍ରିର ନିସ୍ତବ୍‌ଧତାକୁ ତିଳ ତିଳ ହତ୍ୟାକରି ଏକ ଆସୁରିକ ଶବ୍ଦରେ କାନ ଅତଡ଼ା ପଡ଼ିଯାଉଛି । ଏ ଶବ୍ଦର ଉଦ୍ଦେଶ୍ୟ ଅବଶ୍ୟ ତାଙ୍କ ପାଖରେ ଅବୁଝା ରହିଲା ନାହିଁ । ସେ ତତ୍‌କ୍ଷଣାତ୍‌ ଉଠି-ପଡ଼ିଲେ ଏବଂ ଯୁବକ ସଂଘ ପଛପଟ ଦେଇ ରାତିର ନିବୁଜ ଅନ୍ଧାରରେ, ପାଣି କାଦୁଅ ଓ ମାଇଲ ମାଇଲ ଧାନ କିଆରୀ ମଧ୍ୟରେ ଏକ କାଳପୁରୁଷ ପରି ଅଣନିଃଶ୍ୱାସୀ ହୋଇ ଚାଲିବାକୁ ଆରମ୍ଭ କଲେ ।

 

ଧାନ ଗୋହିରୀର ଅନେକ ବାଟ ଚାଲି ଆସିବା ପରେ ଏବଂ ଦିଗ ନିର୍ଣ୍ଣୟ କରିବା ପାଇଁ କୌଣସି କୂଳ କିନାରା ପାଉ ନଥିବାବେଳେ ହଠାତ୍‌ ଗୋଟାଏ ଟର୍ଚ୍ଚ ଲାଇଟରେ ଆଲୁଅ ସଞ୍ଚାରିତ ହୋଇଗଲା । ପୋଲିସ୍‌ ବାହିନୀ ତଥାପି ମଧ୍ୟ ତାଙ୍କୁ ଅନୁଧାବନ କରୁଛନ୍ତି । ମାଇଲ ମାଇଲ ବ୍ୟାପୀ ଧାନ ଗୋହିରୀ ମଧ୍ୟରେ ଯେଉଁଠି ସୀମାହୀନ ଅନ୍ଧକାର ରାଜତ୍ୱ କରି ବସିଛି, ସେଠାରେ ପୋଲିସ୍‌ବାହିନୀ ପରାଜିତ ହେବେ ସିନା, ସଫଳ ହେବେନାହିଁ । ପୋଲିସ ଦୃଷ୍ଟିରୁ ଖସିଯିବା ଲାଗି ପ୍ରାଣାନ୍ତକ ଉଦ୍ୟମ କରୁଥିବାବେଳେ ରାତିର ସେଇ ଅନ୍ଧକାର ମଧ୍ୟରେ ତାଙ୍କୁ ଖୁବ୍‌ ହସ ମଧ୍ୟ ଲାଗୁଥିଲା ।

 

ସେଇ ଅନ୍ଧାରରେ ଉଦ୍ଦେଶ୍ୟହୀନ ଭାବରେ ସେ ଚାଲୁଥିଲେ । ଅନେକ ସମୟ ପୂର୍ବରୁ ଗୁଡ଼ାଏ ଶକ୍ତିଶାଳୀ ଟର୍ଚ୍ଚ ଲାଇଟ୍‌ର ସମ୍ମିଳିତ ଆଲୋକ ଲଚ୍ଛାମତୀପୁରକୁ ଲାଗି ଧାନ କିଆରୀରେ ଜଳି ଉଠୁଥିଲା । ଏବେ ସେ ଆଲୋକ ଆଉ ପରିଦୃଶ୍ୟ ହେଉନାହିଁ । ସମ୍ଭବତଃ ପୋଲିସ୍‌ବାହିନୀ ନିରାଶ ହୋଇ ଫେରିଗଲେ ।

 

ସେଦିନ ଚାଲି ଚାଲି ରାତି ପାହିଲା ବେଳକୁ ସେ ପହଞ୍ଚି ଯାଇଥିଲେ ଆଉ ଗୋଟିଏ ପାହାଡ଼ତଳି ଆଦିବାସୀ ଗାଁରେ । ଏଇ ଗାଁରେ ନକ୍‌ସଲବାଦୀ ବୋଲି ମିଥ୍ୟାରେ ଅଭିଯୋଗ କରି ପାଞ୍ଚଜଣ ସରଳ ନିରୀହ ଆଦିବାସୀମାନଙ୍କୁ ପୋଲିସ୍‌ ଗୁଳିକରି ହତ୍ୟା କରିଥିଲେ ସେ ସେଇଠାରେ ତାଙ୍କର ଡେରା ପକାଇଲେ ।

 

ଶୁଭକାନ୍ତଙ୍କର ମନେପଡ଼ୁଛି । ସେଇ ଗାଁରେ ଗୋଟିଏ ଟୁଙ୍ଗୀରେ ରହିଥିଲାବେଳେ ଆଦିବାସୀ ଲୋକମାନଙ୍କର ସ୍ନେହ ଓ ଶ୍ରଦ୍ଧା ଆଃ....ଭୂଲିବାର ନୁହେଁ । ବୁଢ଼ା ଟୋକା ସବୁ ଆସୁଥିଲେ ତାଙ୍କ ପାଖକୁ । ସେମାନଙ୍କ ପୁଅ ଓ ପୁତୁରାଙ୍କୁ ପୋଲିସ୍‌ ଗୁଳିକରି ମାରିଦେଇଥିବାରୁ ସେମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ତଥାପି ଲାଗି ରହିଥିଲା । ପୋଲିସ୍‌ ଦେଖିଲେ ଘର ଛାଡି ସେମାନେ ପାହାଡ଼ କିମ୍ବା ଜଙ୍ଗଲ ଭିତରକୁ ଚାଲି ଯାଉଥିଲେ । ପୋଲିସ୍‌ ଆସି ସେମାନଙ୍କ ପିଲା ସ୍ତ୍ରୀମାନଙ୍କୁ ନାଲି ଆଖି ଦେଖାଇ, ସବୁ ଜଙ୍ଗଲଜାତ ଦ୍ରବ୍ୟ ନେଇ ଚାଲି ଯାଉଥିଲେ । ସେମାନେ ଭୟରେ ସୋରିଷ, ଅଦା, ଲଙ୍କା, ଶାଳପତ୍ର, ଶାଳମଞ୍ଜି ଓ ତେନ୍ତୁଳି ସେମାନଙ୍କୁ ଦେଉଥିଲେ ଏବଂ ନିଜେ ଘୋର ଅଭାବ ଓ ଦାରିଦ୍ର୍ୟ ମଧ୍ୟରେ କାଳ କାଟୁଥିଲେ ।

 

ଶୁଭକାନ୍ତ ସେଠାରେ ଗୋଟିଏ ଦିନ ରହିଲା ପରେ ସେମାନଙ୍କୁ ନିର୍ଭୀକ ହେବାକୁ ପ୍ରବର୍ତ୍ତାଇଲେ । ପୋଲିସ୍‌ ଆସିଲେ ଏ ସବୁ ଦିଅ ନାହିଁ ଏବଂ ଏଗୁଡ଼ିକ ନେଇଗଲେ ସେମାନେ ଚଳିବେ କିପରି ବୋଲି ପୋଲିସକୁ ପ୍ରଶ୍ନ କରିବାକୁ ସେ ହିମତ୍‌ ଦେଲେ ।

 

କେଇଟା ଦିନ ଭିତରେ ଆଦିବାସୀ ଗାଁରେ ସେ ବେଶ୍‌ ଆସ୍ଥାନ୍‌ ଜମାଇ ଦେଲେ । ଶାସନ ବିରୁଦ୍ଧରେ ସେମାନଙ୍କୁ ଭଲ ଭାବରେ ସଙ୍ଗଠିତ କରିଦେଲା । ଯେଉଁ ପୋଲିସ୍‌ମାନେ ଜିପ୍‌ରେ ଭର୍ତ୍ତି କରି ବସ୍ତା ବସ୍ତା କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ନେଇ ଯାଉଥିଲେ, ସେମାନେ ଏବେ ଫେରୁଛନ୍ତି ନିରାଶ ମନରେ ଓ ରିକ୍ତ ହାତରେ ।

 

ନିରୋଳା ସମୟରେ ସେମାନଙ୍କୁ ସେ ବୁଝାଉଥିଲେ-ପୋଲିସ୍‌ମାନେ ହିଁ ଏକଛତ୍ର ଶାସନର ଏଜେଣ୍ଟ । ଶାସନ ଏମାନଙ୍କୁ ଅତ୍ୟାଚାର କରିବାକୁ କହିଛି । ତମମାନଙ୍କ ପରି ଗରୀବ ସାଧାରଣଙ୍କୁ ଭୟଭୀତ କରାଇ ଏମାନେ ଧନରତ୍ନ ଲୁଟି ନେବାକୁ ଶିଖିଛନ୍ତି । ଏମାନଙ୍କୁ ସଙ୍ଗଠିତ ଭାବରେ ବିରୋଧ କର ।

 

ଉପର ମହଲରେ ଏ ବିଷୟରେ ସମ୍ଭବତଃ ଆଲୋଚନା ହେଉଥିଲା । ପ୍ରତିଦିନ ସେଇ ଆଦିବାସୀ ଗାଁକୁ ପୋଲିସ୍‌ ଆସୁଥିଲେ ଏବଂ ତାଙ୍କୁ ସର୍ବୋଦୟ କର୍ମୀ ଭାବରେ ସନ୍ଦେହ ଚକ୍ଷୁରେ ଦେଖୁଥିଲେ । ଦିନେ ଖରାବେଳେ ଶହ ଶହ ପୋଲିସ୍‌ ଆସି ସେଇ ଛୋଟ ଗାଁଟିକୁ ଘେରାଉ କରିଲେ । ଚାହିଁଥିଲେ ସେ ଖସି ପଳାଇ ଯାଇଥାନ୍ତେ । ମାତ୍ର କେତେକାଳ ସେ ଆଉ ପୋଲିସ୍‌ ଆଖିରେ ଅନ୍ଧପୁଟୁଳି ବାନ୍ଧିବେ ।

 

ସେଇଠାରୁ ସେ ଧରାହୋଇ ଜିଲା ହେଡ଼କ୍ୱାଟରକୁ ଆସିଲେ । ପ୍ରଥମ ସର୍ବୋଦୟ କର୍ମୀ ଭାବରେ ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ କିନ୍ତୁ ହଠାତ୍‌ ସନ୍ଧ୍ୟାବେଳେ ସେ ଯେ ଜଣେ ନକ୍‍ସଲବାଦୀ ନେତା, ତାହାହିଁ ବଦ୍ଧମୂଳ ଧାରଣା ହୋଇଗଲା । ମାତ୍ର ରାତିରେ ଯେତେବେଳେ ତାଙ୍କୁ ଥାନା ହାଜତରେ ରଖାଗଲା ଏବଂ ଅତ୍ୟାଚାରୀ ପୋଲିସ ଏସ୍‌ ପି. ଶ୍ରୀ ମହାପାତ୍ର ଥାନାରେ ଆସି ପହଞ୍ଚିଲେ ସେତେବେଳେ ତାଙ୍କୁ ଚିହ୍ନି ପାରିଥିଲେ । ଖରାବେଳଠାରୁ ରାତି ଆଠଟା ପର୍ଯ୍ୟନ୍ତ ଛୋଟ ଛୋଟ ପୋଲିସ ଅଫିସର ମାନଙ୍କ ମଧ୍ୟରେ ସର୍ବୋଦୟ କର୍ମୀ ଏବଂ ପରେ ନକ୍‌ସାଲବାଦୀ ନେତା ଭାବରେ ଯେଉଁ ସନ୍ଦେହ ରହିଥିଲା, ତାହା ଦୂରୀଭୂତ ହୋଇ ସେ ଯେ ଜଣେ ସମାଜବାଦୀ ବାମପନ୍ଥୀ ନେତା ତାହାହିଁ ପ୍ରତିଷ୍ଠିତ ହୋଇଗଲା ।

 

ତାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳକୋର୍ଡର ଛଅଗୋଟି ଧାରା ଅନୁଯାୟୀ ଅଭିଯୋଗ ଆଗତ କରାଗଲା । ପ୍ରତିଷ୍ଠିତ ସରକାରକୁ ଗାଦିଚ୍ୟୁତ କରାଇବା ପାଇଁ ଷଡ଼ଯନ୍ତ୍ର, ଜନସାଧାରଣଙ୍କୁ ବେଆଇନ ଭାବରେ ସଙ୍ଗଠିତ ଓ ଉତ୍ତେଜିତ କରି ଜାତୀୟ ସମ୍ପତ୍ତି ନଷ୍ଟ କରିଦେବାର ଉଦ୍ୟମ ଏବଂ ଆହୁରି ୪ ଗୋଟି ଧର୍ତ୍ତବ୍ୟ ଅପରାଧ ଯାହା ଆଉ ତାଙ୍କର ମନେ ପଡ଼ୁନାହିଁ ।

 

ତାଙ୍କଠାରୁ କଥା ଆଦାୟ କରିବା ଲାଗି ରାତି ସାଢ଼େ ଦଶଟା ବେଳେ ଚାରିଜଣ ପୋଲିସ୍‌ ଅଫିସରମାନଙ୍କର ସେଇ ଯେଉଁ ଧାରାବାହିକ ପ୍ରଶ୍ନାବଳୀ ଆଜି ତାଙ୍କର ସ୍ପଷ୍ଟ ଭାବରେ ମନେ ପଡ଼ୁଚି । ଆପଣ ଜିଲା, ସବଡ଼ିଭିଜନ୍‌ ଓ ଇଚ୍ଛାମତୀପୁର ଗାଁରେ ରହି ସରକାରଙ୍କ ବିରୁଦ୍ଧରେ ପ୍ରତିଦିନ ପ୍ରାଚୀରପତ୍ର ହ୍ୟାଣ୍ଡବିଲ ବାଣ୍ଟୁ ନଥିଲେ କି ? ଇଚ୍ଛାମତୀପୁର ଗାଁରେ ଜନସାଧାରଣଙ୍କୁ ସରକାରଙ୍କ ବିରୁଦ୍ଧରେ ମତାଉ ନ ଥିଲେ କି ? ସୁବଳପୁର ଆଦିବାସୀ ଗାଁରେ ରହି ସେମାନଙ୍କୁ ସରକାରଙ୍କ ବିରୁଦ୍ଧରେ କାଯ୍ୟ କରିବା ଲାଗି କହୁ ନଥିଲେ କି ?

 

ଶୁଭକାନ୍ତ ନିର୍ଭୀକ ଭାବରେ ଉତ୍ତର ଦେଇଥିଲେ-ଦେଶର ଏକଛତ୍ରବାଦ ଲୋପ ନ ହେଲା ପର୍ଯ୍ୟନ୍ତ ଏ କାର୍ଯ୍ୟ ଚାଲିଥିବ ଓ ଚାଲୁରହିବ ।

 

ତା’ପରେ ସେ ଏଇ କେନ୍ଦ୍ର ଜେଲକୁ ପ୍ରେରିତ ହୋଇଛନ୍ତି ।

 

ଏତିକିବେଳେ ୱାଡ଼ରଟିଏ ଆସି ସେଲ୍‌ର ତାଲା ଖୋଲିଲା ।

 

ଶୁଭକାନ୍ତଙ୍କର ଭାବନା ଫେରି ଆସିଲା ।

 

ଶୁଭକାନ୍ତ ୱାଡ଼ରକୁ କହିଲେ-ଆଜି ଗୁହାଳ ଖୋଲିବାରେ ଅନେକ ବିଳମ୍ବ କରିଦେଲେ ୱାଡ଼ର । କାରଣ କ’ଣ ?

 

ୱାଡ଼ର ବିଚରା ବଡ଼ ସନ୍ଦିଗ୍‌ଧ ଚିତ୍ତରେ ଉତ୍ତରଦେଲା-ଏସ୍‌. ପି. ଓ କଲେକ୍ଟର ସାହେବ ଆସିଥିଲେ ଖୁବ୍‌ ସକାଳୁ । ଜେଲ ସୁପରିନ୍‌ ଟେଣ୍ଡେଣ୍ଟଙ୍କ ସହିତ ତାଙ୍କର କ’ଣ ଆଲୋଚନା ହେଲା-। ଆପଣଙ୍କୁ ବୋଧହୁଏ ଏ ଜେଲରୁ ଅନ୍ୟ କେଉଁ ଜେଲକୁ ସ୍ଥାନାନ୍ତର କରାଯିବା ।

 

ଶୁଭକାନ୍ତ ବିସ୍ମୟବିମୂଢ ହୋଇଗଲେ । କଥା କ’ଣ ? କ’ଣ ହେଲା ତାଙ୍କର ଅପରାଧ-? କଏଦୀମାନଙ୍କୁ ସେଦିନ ଯେଭଳି ଭାବରେ ସାମାନ୍ୟ ଏକ ଘଟଣାରେ ମାଡ଼ ଦିଆଗଲା, ସେ ତାହାର ପ୍ରତିବାଦ କରିଥିଲେ । ଜେଲ କର୍ତ୍ତୃପକ୍ଷ ସେମାନଙ୍କ ଭୁଲ୍‍ ସ୍ୱୀକାର ନକଲା ପର୍ଯ୍ୟନ୍ତ, ସେମାନେ ଅନଶନ କରିବେ ବୋଲି ଘୋଷଣା କରିଥିଲେ । ଅବଶ୍ୟ କଏଦୀମାନଙ୍କୁ ସେ ଶକ୍ତି ଓ ସାମର୍ଥ ଦେଇଥିଲେ । ଅପରାଧୀମାନେ ଚୋରୀ, ଡକାୟତି କଲେ ବୋଲି ସେମାନଙ୍କର କ’ଣ ମାନବିକତା ନାହିଁ ? ବର୍ଷ ବର୍ଷ ଧରି ସେମାନଙ୍କୁ ବନ୍ଦୀରଖି ସେମାନଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅଭିଯୋଗର ଫଏସଲା ନ କରି, ପଶୁ ଭଳି ସେମାନଙ୍କୁ ରଖାଯାଉଛି ଜେଲରେ । ଖାଇବାକୁ ଦିଆଯାଉଛି ବରଗଡ଼ା ଚାଉଳ, ଟିକି ଡାଲି ପାଣି ଏବଂ ବିରାଡ଼ି ଘୁଅପରି ସାମାନ୍ୟ ବୋଇତି କଖାରୁ ତରକାରୀ । ବାସ୍‌ ।

 

ଏହି ହେଲା ସେମାନଙ୍କର ବଞ୍ଚିବାର ଖାଦ୍ୟ । ସେଦିନ କୋବି କିଆରୀରେ ପାଣି ମଡ଼ାଇବା ଲାଗି ଅନିଚ୍ଛା ପ୍ରକାଶ କରିବାରୁ ସେମାନଙ୍କ ଉପରେ ହେଲା କୁଚ୍ଛତ୍ର ଆକ୍ରମଣ । ଫଳରେ ସେମାନେ ଅନଶନ କଲେ ଏବଂ ଗୋଟିଏ ଦିନ ଏବଂ ଗୋଟିଏ ରାତି ଅତିବାହିତ ହେଲା ଉତ୍ତାରୁ, ଜେଲ କର୍ତ୍ତୃପକ୍ଷ ବାଧ୍ୟ ହୋଇ ସେମାନଙ୍କ ଭୁଲ୍‍ ସ୍ୱୀକାର କରିଥିଲେ ।

 

ଶୁଭକାନ୍ତ ସକାଳର ଖବରକାଗଜକୁ ଲେଉଟାଇବାକୁ ଆରମ୍ଭ କଲେ । ୱାଡ଼ରଟି ଚାଲିଗଲା ଅନ୍ୟତ୍ର ଶୁଭକାନ୍ତ ରେଡ଼ିଓଟି ଖୋଲିଦେଲେ । ସର୍ବଭାରତୀୟ ସମ୍ବାଦରେ ଘୋଷଣା । ବିଖ୍ୟାତ ସର୍ବୋଦୟ ନେତା ଘୋର ଅସୁସ୍ଥ । ତାଙ୍କର ମୁତ୍ରାଶୟର ଚିକିତ୍ସା ପାଇଁ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି ଏବଂ ସରକାରୀ ଖର୍ଚ୍ଚରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି ।

 

ଶୁଭକାନ୍ତ ବିବ୍ରତ ହେଲେ । ବିଖ୍ୟାତି ସର୍ବୋଦୟ ନେତା ଓ ଗାନ୍ଧୀବାଦୀ ପ୍ରାଣକୃଷ୍ଣଙ୍କର ମୁତ୍ରାଶୟ ରୋଗ ତ ନଥିଲା; ମାତ୍ର ହଠାତ୍‌ ଏ ବ୍ୟାଧିରେ ଉପକ୍ରମ କିପରି ?

 

ଶୁଭକାନ୍ତ ବ୍ୟଥିତ ହେଲେ । କେତେ ନେତା ଜେଲରେ ଅଛନ୍ତି । ସେମାନେ କିପରି ରହୁଥିବେ କେଜାଣି ? ଜେଲ ଭିତରେ ସେମାନଙ୍କୁ ହୁଏତ ଏଇଭଳି ମାରି ଦିଆଯାଇପାରେ ଭାରତରେ ଗଣତନ୍ତ୍ରର କେବେ ଆଉ ପୁନଃ ପ୍ରତିଷ୍ଠା ହେବ ? ଜନ ଅସନ୍ତୋଷକୁ କେତେକାଳ ଧରି କ୍ଷମତା ଲୋଭୀ ଏକଛତ୍ରଶାସକ ବନ୍ଧୁକ ମୁନରେ ଦବାଇ ରଖିବେ ? ନାଗରିକ ସ୍ୱାଧୀନତା ଯେଉଁଠାରେ ବିପନ୍ନ, ସେ ଦେଶରେ ଗଣତନ୍ତ୍ର ଅଛି ବୋଲି ଚିତ୍କାର କରିବା ଏକ ମସ୍ତବଡ଼ ଧପ୍‌ପାବାଜୀ । ଇମାରଜେନ୍‌ସସି ଭିତରେ ଭୟ ଆତଙ୍କ ପ୍ରଦର୍ଶନ ନକରି ଯେଉଁ ଶାସକଗୋଷ୍ଠୀର ଦେଶରେ ଶାନ୍ତି ଶୃଙ୍ଖଳା ଫେରି ଆସିଛି ବୋଲି ଦାବୀ କରିବସନ୍ତି, ସେମାନେ ଗଣତନ୍ତ୍ରର ପୂଜାରୀ ନୁହନ୍ତି, ସେମାନେ ହେଉଛନ୍ତି ବ୍ୟକ୍ତିତନ୍ତ୍ର ଶାସନର ନିଷ୍ଠାପର ସ୍ତାବକ ।

 

ଶୁଭକାନ୍ତ ସକାଳର ଜଳଖିଆ ଶେଷ କରି ଚା’ ପିଉଥିଲେ । ହଠାତ୍‌ ଓ୍ୱାର୍ଡ଼ର ଆସି ଜଣାଇଲା—ଆପଣଙ୍କ ଜିନିଷପତ୍ର ଯାହା ଅଛି ବନ୍ଧାବନ୍ଧି କରିଦିଅନ୍ତୁ । ଗାଡ଼ି ଆସି ଜେଲ ସାମନାରେ । ସୁପରିନ୍‌ଟେଣ୍ଡେଣ୍ଟ ଅଫିସରେ ଅଛନ୍ତି ଆପଣଙ୍କୁ ଅନ୍ୟ କେଉଁ ଜେଲକୁ ପଠାଯିବ । ଏସ୍‌. ପି. ଓ କଲେକ୍‌ଟରଙ୍କ ଆଦେଶ ଆଜ୍ଞା ।

 

ଶୁଭକାନ୍ତ ଆଉ ବିଲମ୍ୱ କଲେ ନାହିଁ । ଅନ୍ଧାରୀ ଶାସନ ସମୟରେ ନୀରବ ପ୍ରତିବାଦ କରିବା ବ୍ୟତୀତ ଅନ୍ୟ ଉପାୟ ଆଉ କିଛି ନାହିଁ । ଯେଉଁଦିନ ଏ କଳା ରାତିର ଅବସାନ ହେବ, ସେଦିନ ଏକଛତ୍ରଶାସନ ଓ ତାହାର ଏଜେଣ୍ଟମାନଙ୍କର ସମସ୍ତ ଅତ୍ୟାଚାର ଓ ବ୍ୟଭିଚାରର କାହାଣୀ ଖୋଲି ଦିଆଯିବ ।

 

ଶୁଭକାନ୍ତ ଜିନିଷପତ୍ର ବନ୍ଧାବନ୍ଧି କରିଦେଲେ । ଓ୍ୱାର୍ଡ଼ର ଜଣେ କଏଦିଙ୍କୁ ଡକାଇ ସେ ଜିନିଷପତ୍ର ତା’ ହାତରେ ଦେଲେ । ଶୁଭକାନ୍ତ ଚାଲିଲେ ଜେଲ ଅଫିସକୁ ।

 

ଏଣେ କଏଦୀମାନଙ୍କ ପାଖରେ ଶୁଭକାନ୍ତ ଏ ଜେଲକୁ ଅନ୍ୟ ଜେଲକୁ ବଦଳି ହେଉଥିବାର ସମ୍ୱାଦ ପ୍ରଚାରି ହୋଇଗଲା । ସେମାନେ ଧାଡ଼ିବାନ୍ଧି ଶୁଭକାନ୍ତଙ୍କୁ ବିଦାୟ ଦେବା ଲାଗି ଜେଲ ହତା ଭିତରେ ଅଶ୍ରୁପୂର୍ଣ୍ଣ ନୟନରେ ଠିଆ ହୋଇଥିଲେ । ସତେ ଯେପରି ସେମାନଙ୍କର ଜଣେ ଦରଦୀ, ଶୁଭାକାଂକ୍ଷୀ ଓ ଅନ୍ତରଙ୍ଗ ଆତ୍ମାୟୀ ବିଦାୟ ନେଇ ଚାଲିଯାଉଛନ୍ତି ।

 

ଶୁଭକାନ୍ତ ସେମାନଙ୍କ ପାଖରେ ଅଟକି ଯାଇ କହିଲେ ଯେଉଁଦିନ ଅନ୍ଧାରୀ ଶାସନର କଳାରାତି ପାହିବ, ସେଦିନ ଜେଲର ସଂସ୍କାର ହେବ । ଭାଇମାନେ ! ତମେମାନେ ସେ ପର୍ଯ୍ୟନ୍ତ ଦୁଃଖ କଷ୍ଟରେ ପଡ଼ିଥାଅ ଏଇଠି । ସେଇ ସୁଦିନ ଫେରି ଆସିବା ପାଇଁ ତମେମାନେ ଭଗବାନଙ୍କୁ ପ୍ରତିଦିନ ପ୍ରାର୍ଥନା କର । ଜେଲରୁ ମୁକ୍ତି ପାଇଲା ପରେ ଚୋରୀ ଡକାୟତି ବଦଳରେ ତମେ ଜଣେ ସାଧାରଣ ମଣିଷ ପରି ଚଳିବାକୁ ଚେଷ୍ଟା କରିବ । ଯାଉଛି, ପୁଣି କେବେ ଦେଖାହେବ । ଶୁଭକାନ୍ତ ଷାଠିଏ ଜଣ କଏଦୀଙ୍କ ସହିତ ଜଣ ଜଣ କରି କର ମର୍ଦ୍ଦନ କରି ସେମାନଙ୍କଠାରୁ ବିଦାୟ ନେଲେ ।

 

ଜେଲ୍‌ ଗେଟ୍‌ ପାଖର ଅନେକ ସଶସ୍ତ୍ର ପୋଲିସ ଠିଆ ହୋଇଛନ୍ତି । ସମ୍ଭବତଃ ଏମାନେ ତାଙ୍କୁ ଏସକଟ୍‌ କରି ଅନ୍ୟ ଜେଲକୁ ନେଇଯିବେ ।

 

ଆଗରେ ଜେଲ ଭ୍ୟାନ୍‌ । ସୁପରିନଟେଣ୍ଡେଣ୍ଟ ଜେଲ ଅଫିସ ଭିତରୁ ବାହାରି ଶୁଭକାନ୍ତକୁ ପାଛୋଟି ନେଇଗଲେ ଏବଂ ଗୋଟିଏ ଚେୟାରରେ ବସିବା ପାଇଁ କହିଲେ । ତା’ପରେ ସେ କହିଲେ ଆପଣଙ୍କୁ ବ୍ରହ୍ମପୁର ଜେଲକୁ ପଠାଯାଉଛି । ସରକାଙ୍କର ହୁକୁମ । ଆମର କିଛି ଦୋଷ ନାହିଁ ଶୁଭକାନ୍ତ ବାବୁ ।

 

ଆବଶ୍ୟକୀୟ ବିବରଣୀ ଜେଲ ମାନୁଏଲ ଅନୁସାରେ ରେକର୍ଡ଼ ହେଲା ପରେ ଶୁଭକାନ୍ତ ଜେଲ ଭ୍ୟାନ୍‌ରେ ବସିଲେ ।

Image

 

ଶୋଭା ନାନୀ

 

ଦିନ ଦଶଟାରୁ ବାହାରି ସେଦିନ ସନ୍ଧ୍ୟା ସାତଟା ବାଜିଲା । ସହରର ଶିଷ୍ଟ, ବିଶିଷ୍ଟ ବହୁ ସ୍ତ୍ରୀ ଲୋକଙ୍କୁ ଭେଟିଲା ବେଳେ ଗୀତା ସମସ୍ତଙ୍କୁ ଗୋଟେ ଅନୁରୋଧ ଜଣାଉଥିଲା ।

 

ରିକ୍‌ସା ଧରି ବୁଲୁଛି ଗୀତା, କେଉଁ ସ୍ତ୍ରୀ ଲୋକ ଉତ୍ସାହ ଦେଉଛି, କିଏ ଶୁଣାଉଛି ନିରୁତ୍ସାହର ବାଣୀ । କିଏ କହୁଛି କ’ଣ ମିଳିବ ସେହି ମହିଳା ସମିତିରୁ ? ଦରଦାମ ତ ବଢ଼ି ବଢ଼ି ଚାଲିଛି । ଅତୀତରେ ଏଇ ସହରରେ ସମିତିଟିଏ ଗଢ଼ା ଯାଉଥିଲା ଯେ, ତାହା କାମ ଆରମ୍ଭ କରିବା ପୂର୍ବରୁ କୁଆଡ଼େ ମିଳେଇଗଲା । ମହିଳାମାନଙ୍କର ସମିତିଟିଏ ଗଢ଼ାଗଲେ ଏବଂ ସେଇଥିରୁ ସମସ୍ତ ଜିନିଷ ଶସ୍ତା ଓ ସୁଲଭ ମୂଲ୍ୟରେ ମିଳିପାରିଲେ ମଣିଷ ସର୍ବଗ୍ରାସୀ ଦରଦାମ ବୃଦ୍ଧିରୁ ରକ୍ଷା ପାଇ ଯାଆନ୍ତା ! ଓଃ, ସୋରିଷ ତେଲର ଦାମ କି ଅସମ୍ଭବ ଭାବରେ ବଢ଼ିଛି । ଜିରା ତ ସ୍ୱପ୍ନ । ମଣିଷ ବଞ୍ଚିବା କାଠିକର ପାଠ !

 

ଗୀତା ଭେଟୁଥିଲା ସହରର ନାରୀମାନଙ୍କୁ । ମୋଟାମୋଟି ଭାବରେ ସମିତିଟିଏ ଗଢ଼ିବା ପାଇଁ ସବୁ ଶ୍ରେଣୀର ମହିଳାମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଥିଲେ ମଧ୍ୟ ଏହାର ନେତୃତ୍ୱ ନେବାପାଇଁ କେହି ଉତ୍ସାହ ପ୍ରକାଶ କରୁନାହାନ୍ତି । ଗୀତା ବୁଲି ବୁଲି କ୍ଲାନ୍ତ ହେଲା । ଶୀତ ଦିନର ସଞ୍ଜ ନଇଁ ଆସିଲାଣି ସହର ଉପରକୁ । ଅଥଚ ସଭାଟିଏ ଡାକିବା ପାଇଁ ଆବାହିକା ଭାବରେ କେହି ମିଳିଲେ ନାହିଁ ।

 

ସୁପ୍ରଭା ଜେନା କହିଲେ, ବୁଝିଲ ଗୀତା ଦେବୀ, ଯଦି ତମେ ଶୋଭା ନାନୀଙ୍କ ପାଖକୁ ଯିବ, ସେହି ତମକୁ ଏ ଦିଗରେ ଯଥେଷ୍ଟ ସାହାଯ୍ୟ କରିବେ । ତିନି ନମ୍ୱର ସେକ୍‌ଟରରେ ଶୋଭା ନାନୀ ରହନ୍ତି । ତମେ ତିନି ନମ୍ୱରରେ ଶୋଭା ମିଶ୍ରଙ୍କ କଥା ଯାହାକୁ ପଚାରି ଦେବ, ସେ ତାଙ୍କ ଘର ଦେଖାଇ ଦେବେ । ଏଇ ଛୋଟ ସହରରେ ସେ ହେଉଛନ୍ତି ଜଣେ ବଡ଼ ନାରୀ-ନେତ୍ରୀ । ଦାୟ ଦର୍କାରରେ ନିର୍ବାଚନ ବେଳେ, ମହିଳା ସମାରୋହ କିମ୍ୱା ସମ୍ମିଳନୀ ବେଳେ ସେଇ ଶୋଭାନାନୀ ଖୋଜା ପଡ଼ନ୍ତି । ତାଙ୍କୁ ରାଜନୈତିକ ନେତା କିମ୍ୱା ନେତ୍ରୀ ସବୁବେଳେ ଖୋଜିବସନ୍ତି ।

ଗୀତା ସାରାଦିନ ବୁଲି ବୁଲି-ବଡ଼ କ୍ଳାନ୍ତ ବୋଧ କରୁଥିଲା । ଏକ ସର୍ବଭାରତୀୟ ଜନକଲ୍ୟାଣ ସଂସ୍ଥାରେ ଗତ ଦୁଇ ବର୍ଷ ହେଲା ସେ ଚାକିରି କରିଛି । ସମାଜର ମହିଳାମାନଙ୍କୁ ସଚେତନ ଓ ସୁଶିକ୍ଷିତ କରିବା ଲାଗି ସାରା ଜିଲ୍ଲାର ଦାୟିତ୍ୱ ତା’ ଉପରେ ଏଥିପାଇଁ ସେ ଦିଲ୍ଲୀ ଓ ପଞ୍ଜାବରେ ଟ୍ରେନିଂ ନେଉଛି ଏବଂ ଆପଣାର ଶକ୍ତିମତେ ମହିଳା ସମାଜ ମଧ୍ୟରେ ଆତ୍ମନିର୍ଭରଶୀଳ ମନୋଭାବ ସୃଷ୍ଟି ପାଇଁ କାର୍ଯ୍ୟ କରିଚାଲିଛି ।

ଗୀତା ଯଦିଓ ଶୋଭାନାନୀ କଥା ଶୁଣି ସାମାନ୍ୟ ଆଶ୍ୱସ୍ତ ହେଲା, ତଥାପି ଆଜି ଦିନତମାମ ସହରର ମହିଳାମାନଙ୍କୁ ସଙ୍ଗଠିତ କରିବା ଦିଗରେ ସେ ଆଶାଜନକ ସଫଳତା ହାସଲ କରି ନ ଥିବାରୁ ଗଭୀର ମନ ଦୁଃଖରେ ଭାଙ୍ଗି ପଡ଼ୁଥିଲା ।

ଗୀତା ଭାବିଲା ଆସନ୍ତା କାଲି ସକାଳ ଦଶଟା ବେଳେ ଆସି ସେ ଶୋଭାନାନୀଙ୍କୁ ଭେଟିବ । ତାଙ୍କର ସାହାର୍ଯ୍ୟରେ ମହିଳାମାନଙ୍କୁ ସଙ୍ଗଠିତ କରିବା ପାଇଁ ସେ ଚେଷ୍ଟା କରିବ । ବର୍ତ୍ତମାନ ସେ ଫେରିଯିବ ଘରକୁ ।

ସୁପ୍ରଭାଙ୍କ ଠାରୁ ବିଦାୟ ନେଇ ଗୀତା ଫେରିଗଲା ସେଦିନ ତା’ ଘରକୁ ।

ପରଦିନ ଦଶଟାବେଳେ ଗୀତା ରିକ୍‌ସା ଧରି ପହଞ୍ଚିଲା ଶୋଭାନାନୀଙ୍କ ପାଖରେ । ଶୋଭାନାନୀଙ୍କ ଘର ଠାବ କରିବାରେ ତାଙ୍କୁ ଅବଶ୍ୟ କଷ୍ଟ କରିବାକୁ ପଡ଼ିଲାନାହିଁ । ତିନି ନମ୍ୱର ସେକ୍‌ଟରର ଗୋଟିଏ ସ୍ଥାନରେ ଶୋଭାନାନୀଙ୍କ ଘର ସମ୍ପର୍କର ଜଣେ ଭଦ୍ର ଲୋକଙ୍କୁ ସେ ଯାହା ମାତ୍ର ପଚାରିଥିଲା । ଭଦ୍ରଲୋକ ଜଣକ ଯେଭଳି ନିର୍ଭୁଲ ଭାବରେ ଘର ପାଇବା ପାଇଁ ସୂଚନା ଦେଇଥିଲେ ସେଇ ସୂଚନା ଅନୁସାରେ ତାଙ୍କ ଘର ପାଇବା ଲାଗି ଗୀତାଙ୍କୁ ହଇରାଣ ହେବାକୁ ପଡ଼ିଲା ନାହିଁ ।

ଗୀତା ଶୋଭାନାନୀଙ୍କ ଘର ପହଞ୍ଚିବା ପୂର୍ବରୁ ଭାବୁଥିଲା ତାଙ୍କ ସମ୍ପର୍କରେ । କିଭଳି ଚେହେରା ଓ ବ୍ୟକ୍ତିତ୍ୱ ? ସାଧାରଣ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ତାଙ୍କର ଆଗ୍ରହ ଥାଏ । ବୋଲି ସହରର ଅନେକ ମହିଳା ତାଙ୍କୁ କହିଛନ୍ତି । ସେଇ ଯଦି ଆବାହିକା ପାଇଁ ସମ୍ମତି ଜଣାନ୍ତି ଓ ତା’ ସହିତ ଘର ଘର ବୁଲି ଯଦି ମହିଳାମାନଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି, ତେବେ ହୁଏତ ଏ ସହରର ମହିଳାମାନେ ସମିତିଟିଏ ଗଢ଼ିବା ଲାଗି ସକ୍ଷମ ହେବେ । ତାଙ୍କ ପ୍ରତିଷ୍ଠାରେ କର୍ତ୍ତୃପକ୍ଷ କୁଆଡ଼େ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କଠାରୁ ଏ ସମ୍ପର୍କରେ ବାରମ୍ୱାର ନିର୍ଦ୍ଦେଶ ପାଇଛନ୍ତି ।

ରିକ୍‌ସାରୁ ଓହ୍ଲାଇ ଯେତେବେଳେ ଗୀତା ‘ଏଇ କ’ଣ ଶୋଭାନାନୀଙ୍କ ଘର ? ପଚାରିବସେ ସେତେବେଳେ ଛୋଟ ତିନି ବଖୁରିଆ କୋଠାଘରୁ ବାହାରି ଆସିଲେ ଜଣେ ଦୀର୍ଘକାୟ ଶ୍ୟାମାଙ୍ଗୀ ବିଧବା ମହିଳା, ବଗପକ୍ଷୀ ପରି ସଫେଦ୍‌ ଧଳା ଶାଢ଼ିଟିଏ ପିନ୍ଧି । ବୟସ ହୁଏତ ପଚାଶରୁ ସାମାନ୍ୟ କିଛି ବେଶି ହୋଇପାରେ: ମାତ୍ର ପରିପୁଷ୍ଟ ସ୍ୱାସ୍ଥ୍ୟ ତାଙ୍କର କ୍ରମବର୍ଦ୍ଧିଷ୍ଣୁ ବୟସର ଗୁରୁଭାରକୁ ମ୍ଳାନ କରିଦେଉଥିଲା ସତେ ଯେପରି ।

ଘରୁ ନିଷ୍କ୍ରାନ୍ତ ହୋଇ ସେହି ଭଦ୍ର ମହିଳା ହଠାତ୍‌ ଗୀତାକୁ ଦେଖି ପଚାରିବସିଲେ–କାହାକୁ ଖୋଜୁଛନ୍ତି ଆପଣ ?

-ଶୋଭାନାନୀ ଅଛନ୍ତି ?

ଶୋଭାନାନୀ ନିଜେ କହିଲେ–ମୁଁ ତ ନିଜେ ଶୋଭା ! କେଉଁଠୁ ଆସିଛନ୍ତି ଆପଣ ? କ’ଣ ଦରକାର କହନ୍ତୁ ?

ଗୀତାର ଅନୁମାନ ନିର୍ଭୁଲ ପ୍ରମାଣିତ ହେଲା । ସେ ତାଙ୍କୁ ନମସ୍କାର ଜଣାଇ ନିଜର ପରିଚୟ ଦେବା ସଙ୍ଗେ ସଙ୍ଗେ ଆସିବାରେ ଉଦ୍ଦେଶ୍ୟ ସଂକ୍ଷିପ୍ତରେ କହିବା ମାତ୍ର ଶୋଭାନାନୀ ତାଙ୍କୁ ନେଇଗଲେ ଘର ଭିତରକୁ ଆଦର ଅଭ୍ୟର୍ଥନା ଜଣାଇ ।

ଶୋଭାନାନୀ ଭାରି ଖୁସି ହୁଅନ୍ତି ଯେତେବେଳେ ଲୋକେ ସ୍ୱେଚ୍ଛାକୃତ ଭାବରେ ସାହାଯ୍ୟ କାମନା କରିବାକୁ ତାଙ୍କର ଦ୍ୱାରସ୍ଥ ହୁଅନ୍ତି । ତାଙ୍କର ଧାରଣା ଏ ସହରରେ ଯାହାକିଛି କାର୍ଯ୍ୟ ହେବ ତାଙ୍କୁ ନେଇ ତାହା ସମ୍ଭବ ହେବ । ତେଣୁ ଶୋଭାନାନୀ କହିଲେ; ମୋ ପାଖକୁ ତ ତମେ ଆଗ ପଳେଇ ଆସିଥାଆନ୍ତ ଝିଅ । ମୋ ପାଖକୁ ଆଗ ନ ଆସି ତମେ ଅଯଥାରେ ସମୟ ଅପଚୟ କଲ ?

ଗୀତା କହିଲା, ଏ ସହରରେ ମୁଁ ସମ୍ପୂର୍ଣ୍ଣ ନୂଆ ମାଉସୀ ! କାହାରିକି ଜାଣିନାହିଁ, ଅନ୍ଧ ଭାବରେ ଘର ଘର ବୁଲି ମହିଳାମାନଙ୍କ ସହିତ ସମ୍ପର୍କ ରକ୍ଷା କରିପାରିଲେ ସମିତିଟିଏ ଗଢ଼ିବା ଲାଗି ସମ୍ଭାବନା ଦେଖାଦେବ ବୋଲି ମୋର ଧାରଣା ଥିଲା; ମାତ୍ର କିଛି ଫଳ ହେଲାନାହିଁ । ଗତକାଲି ଶେଷ ମୁହୂର୍ତ୍ତରେ ସୁପ୍ରଭା ଜେନା କହିଲେ ଆପଣ ଶୋଭାନାନୀଙ୍କୁ ନ ଧରିଲେ ଏ କାମ ସହଜରେ ହେବ ନାହିଁ । ତେଣୁ ଆଜି ବାଧ୍ୟହୋଇ ଘର ଖୋଜି ଖୋଜି ଆପଣଙ୍କ ପାଖକୁ ଆସିଲି ।

ଶୋଭାନାନୀ ଆପଣାର ପ୍ରଶଂସାରେ ବେଶ୍‌ ଗୌରବାନ୍ୱିତା ହେଲାପରି ଜଣାପଡ଼ିଲେ । ସେ କହିଲେ, ଏଇ କଥା ତ ! ଅଲବତ୍‌ ସମିତିଟିଏ ହେବ । ଦୁଇଦିନ ଯଦି ତମେ ମୋ ସାଙ୍ଗରେ ବୁଲିବ ଝିଅ, ଦୁଇଶହ ମହିଳା ଆଣି ତମ ପାଖରେ ପହଞ୍ଚାଇ ଦେବି । ମହିଳା ସମିତିଟିଏ ଗଢ଼ିବା ଲାଗି ମହିଳାମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରାଇଦେବି । କିନ୍ତୁ ଗୋଟିଏ କଥା ସ୍ତ୍ରୀ ଲୋକମାନେ ମତେ ନିଶ୍ଚୟ ସଭାନେତ୍ରୀ ନିର୍ବାଚିତ କରାଇବେ । ମୋର କିନ୍ତୁ ସେ ସବୁଥିରେ ରହିବାକୁ ଆଗ୍ରହ ନାହିଁ । ମୁଁ ତମକୁ ସମିତିଟିଏ କରାଇଦେବାକୁ ନିଶ୍ଚିତ ପ୍ରତିଶ୍ରୁତି ଦେଉଛି, କିନ୍ତୁ ମୋ ନାମ ଯେତେବେଳେ ସଭାନେତ୍ରୀ ପାଇଁ ପ୍ରସ୍ତାବ ଆସିବ, ସେହି ପ୍ରସ୍ତାବ ଯେପରି ଗୃହୀତ ନ ହୁଏ ସେଥିପାଇଁ ତମେ ମତେ ପ୍ରତିଶ୍ରୁତି ଦିଅ ।

ଶୋଭାନାନୀ ହଠାତ୍‌ ଭାବବିହ୍ୱଳ ହୋଇ ଉଠିଲେ । ସାକ୍ଷାତର ପ୍ରଥମ ଅବସ୍ଥାରେ ଗୀତା ସହିତ ସେ କଥାବାର୍ତ୍ତା କରୁଥିଲେ କେତେବେଳେ ଭାବ ଗମ୍ଭୀର ହୋଇ, କେତେବେଳେ ଝର୍କା ଦେଇ ବାହାରକୁ ଚାହିଁ ଅଳ୍ପ କଥା କହି: ମାତ୍ର ପର ମୁହୂର୍ତ୍ତରେ କାହିଁକି କେଜାଣି ସେ ହୋଇଉଠିଲେ ଏକାନ୍ତ ପ୍ରଗଳ୍‌ଭା ।

କହିଲେ, ବହୁ ଅନୁଷ୍ଠାନର କର୍ମକର୍ତ୍ତା ହୋଇ ଦୀର୍ଘକାଳ ଧରି ଏ ସହରରେ ସାଧାରଣ କ୍ଷେତ୍ରରେ ମୁଁ କେର୍ଯ୍ୟକରି ଆସୁଛି । ଏବେ ମଧ୍ୟ ନାରୀ ସମାଜର କଲ୍ୟାଣ କରିବା ଲାଗି ମୁଁ କାର୍ଯ୍ୟକରି ପାରିବ : ମାତ୍ର ଆଉ କୌଣସି କର୍ମକର୍ତ୍ତା ହେବିନାହିଁ । କର୍ମକର୍ତ୍ତା ହୋଇ କ’ଣ ଅବା ଲାଭ ? ଅନୁଷ୍ଠାନର ସବୁ କାର୍ଯ୍ୟ ମୁଁ ଅବଶ୍ୟ କରିବି ।

ଗୀତା ଶୁଣୁଥିଲା ଶୋଭାନାନୀଙ୍କ ଅଭିଜ୍ଞତାରୁ ଚେନାଏଁ ଅଂଶ, ତା’ ମନରେ ବାରମ୍ୱାର ପ୍ରଶ୍ନ ଉଠୁଥିଲା, ଯଦି ଏଇ ସହରର ମହିଳାମାନେ ଏଭଳି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାନେତ୍ରୀ ଦାୟିତ୍ୱ ତୁଲାଇବାପାଇଁ ସମଚେତ ଭାବରେ ଶୋଭାନାନୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିବେ, ସେ କିପରି ଅବା ମନା କରିବ ?

 

ଗୀତା କହିଲା, ସାଧାରଣ ସଭା ଅନୁଷ୍ଠିତ ହେଲାବଳେ ଆମେ ସେ କଥା କ’ଣ ବିଚାର କରିବା ନାହିଁ ମାଉସୀ ?

 

ଶୋଭାନାନୀ କହିଲେ, ଏଇ ସହରରେ ଯେତେ ମହିଳା ଅନୁଷ୍ଠାନ ହୋଇଛି ସେ ସବୁର ମୁଁ ଥିଲି ସଙ୍ଗଠିକା । ଯେତେବେଳେ ପୂର୍ବତନ ସରକାର ଥିଲା ସେତେବେଳକାର ମୁଖ୍ୟମନ୍ତ୍ରୀ ସବୁ କଥାରେ ମତେ ଆଗ ଡାକ କରିଥିଲେ । ଏ ସହରରେ ଯେ କୌଣସି ସ୍ଥାନରେ ମୁଖ୍ୟମନ୍ତ୍ରୀ ସଭା ସମିତି କରୁଥିଲେ ମୁଁ ଯାଉଥିଲି ଆମ ମହିଳା ସଙ୍ଗଠନର ସଭ୍ୟାନଙ୍କୁ ସାଙ୍ଗରେ ନେଇ । କିନ୍ତୁ ଝିଅ, ସମୟ ବଦଳିଗଲା । ରାଜନୀତିର ସ୍ରୋତ ସବୁବେଳେ ତରଳ । ସେଇ ସ୍ରୋତ କେତେବେଳେ କେଉଁଆଡ଼େ ମୁହାଇବ ତାହା କହିବା କଷ୍ଟକର ।

 

ଗୀତା ଲକ୍ଷ୍ୟ କଲା, ଶୋଭାନାନୀଙ୍କୁ ବେଶ ଅନ୍ତରଙ୍ଗ ଭାବରେ । ମହିଳା ସମିତି ଗଢ଼ିବା ସମ୍ପର୍କରେ କଥା କହିବାକୁ ଆରମ୍ଭ କଲେବେଳେ ସେ ଯେପରି ଅତ୍ୟନ୍ତ ଉତ୍ସାହିତ ହୋଇ ଆପଣା ଅଭିଜ୍ଞତାରୁ ଅନେକ କଥା କହିବସିଲେ ପରବର୍ତ୍ତୀ ଅବସ୍ଥାରେ ଅର୍ଥାତ୍‌ ବର୍ତ୍ତମାନ ଯେତେବେଳେ କଥା ଆରମ୍ଭ କରୁଛନ୍ତି ସେତେବେଳେ ସତେ ଯେପରି ଏକ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଏବଂ ଧୀରେ ଧୀରେ କଥା କହୁଛନ୍ତି । କାହିଁକି ? କ’ଣ ପାଇଁ ? ହଠାତ୍‌ ତାଙ୍କର କହିବାର ଭଙ୍ଗୀ ବଦଳିଗଲା କିପରି ?

 

ଶୋଭାନାନୀ ଧୀରେ ଧୀରେ କହିଲେ, ପୁରୁଣା ସର୍କାର ଯାଇ ନୂଆ ସର୍କାର ପ୍ରତିଷ୍ଠିତ ହୋଇଛି, ଆଉ ବା କିଏ ଖୋଜୁଛି ଆମକୁ ? ନୂଆ ସରକାର ଓ ନୂତନ ସମାଜସେବୀମାନେ ଆମକୁ ଦେଖୁଛନ୍ତି ସନ୍ଦେହ ଦୃଷ୍ଟିରେ । ଭାରତରେ ସେତେବେଳେ ଥିଲା ଭିନ୍ନ ପରିସ୍ଥିତି । ଜରୁରୀକାଳୀନ ଅବସ୍ଥାକୁ ଆମେ ଅବଶ୍ୟ ସମର୍ଥନ କରିଥିଲୁ ଏବଂ ଏଥିପାଇଁ ବହୁ ମହିଳା ସମାବେଶର ଆୟୋଜନ କରିଥିଲୁ ।

 

ଶୋଭାନାନୀ ହଠାତ୍‌ ସଚେତନ ହୋଇଉଠିଲେ । କହିଲେ, ଛାଡ଼ ଝିଅ, ସେସବୁ କଥା ବର୍ତ୍ତମାନ ଚିନ୍ତା କରି କ’ଣ ଅବା ଲାଭ ? ତମ କଥା ଆଗ ବିଚାର କରିବା, ଟିକିଏ ଅପେକ୍ଷା କର । ଲୁଗାପଟା ବଦଳାଇ ଆସେ । ତା’ ପରେ ଯିବା ସାଙ୍ଗ ହୋଇ ତମ କାମରେ ।

 

ଗୀତା ବୁଲୁଥିଲା ଶୋଭାନାନୀଙ୍କ ସାଙ୍ଗରେ ।

 

ଗୀତା ଲକ୍ଷ୍ୟ କରୁଥିଲା, ସାରା ସହରର ସମସ୍ତ ନାରୀ ଯେପରି ଶୋଭାନାନୀଙ୍କର ଆତ୍ମୀୟ ଓ ପରିଚିତ । ଏଇ ପରିଚିତ ଓ ଆତ୍ମୀୟତାରେ ଉଷ୍ଣତା ଥାଉ ବା ନ ଥାଉ ସମସ୍ତେ ତାଙ୍କ କଥା ଶୁଣୁଥିଲେ ।

 

ଶୋଭାନାନୀ ପ୍ରକୃତରେ ଯେପରି ସମସ୍ତଙ୍କର ନାନୀ, ଗୀତା ତାଙ୍କ ସହିତ ଯୁଆଡ଼ିକି ଯାଉଥିଲା ସେ ଆଡ଼େ ଶୁଭୁଥିଲା ସେଇ ପରିଚିତ ଶୋଭାନାନୀ ଡାକ, ଘର ଘର ବୁଲିଲା ବେଳେ ଶୋଭାନାନୀ ନାରୀମାନେ ସମିତିଟିଏ ଗଢ଼ିବା ଲାଗି ବୁଝାଉଥିଲେ । ତାଙ୍କ କଥାରେ ମହିଳା ସମିତିଟିଏ ଗଢ଼ା ହେବ ଲାଗି ବେଶ୍‌ ଏକ ବାୟୁମଣ୍ଡଳ ସୃଷ୍ଟି ହୋଇଥିଲା ।

 

ଆସନ୍ତା ସାତଦିନ ମଧ୍ୟରେ ନାରୀ ସେବାସଦନଠାରେ ଏକ ସାଧାରଣ ସଭା ହେବା ଲାଗି ସ୍ଥିର ହୋଇଗଲା ।

 

ଗୀତା ସେଦିନ ଶୋଭାନାନୀଙ୍କୁ ରିକ୍‌ସାରେ ଆଣି ଛାଡ଼ିଦେଇଗଲେ ତାଙ୍କ ଘରେ । ରିକ୍‌ସାରୁ ଓହ୍ଲାଉ ଓହ୍ଲାଉ ଶୋଭାନାନୀ କହିଲେ ଦେଖିଲ ତ ଗୀତା ! ସମିତିଟିଏ ଗଢ଼ିବା ପାଇଁ ନାରୀମାନଙ୍କ ମଧ୍ୟରେ କିଭଳି ଆଗ୍ରହ ! ନେଇ ଆଣି ଥୋଇ ପାରିଲେ ହେଲା । ସମିତିଟିଏ ସିନା ଗଢ଼ି ଦେବା, କିନ୍ତୁ ତା’ର ନେତୃତ୍ୱ କିଏ ନେବ ?

 

ଗୀତା କହିଲା, ସାଧାରଣ ସଭାଭଳି ଆମେ ସେକଥା ସ୍ଥିର କରିବା, ଆଜିହୁଁ କାହିଁକି ଆପଣ ବ୍ୟସ୍ତ ହେଉଛନ୍ତି ମାଉସୀ ?

 

ଗୀତା ବ୍ୟସ୍ତ ହେଉଛି ଫେରିଯିବା ପାଇଁ ତା’ ଘରକୁ । ଦଶଟା ବେଳେ ସେ ଆସିଥିଲା । ବର୍ତ୍ତମାନ ସାଢ଼େ ପାଞ୍ଚ ବାଜିଲା । ଶୀତ ଦିନ, ସାଙ୍ଗକୁ ସନ୍ଧ୍ୟାମାଡ଼ି ଆସିଲାଣି । ତା’ର ସ୍ୱାମୀ ଫେରି ଆସିଥିବେ ଅଫିସରୁ, ସେ କ୍ଳାନ୍ତି ଅନୁଭବ କରୁଛି ।

 

ଶୋଭାନାନୀ କହିଲେ, ଆସ ଗୀତା, ଟିକିଏ ଚା’ ପିଇଯିବ । ଯିବ ତ ଏତେ ବ୍ୟସ୍ତ କାହିଁକି ?

 

ଗୀତା ବାଧ୍ୟ ହୋଇ ଅଟକିଲା, ଶୋଭାନାନୀ ଓ ସେ ଯାଇ ଦାଣ୍ଡଘରେ ବସିଲେ ।

 

ଶୋଭାନାନୀ କହିଲେ ମତେ କ’ଣ ଏଇ ପ୍ରତିଶ୍ରୁତ ଦେଉଛ ଝିଅ, ଯେପରି ମୋ ନାମ କେବେ ସଭାନେତ୍ରୀ ପଦ ପାଇଁ ପ୍ରସ୍ତାବିତ ନ ହୁଏ ।

 

ଗୀତା ଶୋଭାନାନୀର ଏଇ କଥା ବାରମ୍ୱାର ଶୁଣି ମନେ ମନେ ବିରକ୍ତ ହେଉଥିଲା । ତା’ର ମନେହେଲା ଶୋଭାନାନୀ ଏକନ୍ତା ଭାବରେ ଏହି ଅନୁଷ୍ଠାନର ସଭାନେତ୍ରୀ ହେବା ଲାଗି ସମ୍ଭବତଃ ଇଚ୍ଛୁକ ଅପଚ ଉପର ମନରେ କଥାଟାକୁ ଆଡ଼େଇ ଦେବା ଲାଗି ଏଇସବୁ କଥା ବୁଲେଇ ବଙ୍କେଇ କହୁଛନ୍ତି । ଗୀତା ତାଙ୍କର ମନକଥା ଜାଣିବା ଲାଗି ଅତି ଚତୁରତାର ସହିତ ପ୍ରଶ୍ନ କଲା । ଯଦି ସାଧାରଣ ସଭାରେ ସବୁ ସ୍ତ୍ରୀ ଲୋକମାନେ ଆପଣଙ୍କୁ ସଭାନେତ୍ରୀ କରିବାକୁ ଚାହାନ୍ତି ସେ କ୍ଷେତ୍ରରେ ମୁଁ ସେମାନଙ୍କୁ ନିବର୍ତ୍ତାଇବି କିପରି ମାଉସୀ ? ଏହା ଏକ ଗଣତାନ୍ତ୍ରିକ ଅନୁଷ୍ଠାନ, ଜନମତ ଦ୍ୱାରା ଏହା ପରିଚାଲିତ ହେବ । ତେଣୁ ଆପଣ ସେତେବେଳେ ରାଜି ହେବାକୁ ବାଧ୍ୟ ହେବେ ।

 

ଶୋଭାନାନୀଙ୍କ ମୁହିଁରେ ଫୁଟିଉଠିଲା ଏକ ସୂର୍ଯ୍ୟୋଦୟର ହସ ଓ ତାଙ୍କର ସମସ୍ତ ପାନଖିଆ ଦାନ୍ତରୁ ଝରିପଡ଼ିଥିଲା ଏକ ସମ୍ଭାବିତ ଆହ୍ଳାଦର ସ୍ନିଗ୍‌ଧତା । ଗୀତା ହଠାତ୍‌ ଶୋଭାନାନୀ ଏଇ ଉଲ୍ଲାସରେ ଜାଣିପାରିଲେ ତାଙ୍କ ମନ କଥା ।

 

ଶୋଭାନାନୀଙ୍କ ଘରୁ ଚା’ ଆସିଲା । ଦୁହେଁ ଯାକ କପ୍‌ରେ ଚୁମ୍ୱକ ଦେଲେ । ଶୋଭାନାନୀ କହିଲେ-ମୁଁ ଜାଣିପାରୁଛି ଗୀତା ଏ ସହରରେ ମହିଳାମାନେ ସମସ୍ତେ ମୋ ପକ୍ଷରେ ଯିବେ; ମାତ୍ର ସେଥିରେ ପଶିବାକୁ ମୋର ଆଗ୍ରହ ନାହିଁ । ମହିଳା ସମିତିଟିଏ ଚଳାଇବା ପାଇଁ ମୋର ଯଥେଷ୍ଟ ଅଭିଜ୍ଞତା ଅଛି । ମୁଁ ତ ଥିଲି ପୂର୍ବରୁ ଏଇ ସହରର ଦୁଇଟି ମହିଳା ସଂସ୍ଥାର ସଭାନେତ୍ରୀ, ସମସ୍ତ କାଗଜପତ୍ର ରେକର୍ଡ଼ ମୁଁ କେବଳ ମୋ ନିଜ ହାତରେ ଲେଖେ । କୌଣସି ନିଯୁକ୍ତି କରି ସେମାନଙ୍କୁ ଅଯଥାରେ ଦରମା ଦେଇ ମୁଁ ସଂସ୍ଥାର କ୍ଷତି କରିବାକୁ ଚାହିଁ ନଥିଲି, ନିଃସ୍ୱାର୍ଥପର ଭାବରେ ମୁଁ କାମକରି ଚାଲିଥିଲି ।

ଗୀତା ଚା’ ଶେଷ କଲାବେଳକୁ ସ୍ପଷ୍ଟ ଭାବରେ ଜାଣିପାରିଲା ଯେ ଶୋଭାନାନୀ ଚାହୁଁଛନ୍ତି ସଭାନେତ୍ରୀ ହେବାଲାଗି ଏବଂ ସେ ଖୋଜୁଛନ୍ତି ତାଙ୍କର ସାହାଯ୍ୟ, କଥାଟା ତା’ ଜରିଆରେ ସଭାନେତ୍ରୀ ହେବାଲାଗି ଏବଂ ସେ ଖୋଜୁଛନ୍ତି ତାଙ୍କର ସାହାଯ୍ୟ, କଥାଟା ତା’ ଜରିଆରେ ଉତ୍‌ଥାପିତ ହେଲା ବୋଲି ତାଙ୍କର ଏକାନ୍ତ ଇଚ୍ଛା ।

ଗୀତା ପଚାରିଲା–ଆପଣ କ’ଣ ଏଇ ସଂସ୍ଥାର ସମସ୍ତ କାଗଜପତ୍ର ଯଥା କ୍ୟାସବୁକ, ଲୋନ୍‌ ଲେଜର, ଲାୟାବିଲିଟି ରେଜିଷ୍ଟର, ସେଆର ରେଜିଷ୍ଟର ସବୁ ଲେଖାଲେଖି କରିପାରିବେ । ଆମର ତ ଡବଲ ଏଣ୍ଟ୍ରି ସିଷ୍ଟମ ଆପଣ ସବୁ କିପରି ଜାଣିଲେ ଏତେ କାମ ?

ଶୋଭାନାନୀଙ୍କ ମୁହଁରେ ପୁଣି ଖେଳି ବୁଲିଲା ଏକ ଆତ୍ମତୃପ୍ତିର ହସ । ସେ କହିଲେ, ମୁଁ ସବୁ ଜାଣିଛି ଝିଅ । ଡବଲ୍‍ ଏଣ୍ଟ୍ରି ସିଷ୍ଟମ ମତେ ଜଣା, ମୁଁ ପରା ଏକାଉଣ୍ଟସ୍‌ରେ ତିନିମାସିଆ ଟ୍ରେନିଂ ଯାଇଥିଲି ।

ଗୀତା କହିଲା, ମାଉସୀ, ସନ୍ଧ୍ୟା ହେଲା ମୁଁ ଯାଉଛି । ସାଧାରଣ ସଭା ଯେଉଁଦିନ ହେବ, ମୁଁ ସେଦିନ ମହିଳାମାନଙ୍କ ସହିତ କଥାବାର୍ତ୍ତା କରିବି । ମୋର ବିଶ୍ୱାସ ସେମାନେ ଆପଣଙ୍କୁ ସଭାନେତ୍ରୀ ନିର୍ବାଚିତ କରିବାରେ କୌଣସି କୁଣ୍ଠା ପ୍ରକାଶ କରିବେ ନାହିଁ ।

ଶୋଭାନାନୀ କହିଲେ, ପ୍ରଥମେ ଭାବିଥିଲି ଏ ଦାୟିତ୍ୱ ନ ନେବା ଲାଗି; କିନ୍ତୁ ଅନେକ ମହିଳା ଏବେ ଦାୟିତ୍ୱ ନେବାପାଇଁ ମୋତେ ଅନୁରୋଧ କରୁଛନ୍ତି, ଅବଶ୍ୟ ବର୍ତ୍ତମାନ ମୋର କୌଣସି କାମ ନାହିଁ । ଏ ଦାୟିତ୍ୱ ନେଲେ ମୁଁ ସବୁବେଳେ ସେଥିରେ ବ୍ୟସ୍ତ ରହିବି ।

ଗୀତା ଶୋଭାନାନୀଙ୍କୁ ନମସ୍କାର କରି ବିଦାୟ ନେଲା । ଶୋଭାନାନୀ ଫେରିଆସିଲେ ଆଶ୍ୱସ୍ତ ହୋଇ ନିଜ ଘରକୁ । କାରଣ ତାଙ୍କ ମନକଥା ସେ ଆଜି ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି ଗୀତା ପାଖରେ ।

ମହିଳା ସମିତି ଗଠିତ ହୋଇଛି । ଆଜି ରହିଛି ତା’ର ସାଧାରଣ ସଭା । ସହରର ସବୁ ଅଞ୍ଚଳରୁ ମହିଳାମାନେ ଧାଡ଼ି ଲଗାଇଛନ୍ତି । ନାରୀ ସେବାସଂଘର ସଭା କକ୍ଷ ପୂରିଲାଣି ।

ଗୀତା ଆଶ୍ଚର୍ଯ୍ୟ ହୋଇଗଲା । ଏକ କେନ୍ଦ୍ରୀୟ ଜନକଲ୍ୟାଣ ସଂସ୍ଥାରେ ଚାକିରୀ କଲା ଦିନଠାରୁ ଏତେ ସଂଖ୍ୟକ ମହିଳା ଓଡ଼ିଶାର କୌଣସି ସହରରେ ସମିତି ଗଢ଼ାଯିବା ସମ୍ପର୍କରେ ସମବେତ ହେବାର କେବେ ସେ ଲକ୍ଷ୍ୟ କରିଥିବାର ମନେ ହେଉନାହିଁ ।

ଶୋଭାନାନୀ ଆସିଛନ୍ତି ସଫେଦ୍‌ ଧଳାରଙ୍ଗର କଇଁଫୁଲିଆ ଶାଢ଼ି ପିନ୍ଧି, କାନ୍ଧରେ ବ୍ୟାଗ୍‌ ଝୁଲାଇ । ଅନେକ ସମୟରେ ସେ ଗୀତା ପାଖକୁ ଆସି ତା’ କାନରେ କ’ଣ କହୁଛନ୍ତି । ତା’ ଛଡ଼ା ଶୋଭାନାନୀଙ୍କ ଚାରି ଅନୁଗାମିନୀ ଯେଉଁମାନେ ତାଙ୍କ ଦ୍ୱାରା ବ୍ୟକ୍ତିଗତ ଭାବରେ ଉପକୃତ ହୋଇଥିଲେ, ସମବେତ ହୋଇଥିବା ମହିଳାମାନଙ୍କ ପାଖରେ ତାଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ସେ ପ୍ରଚାର ଆରମ୍ଭ କରିପାରିଛନ୍ତି ।

ଶୋଭାନାନୀ ବର୍ତ୍ତମାନ ଠିଆ ହୋଇଛନ୍ତି ଗୀତା ପାଖକୁ ଫେରିଯାଇ ସଭାଗୃହର ମଧ୍ୟରେ ଭାଗରେ । ତାଙ୍କ ଚାରିପିଠି ଦଶବାର ଜଣ ଘେରିଛନ୍ତି । ସମ୍ଭବତଃ ଶୋଭାନାନୀ ବୁଝାଉଛନ୍ତି ସେମାନଙ୍କୁ ଆପଣାର ଗୌରବମୟ କୃତିତ୍ୱ ସମ୍ପର୍କରେ ।

ସଭାରେ ଯୋଗ ଦେବାକୁ ଆସିଥିବା ଅନ୍ୟାନ୍ୟ ଆଗ୍ରହୀ ମହିଳାମାନେ ଛୁଟି ଆସୁଛନ୍ତି ଗୀତା ପାଖକୁ । କିଏ କହୁଛି, କାହାକୁ କରୁଛ ପ୍ରାର୍ଥୀ ସଭାନେତ୍ରୀ ପାଇଁ ଗୀତା ଦେବୀ ? ଏ ସହରରେ ଯେତେବେଳେ ନୂଆ ଅନୁଷ୍ଠାନଟିଏ ମହିଳାମାନଙ୍କ ପାଇଁ ଗଢ଼ିବାକୁ ଯାଉଛନ୍ତି ସେତେବେଳେ ଜଣେ ନୂଆ, ସାଧୁ ଓ ଦକ୍ଷ ନାରୀଙ୍କୁ ଏ ପଦବୀରେ ରଖିବା ଉଚିତ୍‌ । ନାନା ଭାବରେ ନିନ୍ଦିତ, ଦୁର୍ନୀତିଗ୍ରସ୍ତି ଓ ନ୍ୟସ୍ତସ୍ୱାର୍ଥ ମହିଳା ଯେପରି ଏ ସଂସ୍ଥାରେ ନ ପଶନ୍ତି ସେ ଦିଗରେ ଆପଣ ଦୃଷ୍ଟି ଦେବେ ।

ଆଉ ଜଣେ ସ୍ପଷ୍ଟ ଭାବରେ କହିଲେ, ଶୋଭାନାନୀ ପୁଣି ଜୋର୍‌ସୋରରେ ଉଦ୍ୟମ କରୁଛନ୍ତି ଏ ସଂସ୍ଥାର ସଭାନେତ୍ରୀ ହେବାଲାଗି । ଆମେ କିନ୍ତୁ ତାଙ୍କୁ ବିରୋଧ କରିବୁ ।

ଅନ୍ୟଜଣେ ଆସି କହିଲେ, ଏ ସହରରେ ଯେତେ ମହିଳା ସଂସ୍ଥା ଥିଲା, ସେ ସବୁଥିରୁ ଶୋଭାନାନୀ ହଜାର ହଜାର ଟଙ୍କା ତୋଷରପାତ୍‌ କରିଛନ୍ତି । ତାଙ୍କ ନାମ ଯେପରି ନ ହୁଏ ସେଥିପାଇଁ ଆପଣ ଚେଷ୍ଟା କରିବେ ଗୀତା ଦେବୀ ।

ଆଉ ଜଣେ ଆସି କହିଲେ, ଇମର୍‌ଜେନ୍‌ସିବେଳେ ଶୋଭାନାନୀ ଥିଲେ ତତ୍କାଳୀନ ସରକାରଙ୍କର ଜଣେ ଗୁପ୍ତ ସମ୍ୱାଦ ଦାତ୍ରୀ, ବିରୋଧୀ ଦଳର ମହିଳାମାନଙ୍କୁ ଗିରଫ କରିବା ଲାଗି ଶାସନକର୍ତ୍ତାଙ୍କୁ ସେଇ ଉସ୍‌କାଉଥିଲେ ।

ଗୀତା ଏ ସମସ୍ତ କଥା ଶୁଣିଲା ପରେ ବିସ୍ମିତ ଓ ହତ୍‌ବାକ୍‌ ହୋଇଗଲା । ଏତେ କଥା କରି ମଧ୍ୟ ଶୋଭାନାନୀ ଚାହୁଁଛନ୍ତି ପୁଣି ଏଥିରେ ସଭାନେତ୍ରୀ ହେବାପାଇଁ । ଆଜି ତାଙ୍କର ଅସଲ ସ୍ୱରୂପ ପ୍ରକାଶ ପାଇଛି ।

ଗୀତାର ଧାରଣା ଥିଲା ଶୋଭାନାନୀ ହେଉଛନ୍ତି ଏ ସହରର ଅନ୍ୟାନ୍ୟ ନାରୀନେତ୍ରୀ । ତାଙ୍କ ପଛରେ ରହିଛନ୍ତି ଶହ ଶହ ମହିଳା; ମାତ୍ର ଏ କ’ଣ ? ମୁହଁରେ କେହି କିଛି ନ କହିଲେ ମଧ୍ୟ ସମସ୍ତେ ଯେ ତାଙ୍କର ବିରୋଧୀ, ଏହା ହିଁ ସ୍ପଷ୍ଟ ଜାଣି ହେଉଛି ।

ଗୀତା ସଭାମଞ୍ଚ ଆଡ଼କୁ ଯାଉଥିଲା । କାରଣ ଆଜିର ନିର୍ବାଚନ ସଭା ତାକୁ ହିଁ ପରିଚାଳିତ କରିବାକୁ ହେବ ଏବଂ ଦରକାର ପଡ଼ିଲେ ଭୋଟ ତାଙ୍କ ଅଫିସରୁ ଆସିଯାଇଛି ଭୋଟ, ବ୍ୟାଲଟ୍‌ ଯେପରି ଓ ସମିତିରେ ଆନୁଷ୍ଠାନିକ ଭାବରେ ସଭ୍ୟା ହୋଇଥିବା ନରୀମାନଙ୍କର ତାଲିକା-। ଏହି କାର୍ଯ୍ୟରେ ତାକୁ ସାହାଯ୍ୟ କରିବା ପାଇଁ କେନ୍ଦ୍ରୀୟ ଜନକଲ୍ୟାଣ ଅଫିସରୁ ଆସିଛନ୍ତି ତିନିଜଣ ସହାୟକ । ସେମାନେ ବସିଗଲେ ମଞ୍ଚର ପଛପଟେ ।

ଗୀତା ପାଖକୁ ଶେଷ ମୁହୂର୍ତ୍ତରେ ଜଣେ ନାରୀ ଆସି କହିଲେ ଶୋଭାନାନୀଙ୍କର ସଭାନେତ୍ରୀ ପାଇଁ ଆଦୌ ଇଚ୍ଛା ନାହିଁ । ଆପଣ କୁଆଡ଼େ ତାଙ୍କୁ ବାଧ୍ୟ କରୁଛନ୍ତି ଦାୟିତ୍ୱ ନେବାପାଇଁ-। ଶୋଭାନାନୀ ଏଇକଥା ପ୍ରଚାର କରୁଛନ୍ତି ଚାରିଆଡ଼େ ।

ଗୀତାର ଏ ସବୁ କଥା ଶୁଣିବାକୁ ଧୈର୍ଯ୍ୟ ରହିଲା ନାହିଁ । ତା’ ନାମ ବ୍ୟବହାର କରି ଶୋଭାନାନୀ ଚାହୁଁଛନ୍ତି ଫାଇଦା ଉଠାଇବା ଲାଗି ।

ଗୀତା କହିଲା ଆଦୌ ନୁହେଁ ଭଉଣୀ ! ଆପଣମାନେ ଯାହାଙ୍କୁ ସଂଖ୍ୟାଧିକ ମତରେ ନିର୍ବାଚନ କରିବେ ସେଇ ହେବେ ସଭାନେତ୍ରୀ । ମୋର କାହା ପ୍ରତି ସମର୍ଥନ କିମ୍ୱା ଦୁର୍ବଳତା ନାହିଁ-। ଯଦି ସେ ଏଭଳି ପ୍ରଚାର କରୁଥାନ୍ତି ଆପଣ ତାହା ଦୃଢ଼ ଭାବରେ ଖଣ୍ଡନ କରନ୍ତୁ-

 

ଗୀତା ମନେ ମନେ ଭାବିଲା ବିଚିତ୍ର ଏ ଶୋଭାନାନୀ ! ପୁରୁଷମାନଙ୍କ ମଧ୍ୟରେ ଧୂର୍ତ୍ତି ଟାଉଟର ଥାଆନ୍ତି ଯେମିତି, ସେହିଭଳି ଶୋଭାନାନୀ ହେଉଛନ୍ତି ସମ୍ଭବତଃ ବଡ଼ ଧରଣର ଟାଉଟର-। ଏଭଳି ଏକ ଅଦ୍‌ଭୁତ ନାରୀ ଚରିତ୍ରକୁ ସେ ଆଜି ଭେଟିଛି ପ୍ରଥମକରି । ଜୀବନରେ ବହୁ ନାରୀଙ୍କୁ ସେ ଭେଟିବାର ସୁଯୋଗ ପାଇଛି ମାତ୍ର ଶୋଭାନାନୀ ଏକ ବିସ୍ମୟକର ଚରିତ୍ର !

 

ଗୀତା ସଭାମଞ୍ଚକୁ ଉଠିଯାଇ ଘୋଷଣା କଲା, କାର୍ଯ୍ୟକ୍ରମ ଅନୁଯାୟୀ ବର୍ତ୍ତମାନ ମହିଳା ସମିତିର ନିର୍ବାଚନ ହେବ । ଯଦି ଆପଣମାନେ ହାତଟେକି ସମ୍ମତି ଜଣାଇବେ, ତେବେ ଭୋଟ ଦାନର ଆବଶ୍ୟକତା ନାହିଁ । ପ୍ରାର୍ଥୀପାଇଁ ଆପଣମାନେ ନାମ ପ୍ରସ୍ତାବ କରିପାରନ୍ତି ।

 

ହଠାତ୍‌ ପ୍ରସ୍ତାବ ଉଠିଲା, ଶ୍ରୀମତୀ ଶାନ୍ତିସୁଧା ରାଉତରାୟଙ୍କ ନାମ । ଏ ନାମ ପ୍ରସ୍ତାବ ହେବା ମାତ୍ରେ ଶହ ଶହ ମହିଳା କରତାଳି ଦେଇ ହର୍ଷଧ୍ୱନୀ କରିବାରେ ଲାଗିଲେ । ଏ କରତାଳି ଧ୍ୱନୀ ବାୟୁମଣ୍ଡଳରେ ବିଲୀନ ହେବା ପରେ ଆଉ ଜଣେ ବୟସ୍କା ମହିଳା ପ୍ରସ୍ତାବକଲେ ଶୋଭା ମିଶ୍ରଙ୍କ ନାମ ।

 

ଶୋଭାନାନୀଙ୍କ ସମକ୍ଷରେ ମାତ୍ର ଦଶ ବାର ଜଣ ମହିଳା ହାତ ଟେକିଛନ୍ତି । ସେମାନଙ୍କ କ୍ଷୀଣ ଓ ଦୁର୍ବଳ ହର୍ଷଧ୍ୱନୀ ଶହ ଶହ ମହିଳାଙ୍କ ସମବେତ ଅଥଚ ଗୁଞ୍ଜରିତ କଳବରରେ ଯେପରି କୁଆଡ଼େ ଶୂନ୍ୟ ହୋଇଗଲା ।

 

ଗୀତା କହିଲା, ଯେଉଁମାନେ ଶୋଭାନାନୀ ସଭାନେତ୍ରୀ ହେବାକୁ ଚାହାନ୍ତି ବୋଲି ଇଚ୍ଛା କରନ୍ତି ସେମାନେ ଦୟାକରି ଠିଆ ହୁଅନ୍ତୁ !

 

ମାତ୍ର ତେରଜଣ ମହିଳା ତତ୍‌କ୍ଷାତ୍‌ ଠିଆ ହେଲେ ଶୋଭାନାନୀଙ୍କୁ ମିଶାଇ ।

 

ତା’ପରେ ଗୀତା ଘୋଷଣା କଲା: ଶାନ୍ତିସୁଧା ରାଉରାୟଙ୍କ ସମକ୍ଷରେ ଯେଉଁମାନେ ଅଛନ୍ତି ସେମାନେ ଦୟାକରି ଠିଆ ହୁଅନ୍ତୁ !

 

ଶହ ଶହ ମହିଳା ଠିଆ ହେବା ସଙ୍ଗେ ସଙ୍ଗେ ସେମାନଙ୍କର ଉତ୍ତୋଳିତ ହାତସବୁ ଉଠିଲା ଉପରକୁ । ଶହ ଶହ ହାତର କରଙ୍କର ନିକ୍ୱଣିତ ହୋଇଉଠିଲା ସେତେବେଳେ ଏକା ସାଙ୍ଗରେ ।

 

ଗୀତା ସଭାମଞ୍ଚ ଉପରୁ ଘୋଷଣା କଲା, ବର୍ତ୍ତମାନ ଆଉ ଭୋଟ ନେବାର ପ୍ରୟୋଜନ ନାହିଁ, କାରଣ ଉଭୟ ପ୍ରାର୍ଥୀ ପୂର୍ବରୁ ସମ୍ମତି ଜଣାଇଥିଲେ । ଶ୍ରୀମତୀ ରାଉତରାୟ ସଭାନେତ୍ରୀ ଭାବରେ ନିର୍ବାଚିତ ହେଲେ ।

 

ଉପସ୍ଥିତ ନାରୀମାନେ କ୍ରମାଗତ ଭାବରେ କରତାଳି ଦେଉଥିଲେ । ଏ କରତାଳି ଧ୍ୱନୀର ଯେପରି ବିରତି ନାହିଁ । ଗୀତା ଚେଷ୍ଟା କରୁଛି ସେମାନଙ୍କୁ ନୀରବ କରିବାପାଇଁ; ମାତ୍ର ସେମାନେ ସତେ ଯେପରି ଉନ୍ମାଦ, ସତେ ଯେପରି ଗୋଟାଏ ଅଜେୟ ଦୁର୍ଗ ଭାଙ୍ଗି ସେମାନେ ଏକ ରାଜପ୍ରାସାଦ ଦଖଲ କରିଛନ୍ତି ଏବଂ ଅଧିକୃତ ସାମ୍ରାଜ୍ୟ ଆଜି ସେମାନଙ୍କ ହାତରେ ପଡ଼ିଛି ।

 

ଗୀତା ଲକ୍ଷ୍ୟ କରିଥିଲା ନିର୍ବେଦ ହୋଇ ସଭା କକ୍ଷକୁ । ଶୋଭାନାନୀ ଓ ତାହାର ସମର୍ଥକ ରାଗ, କ୍ରୋଧ ଓ ପରାଜୟ ଜନିତ ଗ୍ଳାନି ନେଇ କାହା ଉଦ୍ଦେଶ୍ୟରେ ଅଶ୍ରାବ୍ୟ ଗାଳି ଗୁଲଜ କରି ଚାଲି ଯାଉଥିଲେ । ମେନ୍‌ରୋଡ଼୍‌ ଉପରକୁ ।

 

ସଭା କକ୍ଷରେ ଉଲ୍ଲସିତ କଳରୋଳ ତଥାପି ଶାନ୍ତ ପଡ଼ିନାହିଁ ।

 

ଆଜି ସମ୍ଭବତଃ ମହିଳା ସ୍ୱାର୍ଥ ଚକ୍ରର ଅବସାନ ଘଟିଛି ।

Image

 

ମଧ୍ୟାହ୍ନର ସୂର୍ଯ୍ୟ

 

ଶୁଭକ୍ରାନ୍ତ ଜେଲ୍‌ ଭ୍ୟାନ୍‌ରେ ବସିଲା ମାତ୍ରେ, ଗାଡ଼ିଟି ଗଡ଼ିଚାଲିଲା ସହରର ରାସ୍ତାରେ । ମାତ୍ର ଅଳ୍ପ କେତେ ମିନିଟ୍‌ ପରେ ସହରର ରାସ୍ତା ଛାଡ଼ି ଜେଲ୍‌ ଭ୍ୟାନ୍‌ ଛୁଟି ଚାଲିଥିଲା ଆଗକୁ ଅତି ଦ୍ରୁତ ବେଗରେ ।

 

ଶୁଭକ୍ରାନ୍ତଙ୍କ ପାଖରେ ବସିଥିଲେ ଓଡ଼ିଶା ମିଲିଟାରୀ ପୋଲିସ୍‌ରେ ଆଠଜଣ ସଶସ୍ତ୍ର କନେଷ୍ଟବଳ । ଶୁଭକ୍ରାନ୍ତ ମେରିଖୁଣ୍ଟ ପରି ବସିଥିଲେ ଜେଲଭ୍ୟାନରେ ଗୋଟିଏ ଜାଗାରେ । କନେଷ୍ଟବଳମାନେ ତାଙ୍କୁ ବୃତ୍ତାକାରରେ ଘେରି ବସିଥିଲେ ।

 

ସେମାନଙ୍କ ବସିବାରେ ଗୋଟାଏ ବୈଶିଷ୍ଟ୍ୟ ଥିବାର ଶୁଭକାନ୍ତ ଲକ୍ଷକଲେ । ସେମାନଙ୍କୁ ସମ୍ଭବତଃ ନିର୍ଦ୍ଦେଶ ଦିଆଯାଇଥିଲା ଶୁଭକାନ୍ତ ହେଉଛନ୍ତି ଜଣେ ବିଶିଷ୍ଟ ରାଜନୈତିକ ବନ୍ଦୀ । ତାଙ୍କ ସହିତ ଆଚାର ଓ ବ୍ୟବହାରରେ ଯେପରି କୌଣସି ବ୍ୟତିକ୍ରମ ନ ଘଟେ, ସେଥିପାଇଁ ସେମାନଙ୍କୁ ଯଥାସମ୍ଭବ ସଂଯତ ରହିବାକୁ କୁହାଯାଉଥିଲା । ତେଣୁ ପ୍ରାୟତଃ ସେମାନେ ସମସ୍ତେ ଅସ୍ୱାଭାବିକ ଭାବରେ ନୀରବ ରହୁଥିଲେ ।

 

ମାତ୍ ଏ ସମସ୍ତ ସଂଯମ ମଧ୍ୟରେ, ସେମାନଙ୍କର ଆଖି ଦୁଇଟି ବଡ଼ ସତର୍କ ଓ ତୀକ୍ଷଣ ରହିଥିବାର ଶୁଭକାନ୍ତ ଲକ୍ଷ୍ୟ କରୁଥିଲେ । ଚଳନ୍ତା ଜେଲଭ୍ୟାନରୁ କାଳେ ସେ ଡେଇଁ ପଳାଇ ଯିବ, ଏଇ ଆଶଙ୍କାରେ ସେମାନେ ସମ୍ଭବତଃ ବରାବର ସତର୍କରହୁଥିଲେ । ଅବଶ୍ୟ ଏହି ସତର୍କତାର ସକ୍ରିୟତା ସେମାନଙ୍କ ଆଖିମାନଙ୍କରେ ପ୍ରତିବିମ୍ୱିତ ହେଉଥିଲା । କିନ୍ତୁ ସେମାନଙ୍କର ଶାରୀରିକ ପ୍ରକ୍ରିୟା ଯେପରି ହୋଇଯାଇଥିଲା ଅସ୍ୱାଭାବିକ ଭାବରେ ଅସାର ।

 

ଜେଲ୍‌ ଭ୍ୟାନ ଗଡ଼ି ଗଡ଼ି ଚାଲିଛି । ଭ୍ୟାନ୍‌ର ଜାଲି ରନ୍ଧ୍ରରୁ ଦେଖି ହେଉଛି ବାହାରରେ ପୃଥିବୀକୁ । ଶୀତ ସକାଳର ନରମ କଅଁଳ ଖରା ବିଛୁରି ହୋଇ ପଡ଼ିଛି ଆଦିଗନ୍ତ ।

 

ଶୁଭକାନ୍ତ ଦେଖି ପାରୁଛନ୍ତି ଜେଲ ଭ୍ୟାନର୍‌ ଜାଲି ରନ୍ଧ୍ରରୁ ମାଇଲ ମାଇଲ ବ୍ୟାପୀ ପାଚିଲା ଧାନ କ୍ଷେତକୁ । ଶୀତ ସକାଳର ନରମ ଖରାରେ ମାଇଲ ମାଇଲି ବ୍ୟାପୀ ଧାନ କ୍ଷେତ୍ରରେ ଇତସ୍ତତଃ ହୋଇ ଚାଷୀମାନେ ଧାନ କାଟୁଛନ୍ତି । କେହି କେହି କଚଡ଼ା ବାନ୍ଧି ଶଗଡ଼ରେ ବୋହୁଛନ୍ତି ଏବଂ ଆଉ କିଏ ତେଣ୍ଡାରେ କୋବି କିଆରୀରେ ପାଣି ମଡ଼ାଉଛି ।

 

ଶୁଭକାନ୍ତ ଅନେକ ଦିନ ପରେ ଦେଖି ପାରୁଥିଲେ ଦିଗହୀନ ଆକାଶତଳେ ବିଶାଳ ପୃଥିବୀର ଏଇ ବୈଚିତ୍ର୍ୟକୁ । ବର୍ଷକରୁ ଅଧିକ ସମୟ ଜେଲ୍‌ ଭିତରେ, ସେଲ୍‌ ଭିତରର ଚାରିକାନ୍ଥ ଓ ଅତିବେଶୀରେ ଜେଲ୍‌ର ମେଘନାଦ ପାଚେରୀର ସୀମାବଦ୍ଧ ପରିସର ମଧ୍ୟ ରେ ରହି ସେ ହୋଇ ଯାଇଥିଲେ ଏକାନ୍ତ କ୍ଳାନ୍ତ । ମାତ୍ର ଆଜି ଯେପରି ଗୋଟାଏ ବର୍ଷ ପରେ ତାଙ୍କର ଦୃଷ୍ଟିରୁ ଦିଗନ୍ତ ଲମ୍ବିଯାଉଛି ଅନେକ ଦୂରକୁ । ତାଙ୍କର ଦୁଇଟି କ୍ଳାନ୍ତ ଚକ୍ଷୁ ପକ୍ଷ୍ମ ଆଜି ଯେପରି ହୋଇଉଠିଛି ନିହାତି ସଜୀବ ଓ ସଚଳ ।

 

ଶୁଭକାନ୍ତଙ୍କର ଇଚ୍ଛା ହେଉଥିଲା ଜେଲ୍‌ ଭ୍ୟାନ୍‌ର ଡ୍ରାଇଭରକୁ କହି ଗାଡ଼ିଟି ଅଟକାନ୍ତେ ଏବଂ ଗାଡ଼ିରୁ ଓହ୍ଲାଇ ପୌଷ ସକାଳରେ ଶସ୍ୟକ୍ଷେତ୍ରକୁ ଭଲ ଭାବରେ ଦେଖି ନିଅନ୍ତେ । ଜେଲ ଭ୍ୟାନ୍‌ ଭିତରୁ ଦେଖାଯାଉଛି ଦୂରରେ ଏକ ବିଶାଳ ବରଗଛ । ତାରି ମୂଳରେ ବସି ଦେଖନ୍ତେ ତାଙ୍କରି ପ୍ରିୟ ଏଇ ଶସ୍ୟକ୍ଷେତ୍ରକୁ ।

 

ମାତ୍ର ଏକଥା କିପରି ସେ କହିବେ ? ସେ ଜଣେ ରାଜନୈତିକ ବନ୍ଦୀ । ଇମାରଜେନ୍‌ସିକୁ ବିରୋଧ କରି, ଏକଛତ୍ର ଶାସନର ଉଚ୍ଛେଦ ପାଇଁ ଡାକରା ଦେଇ ସେ ଜେଲ ଆସିଛନ୍ତି । ଜଣେ ଅତ୍ୟାଚାରିତ ରାଜନୈତିକ ବନ୍ଦୀ ପାଖରେ ଏ ଖିଆଲୀ ଭାବପ୍ରବଣତା ଶୋଭାପାଏ ନାହିଁ । ପୃଥିବୀର ଏଇ ଆଦିଗନ୍ତ ଶ୍ୟାମଳ ବିସ୍ତୃତି ଦେଖି ସେଥିରେ ମୁଗ୍‌ଧ ହେବାର ବେଳ ତାଙ୍କର ଆସିନାହିଁ ।

 

ଶୁଭକାନ୍ତ ହଠାତ୍‌ ସଚେତନ ହୋଇଉଠିଗଲା । ବର୍ଷେକାଳ ସେ ଥିଲେ ଯତନ ନଗର ଜେଲରେ । ବର୍ଷକ ପରେ ଆଜି ସେ ସ୍ଥାନ୍ତାରିତ ହେଉଛନ୍ତି ଯତନ ନଗର ଜେଲ୍‌ରୁ ଅନ୍ୟ ଏକ ଜେଲ୍‌ ମାଣିକପୁରକୁ । ଏଇ ସ୍ଥାନାନ୍ତର ହେବାର କାରଣ ଥିଲା ଅତି ସ୍ପଷ୍ଟ ।

 

ଜେଲ୍‌ରେ ଅପରାଧୀମାନଙ୍କୁ ଏପରି ଯେ ଅତ୍ୟାଚାରିତ କରାଯାଏ ତାହାଥିଲା ତାଙ୍କର ଧାରଣାର ବାହାରେ । ସେମାନେ ପଶୁଠାରୁ ଥିଲେ ଆହୁରି ହୀନ । ସକାଳେ ଦିଆଯାଉଛି ଥୋଡ଼େ ଗଜା ମୁଗ ଓ ଟିକେ ଗୁଡ଼ । ଦିନ ବାରଟାରେ ବଗଡ଼ା ଚାଉଳର ଭାତ, ମୁନ୍ଦେ ଡାଲି ପାଣି ଓ ତେଲ ନ ପଡ଼ି ରନ୍ଧା ହୋଇଥିବା ଟିକିଏ ବୋଇତି କଖାରୁ ତରକାରୀ ବାସ୍‌ ! ଏଇ କ’ଣ ଜୀବନ ? ସ୍ୱାଧୀନତାର ତିରିଶି ବର୍ଷ ପରେ କଏଦୀ ଓ ଅପରାଧୀମାନଙ୍କର ଶୋଚନୀୟ ଦେଖିଲେ ଦୁଃଖ ଲାଗେ ।

 

ଜେଲ୍‌ ଭିତରେ ଚାଷ ହେଉଛି କୋବି, ବାଇଗଣ, ଆଳୁ, ମୂଳା, ଭେଣ୍ଡି ଓ ଜହ୍ନି । ଏଇସବୁ କଏଦୀ ଓ ଅପରାଧୀମାନେ ମୁଣ୍ଡଝାଳ ମୁଣ୍ଡରେ ମାରି ପନିପରିବା ଚାଷ କରନ୍ତି । ମାତ୍ର ସେମାନେ ଖାଆନ୍ତି ଦରସିଝା, ପୋକରା ବୋଇତି କଖାରୁ ତରକାରୀ । ଏ ପନିପରିବା ଚାଲିଯାଏ ଜେଲ୍‌ର, ଜେଲ ସୁପରିନ୍‌ଟେଣ୍ଡେଣ୍ଟ, ଏସ୍‌. ପି. ଓ ଜିଲାପାଳଙ୍କ ପାଖକୁ ।

 

ଜେଲ୍‌ ଭିତରେ ଏସବୁ ଦେଖି ଦେଖି ଶୁଭକାନ୍ତ ଅତିଷ୍ଠ ହୋଇ ପଡ଼ିଥିଲେ । ସକାଳେ ଓ ସନ୍ଧ୍ୟାବେଳେ କଏଦୀମାନେ ଖୁଆଡ଼ ଭିତରୁ ବାହାରିବା ଓ ଖୁଆଡ଼ ଭିତରକୁ ଯିବା ପୂର୍ବରୁ ଆସିଥାନ୍ତି ଶୁଭକାନ୍ତଙ୍କ ପାଖକୁ । ତାଙ୍କରି ନେତୃତ୍ୱରେ କଏଦୀମାନେ ଜେଲ୍‌ ଭିତରେ କୌଣସି କାମ କଲେ ନାହିଁ । ଜେଲ କର୍ତ୍ତୃପକ୍ଷ ସଶସ୍ତ୍ର ପୋଲିସ ଅଣାଇ ସେମାନଙ୍କୁ ମାଡ଼ ଦେଲେ । ତା’ପରେ ସେମାନେ କଲେ ଅନଶନ ସତ୍ୟାଗ୍ରହ । ଜେଲ୍‌ କୃର୍ତ୍ତପକ୍ଷ ସେମାନଙ୍କୁ କ୍ଷମା ନ ମାଗିଲେ, ଏ ସତ୍ୟାଗ୍ରହ ଚାଲୁ ରହିବ ।

 

ତିନିଦିନ ପରେ ଜେଲ୍‌ କର୍ତ୍ତୃପକ୍ଷ ବାଧ୍ୟହୋଇ ସେମାନଙ୍କୁ କ୍ଷମା ମାଗିଥିଲେ । ସେଇ ଦିନଠାରୁ ଅପରାଧୀମାନଙ୍କୁ ନୈତିକ ବଳ ବଢ଼ିଗଲା ।

 

ଧୀରେ ଧୀରେ ଦେଢ଼ଶହ କଏଦୀମାନଙ୍କ ଚେତନାରେ ଶୁଭକାନ୍ତ ଆପଣାର ଭାବମୂର୍ତ୍ତି ପ୍ରତିଷ୍ଠିତ କରିଦେଲେ । ସେମାନଙ୍କ ହୃଦୟ ପରିବର୍ତ୍ତନ ପାଇଁ ଶୁଭକାନ୍ତ ସେମାନଙ୍କୁ ଶୁଣାଇଲେ କେତେକ ନୀତିକଥା । ରାମାୟଣ, ମହାଭାରତଠାରୁ ଆରମ୍ଭ କରି ଦେଶ ବିଦେଶର ବହୁ ଲୋକଙ୍କୁ କଥା ସେମାନଙ୍କୁ ସେ କହିଚାଲିଲେ । ଭାରତରେ ଆଜି ଯେଉଁ ସ୍ୱେଚ୍ଛାଚାରୀ, ବ୍ୟକ୍ତିତନ୍ତ୍ର ଶାସନ ଚାଲିଛି, ସେଇସବୁ କାହାଣୀ ମଧ୍ୟରେ ଅତି ଚତୁରତାର ସହିତ ସେ ବେଳେ ବେଳେ କହୁଥିଲେ ।

 

ଅନଶନ ସତ୍ୟାଗ୍ରହ ପରେ ପରେ ଦେଖାଗଲା କଏଦୀମାନେ ପ୍ରତିଦିନ ଗୋଠ ଭିତରକୁ ଯିବା ପୂର୍ବରୁ ଶାସନ ବିରୋଧୀ ସେ ଗ୍ଳାନମାନେ ଦେଉଛନ୍ତି । ଏକଛତ୍ର ଶାସନ–ଧ୍ୱଂସ ହେଉ । ଗଣତନ୍ତ୍ର-ପ୍ରତିଷ୍ଠା କର । ସମ୍ୱାଦପତ୍ରର ସ୍ୱାଧୀନତା ଫେରାଇ ଦିଅ । ବିଚାର ବିଭାଗର ସ୍ୱାଧୀନତା ପୁନଃ ପ୍ରତିଷ୍ଠା କର ।

 

ଦୁଇ ତିନି ଦିନ ଏପରି ସ୍ଳୋଗାନ କଏଦୀମାନେ ଦେଲାପରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଖେଳିଗଲା ଚାଞ୍ଚଲ୍ୟ ଓ ଆତଙ୍କ । ତେଣୁ ଏହାର ନିରାକରଣ ପାଇଁ ତାଙ୍କୁ ଯତନ ନଗର ଜେଲରୁ ମାଣିକପୁର ଜେଲକୁ ନିଆଯାଉଛି ।

 

ଜେଲ ଭ୍ୟାନ୍‌ ଗଡ଼ିଚାଳିଛି ଆଗକୁ ଆଗକୁ । ଶୁଭକାନ୍ତ ବସିଛନ୍ତି ମେରୀ ଖୁଣ୍ଟ ପରି ଚୁପଚାପ୍‌ । ସଶସ୍ତ୍ର କନେଷ୍ଟବଳ ମାନେ ତାଙ୍କୁ ଘେରି ବସିଛନ୍ତି ଏକ ଏକ ମାଛରଙ୍କା ବଗପକ୍ଷୀମାନଙ୍କର ପରି ।

 

ଜେଲ୍‌ ଓ ଶାସନ କର୍ତ୍ତୃପକ୍ଷ ଚୋରୀ, ଡକାୟତି ଓ ହତ୍ୟାକାରୀ ଅପରାଧୀମାନଙ୍କର ଏଇ ରାଜନୈତିକ ସଚେତନାରୁ ଆଉ ବରଦାସ୍ତ କରନ୍ତେ କିପରି ? ସେମାନଙ୍କର ଆଖି ବୋଲି ଦେଇଥିବା ଶୁଭକାନ୍ତଙ୍କୁ ଏ ଜେଲ୍‌ରୁ ସ୍ଥାନାନ୍ତରିତ ନ କଲେ, ଏଇ ସ୍ଲୋଗାନର ପରିଣତି ଦିନେ ଯେ ଭୟାବହ ହୋଇଉଠିବ, ଏହାହିଁ ଥିଲା ସେମାନଙ୍କର ବିଚାରଣା ।

 

ଶୁଭକାନ୍ତ ଭାବୁଥିଲେ ।

 

ଜେଲ୍‌ ଭ୍ୟାନ୍‌ ଗଡ଼ି ଗଡ଼ିଚାଲିଛି । ଜେଲ୍‌ ଭ୍ୟାନର ଜାଲି ରନ୍ଧ୍ରରୁ ଲକ୍ଷ୍ୟ କଲେ ଶୁଭକାନ୍ତ ଗୋଟିଏ ସାଇନ ବୋର୍ଡ଼କୁ । ସେଥିରେ ଲେଖାଅଛି ପୌରସଭା ସ୍ୱାଗତ କରୁଛି ଆଗନ୍ତୁକମାନଙ୍କୁ । ସେ ଖୁବ୍‌ ସଚେତନ ହୋଇଉଠିଲେ । ଆଗରେ ଶ୍ରୀରାମପୁର ସହର । ସବ୍‌ଡ଼ିଭିଜନାଲ ହେଡ଼କ୍ୱାଟର, ଯେଉଁଠାରେ ତାଙ୍କର ରାଜନୈତିକ ଜୀବନର ମୂଳଦୁଆ ପଡ଼ିଥିଲା । ଏଇ ସହରର ଗୋଡ଼ିମାଟି ଓ ଧୂଳିକଣା ସହିତ ସେ ପରିଚିତ । କେତେ ସତ୍ୟାଗ୍ରହ, କେତେ ଶୋଭାଯାତ୍ରା, କେତେ ଗଣ ଆନ୍ଦୋଳନର ଡାକରାରେ ଏ ସହର ହୋଇଉଠିଥିଲା ଉଜ୍ଜୀବିତ ।

 

ଶୁଭକାନ୍ତ ଜାଲି ରନ୍ଧ୍ର ଦେଇ ଆଉ ଟିକିଏ ଚାହିଁଲେ ବାହାରକୁ । ଶ୍ରୀରାମପୁର ସହରର ଇଏ ହେଉଛି ଦ୍ୱାରଦେଶ । ଆଗରେ ମେହେନ୍ତର ବସ୍ତି ତା’ପରେ ଶ୍ରମିକ ବସ୍ତି ଓ ତାପରେ ଆରମ୍ଭ ହେବ ସାଧାରଣ ସହର । ଜରୁକାଳୀନ ପରିସ୍ଥିତି ଘୋଷିତ ହେବାର ତିନିଦିନ ପରେ ସେ ଆସିଥିଲେ ଶ୍ରୀରାମପୁର ସହରକୁ । ତାଙ୍କର ସହକର୍ମୀ, ସମର୍ଥକ ଓ ଅନୁଚରମାନଙ୍କୁ ଏକାଠି କରି ଗୋଟାଏ ଲମ୍ୱା ରୁଦ୍ଧ ଦ୍ୱାର ବୈଠକରେ ଯେଉଁ ଭାଷଣ ଦେଇଥିଲେ, ଆଜି ବି ତାଙ୍କର ମନେପଡ଼ୁଛି-। ତାଙ୍କ ଭାଷଣ ପରେ ସାରା ଶ୍ରୀରାମପୁର ସହରର କାନ୍ଥ ବାଡ଼ରେ ରାତି ଉଜାଗର ହୋଇ ତାଙ୍କର ସହକର୍ମୀମାନେ ଶାସନ ବିରୋଧୀ ଯେଉଁ ପ୍ରାଚୀର ପତ୍ରମାନ ମାରିଥିଲେ, ତାହାର ପ୍ରତିକ୍ରିୟା ତା’ପରଦିନ ସକାଳେ ହୋଇଉଠିଥିଲା ପ୍ରଚଣ୍ଡ । ସହର ତମାମ୍‌ ଗୁଇନ୍ଦା ପୋଲିସ୍‌ ଖୋଜି ଲାଗିଥିଲେ ତାଙ୍କୁ ଧରିବା ପାଇଁ । ମାତ୍ର ଏ ଖବର ଗୁଇନ୍ଦା ଜାଣିବା ପୂର୍ବରୁ ଶୁଭକାନ୍ତ ଏଠାରୁ ହୋଇଥିଲେ ଅନ୍ତର୍ଦ୍ଧାନ ।

 

ଜେଲ୍‌ ଭ୍ୟାନ ଯେତେବେଳେ କଚେରୀ ପାଖରେ ପହଁଞ୍ଚିଲା, ସେତେବେଳେ ଶୁଭକାନ୍ତ ଆଉ ସମ୍ଭାଳି ପାରିଲେ ନାହିଁ । କିଛି ସମୟ ଗାଡ଼ି ଅଟକାଇ, କଚେରୀ ଦୋକାନର ରାଘବ ଦାସଙ୍କ ଦୋକାନରୁ ଚା’ କପେ ପିଇଲେ, ଶୀତ ସକାଳର ଥଣ୍ଡା ଓ ଦୀର୍ଘ ଯାତ୍ରାଜନିତ କ୍ଳାନ୍ତି କିଛି ଅଂଶର ଲାଘବ ହୁଅନ୍ତା । ସେ ସଶସ୍ତ୍ର କନେଷ୍ଟବଳମାନଙ୍କୁ କହିଲେ-ଡ୍ରାଇଭରଙ୍କୁ କହ, ଗାଡ଼ି ରଖୁ । ଏଠି ଟିକିଏ ଚା’ ପିଇବା ।

 

ସଶସ୍ତ୍ର କନେଷ୍ଟବଳମାନେ ହଠାତ୍‌ ସକ୍ରିୟ ହୋଇ ଉଠିଲେ । ଡ୍ରାଇଭରକୁ ଗାଡ଼ି ଅଟକାଇବା ଲାଗି ହାବିଲଦାର ସୂଚନା ଦେବାମାତ୍ରେ ଗାଡ଼ିଟି ଅଟକିଲା କଚେରୀ ଛକର ସେଇ ବିଶାଳ ଆମ୍ୱଗଛ ନିକଟରେ ।

 

ଆଗରେ ରାଘବ ଦାସଙ୍କ ଚା’ ଦୋକାନ । ସହରରେ ଚା’ ତିଆରି ପାଇଁ ଏ ଦୋକାନ ଥିଲା ସୁପ୍ରସିଦ୍ଧ । ଶୁଭକାନ୍ତଙ୍କ ରାଜନୈତିକ ଜୀବନରେ ଦୀର୍ଘ ପନ୍ଦର ବର୍ଷ କଟିଛି ଏଇ ସହରରେ । ରାଘବଙ୍କ ଚା’ ଦୋକାନ ଥିଲା ତାଙ୍କ ବାମପନ୍ଥୀ ରାଜନୈତିକ ଜୀବନର ଏକ ଅସ୍ଥାୟୀ ଆଡ଼୍‌ଡ଼ା ସ୍ଥଳ-। ସହର ଓ ମଫସଲର ଶହ ଶହ ରାଜନୈତିକ କର୍ମୀ, କୃଷକ, ଶ୍ରମିକ ଓ କ୍ଷେତ ମଜୁରିଆ ଆସୁଥିଲେ ତାଙ୍କୁ ଭେଟିବା ପାଇଁ ଏଇ ଚା’ ଖଟୀକୁ ।

 

ସଶସ୍ତ୍ର କନେଷ୍ଟବଳମାନଙ୍କ ଗହଣରେ ଓହ୍ଲାଇଲେ ଜେଲ୍‌ ଭ୍ୟାନରୁ ସେ ଚାହିଁଲେ କଚେରୀ ଆଡ଼େ । ହାତଘଣ୍ଟାକୁ ଚାହିଁଲେ ସେ ତା’ପରେ । ଦଶଟା ବାଜି ନାହିଁ । ଦଶଟା ବାଜିବାକୁ ଆହୁରି ଦଶ ମିନିଟ୍‌ ବାକି ଅଛି । ଏତେବେଳକୁ କଚେରୀ ପଡ଼ିଆ ହୋଇ ଉଠୁଥାନ୍ତା ଲୋକ ଗହଳିରେ ଭରପୁର । ମାତ୍ର ଏ କି ବିଷଣ୍ଣତା ? ସାରା ସହରଟା ଯେପରି ଏକ ଗୁମ୍‌ ସୁମ୍‌ ନିସ୍ତବ୍‌ଧତାରେ ଛାଇ ହୋଇଯାଇଛି ।

 

ରାଘବ ଦାସଙ୍କ ଦୋକାନ ଉପରକୁ ଉଠିବା ପୂର୍ବରୁ ଶୁଭକାନ୍ତ ଅନାଇଲେ ଟାଉନ୍‌ ହଲ୍‌କୁ । ଟାଉନ୍‌ହଲ୍‌ କାନ୍ଥରେ ଝୁଲୁଛି ଭାରତ ଶାସନର ସର୍ବମୟ କର୍ତ୍ତୀ ଶ୍ରୀମତୀ ମହାମାୟା ଦେବୀଙ୍କର ହରଭଙ୍ଗୀ ବିଶାଳ ଫଟୋ । ସେଇ ଫଟୋତଳେ ଖୋଦିତ ହୋଇଛି । ଇମାରଜେନ୍‌ ସି ସମୟର କୋଡ଼ିଏ ଗୋଟି ସନନ୍ଦ......

 

ଶୁଭକାନ୍ତ ଆଉ ସେ ଆଡ଼କୁ ଅନାଇଁ ପାରିଲେ ନାହିଁ । ଗତ ତିରିଶି ବର୍ଷ ଧରି ଯେଉଁ ସହର ବାମପନ୍ଥୀ ଆନ୍ଦୋଳନର ଏକ ପେଣ୍ଠସ୍ଥଳୀ ଥିଲା, ସେ ସହର ଆଜି ମୁଖରିତ ହୋଇଛି ଏକଛତ୍ର ଶାସକ ମହାମାୟା ଦେବୀଙ୍କ ଜୟଗାନ ଧ୍ୱନୀରେ ।

 

ଶୁଭକାନ୍ତ ଯେତେବେଳେ ରାଘବ ଦାସଙ୍କ ଚା’ ଦୋକାନରେ ଗୋଟିଏ ଲମ୍ୱା ବେଞ୍ଚ ଉପରେ ବସିପଡ଼ିଲେ, ସେତେବେଳେ ଦୋକାନରେ ବସିଥିବା ପ୍ରାୟ କୋଡ଼ିଏ ଜଣ ଲୋକ ତାଙ୍କ ପାଖକୁ ଛୁଟି ଆସିଲେ ବିସ୍ମୟ ବିମୂଢ଼ ହୋଇ । ନିଜେ ରାଘବ ଆସି ଯେତେବେଳେ ତାଙ୍କୁ ନମସ୍କାର ଜଣାଇଲେ, ସେତେବେଳେ ସେଇ ଚା’ ଖଟିଟି ଯାହା ଅନେକ ଦିନ ଧରି ନୀରବ ନିଶ୍ଚଳ ଥିଲା ତାହା ହୋଇଗଲା ପ୍ରାଣବନ୍ତ ଓ କଳ ଉଚ୍ଛ୍ୱସିତ ।

 

ସଶସ୍ତ୍ର କନେଷ୍ଟବଳମାନେ ଶୁଭକାନ୍ତଙ୍କ ଚାରିପଟେ ଘେରି ବସିଛନ୍ତି ତଥାପି ସେମାନଙ୍କର ସତର୍କ ଆଖି ଆହୁରି ହୋଇଉଠିଛି ଉଜ୍ୱଳ ଓ ତୀକ୍ଷ୍‍ଣ । ଯେତେ ଶୀଘ୍ର ସେମାନେ ଏଠାରୁ ଚା’ ପିଇ ଗାଡ଼ିରେ ବସିବେ, ସେତେ ଶୀଘ୍ର ସେମାନେ ସମସ୍ତେ ବିପଦ ଏଡ଼ାଇ ଯିବେ ।

 

ଶୁଭକାନ୍ତ ଚା’ ପିଉଛନ୍ତି ରାଘବ ଦାସଙ୍କ ଦୋକାନରେ-ଏ ସମ୍ୱାଦ ନିମିଷକରେ ପ୍ରଚାରିତ ହୋଇଥିଲା ଶ୍ରୀରାମପୁ ସହରରେ । କେଉଁଠି ଥିଲେ କେଜାଣି ଏତେ ଲୋକ ? ଶହ ଶହ ସଂଖ୍ୟାରେ ଛୁଟି ଆସିଲେ ତାଙ୍କର ପ୍ରିୟ ନେତା ଶୁଭକାନ୍ତଙ୍କ ଦର୍ଶନ ପାଇଁ ଓକିଲ, ଡାକ୍ତର, ଶିକ୍ଷକ, ଦୋକାନୀ, ଶ୍ରମିକ ଓ କୃଷକ କାହିଁ କେଉଁଠି ଥିଲେ କେଜାଣି ସବୁ ଆସି ରାଘବଦାସଙ୍କ ଦୋକାନରେ ଠୁଳ ହୋଇଗଲେ ।

 

ସଶସ୍ତ୍ର କନେଷ୍ଟବଲମାନେ ହଠାତ୍‌ ପ୍ରମାଦ ଗଣିଲେ । ସେମାନେ ଭାବୁଥିଲେ କିଛି ଗୋଟାଏ ଅଘଟଣ ଘଟିଯିବ କି ଆଉ ? ସେମାନଙ୍କ ଆକୁଳ ବ୍ୟସ୍ତତାକୁ ଶୁଭକାନ୍ତ ଲକ୍ଷ୍ୟ କରି କହିଲେ-ତମେମାନେ ବ୍ୟସ୍ତ ହେବନି ଭାଇ ! ଆଉ ପାଞ୍ଚ ମିନିଟ୍‌ ପରେ ଆମେ ଚାଲିଯିବା ଏଠୁ । ତମମାନଙ୍କ ଚାକିରୀରେ ଆଞ୍ଚ ଆସିବା ଭଳି କୌଣସି କାର୍ଯ୍ୟ ମୁଁ କରିବାକୁ ଦେବି ନାହିଁ ।

 

ଶୁଭକାନ୍ତ ରାଘବ ଦାସଙ୍କୁ କହିଲେ-ଏମାନଙ୍କୁ କିଛି ଭଲ ଜଳଖିଆ ଖାଇବାକୁ ଦିଅ ରାଘବ ।

 

ରାଘବଙ୍କ ବୟ, ଏ ନିର୍ଦ୍ଦେଶ ଶୁଣିଲା ମାତ୍ରେ ସଶସ୍ତ୍ର କନେଷ୍ଟବଲ ଓ ଡ୍ରାଇଭରଙ୍କୁ ନିକଟରେ ଥୋଇ ଦେଲେ ଥାକ ଥାକ ମୂଳ୍ୟବାନ୍‌ ଜଳଖିଆ । ସେମାନେ ଜଳଖିଆ ଖାଉଛନ୍ତି ଯଦିଓ ତୃପ୍ତିରେ, ତଥାପି ଏତେ ସଂଖ୍ୟାର ଲୋକ ଜମା ହେବାର ଦେଖି ସେମାନଙ୍କର ଆଶଙ୍କା ବଢ଼ୁଥିଲା ଅତି ଦ୍ରୁତ ଗତିରେ ।

 

ରାଘବଙ୍କ ଦୋକାନ ଆଗରେ ପ୍ରାୟ ତିନିଶହ ଲୋକଙ୍କ ଜମାୟତ୍‌ । ଶୁଭକାନ୍ତ ଚା’ ପିଇ ଯେତେବେଳେ ଦୋକାନ ପାହାଚରୁ ଓହ୍ଲାଇ ବାହାରକୁ ଆସିଲେ, ସେତେବେଳେ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଏତେ ଲୋକ ଜମା ହୋଇଥିବାର ଦେଖି ସେ ଆଶ୍ଚର୍ଯ୍ୟ ହେଲେ । ସେ ଆହୁରି ଆଶ୍ଚର୍ଯ୍ୟ ହେଲେ, ଯେତେବେଳେ ସେ ଦେଖିଲେ ଯେ ସମବେତ ଜନସାଧାରଣ ତାଙ୍କୁ ହାତ ହଲାଇ, ହର୍ଷଧ୍ୱନୀ କରି ସ୍ୱାଗତ ସମ୍ଭାଷଣ ଜଣାଉଛନ୍ତି ।

 

ଶୁଭକାନ୍ତ ଗତ ଏକବର୍ଷ ଧରି ଘୋର ଚିନ୍ତାରେ ଜେଲ୍‌ ଭିତରେ କାଳ କାଟୁଥିଲେ । ଇମାରଜେନ୍‌ସି ବେଳେ ଭାରତରୁ ଗଣତନ୍ତ୍ରର ଉଚ୍ଛେଦ ହେଲା । ସାରାଦେଶରୁ ବିରୋଧୀ ଦଳଙ୍କୁ ନିଶ୍ଚିହ୍ନ କରିଦେବା ଲାଗି ସେମାନଙ୍କର ନେତା ଓ ଲଢ଼ୁଆ କର୍ମୀମାନଙ୍କୁ ବନ୍ଦୀ କରାଗଲା । ସମ୍ୱାଦପତ୍ର ଆକାଶବାଣୀ ଓ ଦୂରଦର୍ଶନରେ ପ୍ରତିଫଳିତ ହେଲା ଏକଛତ୍ର ଶାସକ ମହାମାୟା ଦେବୀଙ୍କର ବତ୍କୃତା ଓ ଉପଦେଶ ।

 

ଶୁଭକାନ୍ତ ମନେ କରିଥିଲେ ଦେଶର ଜନସାଧାରଣ ବାଧ୍ୟ ହୋଇ ବୋଧହୁଏ ଅଙ୍ଗୀକାର ନେଇଥିବେ ଏକଛତ୍ରଶାସନ ବ୍ୟବସ୍ଥାକୁ । ମାତ୍ର ସେମାନଙ୍କ ଭିତରେ ଯେ, ପ୍ରାଣସ୍ପନ୍ଦନ ରହିଛି, ତାହାହିଁ ଆଜି ସ୍ପଷ୍ଟ ହୋଇଗଲା । ଜରୁରୀ ପରିସ୍ଥିତିର ସମସ୍ତ ଭୟ ଓ ଆତଙ୍କ ସତ୍ତ୍ୱେ ଶ୍ରୀରାମପୁରର ଜନସାଧାରଣ ତାଙ୍କୁ ଯେ ଦେଖିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ତାହାହିଁ ଥିଲା ଯଥେଷ୍ଟ ।

 

ଏଣେ ସଶସ୍ତ୍ର କନେଷ୍ଟବଳମାନେ ଅତିଷ୍ଠ ହେଲେଣି । ଯଦି ଜମାଏତ୍ ଲୋକମାନେ ବଳପ୍ରୟୋଗ କରି ଶୁଭକାନ୍ତଙ୍କୁ ଛଡ଼ାଇନେବେ, ସେମାନେ କ’ଣ କରିବେ ? ଶ୍ରୀରାମପୁରରେ ଗାଡ଼ିରୋକିକା, ସେମାନଙ୍କ ପକ୍ଷରେ ଉଚିତ୍ ହେଲାନାହିଁ । ସେମାନଙ୍କ ବ୍ୟସ୍ତତା ବେଳୁବେଳ ବଢ଼ିବାରେ ଲାଗିଛି । ଜଣେ ଶୁଭକାନ୍ତଙ୍କ କାନରେ କହିଲା-ଆଜ୍ଞା, ଡେରି ହେଉଛି । ଲୋକମାନଙ୍କଠାରୁ ବିଦାୟ ନେଇ ଆସନ୍ତୁ ଗାଡ଼ି ଭିତରକୁ ।

 

ଶୁଭକାନ୍ତ ବୁଝିପାରିଲେ ସେମାନଙ୍କର ଅସୁବିଧା । ଜେଲ୍ ଭ୍ୟାନ୍ ଭିତରକୁ ଯିବା ପୂର୍ବରୁ ସମବେତ ଜନତା ଉଦ୍ଦେଶ୍ୟରେ ସେ ପ୍ରଣାମ ଜଣାଇ କହିଲେ....ଯାଉଛି ଭାଇମାନେ ! ଅନ୍ଧାରୀ ଶାସନର ଅବସାନ ପରେ ମୁଁ ପୁଣି ଫେରି ଆସିବି ଆପଣମାନଙ୍କ ପାଖକୁ ।

 

ଜେଲ୍ ଭ୍ୟାନ୍‌ରେ ଶୁଭକାନ୍ତ ଆସି ବସିଲେ । ସଶସ୍ତ୍ର କନେଷ୍ଟବଳମାନେ ପୁଣି ବସିଲେ ତାଙ୍କ ଚାରିପଟେ ପୂର୍ବପରି । ପୋଲିସ୍ ଡ୍ରାଇଭର ଗାଡ଼ି ଚଳାଇଲା ଅତି ଦ୍ରୁତ ଗତିରେ । ଶୁଭକାନ୍ତଙ୍କ ଆଖି ଆଗରୁ ଅଦୃଶ୍ୟ ହୋଇଗଲା ଶ୍ରୀରାମପୁର ସହରର ବିଶାଳ କୋଠା ଓ ମନ୍ଦିରର ଚୂଡ଼ା । ଜେଲ ଭ୍ୟାନ୍ ଗାଡ଼ି ଚାଲିଛି..... ।

 

ଶୁଭକାନ୍ତ ଭାବୁଥିଲେ କେଉଁ ଦିନ ଭାରତ ଆକାଶରୁ ଏଇ ଅନ୍ଧାରୀ ଶାସନର କାଳ ରାତି ଅପସରି ଯିବ ? ଦେଶପ୍ରେମୀ, ଗଣତନ୍ତ୍ରବାଦୀ ଶହ ଶହ ଜନସାଧାରଣ କେତେକାଳ ରହିଥିବେ ଜେଲ୍ ଭିତରେ ? କେବେ ସେମାନଙ୍କର ମୁକ୍ତି ? କେବେ ହେବ ଭାରତ ଆକାଶରେ ଗଣତାନ୍ତ୍ରିକ ସୂର୍ଯ୍ୟୋଦୟ ନୂତନ ଅଭିଷେକ ? ବୟାଳିଶତମ ସମ୍ୱିଧାନ ସଂଶୋଧନର ବିପଦଜନକ ଧାରା କେଉଁ ଦିନ ବାତିଲ କରାଯିବ ? ସମ୍ୱାଦପତ୍ରର ସ୍ୱାଧୀନତା କେବେ ଆଉ ପୁନଃ ପ୍ରତିଷ୍ଠା କରାଯିବ ?

 

ଶୁଭକାନ୍ତ ଭାବୁଥିଲେ, ସ୍ୱାଧିନତା ପରେ ଏଇ ସରକାର ବିରୁଦ୍ଧରେ ସଂଗ୍ରାମ କରି ସେ ଆଠଥର ଜେଲ ଯାଇଛନ୍ତି । ଜେଲ୍‌ରେ ରହିବା ପାଇଁ ତାଙ୍କର ଆପତ୍ତି ନାହିଁ । ମାତ୍ର ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତିଷ୍ଠା ପାଇଁ ଓ ଭାରତରୁ ଏକଛତ୍ରବାଦ ହିଟଲରୀ ଶାସନର ବିଲୋପ ଲାଗି ସେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ରେ ରହିଲେ, ସେ ଦୁଃଖ କରିବେ ନାହିଁ । ସେ କିନ୍ତୁ ଅବିଶ୍ରାନ୍ତ ଭାବରେ ସଂଗ୍ରାମ କରିବେ ଏଇ ନାଜୀବାଦ ବିରୁଦ୍ଧରେ ।

 

ଜେଲ୍‌ଭ୍ୟାନ୍ ଅଟକିଲା ମାଣିକପୁର ଜେଲ୍ ଆଗରେ । ସେତେବେଳକୁ ଦିନ ଦୁଇଟା ବାଜି ଯାଇଥିଲା । ଶୀତ ଦିନର ମଧ୍ୟାହ୍ନରେ ଜେଲ୍ ଉପର ଆକାଶରେ ସୂର୍ଯ୍ୟ ତଥାପି ଜଳୁଥିଲା ପ୍ରଚଣ୍ଡ ତାତି ବିକୀରଣ କରି; ଠିକ୍ ଶୁଭକାନ୍ତଙ୍କ ବିଦ୍ରୋହୀ ଆତ୍ମା ପରି ।

Image

 

Unknown

ନିର୍ମୋକ

 

ଅରଣ୍ୟଗଡ଼ର ଚିନି କାରଖାନାକୁ ପୂରା ଦମ୍‌ରେ ବର୍ଷରେ ଛଅମାସ ଚଳାଇ ରଖିବାପାଇଁ ଅବନୀନ୍ଦ୍ର ବୁଲୁଥିଲେ ସେ ଅଞ୍ଚଳର ଚାଳିଶି ମାଇଲ ବ୍ୟାସାର୍ଦ୍ଧ ମଧ୍ୟରେ ଗାଁକୁ ଗାଁ, ଅଣନିଶ୍ୱାସୀ ହୋଇ, ଏକ ଜାତିଗଠନ କାର୍ଯ୍ୟର ଉନ୍ମାଦନାରେ ।

ଅବନୀନ୍ଦ୍ର ଅରଣ୍ୟଗଡ଼ ଅଞ୍ଚଳର ଗାଁକୁ ଗାଁ ବୁଲୁଥିଲେ ଏବଂ ପ୍ରତ୍ୟେକ ଆଖୁଚାଷୀଙ୍କୁ ଭେଟି ପ୍ରଚୁର ଆଖୁଚାଷ କରିବା ଲାଗି ପ୍ରବର୍ତ୍ତାଉଥିଲେ । କାରଖାନାର କର୍ତ୍ତୃପକ୍ଷ ତାଙ୍କ ହାତରେ ନ୍ୟସ୍ତ କରିଥିଲେ ଅନେକ କ୍ଷମତା ଓ ଦାୟିତ୍ୱ । ଚାଷୀର ଜମି ଅନୁଯାୟୀ ସେ ତତ୍‌କ୍ଷଣାତ୍ ଋଣ ମଞ୍ଜୁର କରୁଥିଲେ ଏବଂ ଚାଷୀମାନେ ଛୁଟିଆସୁଥିଲେ ତାଙ୍କ ପାଖକୁ ଏଇଥିପାଇଁ ଆଗ୍ରହାନ୍ୱିତ ହୋଇ ।

ଅବନୀନ୍ଦ୍ର ଅରଣ୍ୟଗଡ଼ ସହରରୁ ସକାଳ ନଅଟାବେଳେ ଜିପ୍ ଧରି ବାହାରିଯାଆନ୍ତି ଏବଂ ଫେରିଆସନ୍ତି ପ୍ରତିଦିନ ରାତି ନଅଟା ବେଳକୁ । ଦିନର ଏଇ ଦୀର୍ଘ ବାରଘଣ୍ଟା ମଧ୍ୟରେ ଅରଣ୍ୟଗଡ଼ ଆଭ୍ୟନ୍ତର ଅଞ୍ଚଳର କେତେ ପଲ୍ଲୀ ଗାଁ, କେତେ ନୁଆଣିଆ ଚାଳଘର, କେତେ ପୂର୍ବତନ ଗୌନ୍ତିଆ ଚାଷୀମାନଙ୍କର ସୁଉଚ୍ଚ ସିମେଣ୍ଟବନ୍ଧା ପିଣ୍ଡା, କେତେ ପୂରାତନ ଧ୍ୱଂସମୁଖୀ କୋଠାଘର ଦେଖି, ଚାଷୀମାନଙ୍କୁ ଉତ୍ସାହିତ କରି ଏବଂ ବେଳେ ବେଳେ ସେମାନଙ୍କର କ୍ଷେତ ଓ କ୍ଷେତକୁ ଲାଗି ରହିଥିବା ଗଭୀର କୂଅ ଦେଖି ସେ ଫେରିଆସନ୍ତି ଅରଣ୍ୟଗଡ଼ ସହରକୁ ।

ଗାଁକୁ ଗାଁ ବୁଲୁଥିଲା ବେଳେ ଏବଂ ଚାଷୀମାନଙ୍କୁ ବ୍ୟକ୍ତିଗତ ଭାବରେ ଭେଟୁଥିଲା ବେଳେ ଅବନୀନ୍ଦ୍ର କେତେ ନୂତନ ବିଚିତ୍ର ଅଭିଜ୍ଞତା ଅର୍ଜନ କରୁଥିଲେ । ସୁଖ ଦୁଃଖ ହେଲାବେଳେ ସେମାନଙ୍କ ବ୍ୟକ୍ତିଗତ ଜୀବନର କେତେ ସୁଖପ୍ରଦ ଦୁଃଖାନ୍ତକ ଓ ରୋମାଞ୍ଚକର କାହାଣୀ ସେ ଶୁଣିବାକୁ ପାଉଥିଲେ । କାହାର ପାରିବାରିକ ଜୀବନ ହୋଇ ଯାଇଛି ଛିନ୍ନଛତ୍ର, କାହାର ଦାମ୍ପତ୍ୟ ଜୀବନ ହୋଇଯାଇଛି ଶୋକାକୁଳ, କାହାର ପୁତ୍ରବଧୁ ସେମାନଙ୍କଠାରୁ ହୋଇଯାଇଛି ବିଚ୍ଛିନ୍ନ । କାହାର ଅର୍ଥାଭାବ, କାହାର ଶ୍ରମଶକ୍ତିର ଅଭାବ, କାହାର ଜଳସେଚନର ଅସୁବିଧା ଓ ଏଇପରି ଅନେକ; ଅସଂଖ୍ୟ ଅସୁମାରି ବିଚିତ୍ର କାହାଣୀ ।

ଅବନୀନ୍ଦ୍ର ଏ ସମସ୍ତ ଶୁଣି ଆପାତତଃ କାହାକୁ ସହାନୁଭୂତି, କାହାକୁ ସମବେଦନା ଜଣାଉଥିଲେ । କାହା ପିଠିରେ ହାତମାରି ଆଉ କାହାର ଆଖିରୁ ଲୁହ ପୋଛି ଦେଉଥିଲେ । ମାତ୍ର ତାଙ୍କର ଲକ୍ଷ୍ୟ ରହିଥିଲା ସେହି ଅଞ୍ଚଳରେ ତିନିହଜାର ଏକର ଜମିରେ ଆଖୁଚାଷ କରାଇବା ଏବଂ ଅରଣ୍ୟଗଡ଼ ପରି ଏକ ଅନଗ୍ରସର ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିବା ଏଇ କାରଖାନାକୁ କୌଣସିମତେ ବଞ୍ଚାଇ ରଖିବା ।

ଗତ ତିନିମାସ ଧରି ଅବନୀନ୍ଦ୍ର ବୁଲୁଛନ୍ତି ଅଣନିଃଶ୍ୱାସୀ ହୋଇ । ମନରେ ଅବଶୋଷ ନାହିଁ, କ୍ଳାନ୍ତି ନାହିଁ, ଅବସାଦ ନାହିଁ । ଘରର ପିଲାଛୁଆ, ସେମାନଙ୍କର ଭଲମନ୍ଦ, ଶିକ୍ଷା-ଦୀକ୍ଷା ଅବନୀନ୍ଦ୍ର ଭୁଲି ଯାଇଛନ୍ତି ।

ସେଦିନ ଅବନୀନ୍ଦ୍ର ଦିନ ଦଶଟା ବେଳେ ଗୋଟିଏ ଗାଁରେ ପହଞ୍ଚିଲେ । ଅରଣ୍ୟଗଡ଼ଠାରୁ ତାହାର ଦୂରତ୍ୱ ଥିଲା ମାତ୍ର ଚାଳିଶି କିଲୋମିଟର ।

ଦୁଇ ପାଖର ଛୋଟ ଛୋଟ ଅନୁଚ୍ଚ ପାହାଡ ମଝିରେ, ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହୋଇ, ଗୋଟିଏ ଗୈରିକ ରାସ୍ତା ଚାଲିଯାଇଛି ହରିସିଂହ ଗାଁକୁ । ଦୁଇପାଖର ପାହାଡ଼ ପାରିହେଲା ପରେ ପଡ଼ିଲା ଏକ ଅରଣ୍ୟ । ମହୁଲ, ଶାଳ ଓ କେନ୍ଦୁ ଗଛରେ ପରିପୂର୍ଣ୍ଣ ତିନିମାଇଲ ବାଟ ଅତିକ୍ରାନ୍ତ କଲାପରେ ସେ ପହଞ୍ଚଲେ ସେଇ ଗାଁରେ ।

ତାଙ୍କ ଜିପ୍ ଆଗକୁ ଆଗକୁ ଗଡ଼ି ଚାଲିଥିଲା ।

ଅବନୀନ୍ଦ୍ରଙ୍କ ସାଙ୍ଗରେ ଥିଲେ ହରିସିଂହ ପଞ୍ଚାୟତର ସରପଞ୍ଚ ଏବଂ ଜଣେ ଉଦୀୟମାନ ଯୁବକ କୀର୍ତ୍ତିନିଧି । କୀର୍ତ୍ତିନିଧି ଥିଲେ ଭାରୀ ଉତ୍ସାହୀ, ଭଦ୍ର ଓ ଅମାୟିକ ଯୁବକ । ସେ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ତାଙ୍କର ରହିଥିଲା ଯଥେଷ୍ଟ ପ୍ରଭାବ ଓ ପ୍ରତିପତ୍ତି ।

ଗାଁ ଭିତରେ ଜିପ୍ ଗଡ଼ି ଗଡ଼ି ଚାଲିଛି ଧୀର ମନ୍ଥର ଗତିରେ ।

କୀର୍ତ୍ତିନିଧି ଗୋଟିଏ କୋଠାଘର ନିକଟରେ ଗାଡ଼ିଟିକୁ ଅଟକାଇ ଦେଲେ ।

ଅବନୀନ୍ଦ୍ର ଜିପ୍‌ରେ ବସି ଲକ୍ଷ୍ୟ କଲେ ସେହି ବିଶାଳ ଓ ପୂରାତନ ଜରାଜୀର୍ଣ୍ଣ ପ୍ରାସାଦଟିକୁ ଦେଖି ତାଙ୍କର ମନେହେଲା, ସମ୍ଭବତଃ ଦୁଇଶହ ବର୍ଷ ତଳେ ଏହା ନିର୍ମିତ ହୋଇଥିଲା-

ଅବନୀର ଜିପ୍‍ରୁ ଓହ୍ଲାଇ ତଳକୁ ଆସିଲେ । ଛାତ ଉପରକୁ ଅନାଇଁ ଦେବା ମାତ୍ରେ ତାଙ୍କ ଦୃଷ୍ଟିରେ ପଡ଼ିଲା ଏକ ଛୋଟ ବରଗଛ । ଛାତର ଅନତି ନିମ୍ନରେ ଇଟାହୀନ ଏକ ସ୍ଥାନରେ ଏଇ କ୍ଷୁଦ୍ର ବରଗଛଟି ସମସ୍ତଙ୍କ ଅଜ୍ଞାତରେ ବଢ଼ି ଚାଲିଛି ।

ଅବନୀନ୍ଦ୍ର ଆଶ୍ଚର୍ଯ୍ୟ ହେଲେ ।

କିଛି ସମୟ ପରେ କୀର୍ତ୍ତିନିଧି ସେଇ କୋଠାଘରର ତଳ ମହଲାରେ ରହି ତାଙ୍କୁ ହାତ ଠାରି ସେଠାକୁ ଯିବା ଲାଗି ସଙ୍କେତ ଦେଲେ ।

 

ଅବନୀନ୍ଦ୍ର ଦାଣ୍ଡଘରେ ପହଞ୍ଚିଲା ପରେ ଦେଖିଲେ କେତୋଟି ପୁରାତନ ଚୌକି ପଡ଼ିଛି ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କର ହାତ ସବୁ ଭାଙ୍ଗି ଯାଇଛି ।

 

କୀର୍ତ୍ତିନିଧି ଅବନୀନ୍ଦ୍ରଙ୍କୁ ବସିବାକୁ କହିଲେ । ଅବନୀନ୍ଦ୍ର ଅତ୍ୟନ୍ତ କୌତୂହଳ ସହିତ ଗୋଟିଏ ଭଙ୍ଗା ଚୌକିରେ ବସି ଛାତ ଉପରକୁ ଚାହିଁଲେ । କାନ୍ଥରେ ଘଣ୍ଟା ଟଙ୍ଗା ଯାଇଥିବା ଏକ ବିଶାଳକାୟ ଫଟୋ ଉପରେ ହଠାତ୍ ତାଙ୍କର ଦୃଷ୍ଟି ନିବଦ୍ଧ ହେଲା । ସେ ଆହୁରି କୌତୂହଳୀ ହେଲେ ।

 

ଫଟୋରେ ଦୀର୍ଘକାୟ ବ୍ୟକ୍ତିତ୍ୱସମ୍ପନ୍ନ ମଣିଷଟିଏ । ଫଟୋ ମଧ୍ୟରେ ଆଖି ଦୁଇଟି ଜଳୁଛି ଯେପରି ଦପ୍‌ ଦପ୍ ହୋଇ । ନାକ ତଳେ ଦୁଇପଟ ବାଘୁଆ ହୁରୁଡ଼ା ନିଶ ଏବଂ ତାହାର ଦୁଇପାର୍ଶ୍ୱ ମୋଡ଼ି ହୋଇ ଉଠିଯାଇଛି କାନ ଆଡ଼କୁ । ଦେହରେ ଲମ୍ୱା କୋଟ୍‍ ଝୁଲିପଡ଼ିଛି ପାଦ ପର୍ଯ୍ୟନ୍ତ । ଧୋତିଟି କୋଟ୍ ମଧ୍ୟରେ ଲୁଚି ଯାଇଥିଲେ ମଧ୍ୟ ତାହାର ଓସାରିଆ ଧଡ଼ି ଦେଖାଯାଉଛି ଫଟୋରେ ସ୍ପଷ୍ଟ ଭାବରେ । ପାଦରେ ଦୁଇପଟ ନାଏଗ୍ରା ଚପଲ । ହାତରେ ଦେଖାଯାଉଛି ସଙ୍ଗ ବାଡ଼ିଟିଏ ଧରିଲା ପରି । ମୋଟାମୋଟି ଫଟୋରୁ ବାରି ହେଉଛି ଏକ ବ୍ୟକ୍ତିତ୍ୱର ସମ୍ଭ୍ରମତାକୁ । ସମ୍ଭବତଃ ଏଇ ପ୍ରାସାଦର ଏଇ ହେଉଛନ୍ତି ମାଲିକ ।

 

ଅବନୀନ୍ଦ୍ର କିଛିକ୍ଷଣ ସେଇ ଫଟୋଟିକୁ ନିରୀକ୍ଷଣ କଲାପରେ କୀର୍ତ୍ତିନିଧି କହିଲେ-ସେ ହେଉଛନ୍ତି ରାଜା ହରିସିଂହ ମତ୍ତଗଜ, ଯାହାଙ୍କ ନାଆଁ ରେ ଏଇ ଗାଁ ନାମିତ ହୋଇଛି । ଆମ ଅଞ୍ଚଳର ଶହେଖଣ୍ଡ ମୌଜା ଥିଲା ତାଙ୍କର ଜମିଦାରୀ । ଆଜିକୁ ଦଶ ବର୍ଷ ହେଲା ତାଙ୍କର କାଳ ହୋଇଯାଇଛି ।

 

ଅବନୀନ୍ଦ୍ର ଫଟୋ ଉପରୁ ତାଙ୍କ ଆଖି ଫେରାଇ ଆଣିଲେ ।

 

କିଛି ସମୟ ବିତିଲା । କୀର୍ତ୍ତିନିଧି ଚୁପ୍‌ ଚାପ ବସିଲେ । ଏଇ କିଛିକ୍ଷଣର ନୀରବତା ଅବନୀନ୍ଦ୍ରଙ୍କୁ ନିତାନ୍ତ ଭାରାକ୍ରାନ୍ତ ଲାଗିଲା । ସେଇ ଏଇ ନୀରବତା ଭଙ୍ଗକରି କୀର୍ତ୍ତିନିଧିଙ୍କୁ ପଚାରିଲେ-ଆମକୁ ଆହୁରି ଅନେକ ଗାଁ ଯିବାକୁ ପଡ଼ିବ କୀର୍ତ୍ତିନିଧିବାବୁ ! ଏଠାରେ ଏତେ ସମୟ ବସିଲେ ଆମର ଆଜିକାର କାର୍ଯ୍ୟକ୍ରମ ସଫଳ ହୋଇପାରିବ ନାହିଁ ।

 

କୀର୍ତ୍ତିନିଧି କହିଲେ, ହରିସିଂର ଜମିଦାର ଦଶ ଏକର ଜମିରେ ଆଖୁଚାଷ କରିବା ଲାଗି ମୋତେ ଗତକାଲି ଖବର ଦେଇଥିଲେ ଆଜ୍ଞା ! ଆଉ କିଛି ସମୟ ପରେ ନିଜେ ଜମିଦାର ଏଠାକୁ ବିଜେ ହେବେ । ଏଠାରୁ କାମସାରି ଆମେ ଅନ୍ୟଆଡ଼େ ଯିବ ।

 

କୀର୍ତ୍ତିନିଧିଙ୍କ କଥା ନ ସରୁଣୁ ଜଣେ ବୃଦ୍ଧ ପରିଚାରକ ହାତରେ ଚା’ ଧରି ସେଠାରେ ଆସି ପହଞ୍ଚିଗଲେ ।

 

ଅବନୀନ୍ଦ୍ର ଓ କୀର୍ତ୍ତିନିଧି ଚା’ ପିଇବା ଆରମ୍ଭ କଲେ । ଏଇ ଚା’ ପର୍ବ ଭିତରେ ସେଇ ଘର ଭିତରକୁ ପଶି ଆସିଲେ ଜଣେ ଗୌରକାନ୍ତି ମହିଳା । ଦେହରେ ଖୁବ୍ ଦାମୀ ଶାଢ଼ି, ହାତରେ ଘଣ୍ଟା, ଆଖିରେ ଚଷମା, ବୟସ ଅନ୍ତତଃ ଛତ୍ରିଶ ସଇଁତ୍ରିଶ ହେବ ।

 

କୀର୍ତ୍ତିନିଧି ଚେୟାରରୁ ଉଠିପଡ଼ି ତାଙ୍କୁ ସମ୍ମାନ ଜଣାଇଲେ ଓ ମହିଳା ଜଣକ ଆଉ ଏକ ଚେୟାରରେ ବସିପଡ଼ିଲେ ।

କୀର୍ତ୍ତିନିଧି ଅବନୀନ୍ଦ୍ରଙ୍କ ସହିତ ତାଙ୍କୁ ପରିଚୟ କରାଇ ଦେଇ କହିଲେ-ଇଏ ହେଉଛନ୍ତି ହରିସିଂହ ଜମିଦାରୀର ଜମିଦାର ଶ୍ରୀମତୀ ରେଣୁବାଳା ଦେବୀ । ସେ ବର୍ତ୍ତମାନ ଚାଷବାସରେ ମନ ବଳାଇଛନ୍ତି । ଦଶ ଏକର ଜମିରେ ସେ ଆଖୁଚାଷ କରିବେ ବୋଲି ଇଚ୍ଛା କରିଛନ୍ତି ।

 

ଅବନୀନ୍ଦ୍ର ଚାହିଁଲେ ରେଣୁବାଳାଙ୍କୁ । ତାଙ୍କର ସିନ୍ଦୂରବିହୀନ ମଥାରେ ଯେପରି ଝଟକି ଉଠୁଥିଲା ଏକ ନୂତନ ଆଶାର ଇନ୍ଦ୍ରଧନୁ ।

 

ରେଣୁବାଳା କୀର୍ତ୍ତିନିଧିଙ୍କଠାରୁ କଥା ଛଡ଼ାଇ ନେଇ କହିଲେ, ହଁ ଆଜ୍ଞା, ମୁଁ ଦଶ ଏକର ଜମିରେ ଆଖୁଚାଷ କରିବି । ମୋତେ ଦୟା କରି ଋଣ ମଞ୍ଜୁର କରାଯାଉ !

 

ଅବନୀନ୍ଦ୍ର ଚାହୁଁଥିଲେ ବାରମ୍ୱାର ସେହି ମହିଳାଙ୍କୁ ଯାହାଙ୍କର ବ୍ୟକ୍ତିତ୍ୱରେ ମୁଦ୍ରାଙ୍କିତ ହୋଇ ରହିଥିଲା ଗତାୟୁ ଐଶ୍ୱର୍ଯ୍ୟ । ତାଙ୍କ ମନ ଭିତରେ ବାରମ୍ୱାର ପ୍ରଶ୍ନ ଉଠୁଥିଲା ଏ କ’ଣ ଅବିବାହିତା ? ଯଦି ଅବା ବିବାହ କରିଥାନ୍ତେ, ତେବେ ଏଠି ରହିବାର ତ କୌଣସି କାରଣ ନଥିଲା-?

 

ଅବନୀନ୍ଦ୍ର ଚାହିଁ ରହିଲେ ସେଇ ମହିଳାଙ୍କୁ, ସେ ଯେପରି ଏଇ ମହିଳାଙ୍କୁ ଦେଖୁଛନ୍ତି ପ୍ରଥମକରି ଜୀବନରେ । ସାଧାରଣ ମହିଳାଙ୍କ ଅପେକ୍ଷା ଏହାଙ୍କ ବ୍ୟକ୍ତିତ୍ୱରେ ଯେପରି ଲେଖି ହୋଇଯାଇଥିଲା କିଛି ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ-ଯାହା ଫଳରେ ତାଙ୍କୁ ଓ ତାଙ୍କର କଥା କହିବାର ଭଙ୍ଗୀକୁ ବାରମ୍ୱାର ଅନ୍ୱେଷା କରିବାକୁ ଇଚ୍ଛା ହେଉଥିଲା ।

 

ଏହାରି ଭିତରେ ରେଣୁବାଳା ଆରମ୍ଭ କରିଦେଲେ ଗପ । ମୁଁ ଆଜ୍ଞା ନିଶ୍ଚିତ ଭାବରେ ଦଶ ଏକର ଜମିରେ ଆଖୁଚାଷ କରିବି । ରାଜନୀତି କରୁଥିଲି । ଦୁଇ ଦୁଇଟା ନିର୍ବାଚନରେ ଲଢ଼ିଲି-। ଏଇଥିରେ ମୁଁ ବହୁତ କ୍ଷତିଗ୍ରସ୍ତ ହେଲି । ଏବେ ଆଉ ରାଜନୀତି କରିବି ନାହିଁ ବୋଲି ସ୍ଥିର କରିଛି । ମତେ ଦଶ ଏକର ଜମିରେ ଆଖୁଚାଷ କରିବାପାଇଁ ଋଣ ମଞ୍ଜୁର କରାଯାଉ !

 

ଅବନୀନ୍ଦ୍ର ଶୁଣୁଥିଲେ ରେଣୁବାଳାଙ୍କ କଥା ବେଶ୍ ଆଗ୍ରହରେ । ଦୁଇ ଦୁଇଟା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ସମ୍ଭବତଃ ରେଣୁବାଳା ପରାଜିତ ହୋଇଛନ୍ତି । କାରଣ ତାଙ୍କ କଣ୍ଠରେ ପରାଜୟର ଆତ୍ମଗାନି ଉଚ୍ଚାରିତ ହେଉଛି ସ୍ପଷ୍ଟ ଭାବରେ ।

 

ସେ ମନେ ମନେ ଭାବୁଥିଲେ ରେଣୁବାଳା କେଉଁ ଦଳରୁ ପ୍ରାର୍ଥୀ ହୋଇଥିଲେ ? ଅତୀତର ସବୁ ରାଜା-ରାଜୁଡ଼ା ମିଶି ଯେଉଁ ଗୋଟିଏ ଦଳ ଗଠନ କରିଥିଲେ, ବୋଧ ହୁଏ ସେହି ଦଳରୁ ସେ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି ।

 

ତାଙ୍କ ମନରେ ଏଇ ପ୍ରଶ୍ନ ଉଠୁଥିଲେ ମଧ୍ୟ ରେଣୁବାଳାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଜାଣିବାପାଇଁ ତାଙ୍କର ବେଶୀ ଆଗ୍ରହ ଜନ୍ମିଥିଲା; ମାତ୍ର ସେ କେମିତି ପଚାରିବେ ତାଙ୍କୁ ସିଧାସଳଖ ଭାବରେ ?

 

ଏଣେ ଦଶ ଏକର ଜମିରେ ଆଖୁଚାଷ କରିବାପାଇଁ ହଠାତ୍ ତାଙ୍କୁ ଋଣ ମଞ୍ଜୁର କରିବା ସମ୍ଭବ ହେବ କି ନାହିଁ ତାହା ମଧ୍ୟ ତାଙ୍କ ମନ ଭିତରେ ଆନ୍ଦୋଳିତ ହେଉଥିଲା । ଯଦି ସେ ମଞ୍ଜୁର କରିଥିବା ଋଣର ଏକ ବଡ଼ ଅଂଶ ରେଣୁବାଳା ଅନ୍ୟ ଉଦ୍ଦେଶ୍ୟରେ ଖର୍ଚ୍ଚ କରିଦେବେ, ତା’ ହେଲେ ଚିନି ଉତ୍ପାଦନ କରିବାଲାଗି ଆଖୁଚାଷ କରିବାର ସେ ଯେଉଁ ପରିକଳ୍ପନା କରିଛନ୍ତି ତାହା ହୁଏତ ନଷ୍ଟ ହୋଇଯିବ ।

 

ଅବନୀନ୍ଦ୍ର ଭାବୁଛନ୍ତି–ରେଣୁବାଳା ସେଇକଥା ଉତ୍‌ଥାପିତ କଲେ ।

 

ଅବନୀନ୍ଦ୍ର ଅତ୍ୟନ୍ତ ସଙ୍କୁଚିତ ହୋଇ କହିଲେ–ଆପଣଙ୍କ ଗାଁଠାରୁ କେତେ ଦୂରରେ ଜମିଅଛି, ଦେଖିଲେ ଟିକିଏ ହୁଅନ୍ତା । ଚାଷ ଜମି ସାର୍ ହୋଇଛି ତ ? ସେଠାରେ ପାଣି ମଡ଼ାଇବାପାଇଁ ସୁବିଧା ଅଛି ତ ?

 

ରେଣୁବାଳାଙ୍କ ପାଖରେ ସମ୍ଭବତଃ ତାଙ୍କର ଚାଷବାସ ଖବର ବୁଝୁଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ ସେ ଅନାଇଁଲେ ପ୍ରଶ୍ନବାଚକ ଆଖିରେ । ସେହି ବ୍ୟକ୍ତି ଜଣକ କହିଲେ-ସବୁ ପ୍ରକାର ସୁବିଧା ଅଛି ଆମର ଆଜ୍ଞା ! ଜମି ଦେଖିବାକୁ ଯଦି ଚାହାନ୍ତି ତେବେ ଚାଲନ୍ତୁ, ଦେଖି ଆସିବା ।

 

ରେଣୁବାଳା ଆହୁରି ଉତ୍ସାହିତ ହୋଇ କହିଲେ–ସବୁ ଠିକ୍ ଅଛି ଆଜ୍ଞା ! ଆସନ୍ତୁ ଜମି ଦେଖି ଆସିବେ । ତା’ପରେ ହୁଏତ ଆପଣ ଋଣ ମଞ୍ଜୁର ପାଇଁ ବିଚାର କରିବେ ।

 

ଅବନୀନ୍ଦ୍ର, କୀର୍ତ୍ତିନିଧି, ରେଣୁବାଳା ଓ ତାଙ୍କର ଚାଷବାସ ବୁଝୁଥିବା ବ୍ୟକ୍ତି ଜଣକ ଜିପ୍‌ରେ ବସି ତାଙ୍କର କ୍ଷେତ ଦେଖିବାକୁ ବାହାରିଲେ ।

 

ଅବନୀନ୍ଦ୍ରଙ୍କ ପାଖରେ ବସିଥିଲେ ରେଣୁବାଳା । ହରିସିଂହ ଭଳି ଏକ ପଛୁଆ ଆଦିବାସୀବହୁଳ ଗାଁରେ ରେଣୁବାଳାଙ୍କ ପରି ଜଣେ ମହିଳାଙ୍କ ପକ୍ଷରେ କୌଣସି ଲଜ୍ଜା ସଂକୋଚ ଦେଖିବାକୁ ସେ ପାଇଲେ ନାହିଁ । ସେ ବସିଥିଲେ ଅବନୀନ୍ଦ୍ରଙ୍କ ପାଖରେ ବଡ଼ ନିର୍ବିକାର ଭାବରେ । ଅବନୀନ୍ଦ୍ର ସେଇ ମହିଳାଙ୍କଠାରୁ ନିଜକୁ ଯେତେ ଦୂରେଇ ନେଉଥିଲେ, ସିଏ ସେତେ ସେତେ ପାଖେଇ ଆସୁଥିଲେ ତାଙ୍କର ନିକଟକୁ, ଅଥଚ ତାହା ଥିଲା ଅତ୍ୟନ୍ତ ନିର୍ବିକାର ସୁଲଭ ।

 

ଜିପ୍‌ ଗଡ଼ି ଗଡ଼ି ଚାଲିଥିଲା କ୍ଷେତ ଆଡ଼କୁ ।

 

ସେଦିନ ଥିଲା ରବିବାର । ଅବନୀନ୍ଦ୍ର ଗତ କେତେ ମାସ ଧରି ରବିବାର କିମ୍ୱା ଅନ୍ୟ କୌଣସି ଛୁଟିଦିନରେ ଘରେ ରହୁ ନ ଥିଲେ । ସେ ବୁଲୁଥିଲେ ଏକ ଉଦାତ୍ତ ଉତ୍ତେଜନାରେ ପ୍ରଚୋଦିତ ହୋଇ ଅରଣ୍ୟଗଡ଼ ଅଞ୍ଚଳରେ ଆଖୁଚାଷ କରାଇବା ପାଇଁ ।

 

ମାତ୍ର ସେଦିନର ରବିବାରରେ ସେ ରହିଗଲେ ଘରେ ଦିନଟିଏ ବିଶ୍ରାମ ନେବା ପାଇଁ ।

 

ଅବନୀନ୍ଦ୍ରଙ୍କ ପିଲାମାନେ ଚାଲି ଯାଇଥିଲେ ଗାଁକୁ । ସେ ରହୁଥିଲେ ତାଙ୍କ କ୍ୱାଟରରେ ଏକାକୀ । ଗତ ଦୁଇମାସ ଧରି ଅରଣ୍ୟଗଡ଼ ଅଞ୍ଚଳରେ ହରଦମ୍ ବୁଲି ବୁଲି ଓ ବିଶ୍ରାମହୀନ ଭାବରେ ସମୟ କଟାଇ ସେ ବଡ଼ କ୍ଳାନ୍ତି ଓ ଅବସାଦ ଅନୁଭବ କରୁଥିଲେ । ତେଣୁ ସେଦିନ ରବିବାରରେ ତାଙ୍କର ବିଶ୍ରାମର ହିଁ ଯଥେଷ୍ଟ ପ୍ରୟୋଜନ ଥିଲା ।

 

ଅବନୀନ୍ଦ୍ର ମଧ୍ୟାହ୍ନ ଭୋଜନ ସାରି ଏପ୍ରିଲର ନିଷ୍ଠୁର ଖରାବେଳେ ବିଶ୍ରାମ ନେଇଥିଲେ । ତାଙ୍କର ଚାକର ପିଲାଟି ତାଙ୍କୁ ଖାଇବାକୁ ଦେଇ ଚାଲିଯାଇଥିଲା ତା’ ଘରକୁ; ଯାହାଥିଲା ଅରଣ୍ୟଗଡ଼ ଅଞ୍ଚଳଠାରୁ ଚାରିମାଇଲ ବ୍ୟବଧାନରେ । ଚାକରପିଲାଟି ପ୍ରତି ରବିବାରରେ ଘରକୁ ଯାଏ ଏବଂ ଫେରି ଆସେ ସଂଧ୍ୟାବେଳକୁ ।

 

ତେଣୁ ଅବନୀନ୍ଦ୍ର ଘରର ଦର୍ଜା ବନ୍ଦକରି ଶୋଇ ଯାଇଥିଲେ ନିଶ୍ଚିନ୍ତରେ ।

 

ତାଙ୍କ ଦାଣ୍ଡ ଦର୍ଜାରେ ବାରମ୍ବାର କରାଘାତର ଶବ୍ଦ । ସେଇ ଶବ୍ଦ ଅନେକ ସମୟ ପର୍ଯ୍ୟନ୍ତ ଲାଗି ରହିଛି । ଅବନୀନ୍ଦ୍ର ତଥାପି ଶୋଇଛନ୍ତି ନିଘୋଡ଼ ନିଦରେ ।

 

କବାଟରେ ତଥାପି କରାଘାତ ଶବ୍ଦର ବିରତି ନାହିଁ । ଠକ ଠକ ଠକ ଶବ୍ଦ ଚାଲିଛି ରହି ରହି ।

 

ଅବନୀନ୍ଦ୍ରଙ୍କ ନିଦ ଭାଜିଗଲା । ନିଦ ବାଉଳାରେ ସେ ଆସି କବାଟ ଖୋଲି ଦେଖନ୍ତି ଯେ ଜଣେ ନାରୀ, ତାଙ୍କ ଆଖିରୁ ସେ ପର୍ଯ୍ୟନ୍ତ ନିଦ ଛାଡ଼ି ନ ଥିଲା । ସେ ନିଦ ମଳ ମଳ ଆଖିରେ ସେଇ ନାରୀଟିକୁ ଅକସ୍ମାତ୍‌ ଚିହ୍ନି ପାରିଲେ ନାହିଁ ।

 

ଆଗନ୍ତୁକା ନାରୀଟି ତାଙ୍କୁ ନମସ୍କାର କରି ଘର ଭିତରକୁ ପଶି ଯାଉ ଯାଉ କହିଲା-ମତେ ଚିହ୍ନିପାରୁ ନାହାନ୍ତି ବୋଧହୁଏ ? ମୁଁ ହରିସିଂହ ଗାଁର ରେଣୁବାଳା ଦେବୀ ।

 

ଅବନୀନ୍ଦ୍ର ହଠାତ୍‌ ସଚେତନ ହେଲେ । ରେଣୁବାଳା ଦେବୀ ଆଜିଭଳି ଏକ ନିଃସଙ୍ଗ ଏପ୍ରିଲର ଖରାବେଳେ ତାଙ୍କ ଘରେ ନାଟକୀୟ ରୀତିରେ ଆସି ପହଞ୍ଚିଯିବେ, ଏହା ଥିଲା ତାଙ୍କ କଳ୍ପନାରେ ବାହାରେ । ସେ ତାଙ୍କୁ ଦେଖି ହତଚକିତ ହୋଇଗଲେ ଏବଂ ଦାଣ୍ତଘରେ ପଡ଼ିଥିବା ଚେୟାରକୁ ଦେଖାଇ କହିଲେ-ବସନ୍ତୁ, ବସନ୍ତୁ ।

 

ରେଣୁବାଳା ଦେବୀ ବସିଗଲେ । ଅବନୀନ୍ଦ୍ର ମଧ୍ୟ ବସିଲେ ।

 

ସେଦିନ ରେଣୁବାଳା ତାଙ୍କ ଘରକୁ ଅଚାନକ ଆସିଥିବାର ଜାଣି ତାଙ୍କ ମନରେ ଉଠିଥିଲା ଅନେକ ପ୍ରଶ୍ନ । ଏବେ ସୁଦ୍ଧା ସେ ବିବାହିତା କିମ୍ବା ଅବିବାହିତା ତାହା ସେ ତଥାପି ଜାଣିପାରି ନ ଥିଲେ । ବୟସ ଏଇ ପଞ୍ଚତ୍ରିଶ ଛତ୍ରିଶ ଭିତରେ ହେବ । ଦେହରୁ ଲାବଣ୍ୟ ଅସ୍ତମିତ ହୋଇଥିଲେ ମଧ୍ୟ ତା’ରି ଭିତରେ ସୌନ୍ଦର୍ଯ୍ୟର ଏକ ଦୀପଶିଖା ତଥାପି ଜଳୁଛି । ତାଙ୍କର ଢଳ ଢଳ ନୀଳ ଆଖି ଯୋଡ଼ିକରେ ଯେପରି ଭରି ରହିଥିଲା ଅନେକ ଅବ୍ୟକ୍ତ କାହାଣୀ ।

 

ଅବନୀନ୍ଦ୍ର ତା’ପରେ ତାଙ୍କୁ ପ୍ରଶ୍ନ କଲେ—ଆପଣ କୁଆଡ଼େ ଆସିଲେ ରେଣୁବାଳା ଦେବୀ ? ଆପଣ ମୋର ଘର ପାଇଲେ କେମିତି ?

 

ରେଣୁବାଳା ଓଠରେ ସଲ୍ଲଜତାର ସାମାନ୍ୟ ଫୁଟ ଦେଇ କହିଲେ—ଜାଣିବାକୁ ଚାହିଁଲେ, ଯେକୌଣସି ଲୋକର ଠିକଣା ଖୋଜି ବାହାର କରାଯାଇପାରେ । ପଚାରି ପଚାରି ଚାଲି ଆସିଲି ଆପଣଙ୍କ ପାଖକୁ ।

 

ଅବନୀନ୍ଦ୍ର ଭଦ୍ରମହିଳାଙ୍କୁ ମାମୁଲି ରୀତିରେ ଚା’ଦେଇ ଆପ୍ୟାୟିତ କରିବାକୁ ଚାହୁଁଥିଲେ-। କାରଣ ତାହା ଥିଲା ଶିଷ୍ଟାଚାର ଓ ଶାଳୀନତାର ଏକ ସର୍ବନିମ୍ନ ସ୍ତର । କ’ଣ କରିବେ ? ଚାକର ଟୋକାଟି ଗାଁକୁ ଚାଲିଯାଇଛି ।

 

ସେଦିନ ରେଣୁବାଳା ତାଙ୍କୁ ଚା’ ଓ ସିଗାରେଟ୍‌ ଦେଇ ବେଶ୍‌ ଅଭ୍ୟର୍ଥିତ କରିଥିଲେ । ତାଙ୍କୁ ଆଜି ଅନୁରୂପ ଭାବରେ ଅଭ୍ୟର୍ଥିତ କରିବା ତାଙ୍କର କର୍ତ୍ତବ୍ୟ । ଅନନ୍ୟୋପାୟ ହୋଇ ଅବନୀନ୍ଦ୍ର ନିଜେ ଷ୍ଟୋଭ ଲଗାଇ ଚା’ କରିବା ପାଇଁ ଚେୟାରରୁ ଉଠିପଡ଼ି କହିଲେ-ଆପଣ ବସନ୍ତୁ ରେଣୁବାଳା ଦେବୀ, ମୁଁ ଆସୁଛି ।

 

ଅବନୀନ୍ଦ୍ର ଉଠିଗଲେ କିଚେନ୍‌ ରୁମ୍‌କୁ । ଦାଣ୍ଡଘରେ ଏକାକୀ ବସିଲେ ରେଣୁବାଳା । କ୍ୱାଟର ଭିତରେ କୌଣସି ସ୍ୱର ଶବ୍ଦ ନାହିଁ, ସମ୍ଭବତଃ ଅବନୀନ୍ଦ୍ର ବାବୁଙ୍କ ପିଲାପିଲି ନାହାନ୍ତି ।

 

ରେଣୁବାଳା ବସିଥିଲେ ଚୁପ୍‌ଚାପ୍‌ ହୋଇ । ଘରେ କୌଣସି ସ୍ୱର ଶବ୍ଦ ନ ଶୁଣି ସେ ଭାବୁଥିଲେ ବୋଧହୁଏ ଅବନୀନ୍ଦ୍ର ବାବୁଙ୍କର ପିଲାପିଲି ନାହାନ୍ତି । ତା’ହେଲେ ସେ କ’ଣ ଅବିବାହିତ ରହିଛନ୍ତି ତାଙ୍କ ପରି ?

 

ତିନି ମିନିଟ୍‌ ଗଲା । ପାଞ୍ଚ ମିନିଟ୍‌ ଅତିବାହିତ ହେଲା; ତଥାପି ଅବନୀନ୍ଦ୍ର ଫେରିଲେ ନାହିଁ । କ’ଣ କରୁଛନ୍ତି ସେ ? ଘରର ନୀରବ ନିସ୍ତବ୍‌ଧତାକୁ ଭଙ୍ଗ କରି ଶୁଣାଯାଉଛି କେତୋଟି କପ୍‌ ପ୍ଲେଟର ଶବ୍ଦ, ଚାମଚର ଗୁଞ୍ଜରଣ, ଷ୍ଟୋଭର ଧ୍ୱନୀ ।

 

ରେଣୁବାଳା ଭାବିଲେ ଅବନୀନ୍ଦ୍ର ତାଙ୍କ ପାଇଁ ନିଜେ ଚା’ ତିଆରି କରୁଛନ୍ତି କି ଆଉ ? କାହିଁକି ? ସେ ଯଦି ଏକାକୀ ରହୁଛନ୍ତି, ଚା କପେ ଦେବାଲାଗି କାହିଁକି ତାଙ୍କର ଏତେ ବ୍ୟସ୍ତତା ?

 

ରେଣୁବାଳା ଧୀରେ ଧୀରେ ଦାଣ୍ଡଘରୁ ଉଠି ରୋଷେଇ ଘର ଆଡ଼କୁ ଚାଲିଲେ । ରେଣୁବାଳା ତାଙ୍କ ପାଖରେ ପହଞ୍ଚିଲା ବେଳକୁ ଅବନୀନ୍ଦ୍ର ଦୁଇ ହାତରେ ଦୁଇ କପ୍‌ ଚା ଧରି ଉଠି ଆସୁଥିଲେ ।

 

ରେଣୁବାଳା ହଠାତ୍‌ କହିଉଠିଲେ–କେହି ନାହାନ୍ତି, ଅଥଚ ମୋ ପାଇଁ ଆପଣ ନିଜେ କଷ୍ଟ ସ୍ୱୀକାର କରି ଚା’ କଲେ । ଚା’ କରି ନ ଥିଲେ କ’ଣ ଚଳି ନ ଥାନ୍ତା ?

 

ଅବନୀନ୍ଦ୍ରଙ୍କୁ ଆଉ କଷ୍ଟ ଦେବାକୁ ଇଚ୍ଛା ନ କରି ରେଣୁବାଳା ତାଙ୍କ ହାତରୁ ଚା’ ଧରିଲେ-। ଅବନୀନ୍ଦ୍ର ହାତରେ ଚା’ କପ୍‌ ଧରି ପୁଣି ଚାଲିଆସିଲେ ଦାଣ୍ତ ଘରକୁ । ତାଙ୍କ ପଛେ ପଛେ ଆସିଲେ ରେଣୁବାଳା ।

 

ସେମାନେ ଚା’ ପିଇବା ଆରମ୍ଭ କଲେ ।

 

କପ୍‌ରୁ ଚା’ ନିଃଶେଷ ହେଲା ।

 

ରେଣୁବାଳା ମନରେ ଅସୀମ ଦମ୍ଭ ଧରି ଆପଣାର ମନକଥା କହିବାକୁ ସାହସ ସଞ୍ଚୟ କରୁଥିଲେ ।

 

ଅବନୀନ୍ଦ୍ର ପଚାରିଲେ—କ’ଣ, କୁଆଡ଼େ ଆସିଲେ କହନ୍ତୁ ରେଣୁବାଳା ଦେବୀ ।

 

ରେଣୁବାଳା ଯାହା କହିବାକୁ ଚାହୁଁଥିଲେ ତାହା ଆପେ ଆପେ ଅବନୀନ୍ଦ୍ରଙ୍କ ପକ୍ଷରୁ ଆରମ୍ଭ ହୋଇଗଲା । ରେଣୁବାଳା କହିଲେ—ମତେ ଏପର୍ଯ୍ୟନ୍ତ ଋଣ ମିଳିଲା ନାହିଁ ଆଜ୍ଞା । ସେଦିନ ତ ମୋର ଜମିଜମାର ବିବରଣୀ ସହ ଦରଖାସ୍ତ କରିଥିଲି । ମୋ କଥା କ’ଣ କଲେ ତାହା ଜାଣିବା ପାଇଁ ଏତେବାଟ ଚାଲିଆସିଲି ।

 

ମୁଁ ରଜାର ଝିଅ, ରାଜକନ୍ୟା, ବହୁ ଭୋଗବିଳାସରେ ମୁଁ ବଢ଼ିଥିଲି । ମୋର ବାପା ହରିସିଂହ ମତ୍ତଗଜଙ୍କର ମୁଁ ଥିଲି ଏକମାତ୍ର କନ୍ୟା, ଶୈଶବରେ ଘୋଡ଼ା ଚଢ଼ା, ପବ୍ଲିକ ସ୍କୁଲରେ ପାଠପଢ଼ା, କଲିକତାରେ ରେସ୍‌ ଖେଳ ଓ ପୁରୁଷ ବନ୍ଧୁମାନଙ୍କ ଗହଣରେ ନିର୍ବାଚାରରେ ମଦ୍ୟପାନ କରି, ଶୀକାର ଓ ସିନେମା ଦେଖି ମୋ ଜୀବନକୁ କରି ଦେଇଥିଲି ଏକାନ୍ତ ବେପରବାୟ । ବାପା ମତ୍ତଗଜ ମୋର ବିଳାସୁ, ସୁଖ ଓ ଆନନ୍ଦ ଲାଗି ଅକାତରରେ ଖର୍ଚ୍ଚ କରି ଚାଲିଥିଲେ ।

ମୋ ବାପା ଥିଲେ ଅସମ୍ଭବ ମଦ୍ୟପାୟୀ । ଦିନ ରାତି ମଦ୍ୟପାନ କରି ସେ ସମୟ କଟାଉଥିଲେ । ଏଇ ମଦ୍ୟପାନ ହିଁ ତାଙ୍କର ମୃତ୍ୟୁର କାରଣ ହେଲା । ସେତେବେଳେ ମୋର ବୟସ ମାତ୍ର ଅଠର । ପାଟଳିପୁତ୍ରର ଯୁବରାଜଙ୍କ ସହିତ ମୋତେ ବିବାହ ଦେବା ଲାଗି ବାପା ନିଷ୍ପତ୍ତି କରିଥିଲେ ।

ସେତେବେଳକୁ ସାରା ଦେଶରେ ରାଜୁଡ଼ା ଶାସନର କଳାରାତ୍ରି ପାହି ଆସୁଥିଲା । ଜମିଦାରୀ ଉଚ୍ଛେଦ ପାଇଁ ପ୍ରଜାମଣ୍ଡଳର ଲଢ଼ୁଆ ନେତାମାନେ ବିଦ୍ରୋହ ସୁର୍‌ କରି ଦେଇଥିଲେ । ଆମ ଜମିଦାରୀର ଆୟ ସେତେବେଳକୁ ପ୍ରାୟ କିଛି ନ ଥିଲା । ଯେଉଁସବୁ ରାଜକର୍ମଚାରୀ ବାପାଙ୍କ ଅମଳରୁ ଦରମା ପାଇ କାମ କରୁଥିଲେ, ସେମାନେ ଆଉ ଯିବେ କୁଆଡ଼େ ।

ବାପାଙ୍କ ଅନ୍ତେ ମୁଁ ପାଇଲି ସିଂହାସନ । କାରଣ ତାଙ୍କର ପୁଅ ନ ଥିଲେ । ରାଜ୍ୟର ଦାୟିତ୍ୱ ମୋ ଉପରେ ପଡ଼ିଲା । ଶହ ଶହ ଦାସଦାସୀ, ପୋଇଲୀ ପରବାରୀ, ନିଷ୍କର୍ମା କର୍ମଚାରୀ, ପାଇକ, ସେନାବାହିନୀ, ଦ୍ୱାରପାଳ, ଅମଲା ଓ କିରାଣୀମାନଙ୍କୁ ପ୍ରତିମାସ ମତେ ଦରମା ଦେବାକୁ ପଡ଼ିଲା । ଏହିସବୁ କାର୍ଯ୍ୟ ଲାଗି ଓ ଆପଣା ଜମିଦାରୀର ମାନ ସମ୍ମାନକୁ ବଞ୍ଚାଇବା ପାଇଁ, ପ୍ରତିବର୍ଷ ବିକି ଚାଲିଲି ଆମର ସ୍ଥାବର ଓ ଅବସ୍ଥାର ସମ୍ପତ୍ତି । ଗତ ଊଣେଇଶ ବର୍ଷ ଧରି ଜମି ବିକି ବିକି ମୁଁ ଏକପ୍ରକାର କାଙ୍ଗାଳ । ଆଉ ପ୍ରାୟ ପଚିଶି ଏକର ଜମି ସର୍ବମୋଟ ରହିଛି । ତାହା ପୁଣି ଅଣଜଳସେଚିତ ଅଞ୍ଚଳରେ । ଏଇସବୁ ଦାୟିତ୍ୱ, ପୁଣି ଅଭାବ ଓ ଦାରିଦ୍ର୍ୟ ମଧ୍ୟରେ ମୁଁ ରହିଗଲି ଅବିବାହିତ ହୋଇ । ମୋର ଯୌବନର ସମସ୍ତ ଦୀପ୍ତି ଏବେ ପ୍ରାୟ ମଳିନ । ମୋର ସୁଖମୟ ଶୈଶବ ଏବେ ହାହାକାରମୟ । ମୁଁ କୌଣସି ମତେ ବଞ୍ଚିବାକୁ ଚାହେଁ ।

ମୁଁ ଏବେ ରାଜନୀତି ଛାଡ଼ି ଦେଇଛି । ଗତ ଦୁଇଟି ନିର୍ବେଚନରେ ପ୍ରତିଦ୍ୱନ୍ଦିତା କରି ବହୁ ଜମିବାଡ଼ି ଓ ଅର୍ଥ ବରବାଦ କରିଛି । ବାପାଙ୍କ ଅମଳରୁ ଯାହାସବୁ ପୁରୁଣା ସୁନା ରୂପା ଥିଲା ତାହା ମଧ୍ୟ ଶେଷ ହୋଇଛି ।

ତେଣୁ ମୁଁ ଚାଷ କରିବାକୁ ମନ ବଳାଇଛି ଆଜ୍ଞା ! ଦଶ ଏକର ଜମିରେ ଆଖୁଚାଷ କରିବି । କିନ୍ତୁ ମୋ ପାଖରେ ଅର୍ଥ ନାହିଁ । ଆପଣଙ୍କ ମିଲ୍‌ ପକ୍ଷରୁ ମତେ ସାହାଯ୍ୟ ନ କଲେ ଦଶ ଏକର ଜମିରେ ଆଖୁଚାଷ କରିବା ମୋ ପକ୍ଷରେ ଏକାନ୍ତ ଅସମ୍ଭବ । ମୁଁ ବଞ୍ଚିବାକୁ ଚାହେଁ । ସମାଜରେ ମୋର ସାମାଜିକ ସମ୍ମାନ ରଖିବାକୁ ଆପଣ କ’ଣ ଏତିକି ସାହାଯ୍ୟ କରିବେ ନାହିଁ ?

ରେଣୁବାଳା ଏସବୁ କଥା କହିଗଲେ ଏକା ନିଃଶ୍ୱାସରେ, ତାଙ୍କର ବ୍ୟସ୍ତତା ଏପରି ବଢ଼ିଯାଇଥିଲା ଯେ ସେ ଅବନୀନ୍ଦ୍ରଙ୍କ ଦୁଇ ହାତକୁ ଧରି ପକାଇ କହିଲେ—ମତେ ସାହାଯ୍ୟ କରନ୍ତୁ ଆଜ୍ଞା । ତା’ ନ ହେଲେ ମୁଁ ବଞ୍ଚିବି କିପରି ?

ବାହାରେ ଏପ୍ରିଲର ମଧ୍ୟାହ୍ନ ଯେପରି ଏକ ଭୀରୁ କୁଣ୍ଠିତ ଖରାରେ ପରିଣତ ହେଉଥିଲା କ୍ରମଶଃ । ଅବନୀନ୍ଦ୍ରଙ୍କ ନିଃସଙ୍ଗ କ୍ୱାଟରଟି ମୃତ୍ୟୁମୁଖୀ ଅପରାହ୍ନର ନୀରବତା ମଧ୍ୟରେ ଯେପରି ଡ଼ୁବ ଦେଉଥିଲା ସେତେବେଳେ ।

ଅବନୀନ୍ଦ୍ର ରେଣୁବାଳାଙ୍କର ଦୁଇହାତରୁ ନିଜକୁ ମୁକ୍ତ କରି କହିଲେ-ନିୟମ ଦୃଷ୍ଟିରୁ ଆପଣଙ୍କୁ ଯେତିକି ସାହାଯ୍ୟ କରାଯିବାର କଥା, ସେତିକି ସାହାଯ୍ୟ କରାଯିବ । ସେଥିପାଇଁ ଆପଣ ଏତେ ବ୍ୟସ୍ତତା ପ୍ରକାଶ କରିବାର କୌଣସି କାରଣ ନାହିଁ ।

 

ରେଣୁବାଳା ତଥାପି ଥମିଲେ ନାହିଁ । ପୁଣି ଅବନୀନ୍ଦ୍ରଙ୍କ ଦୁଇ ବାହୁରେ ଆପଣାର ଦୁଇବାହୁ ଭିଡ଼ି କହିଲେ ମୁଁ ନିହାତି ଦରିଦ୍ର ଅବନୀନ୍ଦ୍ର ବାବୁ ! କ’ଣ ଦେଇ ଆପଣଙ୍କୁ ସନ୍ତୁଷ୍ଟ କରିବି ! କ’ଣ କହି ଆପଣଙ୍କୁ ତୁଷ୍ଟ କରି ପାରିବି ! ! ମୋ କଥା ଆପଣ ସହାନୁଭୂତିର ସହିତ ବିଚାର ନ କଲେ ସମାଜରେ ତିଷ୍ଠିବା ମୋ ପକ୍ଷରେ ଅସମ୍ଭବ ହୋଇଉଠିବ ।

 

ସେଇ ନିଃସଙ୍ଗ ଓ ଏକେଣା କ୍ୱାଟର ମଧ୍ୟରେ ରେଣୁବାଳାଙ୍କ ପରି ଜଣେ ଅବିବାହିତା ଅଥଚ ସମବୟସ୍କା ନାରୀର ବାହୁବେଷ୍ଟନ ମଧ୍ୟରେ ଅବନୀନ୍ଦ୍ର କ୍ରମଶଃ ନିମଜ୍ଜମାନ ହୋଇ ଯାଉଥିଲେ । ଏକ ପକ୍ଷରେ ତାଙ୍କ ଠାରୁ ଦୂରେଇ ରହିବାର ପ୍ରୟାସ ଏବଂ ଅପର ପକ୍ଷରେ ତାଙ୍କ ଦେହର ଆପାତଃ ସାନ୍ନିଧ୍ୟ ଓ ତଦ୍‌ଜନିତ ମୁଲାୟମ ଉଷ୍ମତା ଏଇ ଦୁଇଟିର ସଂଘର୍ଷ ମଧ୍ୟରେ ଆପଣାର ବିବେକ ଯେପରି ନ୍ୟୂନ ହୋଇଉଠୁଥିଲା । ସଚେତନ ମାନବିକତା ଓ ପାଶବ ଯନ୍ତ୍ରଣାର ଯଥାକ୍ରମେ ଉଜ୍ଜ୍ୱଳ ଓ ଅନ୍ଧୀକୃତ ଛାୟାଚ୍ଛନ୍ନତା ମଧ୍ୟରେ ଅବନୀନ୍ଦ୍ର ଯେପରି ଦୁର୍ବଳ ହୋଇ ଯାଉଥିଲେ । ରେଣୁବାଳା ଆସ୍ତେ ଆସ୍ତେ ତାଙ୍କୁ ନିଜ ବାହୁ ମଧ୍ୟରେ ଅତି ନିବିଡ଼ ଭାବରେ ଯେପରି ଜଡ଼ାଇ ଧରୁଥିଲେ ।

 

ଶୂନ୍‌ଶାନ୍‌ ଅପରାହ୍ନ କ୍ରମଶଃ ଗୋଧୂଳି ଆଡ଼କୁ ପ୍ରଧାବିତ ହେଉଛି ।

 

ଅବନୀନ୍ଦ୍ର ହଠାତ୍‌ ସଚେତନ ହୋଇ ଆପଣାକୁ ରେଣୁବାଳାଙ୍କଠାରୁ ମୁକ୍ତ କରି ମୁକ୍ତ କରି କହିଲେ—ଆପଣଙ୍କ କଥା ନିଶ୍ଚୟ ବିଚାରକୁ ନିଆଯିବ ରେଣୁବାଳା ଦେବୀ ! ମାତ୍ର ଆପଣଙ୍କର ଜମିସବୁ ଏପର୍ଯ୍ୟନ୍ତ ସାର ହୋଇ ନାହିଁ । ହଳ ହୋଇ ଜମି ସାର ହେଲାପରେ ଆପଣଙ୍କ କଥା ବିଚାର କରିବା ।

 

ରେଣୁବାଳା ତଥାପି ବୁଝିଲେ ନାହିଁ । କାହିଁକି କେଜାଣି ସେ ଦାଣ୍ତଘରୁ ବହୁଦିନର ଏକ ପରିଚିତା ନାରୀପରି ଚାଲିଗଲେ ଅବନୀନ୍ଦ୍ରଙ୍କ ଶୋଇବା ଘର ଭିତରକୁ । ତାଙ୍କ ଭିତରେ ନାରୀସୁଲଭ ସଲ୍ଲଜତା ଯେପରି ମ୍ଲାନ ପଡ଼ିଯାଇଥିଲା ଏଇ କେତେ ମିନିଟ୍‌ ପୂର୍ବରୁ ।

 

ଅବନୀନ୍ଦ୍ର ଆହୁରି ବିସ୍ମିତ ହେଲେ । ନାରୀଟିଏ; ପୁଣି ଅବିବାହିତା, ଅଥଚ ପରପୁରୁଷ ପାଖରେ ତାଙ୍କର କୌଣସି ସଂକୋଚ ନାହିଁ । କାରଣ କ’ଣ ?

 

ଅବନୀନ୍ଦ୍ର ରେଣୁବାଳାଙ୍କ ପଛେ ପଛେ ଚାଲିଲେ ତାଙ୍କ ଶୋଇବା ଘରକୁ ।

 

ଘରର ଇତସ୍ତତଃ ଆସବାବ, ପଲଙ୍କ, ଡ୍ରେସିଂଟେବୁଲ, ତାଙ୍କ ସ୍ତ୍ରୀ ଛାଡ଼ିଯାଇଥିବା ପୁରୁଣା ଶାଢ଼ି, ପିଲାଙ୍କର କେତୋଟି ଛିଡ଼ା ପ୍ୟାଣ୍ଟ, ସାର୍ଟ ଓ ନିଜ ବ୍ୟବହୃତ ଲୁଗାପଟାକୁ ରେଣୁବାଳା ଚାହୁଁଥିଲେ କୌତୂହଳୀ ଆଖିରେ । ଏସବୁ ଉପରେ ଥରଟିଏ ଦୃଷ୍ଟି ପକାଇ ଆଣି ରେଣୁବାଳା କହିଲେ, ଆପଣ ଏକାକୀ ରହୁଛନ୍ତି ଏଡ଼େ ବଡ଼ କ୍ୱାଟରରେ ? ଆପଣଙ୍କୁ ନିଃସଙ୍ଗ ଲାଗୁଥିବ ନିଶ୍ଚୟ-!

 

ଅବନୀନ୍ଦ୍ର ରେଣୁବାଳାଙ୍କ ପ୍ରତୀକ ଧର୍ମୀ କଥାକୁ ସହଜରେ ଧରିପାରିଲେ ସତ; ମାତ୍ର ତାଙ୍କୁ କୌଣସି ଉତ୍ତର ଦେଲେ ନାହିଁ ।

 

ରେଣୁବାଳା ଧୀରେ ଧୀରେ ଅବନୀନ୍ଦ୍ରଙ୍କ ପାଖକୁ ଲାଗିଆସି କହିଲେ, ମୁଁ ଏକାନ୍ତ ନିଃସ୍ୱ ଅବନୀନ୍ଦ୍ରବାବୁ ! ସେଥିପାଇଁ ଆସିଛି ମୋର ରାଜକୀୟ ଅହଙ୍କାରକୁ ଫିଙ୍ଗି ଦେଇ ଆପଣଙ୍କ ପାଖକୁ ଜଣେ ଭିକ୍ଷାର୍ଥୀନୀ ହୋଇ । ମୋର ଥାଳ କ’ଣ ଆପଣ ପୂରଣ କରିବେ ନାହିଁ ?

 

ସେ ପର୍ଯ୍ୟନ୍ତ ଅବନୀନ୍ଦ୍ରଙ୍କ ଆଖିରେ ରେଣୁବାଳା ଦିଶୁଥିଲେ ଏକ ମାୟାବିନୀ, କୁହେଳିକାଚ୍ଛନ୍ନ ଓ ବିଚିତ୍ରାବର୍ଣ୍ଣା ନାରୀପରି; ମାତ୍ର ତାଙ୍କଠାରୁ ଏ ସମସ୍ତ ଶୁଣିବାପରେ, ସେ ପୁଣି ତାଙ୍କୁ ନିଜ ବୁକୁରେ ଜଡ଼ାଇ ଧରିବାକୁ ଏକ ପୈଶାଚିକ ଅଥଚ ପ୍ରାଣାନ୍ତକ ଚେଷ୍ଟା କରୁଥିବାବେଳେ, ସେଇ ମାୟାବିନୀ ଓ କୁହେଳିକାଚ୍ଛନ୍ନ ବିଚିତ୍ରାବର୍ଣ୍ଣା ନାରୀର ନିର୍ମୋକ ହଠାତ୍‌ ଯେପରି ଖସିପଡ଼ିଲା ।

 

କି କୁତ୍ସିତ ଏ ରେଣୁବାଳା !

 

ରେଣୁବାଳାଙ୍କୁ ସେ ଭୟଙ୍କର ଭାବରେ ବାଧା ଦେଇ କହିଲେ—ଆପଣ ଯାଆନ୍ତୁ ରେଣୁବାଳା ଦେବୀ ! ଗୋଟିଏ ସପ୍ତାହ ପରେ ମୁଁ ନିଜେ ଯିବି ଆପଣ ଗାଁକୁ, ଆପଣ କିନ୍ତୁ ଏଠାକୁ ଆଉ ଆସିବେ ନାହିଁ ।

 

ସଂତ୍ରସ୍ତ ଭାବରେ ରେଣୁବାଳା ଠିଆହୋଇ ଗଲେ ତାଙ୍କ ଆଗରେ । କେତେକ ମୁହୂର୍ତ୍ତ ଆଗରୁ ଯେଉଁ ଏକ ଦୁଃସାହସିକ ଉତ୍ସାହ ନେଇ ସେ ପଶି ଯାଇଥିଲେ ଅବନୀନ୍ଦ୍ରଙ୍କ ଶୋଇବା ଘର ଭିତରକୁ, ସେ ହଠାତ୍‌ ଯେପରି ମଉଳି ପଡ଼ିଲା । ଭୟ ଶଙ୍କିତ ଆଖିରେ ଅନାଇଁ ରହିଲେ ସେ ଅବନୀନ୍ଦ୍ରଙ୍କୁ—ବଡ଼ ଅସହାୟ ଭାବରେ ।

 

ତାଙ୍କୁ ଘରୁ ଘଉଡ଼ାଇ ଦେବା ଲାଗି ଅବନୀନ୍ଦ୍ରଙ୍କ ମନ ଭିତରେ ପ୍ରବଳ ପ୍ରତିକ୍ରିୟା; ସେ ଶେଷଥରପାଇଁ ରେଣୁବାଳାଙ୍କ ଆଡ଼କୁ ଲକ୍ଷ୍ୟ କରି କହିଲେ—ଆପଣ ବର୍ତ୍ତମାନ ଚାଲିଯାଆନ୍ତୁ ରେଣୁବାଳା ଦେବୀ !

 

ରେଣୁବାଳା ଧୀରେ ଧୀରେ ଏକ ଅପରାଧୀ ପରି ତାଙ୍କ ଘରୁ ନିଷ୍କ୍ରାନ୍ତ ହେଉଥିଲେ । ରେଣୁବାଳାଙ୍କ ଗୋରା ତକତକ ମୁହଁରେ ସତେ ଯେପରି ଉପୁଚି ଉଠୁଥିଲା ରକ୍ତ ।

 

ସେତେବେଳକୁ ଅପରାହ୍ନର ପାଣିଚିଆ ଖରା ମଉଳି ପଡ଼ୁଥିଲା ମାଟିକାନ୍ଥରୁ ଝୋଟିଚିତା ନିଭିଯିବା ପରି ।

 

ଅବନୀନ୍ଦ୍ର ଧୀରେ ଧୀରେ ଦାଣ୍ତକୁ ଆସିଲେ । ସେ ଲକ୍ଷ୍ୟକଲେ ରେଣୁବାଳା ଖୁବ୍‌ ଦ୍ରୁତ ଗତିରେ ଚାଲିଛନ୍ତି ବସ୍‌ଷ୍ଟାଣ୍ତ ଆଡ଼କୁ, ଯେଉଁଠାରେ ଖୁବ୍‌ ଲୋକଗହଳି ଦେଖାଯାଉଛି ।

 

ଅବନୀନ୍ଦ୍ର ଆପଣାକୁ କ୍ରମଶଃ ଆଶ୍ୱସ୍ତ ଓ ନିରାପଦ ମନେ କରୁଥିଲେ ।

Image

 

ରଜର ଶବ

 

ଗାଆଁଠାରୁ ଅଧମାଇଲିଏ ଦୂରରେ ଗୋଟିଏ ଛୋଟ ଗାଉଁଲି ବସ୍‌ଷ୍ଟାଣ୍ଡ । ସେଇ ବସ୍‌ଷ୍ଟାଣ୍ଡରେ ବସ୍‌ ଅଟକିଲା ପରେ ଶୁଦ୍ଧୋଦନ ପ୍ରାୟ ଦିନ ବାରଟା ସରିକି ବସ୍‌ରୁ ଓହ୍ଲାଇଲେ । ଗାଁକୁ ଆସିବା ପୂର୍ବରୁ ସେ ଘରକୁ ଚିଠିଲେଖିଥିବା ହେତୁ ତାଙ୍କ ଗୃହ ଚାକର ଆସିଥିଲା ବସ୍‌ଷ୍ଟାଣ୍ଡକୁ ଜିନିଷ ପତ୍ର ଭାରକରି ବୋହି ନେବାକୁ ।

 

ଶୁଦ୍ଧୋଦନ ତାଙ୍କ ପିଲାମାନଙ୍କ ସହିତ ଗାଁକୁ ଚାଲିଲେ ।

 

ଗତ ରାତିରେ ଅସରାଏ ବର୍ଷା ହୋଇ ଯାଇଥିଲା ସମ୍ଭବତଃ । କାରଣ ମୁଖ୍ୟ ସଡ଼କର ଯେଉଁ ରାସ୍ତାଟି ତାଙ୍କ ଗାଁକୁ ଯାଇଛି ସେଇ ମୋରମ ବିଛା ରାସ୍ତାରେ ରହିଯାଇଛି ଗତକାଲି ରାତି ବର୍ଷାର ସାମାନ୍ୟ ପାଦଚିହ୍ନ ! ତେଣୁ ରାସ୍ତାଟି କିଛି ଅଂଶରେ ଓଦା ଓ କିଛି ଅଂଶରେ ସକାଳର ଖରାଖାଇ କିଞ୍ଚିତ ଉଷ୍ମତା ବି ଅର୍ଜନ କରିଛି ।

 

ଶୁଦ୍ଧୋଧନ ଅନାଇଲେ ରାସ୍ତା ଦୁଇ ପାର୍ଶ୍ୱର କ୍ଷେତମାନଙ୍କୁ ।

 

ପିଲାମାନେ ତାଙ୍କ ଘରର ଚାକର ପଛେ ପଛେ ଚାଲିଛନ୍ତି ।

 

ରାସ୍ତାର ଦୁଇ ପାର୍ଶ୍ୱରେ ଶୋଇ ରହିଛି ମାଇଲ ମାଇଲ ଧରି ପଡ଼ିଆ ଜମି । କେଉଁଠି କେମିତି ଅରାଏ ଅରାଏ ହଳ ହୋଇ, କିଆରୀର ଟେଳା ସବୁ ଦେଖି ହେଉଛି ଦୂରକୁ ସ୍ପଷ୍ଟ ଭାବରେ-

 

ଶୁଦ୍ଧୋଧନ ଅବାକ୍‌ ହେଲେ । ଆଷାଢର ଆରମ୍ଭ ହେଲା । କ୍ଷେତରେ ଧାନଗଛ କାହିଁ ? ତାଙ୍କ ପିଲାଦିନେ ରଜବେଳକୁ କ୍ଷେତ ସବୁ ଭରି ଯାଉଥିଲା ଆଣ୍ଠୁଏ କିମ୍ବା ପାହୁଲେ ଉଚ୍ଚର ଶ୍ୟାମଳ ଧାନ ଗଛର ବିସ୍ତାରରେ । ମାତ୍ର ଆଜି ଏ କ’ଣ ? କ୍ଷେତ ତ ସାର ହୋଇନାହିଁ । ଧାନଗଛର ପ୍ରଶ୍ନ କାହିଁ ?

 

ଶୁଦ୍ଧୋଧନଙ୍କ ନିର୍ବାସିତ ବିଦେଶୀ ଚେତନା ତଥାପି ଗାଁ ରାସ୍ତାରେ ଚାଲୁଥିଲା ବେଳେ ଭରିଯାଉଥିଲା କିପରି ଏକ ଉତ୍ସୁକତାର ଅନନୁଭୂତ ଆମୋଦରେ । ଗାଁ ରାସ୍ତାରେ କେହି କେହି ଗାଁ ଲୋକ ଦେଖା ହେଉଥିଲେ ଓ ଚିରାଚରିତ ଢଙ୍ଗରେ ଭଲ ଅଛି କି ନାହିଁ ବୋଲି ପଚାରି ଦେଉଥିଲେ-

 

ଶୁଦ୍ଧୋଧନ ଘରେ ପହଞ୍ଚିଲେ । ସେଦିନ ସନ୍ଧ୍ୟା ହେଲା । ଆଜି ସଜବାଜ । ଆଜି ଭଳି ଦିନରେ ସାରା ଗାଁର ମାଇପିମାନେ ରାତି ଉଜାଗର ରହି ପିଠାପଣା, ଛଅ ତରକାରୀ ନଅଭଜା କରିବସନ୍ତି । କେତେ ଖାସି କଟାଯାଏ । ଘରେ ଘରେ ହୁଏ ମାଂସ ତରକାରୀ । ଦୂର ବିଦେଶରେ ରହିଥିବା ଗାଁ ଲୋକେ ଆଜି ଫେରି ଆସନ୍ତି ଗାଁକୁ । ମୋଟା ମୋଟି ଭାବରେ ସାରା ଗାଆଁରେ ଦେଖାଯାଏ ଏକ ନୂଆ ଉନ୍ମାଦନା ଓ ପ୍ରତି ପରିବାରରେ ଦେଖାଦିଏ ଏକ ପ୍ରାଣବାନ ବନ୍ୟାର ଉତ୍‌ପ୍ଲାବନ ।

 

ଦାଣ୍ତବାରଣ୍ଡାରୁ ଚୌକି ଉପରେ ବସି ଶୁଦ୍ଧୋଧନ ସାରା ଗାଁର ପରିବେଶକୁ ଲକ୍ଷ୍ୟ କରୁଥିଲେ । ଯଦିଓ ପ୍ରତି ବର୍ଷ ସେ ରଜବେଳକୁ ଗାଁକୁ ଆସିପାରନ୍ତି ନାହିଁ, ତଥାପି ଦୁଇ ତିନି ବର୍ଷରେ ଥରେ ଲେଖାଏ ସେ ଆସିଥାନ୍ତି ଗାଁକୁ । ସବୁଥର ଆସି ରଜ ଉତ୍ସବର ଆଂଶିକ ଉନ୍ମାଦନା ସେ ପ୍ରତ୍ୟକ୍ଷ କରୁଥିଲା ବେଳେ ଏ ବର୍ଷର ସଜବାଜ ଯେପରି ହୋଇଉଠୁଛି ଶୋଚନୀୟ ଭାବରେ ପ୍ରାଣହୀନ ।

 

ଶୁଦ୍ଧୋଧନ ଭାବିଲେ, ତାଙ୍କ ଶୈଶବ ଓ କୈଶୋର ଅବସ୍ଥାରେ ଗାଁର ଆର୍ଥିକ ଅବସ୍ଥା ଯାହା ଥିଲା; ବରଂ ସେ ଅବସ୍ଥାରେ ଅନେକାଂଶରେ କ୍ରମୋନ୍ନତି ଘଟିଛି । ଶିକ୍ଷା, ସଂସ୍କୃତି ଓ ଅନ୍ଧବିଶ୍ୱାସରେ ଜୁଡ଼ୁବୁଡ଼ୁ ହୋଇ ପଛରେ ପଡ଼ିଥିବା ତାଙ୍କ ଗାଁ ଆଜି ହୋଇଛି ବହୁଭାବରେ ଅଗ୍ରଗାମୀ । କେତେ ଚାଳଘର ଉଠିଯାଇ ତା’ ଜାଗାରେ ଇଟା ସୁର୍କିର ଘର ଠିଆ ହେଲେଣି । କେତେ ଘରୁ ବିଜୁଳୀ ଆଲୋକର ଉଦ୍ଧତ ଶ୍ୱେତାଭ ଛିଟା ଛିଡ଼ିକି ଆସୁଛି ଗାଁ ରାସ୍ତାକୁ ।

 

ଏ ସବୁ ସତ୍ତ୍ୱେ, ଗାଁର ରଜପର୍ବ, ପାରସ୍ପରିକ ସଂପ୍ରୀତି ଓ ଶୁଭେଚ୍ଛା ଆଜି କାହିଁକି ହୋଇଯାଇଛି ଶୂନ୍ୟତାରେ ଭରପୂର ? କେଉଁ ଅପଦେବତାର ଅଭିଶାପରେ ଗାଁର ସେଇ ପାରମ୍ପରିକ ଆନନ୍ଦ, ଉଲ୍ଲାସ ଓ କଳରୋଳ ଆଜି ହୋଇଯାଇଛି ଅପହୃତ ?

 

ଶୁଦ୍ଧୋଧନଙ୍କର ମନେପଡ଼ିଲା ତାଙ୍କ ପିଲାଦିନର କଥା । ଏଇ ତ କାଆଲିପରି ! ରଜ ପାଇଁ ଗାଁରେ ତିନିରାତିଧରି ଚାଲେ ନାଟକ ଅଭିନୟ । ତା’ ପୂର୍ବରୁ ଏଇ ସଜବାଜ ଦିନ ହୁଏ ଷ୍ଟେଜ ରିହରସଲ । ସେଦିନ ସନ୍ଧ୍ୟାପରେ, ସେ ଓ ତାଙ୍କର ସାଙ୍ଗ ସାଥିମାନେ କେହି ଆଉ ଘରକୁ ଫେରନ୍ତି ନାହିଁ । ଗାଆଁର ସବୁ ଉତ୍ସାହୀ ଟୋକା ମିଳିମିଶି ସେଇଠି ଭୋଜି ଭାତ କରନ୍ତି । ପ୍ରତି ଘରର ସ୍ତ୍ରୀଲୋକେ ସଜବାଜର ସଜପିଠା ଓ ନାନା ଜାତିର ଭଜା ପଠାଇ ଦିଅନ୍ତି ଗାଁ ସ୍କୁଲର ଲମ୍ବା ହଲକୁ ଯେଉଁଠି କୋଡ଼ିଏ ତିରିଶ ଜଣ ଯୁବକ ଏକା ସାଙ୍ଗରେ ମିଳିମିଶି ନାଟକ ଅଭିନୟ ଲାଗି ପ୍ରସ୍ତୁତ ହେଉଥାନ୍ତି ।

 

ସେ ଦିନ ପିଠା ଓ ଭଜା ଖାଇ ଆହା ! ସେମାନେ କେତେ ସୁଖୀ ହେଉ ନଥିଲେ । ସେ ସବୁ ଦିନଗୁଡ଼ିକ ଥିଲା କେଡ଼େ ସ୍ୱଚ୍ଛନ୍ଦ ଓ ପ୍ରାଣମୟ ! ଉଚ୍ଛଳ ଓ ପ୍ରାଣପୂର୍ଣ୍ଣ ଉଲ୍ଲାସରେ ଜୀବନ କଟାଇ ଦେବାରେ ଥିଲା ସେସବୁ ଦିନଗୁଡ଼ିକର ଲକ୍ଷ୍ୟ ।

 

ଶୁଦ୍ଧୋଧନଙ୍କର ସେ ସବୁ କଥା ମନେପଡ଼ି ଏକ ଅବ୍ୟକ୍ତ ବେଦନାରେ ସେ ଯେପରି ଭାଜି ପଡ଼ିଲେ । ଅତୀତର ସେଇ ସମସ୍ତ ସ୍ମୃତି ସ୍ନିଗ୍‌ଧ ଫେନିଳ ବନ୍ୟା, ବଢ଼ତି ବୟସର କେଉଁ ଏଇ ମଲାନଈର ବାଲୁକା ଶଯ୍ୟାରେ ସତେ ଯେପରି ହଜିଯାଇଛି । ଆଉ ହୁଏତ ସେହି ବନ୍ୟାର ଫଲଗୁ ସ୍ତୂପୀକୃତ ବାଲୁକା-ଶଯ୍ୟାକୁ ଉଖାରି ଉଦଗାରିତ ହେବନାହିଁ ।

 

କାହାନ୍ତି ସେଦିନର ସଖା, ବନ୍ଧୁ ଓ ସୋଦରମାନେ ? କିଏ ଆଜି ପ୍ରାଥମିକ ସ୍କୁଲର ଶିକ୍ଷକଟିଏ, ସରକାରୀ ଛାପାଖାନାର କିରାଣୀଟିଏ, କଲିକତାର କେଉଁ ଏକ ବହୁ ବିକ୍ରୀତ ପାନଦୋକାନର ମାଲିକଟିଏ ଅବା ଆଉ କିଏ ହୋଇଛି ଗାଁ ରାଜନୀତିର ଶକ୍ତିଶାଳୀ ମଙ୍ଗୁଆଳଟିଏ-!

 

ଏଇସବୁ ଅତୀତର ବନ୍ଧୁମାନେ ଗାଁରେ କେବେ କେବେ ରଜବେଳେ କଦାଚିତ ଦେଖାହୁଅନ୍ତି ଏବଂ ବେଶ ମାମୁଲି ସୁଖ ଦୁଃଖ ହୋଇ ପୁଣି ଲାଗିଯାଆନ୍ତି ନିଜ ନିଜ ଧନ୍ଦାରେ । କିନ୍ତୁ କାହିଁ ସେଇ ଉଚ୍ଛଳ ଉଦ୍‌ବେଳ ଆନ୍ତରିକତା ? ଆନନ୍ଦରେ, ପୁଲକରେ, ଗୀତ-ଗାଇବାର ନାଟକ କରିବାର ଓ ରାତି ରାତି ଉଜାଗର ହୋଇ କୁଆଁର ଉତ୍ସବ ପାଳିବାର ଅନ୍ତଃହୀନ ବ୍ୟାକୁଳତା-?

 

ଶୁଦ୍ଧୋଧନ ଦାଣ୍ଡ ବାରଣ୍ଡା ଚୌକିରେ ବସିଛନ୍ତି । ଗାଁ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ଅନେକ ଲୋକ । ମାତ୍ର କାହିଁ କାହାରି ଭିତରେ ସଜବାଜର ସେଇ ସ୍ୱତଃସ୍ଫୁର୍ତ୍ତ ପ୍ରାଣଚଞ୍ଚଳ ଆବେଗ ତ ସ୍ପନ୍ଦିତ ହେଉନାହିଁ !

 

ସେଦିନ ଏକାକୀ ଶୁଦ୍ଧୋଧନ ସେଠାରେ ବସି ବସି ରାତି ଏଗାଁରଟା ବାଜିଲା । କିନ୍ତୁ ସଜବାଜର କୌଣସି ସଂକେତ ସେ ପାଇଲେ ନାହିଁ । ତେଣୁ ସେ ଫେରି ଆସିଲେ ଘର ଭିତରକୁ ଖାଇବାକୁ ।

 

ତା’ ପରଦିନ ରାତି ପାହି ସକାଳ ହେଲା । ଶୁଦ୍ଧୋଧନ ବିଛଣାରେ ଶୋଇ ଅଳସ ଭାଙ୍ଗୁଥିଲେ । ବିଛଣାରେ ଶୋଇ ରହିଥିବା ବେଳେ ହଠାତ୍‌ ସେ ସଚେତନ ହେଲେ ଯେ ଆଜି ରଜ-

 

ସେ ତାଙ୍କର ଶୈଶବର ସେଇ ଉତ୍ସୁକତା ନେଇ, କାନ ଡେରିଲେ ଖୁବ୍‌ ନୀରବରେ । ପ୍ରଥମ ରଜର ଶାନ୍ତ ସକାଳକୁ ବିଦୀର୍ଣ୍ଣ କରି ଗାଁ ଚତର ପଡ଼ିଆରୁ କାହିଁ ଭାସି ଆସୁ ନାହିଁ ତ ସେଇ ଯୋଡ଼ି ନାଗରାର ଧ୍ୱନି ! ତା’ ସହିତ ଭାସି ଆସୁନାହିଁ ପିଲାମାନଙ୍କର ସେଇ ସମବେତ ଓ ଉଚ୍ଚକିତ ହୋ ଧ୍ୱନି ! !

 

ଶୁଦ୍ଧୋଧନଙ୍କ ଶୈଶବର ରଜ, ଉତ୍ତୀର୍ଣ୍ଣ ଯୌବନର ମଧ୍ୟାହ୍ନରେ ଯେପରି ଜଳିପୋଡ଼ି ଧ୍ୱଂସ ହୋଇଯାଇଛି । ମାତ୍ର ତାହାର ଧୂସର ସ୍ମୃତ ଏବେ ମଧ୍ୟ ସଜୀବ ରହିଛି ତାଙ୍କ ଚେତନାରେ ଦୂର ଆକାଶରେ ନିଷ୍ପ୍ରଭ ହୋଇ ଜଳୁଥିବା ଏକ ନିଃସଙ୍ଗ ତାରକା ପରି ।

 

ସେଦିନ ପହିଲି ରଜ ଅତିବାହିତ ହେଲା । ସେ ବୁଲିଲେ ଗାଁ ତମାମ । କିତି କିତି ଖେଳର ସେଇସବୁ ଅସ୍ପଷ୍ଟ ଧ୍ୱନୀ ଯାହା ତାଙ୍କ ସ୍ମୃତିରେ ତରଳି ତରଳି ବାମ୍ଫ ହୋଇ ରହିଥିଲା ଓ ତାହା ତାଙ୍କ ଗାଁର ଉତ୍ସବିହୀନ ଶୂନ୍ୟତା ମଧ୍ୟରେ କୁଆଡ଼େ ମିଳାଇଗଲା ଧୂଆଁ ହୋଇ ।

 

ଗାଁ ବାରି ତଇଳାରେ ଆଡ଼ା ! କେତେ ଦୋଳିର ଝୁଲଣ !! ପ୍ରତି ଘରର ଚାରିପଟେ କେଉଁ ଏକ ଡେଙ୍ଗା ପିଜୁଳି, ତେନ୍ତୁଳି ଗଛରେ ଅଥବା ଦୁଇଗୋଟି କାଠଗଡ଼ ମଧ୍ୟରେ ଲାଗିଥାଏ ବାଉଁଶର ଦୋଳି, କେତେ ଝିଅ ବୋହୂ ସେଇ ଦୋଳିରେ ଝୁଲିଝୁଲି ରଜର ମେଘଢଙ୍କା ଆକାଶକୁ ଉଠିଯାଆନ୍ତି ଏବଂ ପୁଣି ଗାଇ ବସନ୍ତି କେତେ ଗୀତ !

 

ଶୁଦ୍ଧୋଧନଙ୍କ ସ୍ମୃତିର ଉପତ୍ୟକାରେ ସେଇ ଗୀତର ଏକ ବିସ୍ମୃତ ସ୍ୱର ଏବେ ମଧ୍ୟ ଅନୁରଣିତ କରି ଉଠୁଛି ! ପଟା ଝୁଲି ରଟ ରଟ....ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ଦିଶୁଥାଇ ଝଟ ଝଟ ।

 

ଶୁଦ୍ଧୋଧନ ଭାବିଲେ, ଗାଁର ରଜ ଉତ୍ସବ ଅନେକ ଦିନ ହେଲା ଆତ୍ମହତ୍ୟା କରିଛି । କାହିଁ ସବୁ ସେଇ ଆନନ୍ଦ ଉତ୍ସବ ଓ ନିମନ୍ତ୍ରଣର ଦିଆନିଆ ? ଆଜି ସେଇ ରଜର ଶବମାନେ ଗାଁକୁ କରିଦେଇଛନ୍ତି ନିର୍ଜନ ଓ ନିରାନନ୍ଦ ।

 

ଶୁଦ୍ଧୋଧନ ଫେରି ଆସିଲେ ଘରକୁ । ସେଦିନ ରାତି ଅନେକ ହେଲା । କଳାବତୀ ଓ ପିଲାମାନେ କେତେବେଳୁ ଶୋଇଗଲେଣି । ବାପା, ବୋଉ ଓ ଚାକରାଣୀ ଶୋଇଯାଇଛନ୍ତି ନିଘୋଡ଼ ନିଦରେ ।

 

ଶୁଦ୍ଧୋଧନଙ୍କୁ ନିଦ ହେଲାନାହିଁ । ଶୈଶବ ଓ କୈଶୋରର ରଜ, ସ୍ୱର୍ଗତଃ ବଡ଼ବାପା, ତାଙ୍କର କଠୋର ଅନୁଶାସନ, ସାଙ୍ଗସାଥୀ, କିତି କିତି ଖେଳ, ଡ୍ରାମା, ତାସ, ଲୁଡ଼ୋ ଓ ମାଂସଭୋଜୀ ସବୁ ଯେପରି ତାଙ୍କର ଚେତନାକୁ ଏକସାଙ୍ଗରେ ଦଳିମନ୍ଥି ବ୍ୟସ୍ତ ବିବ୍ରତ କରିଦେଲା, ସେ ଧୀରେ ଧୀରେ ଘରୁ ବାହାରି ଦାଣ୍ଡକୁ ଚାଲିଆସିଲେ ଏବଂ କବାଟଟିକୁ ବାହାରପଟୁ ଆଉଜାଇ ଆଣିଲେ ।

 

ବାହାରେ ବେଶ ଅନ୍ଧାର । କିନ୍ତୁ ଆକାଶରେ ଜଳୁଥିଲା ଅସଂଖ୍ୟ ତାରକାର ବତୀ, ଶୁଦ୍ଧୋଧନ ଦାଣ୍ଡରୁ ବାହାରି ଗାଁ ରାସ୍ତାକୁ ଆସିଲେ ଏବଂ ସେଇଠାରୁ ଉଦ୍ଦେଶ୍ୟହୀନ ଭାବରେ ଚାଲିଲେ ଚତର ପଡ଼ିଆକୁ, ଯେଉଁ ରାସ୍ତା, ସେଇଠାରୁ ଲମ୍ବି ଯାଇଛି ନଈକୂଳ ପର୍ଯ୍ୟନ୍ତ ।

 

ଗାଁ ରାସ୍ତା ଶୂନ୍‌ଶାନ୍‌ ! ସମସ୍ତେ ଶୋଇଗଲେଣି । ଶୁଦ୍ଧୋଧନ ଚାଲି ଚାଲି ଏକାକୀ ଚତର ପଡ଼ିଆରେ ପହଞ୍ଚିଲେ ।

 

ଏଇ ଯେ ଚତର ପଡ଼ିଆ । ଏହାର ପ୍ରତ୍ୟେକ ଧୂଳିକଣା ତାଙ୍କ ଶୈଶବର ସମସ୍ତ ସ୍ମୃତିକୁ ଯେପରି ବହନ କରିଛି, ତା’ର ମାଟି, ଗୋଡ଼ି, ଘାସ ଓ କିଆବୁଦା ସବୁ ଯେପରି ତାଙ୍କର ନିତାନ୍ତ ଆପଣାର । ଏଇ ଯେଉଁ ଝଙ୍କାଳିଆ ବରଗଛ, ଯାହାର ଜଟାଜୁଟ ଲମ୍ବିଯାଇଛି ପ୍ରାୟ ଦୁଇ ଏକର ପରିମିତ ଜମି ଉପରେ, ସେ ବି ଥିଲା ତାଙ୍କର ନିହାତି ପରିଚିତ ।

 

ଶୁଦ୍ଧୋଧନ ଧିରେ ଧିରେ ସେଇ ଗଛ ଆଡ଼କୁ ମୁହାଁଇଲେ ।

 

ତାଙ୍କର ସ୍ମୃତିରେ ସିଲେଟ୍‌ରେ ପୁଣି ଲେଖି ହୋଇଗଲା ଶୈଶବର ସବୁକଥା । ଏଇ ବରଗଛ ତଳେ ପାହୀ କଟାଯାଇ କିତି କିତି ଖେଳ ହୁଏ । ସେ ବି ଖେଳୁଥିଲେ, ଏଇ ଯେଉଁ କିଆ ବୁଦା, ଅପର ପକ୍ଷର ଖେଳାଳୀମାନଙ୍କୁ ଛିନ୍‌ଛତ୍ର କରିଦେଇ ସେ ଡେଇଁ ପଡ଼ୁଥିଲେ ହନୁମାନ ପରି ତାହା ଉପରକୁ । କିଆବୁଦାର ଆରପଟେ କାନକୋଳି କଣ୍ଟାର ଇତସ୍ତତଃ ଅରଣ୍ୟ । ଗୋଡ଼ ଛିଣ୍ଡିଯାଏ, ରକ୍ତ ଝରେ, ତଥାପି ଖେଳର ସମାପ୍ତି ଘଟେ ନାହିଁ ।

 

ଶୁଦ୍ଧୋଧନ ସେଇ ପୁରୁଣା ବରଗଛ ମୂଳେ ବସି ପଡ଼ିଲେ । ତାଙ୍କର ମନେଅଛି, ତିନିଦିନ ରଜ ଉତ୍ସବ ସରିଗଲେ, ପିଲାଦିନେ ଏଇ ବରଗଛ ମୂଳକୁ ଏକାକୀ ଆସି ସେ ଭାରି ଦୁଃଖ କରନ୍ତି । ତାଙ୍କର ଇଚ୍ଛାହୁଏ, ଏଇ ରଜ ପର୍ବଟା ମାସ ମାସ ଧରି ଲାଗି ରହନ୍ତା କି ! ମାତ୍ର ହାୟ ! ତିନୋଟି ଦିନର ଉତ୍ସବ, ଚାହୁଁ ଚାହୁଁ ଚାଲିଯାଏ ଓ ତାଙ୍କ ଶୈଶବର ଚେତନାରେ ଲେଖି ଦେଇଯାଏ କେତେ ହାଲ୍‌କା ବେଦନାର ସ୍ୱାକ୍ଷର ।

 

ଶୁଦ୍ଧୋଧନ ରାତିରେ ସେଇ ଝଂକାଳିଆ ବରଗଛର ଚାରିପଟେ ବୁଲିଲେ । ଆଜି ସନ୍ଧ୍ୟାବେଳେ ସାମାନ୍ୟ ଅସରାଏ ବର୍ଷା ହୋଇଥିବାରୁ ଗଛ ଚାରିପଟେ କେଉଁଠି କେମିତି ମଳେ ମଳେ ପାଣି ଜମିଯାଇଛି । ସେଇ ଗଛରୁ ନାଲି ନାଲି ବରଫଳ ତଳେ ପଡ଼ି ସେସବୁ ଫଳମାନଙ୍କରୁ ଗୋଟାଏ ମିଠା ମହୁଆ ବାତ୍ସ୍ନା ନିର୍ଗତ ହେଉଛି ।

 

ଶୁଦ୍ଧୋଧନ ରାତିରେ ଗୁଡ଼ାଏ ବରଫଳ ସଂଗ୍ରହ କରି ହାତରେ ଧରିଲେ । ତାଙ୍କ ଶୈଶବର ଚେତନାରେ ଆଷାଢ଼ର ପ୍ରଥମ ବର୍ଷା ଓ ଫଟା ବରଫଳର ମିଶା ମିଶା ଗନ୍ଧ ଯାହା ରହିଯାଇଥିଲା ବିସ୍ମୃତ ହୋଇ, ସେଦିନ ରାତିରେ ତାହା ଯେପରି ବନ୍ଧବିଧୂର ହୋଇଉଠିଲା । ସେ ଫେରି ଆସିଲେ ସେଇ ଗଛ ପାଖରୁ ଅପ୍ରମିତ ମାନସିକ ବେଦନା ନେଇ ।

 

ଶୁଦ୍ଧୋଧନ ଗାଁ ରାସ୍ତାକୁ ଫେରି ଆସିଲେ । ଚାଲିଛନ୍ତି ନିଃଶବ୍ଦ ରାତିରେ ସେ, ଏକାକୀ । ଧୋବା ସାହୀ ପାରି ହୋଇ ସେ ଆସିଲେ ପଣ୍ଡା ସାହୀକୁ । ପଣ୍ଡାଂକ ବାରିରେ ସେଇ ଯେଉଁ ବିଶାଳ ତେନ୍ତୁଳି ଗଛ, ସେ ଗଛଟି ଅଛି କି ନାହିଁ ! ଶୁଦ୍ଧୋଧନ ସେଇଠାରେ ଥମକି ଠିଆ ହୋଇ ସେହି ଘରଟିକୁ ନିରୀକ୍ଷଣ କଲେ ।

 

ଖୁନ୍ଦାଖୁନ୍ଦି ଗଛମାନଙ୍କର ଗହଳ ଶ୍ୟାମଳିମା ଭିତରେ, ରାତିର ଅନ୍ଧାରରେ ସେଇ ନିର୍ଦ୍ଦିଷ୍ଟ ଗଛଟିକୁ ଠଉରାଇବା ତାଙ୍କ ପକ୍ଷରେ ହୋଇଗଲା କଷ୍ଟକର । ପଚିଶି ବର୍ଷ ତଳର କଥା, ସେଇ ବିଶାଳ ଗଛରେ ଲାଗୁଥିଲା ଦୁଇଟି ଦୋଳି, ପଣ୍ଡା ଘରର ଦୁଇଝିଅ ଆଗ ପଛ ହୋଇ ଖେଳୁଥିଲେ ।

 

ବଡ଼ ମନୋରମ, ତାଙ୍କଠାରୁ ଦୁଇଟି ଶ୍ରେଣୀ ଉପରେ ଓ ସାନ ତିଳୋତ୍ତମା ପଢ଼ୁଥିଲା ତାଙ୍କ ସାଙ୍ଗରେ, ଗାଁ ହାଇସ୍କୁଲରେ । ସେମାନଙ୍କର ବାବା ଓ ମା ଥିଲେ ଓଃ କେଡ଼େ ସ୍ନେହଶୀଳ ! ପ୍ରତି ରଜରେ ସେମାନେ ଶୁଦ୍ଧୋଧନଙ୍କୁ ଡକାଇ ପଠାନ୍ତି ଓ ପେଟପୁରା ଖାଇବାକୁ ଦେଇ କେତେ ଗପ କରନ୍ତି । ଖାଇସାରିଲା ପରେ ମନାନାନୀ ତାଙ୍କୁ ଡାକି ନେଇ ଦୋଳି ଖେଳାଉଥିଲା । ଆଉ ତିଳୋତ୍ତମା ତାଙ୍କୁ ଦୋଳିରେ ବସାଇ ଝୁଲାଉଥିଲା ।

 

ମନାନାନୀ, ତା’ର ଗୋରା ତକ୍‌ ତକ୍‌ ଚେହେରା, ବଳିଲା ବଳିଲା ଦେହ ଓ ଦୁଇଟି ଟଣା ଟଣା ଆଖି ତାଙ୍କ କୈଶୋର ଜୀବନର ଅନିଶ୍ଚିତ ସ୍ୱପ୍ନ ସବୁକୁ ଯେପରି କର ଦେଇଥିଲା ଭୟଙ୍କର ମୋହାଚ୍ଛନ୍ନ !

 

ଅନେକ ବର୍ଷ ହେଲାଣି । ସେମାନଙ୍କ ଖବର ସେ ରଖିନାହାନ୍ତି । ଏଇ ତ ତାଙ୍କ ଘର । ମଉସା ମାଉସୀ ହୁଏତ ବେଶୀ ବୁଢ଼ା ବୁଢ଼ୀ ହୋଇ ଯାଇଥିବେ । ମନାନାନୀ ଓ ତିଳ ବିବାହ କରିଯାଇଥିଲେ ସେ କଲେଜରେ ପଢ଼ୁଥିଲା ବେଳେ ସେମାନଙ୍କ ସହିତ ଆଉ କ’ଣ ଦେଖା ହେବ-? ସେମାନେ ନାହାନ୍ତି, ସେଦିନର ରଜ ଦୋଳି ନାହିଁ ।

 

ଶୁଦ୍ଧୋଧନଙ୍କର ମନେପଡ଼ିଲା ମନାନାନୀର କଥା । ଗ୍ରୀଷ୍ମ ଛୁଟିପାଇଁ ସ୍କୁଲ ବନ୍ଦହେଲେ, କେତେ ଉଦୁଉଦିଆ ନିଶୁନ ଖରାବେଳେ ମନାନାନୀ ଆସି ପହଞ୍ଚିଯିବ ତାଙ୍କ ପାଖରେ । ଫିସ୍‌ ଫିସ୍‌ କରି କ’ଣ ତାଙ୍କ କାନରେ କହି ଡାକିନିଏ ତାଙ୍କ ଘରକୁ । ଗ୍ରୀଷ୍ମର ନିଛାଟିଆ ଖରାବେଳେ ତାଙ୍କ ଘରେ ସମସ୍ତେ ଶୋଇପଡ଼ନ୍ତି । ମନାନାନୀ ପାଖରେ ବସାଇ ପିଜୁଳି ଖାଇବାକୁ ଦିଏ । କେତେ ପୁଣି କଥା କହେ ! ଗଳ୍ପ ଓ ଉପନ୍ୟାସର କେତେ ପ୍ରେମ-ଜନିତ କାହାଣୀ କହି ତାଙ୍କ କୈଶୋରର ଚେତନାକୁ ସେ କରି ଦେଉଥିଲା କେତେ ଉଦ୍ଦୀପ୍ତ ।

 

ସେତେବେଳେ ମନାନାନୀର ସେଇ ସବୁ ଏକାନ୍ତ ଡାକରାର ଅର୍ଥକୁ ଶୁଦ୍ଧୋଧନ କିଛି ବୁଝି ପାରୁନଥିଲେ । ସେ ଯାହା କହୁଥିଲା, ସେ ତାହା କରୁଥିଲେ । କାରଣ ମନାନାନୀ ତାଙ୍କର ଉପର କ୍ଲାସ୍‌ରେ ପଢ଼ୁଥିଲା ।

 

ଯେତେବେଳେ ଶୁଦ୍ଧୋଧନ ଏଇ ଡାକରା ସମ୍ପର୍କରେ ସଚେତନ ହେଲେ, ସେତେବେଳେ ମନାନାନୀ କାହିଁକି କେଜାଣି ଦୂରଛଡ଼ା ହୋଇ ରହିବାକୁ ଚେଷ୍ଟାକଲା; ମାତ୍ର ତା’ ସତ୍ତ୍ୱେ ମନାନାନୀ ପ୍ରତି ରହିଗଲା ତାଙ୍କର ଏକ ଦୁର୍ବାର ଆକର୍ଷଣ ।

 

ପଣ୍ଡାଘର ଧଡ଼ା ଡ଼େଇଁ, ଗୁହାଳ କରେ କରେ ଏକ ଅଣଓସାରିଆ ରାସ୍ତାରେ ଶୁଦ୍ଧୋଧନ ଚାଲିଲେ ତାଙ୍କ ଚାରିଆଡ଼କୁ । ବିଶାଳ ଏକ ବାରି । ବାରିର ଶେଷ ପ୍ରାନ୍ତରେ ପୁରୁଣା କାଳର ସେଇ ଗଭୀର ପୋଖରୀ ଓ ତା’ ପାଖରେ ସେଇ ଝଙ୍କାଳିଆ ତେନ୍ତୁଳିଗଛ, ଏବେ ମଧ୍ୟ ସେଇମିତି ଠିଆ ହୋଇଛି, ଶାଖା, ପ୍ରଶାଖାରେ ବିସ୍ତାରିତ ଓ ପତ୍ର ଗହଳିରେ ପରିପୂର୍ଣ୍ଣ ତେନ୍ତୁଳି ଗଛଟି ଠିଆ ହୋଇ ରହିଥିଲା ତାଙ୍କ ଶୈଶବ ଓ କୈଶୋରର ଏକ ନିଶାଣଖୁଣ୍ଟ ପରି ।

 

ଶୁଦ୍ଧୋଧନ ଆଗେଇଲେ ସେଇ ତେନ୍ତୁଳିଗଛ ଆଡ଼େ । ଗଛ ମୂଳେ ଠିଆ ହୋଇଛି ଆଶ୍ଚର୍ଯ୍ୟ ଏକ ନାରୀମୂର୍ତ୍ତି ! ଝମ୍ପୁରୁ ଝମ୍ପୁରୁ ଦୀର୍ଘ କେଶ, ଦେହରେ ଫିନ୍‌ ଫିନ୍‌ ଶାଢୀ, କାଚ ଝୁମ୍‌ ଝୁମ୍‌ ହେଉଛି ।

 

ଶୁଦ୍ଧୋଧନଙ୍କ ବିହ୍ୱଳତା ମଧ୍ୟରେ ମନାନାନୀର ଚେହେରା ହଠାତ୍‌ ଯେପରି ପ୍ରତିଫଳିତ ହୋଇଉଠିଲା । ସେ ଭାବିଲେ ସତେ ତ ! ଠିକ୍‌ ଦେଖାଯାଉଛି ମନନାନୀର ଚେହେରା ପରି ।

 

ଅନେକ ବର୍ଷପରେ ମନାନାନୀ ଆଜି ଆସିଛି ତାଙ୍କ ବାରିକୁ ନିର୍ଜନ ରାତିରେ ଦୋଳି ଖେଳିବାକୁ । ଆଃ-ମନାନାନୀ ! ତୁ କେବଳ ବୁଝି ପାରିଲୁ ଶୁଦ୍ଧୋଧନର ମନକଥା ।

 

ଶୁଦ୍ଧୋଧନ ତେନ୍ତୁଳିଗଛ ଆଡ଼କୁ ଏକ ପ୍ରମତ୍ତ ଆବେଗରେ ଆଗରେ ଚାଲିଲେ । ସେ ଯେତିକି ନିକଟତର ହେଉଥିଲେ, ମନାନାନୀର ଉପସ୍ଥିତି ସମ୍ପର୍କରେ ତାଙ୍କର ଧାରଣା ସେତିକି ସ୍ପଷ୍ଟତର ହେଉଥିଲା ।

 

ଶୁଦ୍ଧୋଧନ ତେନ୍ତୁଳିଗଛ ନିକଟରେ ପହଞ୍ଚିଲେ । ଦେଖିଲେ ସେଇ ନାରୀ ମୂର୍ତ୍ତିଟି କ୍ରମଶଃ ଅନ୍ତର୍ଦ୍ଧାନ ହୋଇଯାଉଛି ଏବଂ ଗଛର ଅନତି ଦୂରରେ ପୋଖରୀ କୂଳର ଏକ ଆମ୍ବଗଛ ପାଖରେ ଠିଆ ହୋଇଛି । ଶୁଦ୍ଧୋଧନ ଭାବ ବିହ୍ୱଳ ହୋଇ ସେଇ ତେନ୍ତୁଳି ଗଛଟିକୁ କୋଳାଗ୍ରତ କଲେ ।

 

ପୋଖରୀ କୂଳର ଆଉ ଗୋଟିଏ ଗଛ ପାଖରେ ଯେଉଁ ନାରୀ ମୂର୍ତ୍ତିଟି କିଛି ସମୟ ପୂର୍ବରୁ ଦେଖାଯାଉଥିଲା, ସେ ଆଉ ଦେଖା ଗଲାନାହିଁ, ରାତିର ଅନ୍ଧାରରେ ସେ ଛାୟା ମୂର୍ତ୍ତିଟି କ୍ରମଶଃ ଅଦୃଶ୍ୟ ହୋଇଗଲା ।

 

ଶୁଦ୍ଧୋଧନ ଚାହିଁଲେ ଗଛଟିକୁ । କାହିଁ ରଜ ଦୋଳି ? କାହିଁ ମନାନାନୀ ? ତିଳୋତ୍ତମା-? କାହିଁ ସେହି ରୌଦ୍ରଦଗ୍‌ଧ ଅପରାହ୍ନ ? ଶୁଦ୍ଧୋଧନଙ୍କ ଭାବ ବିହ୍ୱଳତା ହଠାତ୍‌ ଯେପରି ମହମ ପରି ତରଳିବାକୁ ଲାଗିଲା ।

 

ଶୁଦ୍ଧୋଧନ କ୍ରମଶଃ ସଚେତନ ହେଲେ । ନିଃଶବ୍ଦ ରାତିର ଅନ୍ଧକାର ମଧ୍ୟରେ ଯିଏ ଏଇ ପଣ୍ଡାଘର ବାରିକୁ ଆସିଛନ୍ତି, ସେ କ’ଣ ସେଇ କୈଶୋରର ଶୁଦ୍ଧୋଧନ ରାୟ ?

 

ଅତୀତର ସ୍ମୃତିକୁ ବାହୁନି ବାହୁନି ଓ ତାହାର କବରକୁ ଖୋଳିବା ପାଇଁ ଆଜି ଯେ ଏଇ ନିଶୁନ୍‌ ଅନ୍ଧାର ରାତିରେ ପଣ୍ଡାଘର ବାରିକୁ ବାୟା ପାଗଳଙ୍କ ପରି ଚାଲି ଆସିଛନ୍ତି ଗୋଟାଏ ମୂଲ୍ୟହୀନ ତେନ୍ତୁଳିଗଛ ପାଖକୁ, ସେ କ’ଣ ଅତୀତର ସେଇ ଅନାମଧେୟ, ଅପରିପକ୍ୱ କିଶୋର ଶୁଦ୍ଧୋଧନ ?

 

ଶୁଦ୍ଧୋଧନ ଆହୁରି ସଚେତନ ହେବାକୁ ଲାଗିଲେ ।

 

ଏକ ଭୟଙ୍କର ରାତିରେ, ସେ ଏକୁଟିଆ କିପରି ଯେ ଏତେବାଟ ଚାଲିଆସିଲେ ତାହା ଜାଣି ତାଙ୍କୁ ବିସ୍ମୟ ଲାଗିଲା । ଏଇ ବିସ୍ମୟ ସାଙ୍ଗକୁ ତାଙ୍କର ଆଶଙ୍କା ହେଲା ଯେ ଯଦି ଏତେବେଳେ କେହି ତାଙ୍କୁ ଏ ପାରିରେ ଏଇ ଅବସ୍ଥାରେ ଦେଖିନିଏ, ତାଙ୍କ ସମ୍ପର୍କରେ କ’ଣ ସେ ଧାରଣା କରିବେ ? ହୁଏତ ଚୋର, ଲମ୍ଫଟ । ଅଥବା ପାଗଳ ବୋଲି କହିବାକୁ କେହି ଦ୍ୱିଧା କହିବାକୁ କେହି ଦ୍ୱିଧା କରିବେ ନାହିଁ ।

 

ଶୁଦ୍ଧୋଧନ ନିଜକୁ ବଡ଼ ଅସହ୍ୟବୋଧ କଲେ ସେଠାରେ, ସେ କିପରି ଏଇ ବାରିରୁ ନିଷ୍କ୍ରାନ୍ତ ହେବେ, ତାଙ୍କୁ ବୁଦ୍ଧି ଦିଶିଲା ନାହିଁ । ସେ ଖୁବ୍‌ ଦ୍ରୁତ ଗତିରେ ଯେଉଁ ଅଣଓସାରିଆ ରାସ୍ତାଦେଇ ସେ ବାରିକୁ ଆସିଥିଲେ, ସେଇ ରାସ୍ତାଦେଇ ଏକ ନିଃଶ୍ୱାସକେ ଚାଲିଆସିଲେ ଗାଁ ରାସ୍ତାକୁ । ଖାଲି ଗୋଡ଼ରେ ଏକ ଭାବ-ବିଳାସରେ ମୋହାଚ୍ଛନ୍ନ ହୋଇ ଘରୁ ଚାଲି ଆସିଥିବାରୁ, ବାରିର ଅରମା ଅରଣା ସ୍ଥାନମାନଙ୍କରେ ପାଦପଡ଼ି, ସେଥିରୁ ରକ୍ତ ବାହାରୁଥିବାର ସେ ଲକ୍ଷ୍ୟ କଲେ-

 

ଗାଁ ରାସ୍ତାରେ ପହଞ୍ଚିଲା ବେଳକୁ ତାଙ୍କ ଦେହରୁ ଝାଳ ବୋହିଯାଉଥିଲା ଗମ ଗମ ହୋଇ, ସେ ସେଇ ଅନ୍ଧାରରେ ଖୁବ୍‌ ଦ୍ରୁତ ଗତିରେ ଚାଲୁଥିଲେ ତାଙ୍କ ଘରକୁ ।

 

ପଛରେ ପଡ଼ି ରହିଥିଲେ ରଜ ଉତ୍ସବର ଶବମାନେ ।

Image

 

ତୃତୀୟ ପୁରୁଷ

 

ଯେଉଁଦିନ ମିନତି ଆମ ଡିପାର୍ଟମେଣ୍ଟରେ ଜଏନ୍‌ କଲା ଓ ମୋତେ ପ୍ରଥମଥର ପାଇଁ ଆସି ସୌଜନ୍ୟ ସାକ୍ଷାତ କରିଥିଲା ମୁଁ ତା’ର ଗଠନ ପରିପାଟୀ ଓ ଉଚ୍ଚତା ଦେଖି ବିସ୍ମିତ ହୋଇଯାଇଥିଲି । କାରଣ ମୋର ମନେହେଲା ମିନତିର ହୁଏତ ପନ୍ଦର ଷୋଳବର୍ଷ ବୟସ ହୋଇଥିବ ! ଏତେ କମ୍‌ ବୟସରେ ପାଠ ନପଢ଼ି ଏଲ୍‌.ଡ଼ି.ସି ଚାକିରୀ କରିବାର କ’ଣ ପ୍ରୟୋଜନ ଥିଲା ବୋଲି ପ୍ରଥମ ସାକ୍ଷାତରେ ମୁଁ ତାକୁ ପଚାରିଥିଲି ।

 

ମିନତି ମୋ ପ୍ରଶ୍ନର ଉତ୍ତର ନଦେଇ ତଳକୁ ମୁହଁପୋତି ଠିଆ ହୋଇଥିଲା । ମୁଁ ତାକୁ ଅଧିକ କାଳ ଠିଆ ହେବାର ସୁଯୋଗ ନଦେଇ ମୋ ସେକ୍‌ସନର ହେଡ଼୍‌ଆସିଷ୍ଟାଣ୍ଟଙ୍କ ପାଖକୁ ଯିବାକୁ କହିଥିଲି ।

 

ଗତ କେତେଦିନ ତଳେ ଡିପାର୍ଟମେଣ୍ଟର ଚାରିଜଣ ଏଲ୍‌.ଡ଼ି.ସି. ନେବାପାଇଁ ଯେଉଁ ଇଣ୍ଟରଭିଉ ହୋଇଥିଲା, ସେତେବେଳେ ମୁଁ ଅନ୍ୟତ୍ର ଚାଲିଯାଇଥିଲି । ଅବଶ୍ୟ ସେହି ଇଣ୍ଟରଭିଉ ବୋର୍ଡ଼ରେ ମୁଁ ଥିଲି ଜଣେ ସଭ୍ୟ । ଏଇସବୁ ନିଯୁକ୍ତି ସମ୍ପର୍କରେ ସ୍ପଷ୍ଟ ବିଧିବିଧାନକୁ ଏଡ଼ାଇ ମିନତି ଭଳି ଗୋଟିଏ ଅପ୍ରାପ୍ତବୟସ୍କା ଝିଅଟିକୁ ଯେ ନିଯୁକ୍ତି ଦିଆଯାଇଛି, ଏ ବିଷୟରେ ମୋର କାହିଁକି ସନ୍ଦେହ ଘନୀଭୂତ ହେବାକୁ ଲାଗିଲା ।

 

ପରେ ଯେତେବେଳେ ଏହିସବୁ କାଗଜପତ୍ର ନିଜେ ଦେଖିବାର ସୁଯୋଗ ପାଇଲି, ସେତେବେଳେ ମିନତିର ବୟସ ସମ୍ପର୍କରେ ମୋର ଯେଉଁ ସନ୍ଦେହ ଉପୁଜିଥିଲା ତାହା ଅବଶ୍ୟ ଦୂର ହୋଇଗଲା । ସେ ଯେ ସରକାରୀ ଦପ୍ତରରେ ଚାକିରୀ କରିବା ଲାଗି ଉପଯୁକ୍ତ ବୟସରେ ଆସି ପହଞ୍ଚିପାରିଛି ତାହା ଜାଣି ମୁଁ ନିଶ୍ଚିତ ହେଲି । ମାତ୍ର ତା’ର ଅନୁଚ୍ଚ ଚେହେରା ଓ କଥାବାର୍ତ୍ତାରେ ଯେପରି ଏକ କୈଶୋରସୁଲଭ ଅସ୍ଥିରତା ବାରମ୍ବାର ପ୍ରତିଫଳିତ ହେଉଥିଲା ।

 

ମିନତି ନିଯୁକ୍ତିର ଦୁଇମାସ ପରେ ଯେତେବେଳେ ଆମ ସେକ୍‌ସନ୍‌ର ହେଉଆସିଷ୍ଟାଣ୍ଟ ଓ ଅନ୍ୟମାନେ ମୋ ପାଖରେ ଆସି ଅଭିଯୋଗ କଲେ ଯେ ସେଇ ଝିଅଟି କିଛି କାମ କରିପାରୁନାହିଁ ଓ ଯାହା କହିଦେଲେ ମଧ୍ୟ ତଦନୁଯାୟୀ କାର୍ଯ୍ୟ କରିବାକୁ ସମର୍ଥ ହେଉନାହିଁ, ତାହା ଜାଣି ମୋର କୌଣସି ପ୍ରତିକ୍ରିୟା ପ୍ରକାଶ ପାଇଲା ନାହିଁ । କାରଣ ଆଜିକାଲି ନିଯୁକ୍ତିରେ ବୋର୍ଡ଼ ପାଇଁ ଏକ ସ୍ୱୀକୃତ ନିୟମ ରହିଥିଲେ ମଧ୍ୟ ସେଥିରେ ରାଜନୈତିକ ଚାପ ପ୍ରୟୋଗ କରାଯାଉଛି । ନିଯୁକ୍ତି ବୋର୍ଡ଼ର ନିୟମାବଳୀ ଉପଯୁକ୍ତ ପ୍ରାର୍ଥୀ ମୁକରିର କରିବାଲାଗି ପଥ ଅବଶ୍ୟ ପରିଷ୍କାର କରି ଚାଲିଛନ୍ତି । ମାତ୍ର ରାଜନୈତିକ ଚାପ ପାଖରେ ଏ ସମସ୍ତ ନିୟମାବଳୀ, ବିଧିବିଧାନ ହାର ମାନୁଛି ।

 

ମୁଁ ଆମ ହେଡ଼ ଆସିଷ୍ଟାଣ୍ଟ୍ ବରାଳ ବାବୁଙ୍କୁ କହିଲି, ଆଉ କିଛି ଦିନ ଅପେକ୍ଷା କରନ୍ତୁ ! କାମ ଶିଖିବାଲାଗି ତାକୁ ଆଉ ଦୁଇମାସ ସୁଯୋଗ ଦିଅନ୍ତୁ । ବର୍ତ୍ତମାନ ଅବସ୍ଥାରେ ଆଉ କ’ଣ କରାଯାଇ ପାରିବ ? ଆମ ବିଭାଗୀୟ ମନ୍ତ୍ରୀଙ୍କର ସେ ହେଉଛନ୍ତି ପ୍ରାର୍ଥୀ । ଆଜିକାଲି ଷ୍ଟାଣ୍ଡାର୍ଡ଼ ସବୁଥିରେ କମୁଛି । ଏଥିରେ ଆପଣ ବିଚଳିତ ହେଲେ କିପରି ଚଳିବ ? ତାକୁ ନେଇ ଆମକୁ କାମ କରିବାକୁ ପଡ଼ିବ ।

 

ବରାଳବାବୁ ଚାଲିଗଲେ ମୋ ପାଖରୁ ସେଦିନ ।

 

ବରାଳବାବୁଙ୍କର ଏ ଅଭିଯୋଗ କରିବା ପଛରେ ଏକ ନିଶ୍ଚିତ କାରଣ ରହିଥିଲା । ତାହା ହେଉଛି ତାଙ୍କର ଜଣେ ଭାଣିଜୀ ମଧ୍ୟ ଇଣ୍ଟର୍‌ଭିଉରେ ଆପିଅର କରିଥିଲେ ଏବଂ ମେରିଟ୍‌ରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଯେହେତୁ ମିନତି ପାଇଁ ଉପର ସ୍ତରରୁ ବାରମ୍ବାର ଟେଲିଫୋନ ଆସିଲା ବରାଳବାବୁଙ୍କ ଭାଣିଜୀ ପ୍ରଥମ ହୋଇଥିଲେ ମଧ୍ୟ ତାଙ୍କ ନା ରହିଗଲା ଉଏଟିଂ ଲିଷ୍ଟ୍‌ରେ । ସୁତରାଂ ଏ ଅଭିଯୋଗ ପଛରେ ତାଙ୍କର ଏକ ମତଲବ ଯେ ରହିଥିଲା ଏଥିରେ ମୁଁ ନିଶ୍ଚିତ ଥିଲି । ମାତ୍ର ତାଙ୍କ ଅଭିଯୋଗ ଯେ ଅଯୌକ୍ତିକ ନଥିଲା ସେ ସମ୍ପର୍କରେ ମୁଁ ମଧ୍ୟ ନିଃସନ୍ଦେହ ରହିଥିଲି ।

 

ମିନତି ଯେ ଆଦୌ ଇମ୍ପପ୍ରୁଭ କରୁନାହିଁ, ସେ ସମ୍ପର୍କରେ ମୋର ହୃଦବୋଧ ହେଉଥିଲା-। ଗୋଟିଏ ଫାଇଲରେ ସେ ଡ୍ରାଫ୍‌ଟଟିଏ କରି ପଠାଇଥିଲା କିଛିଦିନ ତଳେ-

 

ସେଇଟା ତ ଗୋଟିଏ ଡ୍ରାଫଟ ନୁହେଁ, ଅନ୍ୟ-କିଛି । ବାକ୍ୟ ଭୁଲ୍‍, ବର୍ଣ୍ଣଶୁଦ୍ଧି ନାହିଁ, ଅକ୍ଷର ଗୁଡ଼ିକ ନିତାନ୍ତ କଦର୍ଯ୍ୟ । କିଛିକାଳ କଷ୍ଟ ନକଲେ ସେସବୁ ଚିହ୍ନିବା ମଧ୍ୟ କଷ୍ଟକର ।

 

ସେଦିନ ବିରକ୍ତ ହୋଇ ମିନତିକୁ ଡକାଇଥିଲି । ତାକୁ ପଚାରିଥିଲି, ‘‘ଯଦି ଚାରିମାସ ଚାକିରୀ କରିବାପରେ ଏଇମିତି ଡ୍ରାଫ୍‍ଟ ସବୁ ପ୍ରସ୍ତୁତ କରିବ, ତେବେ ତମର ଭବିଷ୍ୟତ କ’ଣ ହେବ-? ଚେଷ୍ଟାକର ଭଲ ଭାବରେ ହସ୍ତାକ୍ଷର ଲେଖିବାକୁ, ନିର୍ଭୁଲ ବାକ୍ୟ ଗଠନ କରିବାକୁ-।’’

 

ସେଦିନ ମିନତି ନୀରବରେ ସବୁକଥା ଶୁଣୁଥିଲା । ମୁଁ ଲକ୍ଷ୍ୟକଲି, ସେ ସମ୍ଭବତଃ ଦୁଃଖ କରୁଥିଲା । ତା’ର ମୁହଁ ଓ ନାକରେ ଅଭିମାନ କ୍ରମଶଃ ଉକୁଟି ଉଠୁଥିଲା କୌଣସି ନାରୀକୁ ଜୀବନରେ ମୁଁ କେବେ ଦୁଃଖ ଦେଇନାହିଁ । ଯେଉଁ ସବୁ ନାରୀ ଦୁଃଖ ଓ ଦୁର୍ଦ୍ଦଶାଗ୍ରସ୍ତ ହୋଇଥା’ନ୍ତି; ବରଂ ସେମାନଙ୍କୁ ସାହାଯ୍ୟ କରିବାରେ ମୁଁ ଯଥେଷ୍ଟ ମାନସିକ ଆନନ୍ଦ ପାଇଥାଏ ।

 

ମିନତିକୁ କହିଲି ଏବେ ଚେଷ୍ଟାକର ଭଲ କାମ କରିବାକୁ । କାମ ସିନା ଭଲ କଲେ ଚାକିରୀରେ ସ୍ଥାୟୀ ହେବ । ଯାଅ, ଆଜିଠାରୁ ମନଦେଇ କାମ କରିବକୁ ଚେଷ୍ଟା କରିବ ।

 

ମିନତି ଚାଲିଗଲା ସେଦିନ ମୋ ପାଖରୁ ।

 

କୋରାପୁଟ ଗସ୍ତରୁ ଫେରି ଦିନେ ସନ୍ଧ୍ୟା ଛଅଟା ବେଳେ ଏଇ ସହରର ରେଳ ଷ୍ଟେସନରେ ଓହ୍ଲାଇଲି । ଅଗଷ୍ଟ ମାସ । ସାରା ଆକାଶରେ ମେଘ ଛାଇ ହୋଇଯାଇଛି । ଟୁପୁଟୁପୁ ବର୍ଷା ମଧ୍ୟ ପଡ଼ୁଛି ।

 

ଭାବୁଥିଲି କିଛି ସମୟ ଅପେକ୍ଷା କରିବି ଓ ବର୍ଷା ବର୍ଷିଗଲେ ଅଥବା ଆକାଶ ସାମାନ୍ୟ ମେଘମୁକ୍ତ ହେଲେ ରିକ୍‍ସା କରି ଫେରିଯିବି ନିଜ କ୍ୱାଟରର୍ସକୁ । ମାତ୍ର ଦୀର୍ଘ ପଥ ରେଳଯାତ୍ରା କରିଥିବାରୁ ବଡ଼ କ୍ଲାନ୍ତ ଲାଗୁଥିଲା । ତେଣୁ ବର୍ଷାକୁ ଅପେକ୍ଷା ନକରି ରିକ୍‌ସା ଧରି ଚାଲିଯିବା ବରଂ ଭଲ ହେବବୋଲି ଭାବି ରିକ୍‌ସାଟିଏ ଡାକିଲି ।

 

ରିକ୍‌ସା ଚାଲିଛି । ରେଳ ଷ୍ଟେସନ୍‌ଠାରୁ ମୋ କ୍ୱାଟର ପ୍ରାୟ ଦେଢ଼ କିଲୋମିଟର ଦୂରତ୍ୱ । ହଠାତ୍‍ ପ୍ରଚଣ୍ଡ ବେଗରେ ବର୍ଷା ବର୍ଷିବାକୁ ଆରମ୍ଭ କଲା । ଏତେ ଜୋରରେ ବର୍ଷୁଥିଲା ଯେ କୌଣସି ମତେ ଆଗକୁ ଯିବା ସମ୍ଭବ ହେଲାନାହିଁ । ତେଣୁ ରିକ୍‍ସାବାଲାକୁ କହିଲି: ଏଇ ଯେଉଁ କମ୍ୟୁନିଟି ହଲ୍‌ ଦେଖୁଛୁ, ସେଇଠାରେ କିଛି ସମୟ ଅଟକି ଯିବା ଏବଂ ପରେ ବର୍ଷ ଛାଡ଼ିଲେ ଘରକୁ ଯିବା ।

 

କମ୍ୟୁନଟି ହଲ୍‌ ବାରଣ୍ଡାରେ ମୁଁ ଯାଇ ଠିଆ ହେଲି । ରିକ୍‍ସାବାଲା ବାରଣ୍ଡାରେ ଠିଆହୋଇ ଗାମୁଛାରେ ପୋଛିପାଛି ହେଉଥିଲା । କମ୍ୟୁନିଟି ହଲ୍‌ ଭିତରୁ ବନ୍ଦଥିଲା ଏବଂ ଭିତରର ସାମାନ୍ୟ କୋଳାହଳ ବାହାରକୁ ଶୁଣାଯାଉଥିଲା ।

 

କମ୍ୟୁନିଟି ହଲ୍‌ର ଦୀର୍ଘ ଓ ଚଉଡ଼ା ବାରଣ୍ଡାରେ ଆମପରି ଅନେକ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ଅଚାନକ ବର୍ଷା ମାଡ଼ରୁ ରକ୍ଷା ପାଇବା ଲାଗି ଆଶ୍ରୟ ନେଇଥିଲେ ଏବଂ ସେମାନଙ୍କ ମଧ୍ୟରେ ରହି ରହି ବେଳେ ବେଳେ ସଂଳାପର ବିନିମୟ ହେଉଥିଲା । ମାତ୍ର ସେ ସଂଳାପଗୁଡ଼ିକ ଥିଲା ଅତ୍ୟନ୍ତ ଧୀର ଓ ଅସ୍ପଷ୍ଟ । ବର୍ଷାର ଧ୍ୱନୀ ଏଭଳି ସାଇଁ ସାଇଁ ଓ ପ୍ରଚଣ୍ଡ ଥିଲା ଯେ ପରସ୍ପରର କଥାବାର୍ତ୍ତା ଶୁଣିବା ମଧ୍ୟ କଷ୍ଟକର ଥିଲା ।

 

ବାରଣ୍ଡାରେ ଅବଶ୍ୟ ଲାଇଟ୍‌ ନଥିଲା । ମାତ୍ର ହଲ୍‌ର ଭିତରପଟ ଲାଇଟ୍‌ ଏତେ ଉଜ୍ଜ୍ୱଳ ଥିଲା ଯେ ଝର୍କାର କାଚଦେଇ ତାହା ବାହାରକୁ ଛିଟିକି ଆସିଥିଲା ।

 

ବର୍ଷାର ବେଗ ବରଂ ବଢ଼ୁଥିଲା କ୍ରମଶଃ । କମ୍ୟୁନିଟି ହଲ୍‍ର ବାରଣ୍ଡାରେ ବହୁ ସମୟ ଠିଆହୋଇ ମୁଁ ବଡ଼ କ୍ଲାନ୍ତି ଅନୁଭବ କଲି । ତେବେ ଉପାୟ କ’ଣ ? ବର୍ଷା ନଛାଡ଼ିଲେ ଅଥବା ବର୍ଷାର ବେଗ କିଛି ଅଂଶରେ ନ ଥମିଲେ ରିକ୍‌ସା ଧରି ଘରକୁ ଯିବା ପ୍ରକୃତରେ ଅସମ୍ଭବ । ମୁଁ ଅନ୍ୟମନସ୍କ ହୋଇ ଝର୍କାଦେଇ ଛିଟିକି ପଡ଼ିଥିବା ଆଲୋକ ଆଡ଼କୁ ଚାହିଁଦେଲି ।

 

ସେଇ ଅସ୍ପଷ୍ଟ ଆଲୋକରେ ମୁଁ ଭଲଭାବରେ ଦେଖିପାରିଲି ଆମ ଅଫିସ୍‌ର ଲୋଅର ଡିଭିଜନ କ୍ଳର୍କ ମିନତି ହାଜରା ଠିଆ ହୋଇଛି । ମୁଁ ଆଉଥରେ ତାକୁ ନିରୀକ୍ଷଣ କଲି-। ସେଇ ଅନୁଚ୍ଚ ଶ୍ୟାମାଙ୍ଗୀ ଯେ ନିଶ୍ଚିତ ଭାବରେ ମିନତି, ଏଥିରେ ତିଳେହେଲେ ମୋର ସଂଶୟ ହେଲାନାହିଁ-

 

ଏଭଳି ଝଡ଼ ବର୍ଷାରେ ମିନତି ଏଆଡ଼େ କିପରି ଓ କାହିଁକି ଆସିଛି ତାହାହିଁ ଭାବୁଥିଲି । ମିନତି ଥରେ କହୁଥିଲା ସେ ରହିଛି ତିନି ନମ୍ୱର ସେକ୍‍ଟରରେ ତା’ର ଏକ ସମ୍ପର୍କୀୟ କକାଙ୍କ ଘରେ-। ତିନି ନମ୍ୱର ସେକ୍‌ଟର କମ୍ୟୁନିଟି ହଲଠାରୁ ପ୍ରାୟ ତିନି କିଲୋମିଟର ଦୂରତ୍ୱ । ତାହା ପୁଣି ଅଫିସ ପାଖାପାଖି । ରେଳ ଷ୍ଟେସନ ଅଞ୍ଚଳ ପରି ଏକ ନିଛାଟିଆ ଇଲାକାକୁ ତା’ର ଆସିବାର କାରଣ ସମ୍ପର୍କରେ ବହୁ ପ୍ରଶ୍ନ ଉଠେ ମୋତେ ଆନ୍ଦୋଳିତ କରିବାକୁ ଲାଗିଲା ।

 

ମୁଁ ପୁଣିଥରେ ସେଇ ଆଡ଼କୁ ଚାହିଁଲି । ମିନତି ସାଙ୍ଗରେ ଆଉ ଜଣେ କିଏ କଥାବାର୍ତ୍ତା ହେଉଛି ? ଯୁବକଟି ପୁଣି ଲାଇଟ୍‌ ପାଖକୁ ଚାଲି ଆସିଲା ଏବଂ ତଳେ ଲୋଟୁଥିବା ମିନତିର ଶାଢ଼ିର କାନିକୁ ତା’ପିଠି ଉପରକୁ ଉଠାଇଦେଲା । ମୁଁ ଆହୁରି ଆଶ୍ଚର୍ଯ୍ୟ ହୋଇ ଚାହିଁଲି ସେଇଆଡ଼େ ।

 

ମୋର ବିସ୍ମୟର ସୀମା ସ୍ପର୍ଶକଲା ମୁଁ ଯେତେବେଳେ ଦେଖିଲି ଯେ ସେହି ଯୁବକ ଜଣକ ଆଉ କେହି ନୁହଁନ୍ତି, ହେଉଛନ୍ତି ଆମ ଅଫିସ୍‌ର ଅଜୟ କୌଶିକ । ମୁଁ ଏ ସମ୍ପର୍କରେ ସ୍ଥିର ନିଶ୍ଚିତ ହେବାପାଇଁ ଆଉଥରେ ସେ ଆଡ଼କୁ ଚାହିଁଲି । ଅଜୟ ଓ ମିନତି ହସି ହସି ଖୁସି ଗପ କରୁଛନ୍ତି ଆଜିର ଏ ପ୍ରଚଣ୍ଡ ବର୍ଷା ସନ୍ଧ୍ୟାରେ ।

 

ମିନତିର ନିଯୁକ୍ତି ଦିନ ମୋ ଭିତରେ ଏକ ଅପ୍ରାପ୍ତବୟସ୍କା ଝିଅ ବୋଲି ଯେଉଁ ପ୍ରଶ୍ନବାଚୀ ଉଠିଥିଲା ଆଜିର ଏଇ ବର୍ଷଣମୁଖର ସଂଧ୍ୟାରେ ଅଜୟ ସହିତ କମ୍ୟୁନିଟି ହଲ୍‌ ବାରଣ୍ଡାରେ ଏକାନ୍ତରେ ଠିଆହୋଇ ଅବାଧରେ ମିଳାମିଶା କରୁଥିବାର ଦେଖି ମୋର ସେଇ ଧାରଣା ହଠାତ୍‌ ଯେପରି ଆତ୍ମହତ୍ୟା କଲା ସେଇଠି ।

 

ମୋର ମନେହେଲା ସମ୍ଭବତଃ ସେମାନେ ରେଳଷ୍ଟେସନକୁ ଆସିଥିଲେ ଖୁବ୍‍ ନିରୋଳାରେ ମିଳାମିଶା ଓ ଆଳାପ ଆଲୋଚନା କରିବା ଲାଗି । କାରଣ ଷ୍ଟେସନ ଥିଲା ଅପେକ୍ଷାକୃତ ଜନବିରଳ ଅଞ୍ଚଳ । ଯେଉଁମାନେ ଷ୍ଟେସନକୁ ଆସନ୍ତି ଓ ଯାଆନ୍ତି ସେମାନେ ମୁଖ୍ୟତଃ ଯାତ୍ରୀ । ତେଣୁ ଅଜୟ ଓ ମିନତି ଏହାକୁ ଏକ ନିରାପଦ ଅଞ୍ଚଳ ମନେକରି ବୁଲି ଆସିଥିବେ ଏବଂ ବର୍ଷ। ହେବାରୁ ତାଙ୍କପରି ଏଇ ବାରଣ୍ଡାରେ ଆଶ୍ରୟ ନେଇଥିବେ ।

 

କାଳେ ସେମାନେ ମୋତେ ଦେଖିବେ ଏଇ ଆଶଙ୍କାରେ ମୁଁ ନିଜକୁ ଯଥା ସମ୍ଭବ ଅନ୍ଧକାରରେ ଲୁଚାଇ ରଖିଥିଲି । ମୁଁ ଚାହୁଁ ନଥିଲି ସେମାନଙ୍କ ସ୍ୱଚ୍ଛନ୍ଦ ସ୍ୱାଧୀନତା ପଥରେ ଅନ୍ତରାୟ ସୃଷ୍ଟି କରିବା ପାଇଁ । ଅଫିସ ବାରଣ୍ଡା ଛାଡ଼ିଲା ପରେ ସେମାନେ ପୃଥିବୀର ଯେକୌଣସି ନାଗରିକମାନଙ୍କ ପରି ସ୍ୱାଧୀନ । ପ୍ରେମ କରିବା ସେମାନଙ୍କ ଏକ ବ୍ୟକ୍ତିଗତ ବ୍ୟାପାର । ତେଣୁ ସେଥିମଧ୍ୟରେ ମୋର ଅନୁପ୍ରବେଶ କିମ୍ୱା ହସ୍ତକ୍ଷେପ ଯେ ନିତାନ୍ତ ଅଶୋଭନୀୟ, ଏକଥା ମୁଁ ସ୍ପଷ୍ଟ ଭାବରେ ଅନୁଭବ କରୁଥିଲି ।

 

ଲକ୍ଷ୍ୟ କଲି ମିନତି ଓ ଅଜୟ ମୁଁ ଠିଆ ହୋଇଥିବା ବାରଣ୍ଡାର ଅନ୍ଧକାର ଅଂଶକୁ ଧୀରେ ଧୀରେ ଆସୁଛନ୍ତି । ମୁଁ ବଡ଼ ଶଙ୍କିତ ହେଲି । ଯଦି ସେମାନେ ଏଇ ଦୀର୍ଘ ଓ ପ୍ରଶସ୍ତ ବାରଣ୍ଡାରେ ଚାଲି ଚାଲି ଆସି ମୋତେ ଦେଖିନେବେ....ସେମାନଙ୍କର ଉଚ୍ଚକିତ ଭାବପ୍ରବଣତା ହଠାତ୍‌ ଶିଥିଳ ହୋଇଯିବ ।

 

ନା, ଏଠାରୁ ଚାଲିଯିବା ବରଂ ଭଲ । ବର୍ଷାରେ ଭିଜିଗଲେ ଘରେ ତ ଯାଇ ପହଞ୍ଚିବି । ତେଣୁ ଏଠାରେ ଅଯଥାରେ ଅପେକ୍ଷା କରିବାର କୌଣସି କାରଣ ନାହିଁ । ସେଥିପାଇଁ ରିକ୍‍ସାବାଲାଟିକୁ ନଡାକି ହାତଠାରି ଯିବା ପାଇଁ ସଙ୍କେତ ଦେଲି ଏବଂ ବାରଣ୍ଡାରୁ ଡେଇଁପଡ଼ି ଅନ୍ଧକାରରେ ରିକ୍‌ସା ଆଡ଼କୁ ମୁହାଁଇଲି ।

 

ବର୍ଷା । ତଥାପି ଥମିନାହିଁ । ରିକ୍‌ସା ଗଡ଼ିଚାଲିଥିଲା ମୋ କ୍ୱାଟର ଆଡ଼େ । ମୁଁ ସେତେବେଳେ ସମ୍ପୂର୍ଣ୍ଣ ଭିଜିଯାଇଥିଲି ।

 

ମିନତିର ଅଫିସ କାର୍ଯ୍ୟରେ କୌଣସି ଉନ୍ମତି ଅବଶ୍ୟ ଦେଖିବାକୁ ମିଳିଲା ନାହିଁ । ଛଅମାସ ଚାକିରୀ କଲା ପରେ ମଧ୍ୟ ତା’ ଲେଖାଲେଖି ଶୈଳୀ ରହିଗଲା ସେଇମିତି ଅପରିବର୍ତ୍ତିତ ।

 

କିନ୍ତୁ ତା ଚେହେରାରେ ବେଶ୍‌ ଗୋଟାଏ ପରିବର୍ତ୍ତନ ମୁଁ ଲକ୍ଷ୍ୟ କରିଥିଲି । ସେଦିନ ବର୍ଷଣକ୍ଲାନ୍ତ ଅଗଷ୍ଟ ସନ୍ଧ୍ୟାରେ କମ୍ୟୁନିଟି ହଲ୍‌ଠାରେ ଅଜୟ କୌଶିକ ସାଙ୍ଗରେ ଦେଖିଲା ଦିନଠାରୁ ତାକୁ ଦେଖୁଛି ଏକ ପୂର୍ଣ୍ଣାଙ୍ଗ ନାରୀ ରୂପରେ । ଛଅମାସ ତଳର ଅନୁଚ୍ଚ ଶ୍ୟାମାଙ୍ଗୀ ଏବଂ ମୋ ଆଖିରେ ପ୍ରତୀୟମାନ ହେଉଥିବା ଏକ ଅପ୍ରାପ୍ତ ବୟସ୍କା ମିନତି ହଠାତ୍‌ ଯେପରି ହୋଇଗଲା କେଶବତୀ, ରସବତୀ ପ୍ରେମିକାଟିଏ । ତା ମୁହଁରେ ବେଶ୍‌ ଗୋଟାଏ ସ୍ନିଗ୍‌ଧ ଝଲକ ଖେଳିଉଠୁଥିଲା ଏବଂ ତା’ର ଚାଲିରେ ଫୁଟି ଉଠୁଥିଲା ଏକ ପ୍ରେମିକା ସୁଲଭ ଅସତର୍କ ଚାଞ୍ଚଲ୍ୟ । ପ୍ରତିଦିନ ଶାଢ଼ି ବଦଳାଇ ସେ ଆସୁଥିଲା ଅଫିସକୁ ଯାହା ପୂର୍ବରୁ କେବେ ହେଉ ନଥିଲା ।

 

ଦିନେ ଗୋଟାଏ ଡ୍ରାଫଟ ସମ୍ପର୍କରେ ତାକୁ ଡାକିଲି । ଫାଇଲ୍‌ଟି ହେଡ଼୍‌ଆସିଷ୍ଟାଣ୍ଟଙ୍କ ଜରିଆରେ ନ ଦେଇ ସେ ପଠାଇ ଦେଉଥିଲା ସିଧାସଳଖ ମୋ ଟେବୁଲକୁ ଏବଂ ସେଥିରେ ଅସଂଖ୍ୟ ବାକ୍ୟଗତ ଭୁଲ୍‌ ରହିଯାଇଥିଲା ।

 

ମିନତି ଆସି ଠିଆହେଲା ମୋ ସାମ୍ନାରେ । ତା’ର ନାକରେ ଏବେ ଛୋଟ ତାରା ପରି ଚଣାଟିଏ ପିନ୍ଧିଛି ଏବଂ ତା’ର ବାଆଁହାତ କାଣି ଅଙ୍ଗୁଳିରେ ନେଲ୍‌ ପଲିସ୍‌ କରିଛି । ତା’ର ସରୁ ଗ୍ରୀବାଦେଶରେ ଝୁଲିପଡ଼ିଛି ସୁନା ଚେନ୍‌ ଟିଏ ଯାହାଠାରୁ ତା’ର ପିନ୍ଧା ବ୍ଲାଉକ ଅନେକ ତଳେ ରହିଛି-

 

ମୁଁ ତା’ର ଭୁଲ ସମ୍ପର୍କରେ କିଛି ନକହି ତାକୁ ଚାହିଁରହିଲି କିଛିକାଳ । ମୋର ମନେ ପଡ଼ୁଥିଲା ସେଦିନର ବର୍ଷଣକ୍ଳାନ୍ତ ସନ୍ଧ୍ୟା କଥା । ମିନତି ମୋର ଏଇ ଆକସ୍ମିକ ବ୍ୟବହାରରେ ସେ ସମ୍ଭବତ ଶଙ୍କିତ ହେଉଥିଲା ଏବଂ ଯଥାସମ୍ଭବ ତା’ରି ଦେହର ସ୍ଥାପତ୍ୟ ସମ୍ପର୍କରେ ସଚେତନ ହେଉଥିଲା ।

 

ମୁଁ ହଠାତ୍‌ ସଚେତନ ହେଲି । ପଚାରିଲି ହଁ, ମିନତି ତମର କୌଣସି ଇଂପୃଭ ହେଲାନାହିଁ । ଏଇ ଡ୍ରାଫ୍‍ଟରେ ଯାହା ଲେଖିଛ, ତାହା ସମ୍ପୂର୍ଣ୍ଣ ଭୁଲ୍‌ । ତା’ଛଡ଼ା ଫାଇଲ୍‌ ଟି ହେଡ଼୍‌ ଆସିଷ୍ଟାଣ୍ଟାଙ୍କୁ ନ ଦେଇ ସିଧାସଳଖ ମୋ ପାଖକୁ କାହିଁକି ପଠାଇଦେଲ ?

 

ମିନତି ଧୀରକଣ୍ଠରେ କହିଲା-ସାର୍‌, ହେଡ଼୍‌ ଆସିଷ୍ଟାଣ୍ଟ ଆଜି ଛୁଟିରେ । ଏଇଟା ଏକ ଅର୍‌ଜେଣ୍ଟ ଚିଠି । ତେଣୁ ଆପଣଙ୍କ ପାଖକୁ ପଠାଇଦେଲି ।

 

ମନେ ମନେ ଖୁବ୍‌ ବିରକ୍ତ ହେଲି । ମୋର ଏଇ ବିରକ୍ତିଭାବେ ଦେଖି ମିନତି କହିଲା-ସାର୍‌, ଭୁଲ୍‌ ହୋଇଯାଇଛି । ଏଣିକି ସିଧାସଳଖ ଫାଇଲ୍‌ ପଠାଇବି ନାହିଁ ।

 

ମୋର ରାଗ ଓ ବିରକ୍ତ ଅବଶ୍ୟ ଶୀତଳ ପଡ଼ିଗଲା । ନାରୀପାଖରେ ମୁଁ ସବୁବେଳେ ଦୁର୍ବଳ । କାରଣ ପୃଥିବୀର ପ୍ରତ୍ୟେକ ନାରୀଙ୍କୁ ମୁଁ ସ୍ନେହ କରେ । ପ୍ରେମ କରେ । ସେମାନେ ପ୍ରତ୍ୟେକ ଯେପରି ମୋର ପ୍ରାଣସ୍ପନ୍ଦନର ଉତ୍ସ । ସେମାନଙ୍କୁ କେହି ଅପମାନିତ କଲେ ମୁଁ କେବେ ବରଦାସ୍ତ କରିପାରେ ନାହିଁ ।

 

ମିନତିକୁ କହିଲି—ତମେ ଆହୁରି ଅନେକ ଭୁଲ୍‌ କରି ଚାଲିଛ । ସେଗୁଡ଼ିକର ସଂଶୋଧନ କରିପାରିବ ତ ?

 

ମିନତି ସମ୍ଭବତଃ ମୋ କଥାର ମର୍ମ ବୁଝିପାରିଲା ନାହିଁ । ଆଶ୍ଚର୍ଯ୍ୟ ଓ ବିସ୍ମୟ-ବିମୂଢ଼ ହୋଇ ଚାହିଁଲା ମୋ ଆଡ଼େ ଏବଂ ପରେ କହିଲା—ସାର୍‌...

 

କହିଲି—ତମ ବ୍ୟକ୍ତିଗତ ଜୀବନର ଗୋଟିଏ ଭୁଲ୍‍ ମୋ ନଜରକୁ ଆସିଯାଇଛି ମିନତି-। ସେ ସବୁଥିରେ ମୁଁ ଦେଖୁଛି ତମେ ଅନେକ ସମୟ ଓ ଶକ୍ତି କ୍ଷୟ କରୁଛ । ସେହି ସମୟରୁ କିଛି କାଟି ଯଦି ଘରେ ପଢ଼ାପଢ଼ି କରନ୍ତ ତେବେ ତମର ଯଥେଷ୍ଟ ମାନସିକ ଉନ୍ନତି ଘଟନ୍ତା-

 

ମୋର ଶ୍ଳେଷ ସମ୍ଭବତଃ ମିନତି ବୁଝିପାରିଲା । ଏକ ଆହତ ବେଦନାବିଦ୍ଧ ପକ୍ଷୀ ପରି ମୋ ସାମ୍ନରେ ଠିଆରହି ସେ ଭୟଙ୍କର ଭାବରେ ଛଟପଟ ଓ ଅସ୍ତବ୍ୟସ୍ତ ହେଉଥିଲା । ତାର ସେଇ ଶ୍ୟାମ-ସ୍ନିଗଧ ମୁଖମଣ୍ଡଳରେ ହଠାତ୍‌ ଯେପରି ଛାଇଗଲା ଆଶଙ୍କାର କଳାମେଘ । ମୁଁ ତା’ର ବ୍ୟସ୍ତତା ଅନୁଭବ କଲି ଏବଂ ତାକୁ ଚାଲିଯିବା ପାଇଁ ଅନୁମତି ଦେଲି ।

 

ସେ ଚାଲିଗଲା ପରେ ମୁଁ ମନେ ମନେ ଦୁଃଖିତ ହେଉଥିଲି । କାହିଁକି ଗୋଟାଏ ଝିଅ ମନରେ ମୁଁ ଆଘାତ ଦେବାକୁ ଚେଷ୍ଟା କଲି ? ତାର ଅବଶ୍ୟ ପ୍ରେମ କରିବାର ବୟସ ଆସିଛି । ପ୍ରେମିକା କ’ଣ ବୁଝେ ସମାଜ ଓ ଶାସନ ଶୃଙ୍ଖଳର ଅର୍ଥକୁ ? ମୁଁ ଯାହା ଆଜି ତାକୁ କହିଲି, ସେ କହିବା ସେହି ରକ୍ଷଣଶୀଳ ସମାଜ ସଂସ୍କାରର ରୁଚିବୋଧ ମଧ୍ୟରେ ସୀମାବଦ୍ଧ । ମୋର ଇଙ୍ଗିତଧର୍ମୀ ସତର୍କତା ପାଇଁ ସେ ହୁଏତ ଶଙ୍କିତ ହୋଇ ଥାଇପାରେ; ମାତ୍ର ସେ କ’ଣ ମାନିନେବ ମୋର ସେଇ ଅଭିଭାବକସୁଲଭ ପରାମର୍ଶକୁ ?

 

ଏ ଘଟଣାର କିଛିଦିନ ପରେ ମୁଁ ମିନତି ଓ ଅଜୟ କୌଶିକକୁ ଦିନେ ପ୍ରାୟ ରାତି ସାଢ଼େ ଆଠଟା ବେଳେ ବସ୍‌ଷ୍ଟାଣ୍ଡ୍‌ ନିକଟବର୍ତ୍ତୀ ଲୋକଗହଳି ପାର୍କରେ ଦେଖିବାକୁ ପାଇଲି । ଦଶ ନମ୍ୱର ସେକ୍‌ଟରରେ ମୋର ଜଣେ ସମ୍ପର୍କୀୟଙ୍କ ଘରୁ ରାତି ସାଢ଼େ ଆଠଟା ବେଳେ ଫେରୁ ଫେରୁ ମୋ ସ୍କୁଟର ହଠାତ୍‌ ଅଚଳ ହୋଇଗଲା । ତେଣୁ ମୁଁ ସ୍କୁଟରଟିକୁ ପୃଷ୍ଟି ଗ୍ୟାରେଜରେ ରଖି ଦେଇ ଟାଉନ୍‌ ବସ୍‌ରେ ଘରକୁ ଯିବା ଲାଗି ବସ୍‌ ଷ୍ଟାଣ୍ଡରେ ତକାଇ ବସିଥିଲି । ଟାଉନ ବସ୍‌ ଆସିବାରେ ଯଥେଷ୍ଟ ବିଳମ୍ୱ ହେଲା । ମୁଁ ଅନ୍ୟମନସ୍କ ଭାବରେ ବୁଲୁବୁଲୁ ପାର୍କ ଆଡ଼କୁ ଚାଲିଗଲି ।

 

ମୋର ପ୍ରଥମ ଦୃଷ୍ଟିପାତରେ ପାର୍କର ଫୋରୋସେଣ୍ଟ ଆଲୋକରେ ଦେଖାଦେଲେ ମିନତି ଓ ଅଜୟ । ରାତି ସାଢ଼େ ଆଠଟାବେଳେ ସେମାନଙ୍କୁ ପାର୍କରେ ଦେଖି ଅବଶ୍ୟ ମୁଁ ବିସ୍ମିତ ହେଲି ନାହିଁ । କାରଣ ଇତିପୂର୍ବରୁ ସେମାନଙ୍କର ଏଇ ମିଳାମିଶା ମୋ ଦୃଷ୍ଟିକୁ ଆସିଥିଲା । ମୁଁ ଆଉ ପାର୍କ ଆଡ଼େ ନ ଯାଇ ବସ୍‌ଷ୍ଟାଣ୍ଡକୁ ଫେରି ଆସିଲି । ଅବଶ୍ୟ ସେମାନେ ମୋତେ ଦେଖିପାରି ନଥିଲେ ।

 

ସେମାନଙ୍କୁ ଦେଖି ମୋ ଭିତରେ ସେତେବେଳେ ନିଶ୍ଚିତ ଭାବରେ ଇର୍ଷା ଜାଗ୍ରତ ହୋଇଥିଲା । ଆମ ଅଫିସରେ ଚାକିରୀ କରୁଥିବା ଏବଂ ଖାସ୍‌ ମୋ କର୍ତ୍ତୃତ୍ୱରେ ଚାକିରୀ କରୁଥିବା ଗୋଟିଏ ଯୁବତୀ ଝିଅକୁ ଆଉ ଏକ ଯୁବକ ଏହିଭଳି ଅବାଧରେ ପ୍ରେମ କରି ପାରୁଛି; ଅଥଚ ମୁଁ ରହିଯାଇଛି ଅସହାୟ ହୋଇ । ମୋର ପ୍ରଶାସନିକ କର୍ତ୍ତୃତ୍ୱ ଅଜୟ କୌଶିକ ପ୍ରତି ହଠାତ୍‌ ବିଦ୍ରୋହ କରିଉଠିଲା ।

 

ଅପର ପକ୍ଷରେ ମୋର କର୍ତ୍ତା ସୁଲଭ ଅଭିଭାବକତ୍ୱ ମୋତେ ସ୍ଥିର ଓ ଉଦାର ହେବା ପାଇଁ ପରାମର୍ଶ ଦେଉଥିଲା । ପ୍ରେମ ଏକ ବ୍ୟକ୍ତିଗତ ବ୍ୟାପାର, ମିନତି ଓ ଅଜୟ ଯଦି ପରସ୍ପରକୁ ପ୍ରେମ କଲେ, ବର୍ଷଣମୁଖର ସନ୍ଧ୍ୟାରେ ଅଥବା ନିର୍ଜନ ପାର୍କରେ ସେମାନେ ଯଦି କ୍ଲାନ୍ତିହୀନ ଭାବରେ ବୁଲିବୁଲି ସେମାନଙ୍କ ମନର ଆବେଗ ଓ ଉଚ୍ଛ୍ୱାସକୁ ପ୍ରଶମିତ କଲେ, ସେଥିରେ ମୋର ଯାଏ ଆସେ ବା କଣ ?

 

ମୋ ମନର ପ୍ରଥମ ପ୍ରତିକ୍ରିୟାକୁ ମୁଁ ଭୁଲିଯିବା ପାଇଁ ଚେଷ୍ଟା କରୁଥିଲି; ମାତ୍ର ମୋ ଭିତରେ ଦ୍ୱନ୍ଦ୍ୱ ଲାଗି ରହିଥିଲା । ତାଙ୍କର ଯଦି ଏଇ ପ୍ରେମ, ବିବାହରେ ପରିଣତ ନହୁଏ ? ତାଙ୍କର ଏଇ ପ୍ରେମ ଯଦି ଉଚ୍ଛୃଙ୍ଖଳ ଓ ଲଗାମ୍‌ହୀନ ହୋଇଉଠେ ? ଗୋଟାଏ ପ୍ରମତ୍ତ ଭବାବେଗରେ ଆଜି ସେମାନେ ଖୁବ୍‌ ନିକଟତର ହୋଇଛନ୍ତି । ଏଇ ଭାବାବେଗ କଟିଗଳା ପରେ ସେମାନେ ଯଦି ପରସ୍ପର ବିଛିନ୍ନ ହୋଇଯାନ୍ତି ? କ’ଣ ହେବ ମିନତିର ଅବସ୍ଥା ? ଅଜୟର ଅବଶ୍ୟ କିଛି ହେବ ନାହିଁ-। ମାତ୍ର ମିନତି ଭଳି ନିର୍ବୋଧ ଝିଅଟି ପରେ ଅନେକ ଅନୁତାପ କରିବ ।

 

ତଥାପି ଟାଉନ୍‌ ବସ୍‌ ଆସି ନାହିଁ । ମୋ ଭଳି ଅନେକ ଯାତ୍ରୀ ଟାଉନ୍‌ ବସ୍‌କୁ ଅପେକ୍ଷା କରି କରି ଭାରାକ୍ରାନ୍ତ ହେଲେଣି ।

 

ମୁଁ ପୁଣି ସଚେତନ ହେଉଥିଲି । ମିନତି ଓ ଅଜୟ ସମ୍ପର୍କରେ ଏସବୁ କଥା ଭାବି କ’ଣ ଅବା ଲାଭ ? ସେମାନେ ପ୍ରେମ କରୁଛନ୍ତି ସେମାନଙ୍କ ମୁଖ ଓ ଆନନ୍ଦ ପାଇଁ । ପୃଥିବୀରେ ଅନେକ ଯୁବକ ଯୁବତୀ ଏଇଭଳି ପ୍ରେମ କରନ୍ତି । ବହୁ ରୋମାଞ୍ଚକରି ଓ ଦୁଃସାହସିକ ଅଭିଯାନ କରିବସନ୍ତି-। ମିନତି ଓ ଅଜୟ ତାଙ୍କ ଅଫିସ୍‌ରେ କାର୍ଯ୍ୟ କରନ୍ତି ବୋଲି ସିନା ସେମାନଙ୍କ କଥା ସେ ଚିନ୍ତା କରୁଚନ୍ତି । ସେ ଯଦି ତାଙ୍କ ଅଫିସରେ କାର୍ଯ୍ୟ କରୁନଥାନ୍ତେ...ଛାଡ଼... । ସେମାନଙ୍କ ବ୍ୟାପାର ଠାରୁ ନିଜକୁ ଦୂରେଇ ରଖିବା ସବୁଠାବୁ ଭଲ । ସେମାନଙ୍କ ପ୍ରେମ ବରଂ ସାର୍ଥକ ଓ ସୁଖମୟ ହେବା ଦରକାର । ସେମାନଙ୍କ ପ୍ରେମ ବରଂ ସାର୍ଥକ ଓ ସୁଖମୟ ହେବା ଦରକାର । ସେମାନଙ୍କ ପ୍ରେମ ବ୍ୟାପାରରୁ ନିଜକୁ ଦୂରେଇ ରଖିବା ବରଂ ଶ୍ରେୟସ୍କର ।

 

ମୁଁ ଏଇମିତି ଭାବୁଥିଲି । ଟାଉନ୍‌ ବସ୍ ଆସି ପହଞ୍ଚି ଯାଇଥିଲା ବସ୍‌ ଷ୍ଟାଣ୍ଡରେ ।

Image

 

ବନ୍ୟ

 

ଗାଁରେ ରଜ କଟାଇ ଶୁଦ୍ଧୋଧନ ଫେରୁଛନ୍ତ ସହରକୁ ।

ଗାଁ ଠାରୁ ଅଧମାଇଲିଏ ଦୂରରେ ସେଇ ଯେଉଁ ଗାଉଁଲୀ ବସ୍‌ଷ୍ଟାଣ୍ଡ, ଶୁଦ୍ଧୋଧନ ସେଠାରୁ ବସ୍‌ ଧରିଲେ । ସେଦିନ ଥିଲା ବସ୍‌ରେ ଅସମ୍ଭବ ଭିଡ଼ । କାରଣ ରଜପର୍ବ ଶେଷ ହେବାର ତାହାଥିଲା ପରବର୍ତ୍ତୀ ଦିବସ । ତେଣୁ ଦୂର ବିଦେଶରୁ ଆସିଥିବା ତାଙ୍କ ଅଞ୍ଚଳର ଲୋକେ ଫେରୁଛନ୍ତି ସବୁ ସହରକୁ ଯେଉଁଠାରେ ସେମାନେ ଚାକିରି କରି ଅନ୍ନ ସଂସ୍ଥାନ କରନ୍ତି ।

ଖୁନ୍ଦାଖୁନ୍ଦି ଓ ଠେସାଠେସିର ଅସମ୍ଭବ ଭିଡ଼ ଭିତରେ ଶୁଦ୍ଧୋଧନ ବାଧ୍ୟ ହୋଇ ବସ୍‌କୁ ଉଠିଲେ । ସେତେବେଳକୁ ବସ୍‍ର ସୀମିତ ସ୍ଥାନଗୁଡ଼ିକ ପରିପୂର୍ଣ୍ଣ ହୋଇ ଯାଇଥିଲା । ତେଣୁ ସେ ନୀରବରେ ବସ୍‌ ବାଡ଼କୁ ଧରି ଦୂରଗାମୀ ସହରକୁ ଯିବାପାଇଁ ମନେ ମନେ ସ୍ଥିର କରୁଥିବା ବେଳେ ହଠାତ୍‌ ଆଗ ସିଟ୍‌ରୁ କେହି ଜଣେ ଯାତ୍ରୀ ତାଙ୍କ ପାଖକୁ ଯିବା ଲାଗି ଡକା ପକାଇଲେ ।

ଶୁଦ୍ଧୋଧନ ସେଇ ଅସମ୍ଭବ ଯାତ୍ରୀ ଭିଡ଼କୁ ଠେଲି ବହୁ କଷ୍ଟରେ ଆଗକୁ ଆଗେଇଲେ । ଯେଉଁ ଭଦ୍ରଲୋକ ଜଣକ ତାଙ୍କୁ ଅଶେଷ ସହାନୁଭୂତି ଓ କରୁଣା ଦେଖାଇ ଡାକ ଛାଡ଼ୁଥିଲେ, କିଛିବାଟ ଆଗକୁ ଗଲାପରେ ଜାଣିଲେ ଯେ, ସେ ହେଉଛନ୍ତି ତାଙ୍କର ପ୍ରିୟ ବନ୍ଧୁ ନିର୍ମଳ ଚନ୍ଦ୍ର ।

ନିର୍ମଳଙ୍କ ସିଟ୍‌ରେ ଅବଶ୍ୟ ତିନି ଜଣ ଲୋକ ଥିଲେ । ତଥାପି ନିର୍ମଳଙ୍କ ସମତେ ତାଙ୍କର ସେହି ଦୁଇଜଣ ସହଯାତ୍ରୀ ଶୁଦ୍ଧୋଧନଙ୍କୁ ଅନୁରୂପ ଶ୍ରଦ୍ଧା ଓ ସହାନୁଭୂତି ଦେଖାଇ ସେଇଠାରେ ବସିବାକୁ କହିଲେ ।

ଶୁଦ୍ଧୋଧନ କୌଣସିମତେ ବସିବାକୁ ସ୍ଥାନ ପାଇ ବନ୍ଧୁ ନିର୍ମଳଙ୍କୁ ଅଜସ୍ର ଧନ୍ୟବାଦ ଜଣାଉଥିଲେ । ନିର୍ମଳ ଓ ତାଙ୍କ ସହଯାତ୍ରୀଙ୍କ ପ୍ରତି ଶୁଦ୍ଧୋଧନଙ୍କ ମନ କୃତଜ୍ଞତାରେ ଭରିଯାଉଥିବା ଅବସ୍ଥାରେ ସେ ଯେତେବେଳେ ବସ୍‌ର ଡାହାଣ ପାର୍ଶ୍ୱକୁ ଅନାଇଦେଲେ, ସେତେବେଳେ ସେ ଜାଣିଲେ ଯେ, ଏଇ ସିଟ୍‌ଟି ମହିଳାଙ୍କ ପାଇଁ ଉଦିଷ୍ଟ । ତାଙ୍କ ନିଶ୍ଚିତ ଓ ଆଶ୍ୱସ୍ତ ମନ ଭିତରେ ପୁଣି ଛାଇ ହୋଇଗଲା ଅନିଶ୍ଚିତତାର ଏକ କଳାମେଘ । ଯାତ୍ରା ସମୟରେ କେହି ଯଦି ମହିଳା ଯାତ୍ରୀ ଉଠନ୍ତି, ହୁଏତ ତାଙ୍କର ଦୀର୍ଘ ଯାତ୍ରାପଥ ଯନ୍ତ୍ରଣାଦାୟକ ହୋଇଉଠିବ ।

ବସ୍‍ଟି ମାତ୍ର ମାଇଲିଏ ବାଟ ଅତିକ୍ରମ କରିଛି । ସେଇ ଷ୍ଟପେଜ୍‌ରୁ ଉଠିଲେ ଦୁଇଜଣ ଭଦ୍ରବ୍ୟକ୍ତି ଓ ଦୁଇଜଣ ଭଦ୍ର ମହିଳା । ଶୁଦ୍ଧୋଧନ ଓ ତାଙ୍କ ବନ୍ଧୁ ନିର୍ମଳଚନ୍ଦ୍ର ଆତଙ୍କିତ ହୋଇଉଠିଲେ ।

ଶୁଦ୍ଧୋଧନ ତାଙ୍କ ପଛପଟ ସିଟ୍‌କୁ ଅସହାୟ ଭାବରେ ଚାହିଁଲେ । ସେଠାରେ ବସିଛନ୍ତି ଜଣେ ଭଦ୍ର ମହିଳା ଓ ଆଉ ଦୁଇଜଣ ଭଦ୍ରଲୋକ । ସମ୍ଭବତଃ ସେ ଦୁହେଁ ମହିଳାଙ୍କର ଆପଣାର ଲୋକ ହୋଇଥିବେ । ଅବଶ୍ୟ ସେଇ ସିଟ୍‌ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ଥିଲା । ଆଗନ୍ତୁକ ଭଦ୍ର ମହିଳା ଦ୍ୱୟ ବସ୍‌କୁ ଉଠିବା ପରେ ଶୁଦ୍ଧୋନଙ୍କ ପଛ ସିଟ୍‌ରେ ବସିଥିବା ଅନ୍ୟ ଦୁଇଜଣ ସଂଭ୍ରାନ୍ତ ଭଦ୍ରଲୋକ ବେଶ୍‌ ସଂଭ୍ରମ ସହକାରେ ଉଠୁଥିଲେ ଏବଂ ଆଗନ୍ତୁକ ମହିଳା ଦୁଇଜଣ ସେଠାରେ ବସିବା ଲାଗି ଉପକ୍ରମ କରୁଥିଲେ ।

ମାତ୍ର ହଠାତ୍‌ ସେଇ ଭଦ୍ର ମହିଳାଙ୍କ ସାଙ୍ଗରେ ଯେଉଁ ଦୁଇଜଣ ଭଦ୍ରଲୋକ ଉଠିଥିଲେ, ତାଙ୍କ ଭିତରୁ ଜଣେ ସ୍ୱାସ୍ଥ୍ୟବାନ ଯୁବକ ଶୁଦ୍ଧୋଧନଙ୍କ ଆଡ଼କୁ ରାଗ ଓ କ୍ରୋଧରେ ମାଡ଼ିଆସି କହିଲେ–ତମେ ଉଠ, ତମକୁ ଉଠିବାକୁ ହେବ ।

ଶୁଦ୍ଧୋଧନ ହଠାତ୍‌ ସେଇ ଯୁବକଙ୍କର ବ୍ୟବହାରରେ କ୍ଷୁବ୍‌ଧ ହୋଇଉଠିଲେ ଓ ତାଙ୍କର ଏଇ ଅଶୋଭନୀୟ ଆଚରଣ ଲାଗି ଏକ ଦୃଢ଼ ପ୍ରତିବାଦ କଣ୍ଠରେ କହିଲେ-ଆପଣ ଠିକ୍‌ ଭାବରେ କଥାବାର୍ତ୍ତା କରନ୍ତୁ !

 

ଏଇ ମୃଦୁ ପ୍ରତିବାଦରେ ସେହି କ୍ରୂଦ୍ଧ ଓ ଉତ୍ତେଜିତି ଯୁକକ ଜଣକ ତଥାପି ନୀରବ ହେଲେ ନାହିଁ । ବରଂ ଅଧିକ ଉଦ୍ଧତ ଓ ଉତ୍ତେଜିତ ସ୍ୱରରେ କହିଲେ—ବସରୁ ଓହ୍ଲାଇ ଆସ ତଳକୁ, ସେଇଠାରେ ଦେଖାଦେଖି ହେବା । ୟାଛଡ଼ା ଆହୁରି ଆଶ୍ରାବ୍ୟ, ଅଶ୍ଳୀଳ ଓ ଅଭଦ୍ର ସୁଲଭ ଭଙ୍ଗୀରେ ସେ କହିବାକୁ ଆରମ୍ଭ କରିଦେଲେ ।

 

ଶୁଦ୍ଧୋଧନ ତାଙ୍କର ଦୀର୍ଘ ଚାଳିଶି ବର୍ଷ ବୟସର ପୋଖତ ଅଭିଜ୍ଞତା ମଧ୍ୟରେ କେବେ ଏପରି ଆହତ ଓ ଅପମାନିତ ହେବାର ମନେ ପଡ଼ୁନାହିଁ । ତାଙ୍କ ଅଞ୍ଚଳର କୌଣସି ବ୍ୟକ୍ତି ତାଙ୍କ ସହିତ ଏପରି ଅବାନ୍ତର ଯୁକ୍ତି କରିଥିବାର କେବେ ସ୍ମରଣ ହେଉନାହିଁ । ଏହି ଉଦ୍ଧତ ଅଥଚ ଅର୍ବାଚୀନ ଯୁବକର ଏଭଳି ଆହ୍ୱାନରେ ସେ ଭୟଙ୍କର ପ୍ରତିବାଦ କରିଉଠିଲେ ଏବଂ ଇଂରାଜୀରେ ଯୁକ୍ତି କରିବାକୁ ଲାଗିଲେ ତାଙ୍କ ସହିତ । ସେହି ଯୁବକଙ୍କ ପଛପଟେ ଠିଆ ଆଉ ଜଣେ ଗୌରକାୟ ଯୁବକ ତାଙ୍କର ପ୍ରତିପକ୍ଷ ହୋଇ ଖଣ୍ଡି ଖଣ୍ଡି ଇଂରାଜୀରେ ବାକ୍ୟାଳାପ କଲେ ଶୁଦ୍ଧୋଧନଙ୍କ ସହିତ-। ତାଙ୍କ ଯୁକ୍ତିର ସାର ମର୍ମ ଥିଲା—ତମେ ସେଇ ସିଟ୍‍ରୁ ଉଠିବାକୁ ବାଧ୍ୟ ।

 

ଶୁଦ୍ଧୋଧନ କହିଲେ—ତମେ ତମର ଆଚରଣ ସଂଶୋଧନ ନକଲା ପର୍ଯ୍ୟନ୍ତ ଓ ତମର ବ୍ୟବହାର ଲାଗି ତମେ ଦୁଖଃ ପ୍ରକାଶ ନକଲା ପର୍ଯ୍ୟନ୍ତ ମୁଁ ଏ ସିଟ୍‌ରୁ ଉଠିବି ନାହିଁ । ମହିଳାମାନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଓ ସହାନୁଭୂତି ରହିଛି । କିନ୍ତୁ ତମ ବ୍ୟବହାରର ପ୍ରତିବାଦ ସ୍ୱରୂପ ମୁଁ ଏଠାରୁ ଉଠିବି ନାହିଁ ।

 

ବସ୍‌ର ଅନ୍ୟ ଯାତ୍ରୀମାନେ ନୀରବ ନିସ୍ତବ୍‌ଧ । କାରଣ ବସ୍‌ ଯାତ୍ରା କରୁଥିବା ଅଧିକାଂଶ ବ୍ୟକ୍ତି ଶୁଦ୍ଧୋଧନଙ୍କୁ ବ୍ୟକ୍ତିଗତ ଭାବରେ ଜାଣନ୍ତି । ସେମାନଙ୍କ ମଧ୍ୟରୁ କେହି କେହି ଏଇ ଯୁବକ ଦ୍ୱୟଙ୍କ ଆଚରଣ ପାଇଁ ମଝିରେ ମଝିରେ ମୃଦୁ ପ୍ରତିବାଦ କରୁଛନ୍ତି ।

 

ଶୁଦ୍ଧୋଧନ ଓ ସେହି ଯୁବକଙ୍କୁ ଚିହ୍ନିଥିବା ଜଣେ ସ୍ଥାନୀୟ ଶିକ୍ଷକ ଏପରି ଅଭଦ୍ରୋଚିତ ବ୍ୟବହାରରୁ କ୍ଷାନ୍ତ ହେବା ପାଇଁ ବାରମ୍ୱାର ନିବୃତ୍ତ କରୁଥାନ୍ତି । ମାତ୍ର ଆଶ୍ଚର୍ଯ୍ୟ କଳା ରଙ୍ଗର ଯୁବକଟି ଯାହାଙ୍କର ମୁହଁରେ ବସନ୍ତର ଅଜସ୍ର ପଦଚିହ୍ନ ଏବେ ସୁଦ୍ଧା ରହିଯାଇଛି ସ୍ପଷ୍ଟ ଭାବରେ, ଯାତ୍ରୀମାନଙ୍କର ସମବେତ ମୃଦୁ ପ୍ରତିବାଦ ଓ ସେହି ପରିଚିତ ସ୍ଥାନୀୟ ଶିକ୍ଷକଙ୍କର ଅନ୍ତରଙ୍ଗ ପ୍ରଚେଷ୍ଟା ସତ୍ତ୍ୱେ ତଥାପି ମଧ୍ୟ ଭାରସାମ୍ୟହୀନ ଭାଷାରେ ଏଣୁ ତେଣୁ ବକୁଥିଲେ ।

 

କେତେ ମିନିଟ୍‌ ଅତିବାହିତ ହେଲାପରେ ଶୁଦ୍ଧୋଧନ ନୀରବରେ ଲକ୍ଷ୍ୟ କଲେ ଆଗନ୍ତୁକା ମହିଳା ଦୁହେଁ ବେଶ୍‌ ସ୍ୱଚ୍ଛନ୍ଦରେ ସେମାନଙ୍କ ସିଟର ବସିଯାଇଛନ୍ତି । ତେଣୁ ଶୁଦ୍ଧୋଧନ ସେହି ଉଦ୍ଧତ ଯୁବକଟିର ପରିଚୟ ଜାଣିବା ଉଦ୍ଦେଶ୍ୟରେ ପଚାରିଲେ ଏଇ ପାଖ ଆଖ ଗାଁର କେଉଁଠି ତମର ଘର ? କ’ଣ ତମର ନାମ ?

 

ଯୁବକ ଜଣକ ସେଇଭଳି ଅଗ୍ରାହ୍ୟ ସୁଲଭ ଅନୁବାଦ ଭାଷାରେ କଥାବାର୍ତ୍ତା କରୁଥାନ୍ତି । ଅବଶ୍ୟ ଅପର ଯୁବକଟି ସେତେବେଳକୁ କାହିଁକି କୋଜାଣି ନୀରବ ହୋଇଯାଇଥିଲେ । ସମ୍ଭବତଃ ବସ୍‌ଯାତ୍ରୀମାନଙ୍କ ମୃଦୁ ପ୍ରତିବାଦ ଓ ଭର୍ତ୍ସନାରେ ସେ ତାଙ୍କର ଆଚରଣ ସମ୍ପର୍କରେ ସଚେତନ ହେଉଥିଲେ ।

 

କିଛି ସମୟ ପରେ କଳାରଙ୍ଗର ଯୁବକଟି ସ୍ୱଗତ ଭାବରେ କହି ଚାଲିଲେ ଆମ ଆଗରେ ଇଂରେଜୀ ଚୋବାଉଛି । ଭାରତକୁ ପୁଣି କ’ଣ ବ୍ରିଟିଶ ଚାଲି ଆସିଲେ । ପୁଣି କି ଅଦ୍ଭୁତ ଇଂରାଜୀ ! ଚାଇନାବଜାର ଇଂରେଜୀ ! !

 

ଶୁଦ୍ଧୋଧନଙ୍କ ଚେତନାରେ କ୍ରମଶଃ ଏକ ସ୍ନିଗ୍‌ଧ ଓ ଶୀତଳତାର ଛାୟା ସଞ୍ଚରିତ ହୋଇ ଅସୁଥିଲେ ମଧ୍ୟ ସେଇ ଅହଂକାର ଦୀପ୍ତ ଉଦ୍ଧତ ଯୁବକଟିର ଇଦୃଶ କଥା ଶୁଶି ତାଙ୍କୁ ପ୍ରତିବାଦ କରିବାକୁ ପଡ଼ିଲା ।

 

ସେ କହିଲେ—ତମେ ବାଳକ, ଇଂରେଜୀରେ ଆଗ କଥା କହିବା ଆରମ୍ଭ କରିଛ । ତା’ପରେ ମୁଁ ବାଧ୍ୟ ହୋଇ ଇଂରେଜୀରେ ଉତ୍ତର ଦେଇଛି । ମୁଁ ଭୁଲ୍‌ କି ଠିକ୍‌ ଇଂରେଜୀ କହୁଛି, ଏଇ ବସ୍‍ରେ ଯାଉଥିବା ଯେ କେହି ଇଂରେଜୀ ପଢ଼ୁଆ ଯାତ୍ରୀଙ୍କୁ ଡାକି, ଆସ ଆମ ଇଂରାଜୀ ଭାଷା-ଜ୍ଞାନର ପରଖ କରିବା । ତା’ଛଡ଼ା ତମେ ଓଡ଼ିଆ ତ ନିର୍ଭୁଲ ଭାବର କହିପାରୁନ । ଆଉ ଶୁଣ ବାଳକ ! ତମେ ଯେତେବେଳେ ଚାରିପାଞ୍ଚ ବର୍ଷ ବୟସର ସମ୍ଭବତଃ ବାଳୁତ ଥିଲ, ସେତେବେଳେ ବିଶ୍ୱବିଦ୍ୟାଳୟରୁ ମୁଁ ଡିଗ୍ରୀ ଆଣିଛି । ତେଣୁ ମୁଁ ଶୁଦ୍ଧ ଇଂରେଜୀ କହୁଛି କି ନାହିଁ, ତାହାର ଆସ ପରୀକ୍ଷା କରିବା । ମୁଁ ପୁଣି ଥରେ କହୁଛି ତମ ବ୍ୟବହାର ଓ ଆଚରଣରେ ସଂଯତ ହୁଏ ।

 

ସେତେବେଳକୁ ବସ୍‍ର ଅନ୍ୟଯାତ୍ରୀମାନେ ଏହି ଯୁବକଙ୍କର ବାରମ୍ୱାର ଆକ୍ରମଣୋଚିତ ଓ ବର୍ବର ବ୍ୟବହାରରେ ଅତିଷ୍ଠ ହୋଇ ଉଠିଥିଲେ । ଯାତ୍ରୀମାନଙ୍କ ମଧ୍ୟରୁ କେହି ଜଣେ କହି ଉଠିଲେ—ଆପଣଙ୍କ ମହିଳାମାନେ ବେଶ ସ୍ୱଚ୍ଛନ୍ଦରେ ତ ବସିଗଲେଣି, ଆପଣ ଅଯଥାରେ କାହିଁକି ଯୁକ୍ତି କରୁଛନ୍ତି ?

 

ଯୁବକ ଜଣକ କାହାରିଠାରୁ ସହାନୁଭୂତି ନପାଇ ଶେଷରେ ଅବଶ୍ୟ ନୀରବ ରହିଲେ ।

 

ବସ୍‌ ଚାଲିଛି ।

 

ପ୍ରାୟ ଅଠର କିଲୋମିଟର ଅତିକ୍ରମ ହେଲାପରେ ପୁଣି ଗୋଟିଏ ଷ୍ଟପେଜ ପଡ଼ିଲା । ବସ୍‌ ଅଟକିଲା । ଶୁଦ୍ଧୋଧନଙ୍କ ଅଞ୍ଚଳର ସେଇ ଯେଉଁ ବୟସ୍କ ଶିକ୍ଷକଟି ସଂପୃକ୍ତ ଯୁବକଟିକୁ ଅଯଥା ଯୁକ୍ତିରୁ ନିବୃତ୍ତ କରିବା ଲାଗି ଆନ୍ତରିକ ଉଦ୍ୟମ କରୁଥିଲେ, ଯାତ୍ରୀ ଭିଡ଼କୁ କୌଣସି ମତେ ଠେଲି ପେଲି ସେ ଆସି ଶୁଦ୍ଧୋଧନଙ୍କ ପାଖରେ ପହଞ୍ଚିଗଲେ ।

 

ଶୁଦ୍ଧୋଦନ ତାଙ୍କୁ ଦେଖି ପଚାରିଲେ—ଆଚ୍ଛା ବଳରାମ ବାବୁ, କହି ପାରିବେ ସେଇ ଯୁବକଟିର ଘର କେଉଁଠି ଓ ତାଙ୍କ ନାମ କ’ଣ ?

 

ସେହି ବୟସ୍କ ଶିକ୍ଷକ ଜଣକ ପ୍ରଥମେ ସେହି ଯୁବକଙ୍କର ଗାଁ ନାଁ କହିଲେ ।

 

ଶୁଦ୍ଧୋଧନ ସେଇ ଗାଁ ନାଁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଛଚିଣା ଗାଁରେ ତାଙ୍କର କେତେ ବନ୍ଧୁ ଓ ଆତ୍ମୀୟ ସ୍ୱଜନ ରହିଛନ୍ତି । ଛଚିଣା ଥିଲା ତାଙ୍କର ଏକଦା ପ୍ରିୟ ଗାଁ । ଆପଣାର ସାଙ୍ଗ ସାଥୀମାନଙ୍କ ଘରେ କେତେଥର ସେ ଆତିଥ୍ୟ ଗ୍ରହଣ କରି କେତେ ଖରାବେଳ, ସକାଳ ଓ ସନ୍ଧ୍ୟା କାଟିଛନ୍ତି । ଅଥଚ ସେଇ ଗାଁର ଏଇ ଯୁବକ ଜଣକ । ବ୍ୟବହାରରେ କାହିଁକି ଏତେ ରୁଢ଼ତା ଓ ରୁକ୍ଷତା ?

 

ଶୁଦ୍ଧୋଧନ ଛଚିଣା ଗାଁର ବହୁ ବ୍ୟକ୍ତିଙ୍କୁ ମନେ ମନେ ସ୍ମରଣ କରୁଥିଲାବେଳେ ସେହି ଯୁବକ ଦ୍ୱୟ ଆପଣାର ଜିନିଷ ପତ୍ର ଧରି ଓହ୍ଲାଇଲେ । ତାଙ୍କ ପଛେ ପଛେ ସେଇ ଦୁଇଜଣ ଭଦ୍ର ମହିଳା ମଧ୍ୟ ଓହ୍ଲାଇଗଲେ ।

 

କିଛି ସମୟ ପରେ ବସ୍‍ ଛାଡ଼ିଲା । ଯାତ୍ରୀମାନେ ସେମାନଙ୍କ ସମ୍ପର୍କରେ ନାନା ମନ୍ତବ୍ୟ ଦେବାକୁ ଲାଗିଲେ । ପାଖରେ ଠିଆ ହୋଇଥିବା ସେହି ଭଦ୍ର ଶିକ୍ଷକ ଜଣଙ୍କୁ ଶୁଦ୍ଧୋଧନ ପଚାରିଲେ—ଆଚ୍ଛା ବଳରାମ ବାବୁ, ଛଚିଣାର ସେମାନେ କାହା ପୁଅ ?

 

ବଳରାମ ବାବୁ ସ୍ୱଭାବ ସୁଏଭ ଭଙ୍ଗୀରେ ହସିଲେ । କାରଣ ସେ ଜାଣିଥିଲେ ଯେ ସଂପୃକ୍ତ ଯୁବକ ଦ୍ୱୟଙ୍କ ବାପା ଶୁଦ୍ଧୋଧନଙ୍କର ପରିଚିତ ବୋଲି । ତେଣୁ ତାଙ୍କ ହସରେ ସତେ ଯେପରି ଭରି ରହିଥିଲା ଏକ କ୍ଷମାଶୀଳ ଉଦାର ମନୋଭାବର ଏକ ନିର୍ଭୁଲ ଉଜ୍ୱଳ ଦସ୍ତଖତ୍‌ ।

 

ବଳରାମ ବାବୁ କହିଲେ–ତମେ ସେମାନଙ୍କ ବାପମାନଙ୍କୁ ଜାଣିଛ ଶୁଦ୍ଧୋଧନ ବାବୁ । ମୋର ମନେ ହେଉଛି ତମର ହୁଏତ ସେମାନେ ବନ୍ଧୁ ବାନ୍ଧବ ହୋଇଥିବେ । କଳା ରଙ୍ଗର ଯୁବକଟି ହେଉଛି, ପଦ୍ମଚରଣ ଓ ଗୌର ରଙ୍ଗର ଯୁବକ ହେଉଛି ସିନ୍ଧୁ ଚରଣ ମହାପାତ୍ରଙ୍କ ପୁଅ । ତମେ ଆହୁରି ଆଶ୍ଚର୍ଯ୍ୟ ହେବ ଶୁଦ୍ଧୋଧନ ବାବୁ, କଳା ରଙ୍ଗର ଯୁବକଟି ଜଣେ ଏମ୍‌. ବି. ବି. ଏସ୍‌ ଡ଼ାକ୍ତର ଓ ଆର ଜଣକ ଜଣେ ଗ୍ରାଜୁଏଟ୍‌ ଶିକ୍ଷକ ।

 

ଶୁଦ୍ଧୋଧନ ଗଭୀର ବିସ୍ମୟରେ ଅଭିଭୂତ ହୋଇଗଲେ । ପଦ୍ମ ବାବୁ ଓ ସିନ୍ଧୁ ବାବୁ ଦୁଇ ଭାଇ । ପଦ୍ମ ବାବୁଙ୍କ ସହିତ କେଉଁ କାଳରୁ ତାଙ୍କର ପରିଚୟ । ସିନ୍ଧୁ ବାବୁଙ୍କ ସେ ଜାଣନ୍ତି ଭଲ ଭାବରେ ଅଥଚ ଏମାନେ ସେମାନଙ୍କର ପୁଅ ? କି ବ୍ୟବହାର ଦେଖାଇଲେ ସେମାନେ ତାଙ୍କୁ ?

 

ଶୁଦ୍ଧୋଧନଙ୍କ ବିସ୍ମୟ ଆହୁରି ଦିଗନ୍ତ ସ୍ପର୍ଶ କଲା ଯେତେବେଳେ ସେ ଜାଣିଲେ ଯେ, ଯୁବକଦ୍ୱୟ ଜଣେ ଡାକ୍ତର ଓ ଅନ୍ୟ ଜଣକ ଶିକ୍ଷକଟିଏ ବୋଲି ।

 

ସେ ଭାବିଲେ ଶିକ୍ଷା ମଣିଷକୁ ଉଦାର ଓ ଭଦ୍ର କରାଏ । ଶିକ୍ଷାର ପ୍ରଭାବରେ ମଣିଷ ହୁଏ ଆଲୋକପ୍ରାନ୍ତ ଓ ନମ୍ର । ମାତ୍ର ଆଶ୍ଚର୍ଯ୍ୟ ! ଶିକ୍ଷାର ସାଧାରଣ ଓ ସ୍ୱାଭାବିକ ଧର୍ମ ଏଇ ଦୁଇ ଯୁବକଙ୍କ ନିକଟରେ କିପରି ହୋଇଗଲା ଶୋଚନୀୟ ଭାବରେ ବ୍ୟତିକ୍ରମ ।

 

ବସ୍‌ ଚାଲିଥିଲା ଦୂରଗାମୀ ସହର ଆଡ଼କୁ ନିଶ୍ଚିନ୍ତରେ । ପୂର୍ବପରି ବସ୍‍ ମଧ୍ୟରେ ଆଉ କୌଣସି କଳି ତକରାଳ ଯୁକ୍ତି କିମ୍ୱା ଉତ୍ତେଜନାର ବାତାବରଣ ନଥିଲା ।

 

ଶୁଦ୍ଧୋଧନ ବସର ଗୋଟିଏ ପାର୍ଶ୍ୱକୁ ବସି ଅନାଇଥିଲେ ପ୍ରଥମ ଆଷାଢ଼ର ବୃଷ୍ଟିପାତରେ ଆର୍ଦ୍ର ହୋଇଥିବା ଦୁଇ ଦିଗର ମାଇଲ ମାଇଲ ବ୍ୟାପୀ କ୍ଷେତ ଆଡ଼କୁ, ଯେଉଁଠାରେ ଛୋଟ ଛୋଟ ଶ୍ୟାମଳ ଧାନଗଛ ସବୁ ଦେଖାଯାଉଥିଲେ ବେଶ୍‌ ଚହଟ ଚିକ୍‌ଣ ।

 

ଆଷାଢ଼ର ସେଇସବୁ କ୍ଷେତକୁ ଦେଖି ଶୁଦ୍ଧୋଧନଙ୍କ ମନ ଏକ ଶାନ୍ତ କୋମଳତାରେ ଭରିଯାଉଥିଲା ମଧ୍ୟ ସେହି ଯୁବକ ଦୁହିଁଙ୍କର ଅଶୋଭନୀୟ ଓ ବନ୍ୟ ଆଚରଣ ପାଇଁ ତାଙ୍କର ଅବଚେତନରେ ଯେପରି ରହିଯାଇଥିଲା ଏକ ରାକ୍ତ କ୍ଷରିତ ଆଘାତ ଚିହ୍ନପରି ।

 

X X X

 

ସହରର ନିର୍ଦ୍ଦିଷ୍ଟ ମୁକାମରେ ପହଞ୍ଚିବାର ତିନି ଦିନପରେ, ଶୁଦ୍ଧୋଧନ ସକାଳ ଡାକରେ ଗୋଟିଏ ଚିଠି ପାଇଲେ ।

 

ସେଥିରେ ଲେଖାଥିଲା—ମାନନୀୟେଷୁ, ସେଦିନ ବସ୍‌ରେ ଆପଣାଙ୍କୁ ଯେପରି ବ୍ୟବହାର କଲୁ ସେଥିପାଇଁ ଆମେ ଦୁହେଁଯାକ ଦୁଃଖିତ ଓ ଅନୁତପ୍ତ । ସେଦିନ ପ୍ରକୃତରେ ଆମେ ଆପଣଙ୍କୁ ଚିହ୍ନିନଥିଲୁ । ସ୍କୁଲରେ ପଢ଼ିଲାବେଳେ ଥରେ ଅଧେ ଆପଣଙ୍କୁ ଦେଖିଥିଲୁ । ପ୍ରଫୁଲ୍ଲବାବୁଙ୍କ ଠାରୁ ଆପଣଙ୍କ କଥା ଆମେ ଅନେକ ଦିନରୁ ଶୁଣିଛୁ । ଦୀର୍ଘଦିନ ବ୍ୟବଧାନ ପରେ ଆପଣଙ୍କୁ ଚିହ୍ନି ନପାରି ଆମେ ଯାହାସବୁ କହିଥିଲୁ, ସେଥିପାଇଁ ଆପଣ ଆମ ଦୁହିଁଙ୍କୁ କ୍ଷମା ଦେବେ-

 

ସନତ

ରଜତ୍‌

 

ଶୁଦ୍ଧୋଧନ ଚିଠିଟି ପଢ଼ିସାରିଲା ପରେ ମଧ୍ୟ ମନ ତାଙ୍କର ବୁଝିଲା ନାହିଁ । ବ୍ୟକ୍ତିଗତ ଭାବରେ ତାଙ୍କ ଅଞ୍ଚଳରେ ସେ ଶୁଦ୍ଧୋଧନ ରାୟ ନୁହଁନ୍ତି ଯେ କେହି ବସ୍‌ଯାତ୍ରୀଙ୍କୁ କ’ଣ ଏଭଳି ଆଚରଣ ପ୍ରଦର୍ଶନ କରାଯାଇ ପାରେ ? ଦେଶର ବିଶ୍ୱବିଦ୍ୟାଳୟର ସ୍ନାତକମାନଙ୍କର ଶିକ୍ଷାଗତ ମୂଲ୍ୟବୋଧ ଯଦି ଅସାମାଜିକ ଓ ଗୁଣ୍ଡା ଶ୍ରେଣୀର ଲୋକମାନଙ୍କ ବ୍ୟବହାରଠାରୁ ଆହୁରି ଘୃଣ୍ୟ ଓ ନୀଳ ସ୍ତରକୁ ଖସି ଆସିପାରେ; ତେବେ ଏସବୁ ଶିକ୍ଷାୟତନ ଓ ଶିକ୍ଷାଗତ ମୂଲ୍ୟବୋଧ ଯଦି ଅସାମାଜିକ ଓ ଗୁଣ୍ଡା ଶ୍ରେଣୀର ଲୋକମାନଙ୍କ ବ୍ୟବହାରଠାରୁ ଆହୁରି ଘୃଣ୍ୟ ଓ ନୀଚ ସ୍ତରକୁ ଖସି ଆସିପାରେ; ତେବେ ଏସବୁ ଶିକ୍ଷାୟତନ ଓ ଶିକ୍ଷାର କୌଣସି ମୂଲ୍ୟ ନାହିଁ ।

 

ଶୁଦ୍ଧୋଧନ ଚିଠିଟି ଆଉ ପଢ଼ି ପାରିଲେ ନାହିଁ । ଏକ ମାନସିକ ଉତ୍ତେଜନାରେ ଚିଠିରି ଚିରି ଟିକ୍‌ ଟିକ୍‌ କରି ଫୋପାଡ଼ି ଦେଲେ ଝରକା ଦେଇ ବାହାରକୁ । ଶ୍ରାବଣର ଏକ ପ୍ରଚଣ୍ଡ ବର୍ଷା-ପବନରେ ଚିଠିଟିର ସେହିସବୁ ଟୁକୁରା ଟୁକୁରା ଅଂଶ ଉଡ଼ି ଉଡ଼ି ଚାଲି ଯାଉଥିଲା ଆକାଶର ଅନେକ ଦୂରକୁ । ଶୁଦ୍ଧୋଧନ ଚାହିଁ ରହିଥିଲେ ଅସହାୟ ଭାବରେ ଆକାଶର ସେଇ ଦିଗକୁ ।

Image

 

Unknown

ମଙ୍ଗଳା ଡିହ

 

ପାଣ ସାହି ଡିହରେ ସାଉଁଟି କୁକୁଡ଼ା ବଳି ଦେଇସାରି ଗୋଟିଏ ଦୀର୍ଘ ନିଶ୍ୱାସ ମାରିଲା । କୁକୁଡ଼ାଟିଏ ମା’ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ବଳି ଦେବା ପାଇଁ ବରଷେ ହେଲା ମନେ ମନେ ଭାବୁଥିଲେ ସୁଦ୍ଧା ଆଜି ତାହାର ମନବାଞ୍ଛା ପୂରଣ ହୋଇଥିବା ଯୋଗୁଁ ସାଉଁଟିର ଅଭାବିତ ମନ ଭିତରେ ଆଜି ଯେପରି ପୂରୁବ ଆକାଶ ସୂରୁଯ ଉଦେ ହୋଇଛି ।

 

ସାଉଁଟିର ଘର ନହବତପୁର ପାଣ ସାହିରେ । ନହବତପୁର ଗାଁରେ କୋଡ଼ିଏ ଘର ପାଣ । ଲୋକେ କହନ୍ତି ପାଣ ସାହି । ପାଣ ସାହିକୁ ଲାଗି ଢିଅଟିଏ । ସେମାନେ ସେଇ ଢିଅଟିକୁ କହନ୍ତି ମଙ୍ଗଳା ଢିଅ । ସେଠାରେ ମଙ୍ଗଳା ଦେବୀ ନାହାନ୍ତି କିମ୍ବା ତାଙ୍କ ପାଇଁ କୌଣସି ମଣ୍ଡପ କିମ୍ବା ଚାନ୍ଦିନୀ ନାହିଁ । ମାତ୍ର ଅଛି ଗୋଟିଏ ବଡ଼ କନିଅର ଗଛ, କେତୋଟି ସିଝୁ ବୁଦା, ଗୋଟିଏ ବେଲଗଛ ଏବଂ ଆଉ କେତୋଟି ଭଙ୍ଗା ମାଟି ଘୋଡ଼ା । ପାଣ ସାହିରେ ଯେତେବେଳେ ହଇଜା, ମହାମାରୀ ଓ ବସନ୍ତଲାଗେ, ସେତେବେଳେ ସରଳ, ନିରକ୍ଷର, ଗରିବ ପାଣମାନେ ମା’ ମଙ୍ଗଳାକୁ ଆରତ କଣ୍ଠରେ ଡକା ପକାନ୍ତି । ସାଉଁଟି ଖୋଳ ଧରେ, ଅନ୍ୟମାନେ ଝାଞ୍ଜ, ଘଣ୍ଟା ଓ କାହାଳୀ ଧରି ସେହି ମଙ୍ଗଳା ଢିଅରେ କୀର୍ତ୍ତନ କରି ବସନ୍ତି । ‘ହରେ କୃଷ୍ଣ ହରେ ରାମ’ ‘ନିତାଇ ଗୌର ରାଧେ ଶ୍ୟାମ’ ଧ୍ୱନୀରେ ପାଣ ସାହିର ସେଇ ନିଛାଟିଆ ଢିଅଟି କେବେ କେବେ ଶବ୍ଦମୁଖର ହୋଇ ଉଠେ-। ସେମାନଙ୍କ ବଢ଼ିଲା ବଢ଼ିଲା ଝିଅ ଓ ଭୁଆଷୁଣି ମାନେ କେଉଁଠୁ କେମିତି ପଇସା ଗୋଟାଇ ଦହି, ଛେନା, କଦଳୀ ଓ ଗୁଡ଼ ମିଶାଇ ପଣା ତିଆରି କରି ସେଇ ଢିଅରେ ମା’ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ଢାଳିବସନ୍ତି । ସେମାନଙ୍କ ଏଇ ଆରତ ଓ କାତର ପ୍ରାର୍ଥନାରେ ମା’ ମଙ୍ଗଳା ସନ୍ତୁଷ୍ଟ ହୁଅନ୍ତି କି ନାହିଁ, ଜଣା ନାହିଁ । ସେମାନଙ୍କ ସାହିରୁ ରୋଗ ବୈରାଗ ଦୂରେଇଯାଏ କି ନାହିଁ, ସେକଥା କେହି ହଲପ କରି କହିପାରିବେ ନାହିଁ । କିନ୍ତୁ ଏଇଆ ଥିଲା ସେମାନଙ୍କ ଚଳଣିର କଥା ।

 

ସାଉଁଟି ଯେଉଁ କୁକୁଡ଼ା ବଳୀ ଆଜି ଦେଲା ଏବଂ ଗୋଟିଏ ଥାକୁଲୁ ଥାକୁଲୁ ଗଞ୍ଜା ତାଜା ନାଲି ରକ୍ତରେ ଆଜି ଯେପରି ମଙ୍ଗଳା ଢିଅରେ ଇଞ୍ଚେ ବହଳର ମାଟି ଓଦା ହେଲା, ସେଥିରେ ସେ ଖୁବ୍‌ ଖୁସି । ଗତ ସାଲେ, ତା’ର ଗୋଟିଏ ମାତ୍ର ଝିଅ ସଇରିନ୍ଧ୍ରି ପଡ଼ିଥିଲା ବାଧକାରେ । ତିନି ଦିନ ତିନି ରାତି ଜର ପରେ ତା’ର ପାଦ ହେମାଳ ହୋଇଗଲା । କଥା କହିପାରିଲା ନାହିଁ । ସମସ୍ତେ କହିଲେ ସନ୍ନିପାତ ହୋଇଗଲା ।

 

ସାଉଁଟି ଓ ତା’ର ଭୁଆଷୁଣି ଶୁକୁଟି ମା’ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ କେତେ ସେଦିନ ଜୁହାର କଲେ । ଦିହେଁଯାକ କାନ୍ଦି କାନ୍ଦି କେତେ ଲୁହ ଗଡ଼ାଇଲେ । ସଇରିନ୍ଧ୍ରିର ଗୋଡ଼ ଓ ହାତରେ ହାତ ମାରି କେତେ ବାହୁନି ବାହୁନି କାନ୍ଦିଲେ । ଶେଷକୁ ସାଉଁଟି ଲମ୍ବ ହୋଇ ପଡ଼ିଗଲା ଘର ଅଗଣାରେ । ବଡ଼ ପାଟି ବିକଳ ହୋଇ କହିଲା ମା’ ମଙ୍ଗଳା ମୋ ସଇରିନ୍ଧ୍ରିର ଯଦି ଭଲ ହୋଇଯାଏ, ମୁଁ ତମକୁ କୁକୁଡ଼ାଟିଏ ବଳୀ ଦେବି ମା’ । ନାଲିରଙ୍ଗର ଗଞ୍ଜାଟିଏ ମୁଁ ତମକୁ ବଳୀ ଦେବି । ତାରି ରକତ ପିଇ ତମେ ଶାନ୍ତ ହୁଅ । ମୋ ସଇରିନ୍ଧ୍ରିକୁ ଭଲ କରି ଦିଅ ।

 

ସତକୁ ସତ ସଇରିନ୍ଧ୍ରି ସାଉଁଟି ମାନସିକ କରିବାର ତିନି ଦିନ ପରେ ଭଲ ହୋଇଗଲା । ବରଷେ ପୂରିଗଲା । ତଥାପି ସାଉଁଟି କୁକୁଡ଼ାଟିଏ କିଣିବାକୁ ପଇସା ପାଇଲା ନାହିଁ । କୁକୁଡ଼ା ନିଜେ କିଛି ପାଳିବ ବୋଲି ଗତ କେଇ ବର୍ଷ ହେଲା ଭାବୁଥିଲି ମଧ୍ୟ ପଇସା ଅଭାବରୁ ସାହି ଲୋକଙ୍କ ପରି ସେ ପାଳି ପାରୁ ନାହିଁ ।

 

କୁକୁଡ଼ା ଭୋଗ ଦେଲା ପରେ ତା’ ଭୁଆଷୁଣୀ ଶୁକୁଟିକୁ କହିଲା—ଦେ’ ଲୋ’—ଭଲ କରି ରାନ୍ଧି କୁକୁଡ଼ାକୁ । କେତେଦିନ ପରେ ଆମେ ଆଜି ରାତିରେ ଖାଇବା ପେଟ ପୂରେଇ ଗଣ୍ଡେ ।

 

ସାଉଁଟି ହେଁସଟିଏ ଦାଣ୍ଡ ମଝିରେ ପକାଇ ଶୋଇଲା ତା ଉପରେ ଖରାଦିନ । ଭାରି ଗୁଳୁଗୁଳି ହେଉଛି । ଦେହରୁ ଝାଳ ମରୁନାହିଁ । ବାହାରେ ଶୋଇଲେ, ଟିକିଏ ଥଣ୍ଡା ଲାଗିବ ।

 

ଦାଣ୍ଡ ମଝିରେ ହେସଁ ଉପରେ ଶୋଇ ସାଉଁଟି ଭାବି ଚାଲିଥିଲା କେତେ କଥା । ତା’ ପୁଅ ଗୋବରା କହୁଥିଲା ଗରିବ ଲୋକଙ୍କର ଅବସ୍ଥା ବଦଳିବ ବୋଲି କୁଆଡ଼େ ଦେଶ ସାରା ହୁରି ପଡ଼ିଛି । ସେ କାହାଠାରୁ ଶୁଣିଥିଲା କେଜାଣି ?

 

ଗୋବରା ଯାଇଥିଲା ସାଆନ୍ତରାୟ ଘର କାମକୁ । ରାତି ଦି ଘଡ଼ି ହେଲା, ଫେରିଲାନି କିଆଁ ? ଟୋକାଟାକରା ଲୋକ । କେଉଁଠି ହୁଏତ ଗପୁଥିବ । ଗରିବଙ୍କ ଅବସ୍ଥା ବଦଳିବ ବୋଲି ଆଉ କେତେକ ଗରିବ ଟୋକାଙ୍କ ସହିତ ବସି ହୁଏତ ସୁଖ ଦୁଃଖ ହେଉଥିବ ।

 

ସାଉଁଟି ହସିଲା ମନେ ମନେ । ଗରିବ ତ ଗରିବ ? ତାଙ୍କର ଅବସ୍ଥା ପୁଣି ବଦଳିବ କିପରି ? ଭଗବାନ ସେମାନଙ୍କୁ ଇତର କୂଳରେ ଜନ୍ମ ଦେଇଛନ୍ତି । କେଉଁ କାଳରୁ ସେମାନଙ୍କୁ ଗରିବ କରି ରଖିଛନ୍ତି । ସେମାନଙ୍କ ଜନ୍ମ ପର ଘରେ ମୂଲ ଲାଗି ପେଟ ପୋଷିବା ପାଇଁ । ମୁଣ୍ଡ ଝାଳ ତୁଣ୍ଡରେ ମାରି, ଦିନ ସାରା ଖଟି ଖଟି ଯାହା ମିଳିଲା, ତାହାହିଁ ସେମାନଙ୍କର ଧନ ସମ୍ପତ୍ତି । ବଞ୍ଚିବା ଲାଗି ତାହାହିଁ ହେଉଛି ଏକମାତ୍ର ଥାତି । ଆଉ ପୁଣି ଅବସ୍ଥା ବଦଳିବ ?

 

ସାଉଁଟିର ମନ କେବେ ବୁଝେ ନାହିଁ । ପ୍ରତିଦିନ ରାତିରେ ଏବେ ଗୋବରା କାମରୁ ଫେରିଗଲେ, ସେଇ କଥା କହୁଛି । —ତୁ ଦେଖିବୁ ବାବା । ଆମ ଅବସ୍ଥା ବଦଳିଯିବ । ସବୁଦିନେ ଆମେ କ’ଣ ଗରିବ, ଅଚ୍ଛବ, ଅସ୍‌ପୁର୍ଣ୍ୟ ହୋଇ ପଡ଼ି ରହିବା ? ଆମର ଭୂଇଁରେ ଗାଁ ଜମି ନାହିଁ । ଅଥଚ ଆମ ଗାଁର ସାଆନ୍ତରା ଘର, ବଡ଼ ଜେନା ଘର, ଦେବତା ଘର ଶତପଥୀ ଘରଜମି ରହିଛି ବାଟି ବାଟି । ଦେଖିବୁ ବାବା ! ସେସବୁ ଜମି ବଣ୍ଟାଯିବ ଆମ ଗରିବ ଗୁରୁବା ଲୋକଙ୍କ ଭିତରେ ଯେଉଁମାନେ ଖଟି ପାରିବେ, ହଳ କରିବେ, ଲଙ୍ଗଳ ଧରିବେ ସେଇମାନେ ଜମି ରଖି ଯଦି ହଳ କରି ନ ପାରିବେ, ଲଙ୍ଗଳ କଣ୍ଟିରେ ହାତ ରଖି ନ ପାରିବେ, ସେମାନଙ୍କ ଜମି ସରକାର ଛଡ଼ାଇ ଆଣିବ । ଯୁଗ ବଦଳୁଛି ବାବା ! ତମେ ଥୟ ଧର । ଜମି ନିଶ୍ଚେ ଆମେ ପାଇବା । ସାଉଁଟିର ମନେପଡ଼ିଲା ଗୋବରାର ଏଇ କେଇ ପଦ କଥା । ସତରେ କ’ଣ ତାଙ୍କୁ ମିଳିବ ? କେତେ ପୁରୁଷ ଧରି ତାଙ୍କର ଜମିବାଡ଼ି ନାହିଁ । ତା’ର ବାବା ଗୋସବାବା ଓ ଅଣଗୋସବାପା କାହାରି ହେଲେ ଜମି ନଥିଲା । ଜମି ଖଣ୍ଡେ କିଣିବାକୁ ତାଙ୍କର ମଧ୍ୟ ପଇସା ନଥିଲା । ପର ଘରେ ମୂଲ ଲାଗି ତାଙ୍କ ଦିହକ ଚାଲିଗଲା । ପର ଜମିରେ ରକତଢାଳି ସେମାନେ ଫସଲ ଫଳାଇଲେ । ଏବେ ପୁଣି ତାଙ୍କୁ ଜମି ମିଳିବ ? ବଡ଼ ଆଶ୍ଚମ୍ବିତ କଥା ।

 

ସାଉଁଟି ଚାହିଁଲା ସରଗକୁ । ସରଗ ଦିହରେ ଲେପି ହୋଇଯାଇଛି ଓଃ କେତେ ତରା ! ସରଗରେ ବେଳେ ବେଳେ ଖରାଦିନେ ମେଘ ଚାଲେ । ତରା ଗୁଡିକ ଲୁଚିଯାଆନ୍ତି ମେଘର ଲୁଗା କାନିରେ । ଆଜି ମେଘ ନାହିଁ । ତରା ଗୁଡ଼ାକ ଦେଖା ଯାଉଛନ୍ତି କେଡ଼େ ଢଳ ଢଳ । ତା’ର ବାବା, ଗୋସାପା, ଅଣଗୋସାପାମାନେ ମରିଯାଇଛନ୍ତି କେଉଁ କାଳରୁ । ସତେ ଯେପରି ସେମାନଙ୍କ ନିଭିଲା ନିଭିଲା ଆଖି ଆଜିର ଏଇ ଅସଂଖ୍ୟ ତାରା ଭିତରୁ ତାକୁ ମିଟିମିଟି କରି ଚାହିଁଛନ୍ତି ଏବଂ ତାରା ଭିତରୁ ସେମାନେ ଯେପରି ଢାଳି ଦେଉଛନ୍ତି ଆଶୀର୍ବାଦ ।

 

ସାଉଁଟି ଅନାଇଁଲା ପୁଣି ସରଗକୁ । ସେଇ ସବୁ ତାରାମାନେ କ’ଣ ତା’ର ବାବା ଗୋସବାପା, ପଣ ଗୋସବାପାମାନଙ୍କର ଆଖି ? ସେମାନେ ସମ୍ଭବତଃ ସାଉଁଟିକୁ ଅନାଇଁ ରହିଛନ୍ତି ଆଜି ଅନେକ ବର୍ଷ ପରେ, ଆଉ ସେମାନଙ୍କ ଆଖିରୁ ଝରି ଝରି ଆନନ୍ଦର ଟୁପୁ ଟୁପୁ ଲୁହ ।

 

ସାଉଁଟି ଭୁଲିଗଲା ନିଜକୁ । ଭୁଲିଗଲା ତା’ର ବର୍ତ୍ତମାନର ଗତ ଅଭାବ ଓ ନିଷ୍ପେଷଣର କଷଣକୁ । ତା’ର ମନେ ହେଲା ସେ ଜମି ପାଇଛି ସେ ବଳଦ କିଣିବ । ଲଙ୍ଗଳ, ଜୁଆଳୀ ତିଆରି କରିବ । କମାରଶାଳରେ ଦା’ ବନେଇବ । କୋଡ଼ି କୋଦାଳ କିଣିବ । ତା ନିଜ ଜମିରେ ହଳ ବୁଲାଇଲା ବେଳେ ସେ ଛାଡ଼ିଦେବେ କେତେ ଛାନ୍ଦ ଚଉପଦୀ ।

 

ସେ ଧାନ କାଟିବ । ତା’ ପୁଅ ଗୋବରା ଓ ସେ ପାଚିଲା ଧାନ କିଆରୀରେ ଦାଆ ଚଳେଇବେ ଏବଂ କାଟି ଶୁଆଇଦେବେ କଚଡ଼ା କାହାଣ କାହାଣ । ସେମାନେ ପୁଣି ବୋହି ଆଣିବେ ନିଜ କାନ୍ଧରେ କଚଡା ସବୁ ନିଜ ଖଳାକୁ । ଶୁକୁଟି, ସଇରିନ୍ଧ୍ର ଦଉଡ଼ି ଆସିବେ ତା’ ପାଖକୁ ଧାନ ଗଦା ଦେବା ପାଇଁ । ଗୋବରା ତୋରାଣୀ ପିଆଇବ ଗୋରୁମାନଙ୍କୁ ।

 

ସାଉଁଟି ପିଟି ବସିବ କଚଡ଼ା । ସେ ଭାଡି ବାନ୍ଧିବ । ବାପ, ପୁଅ ଓ ତା’ର ଭୁଆସୁଣୀ ଶୁକୁଟି ସମସ୍ତେ ଭାଡ଼ିରେ ଏକା ସାଙ୍ଗରେ କଚଡ଼ା ପିଟିବେ । ଭାଡ଼ି ତଳେ ଜମିଯିବ ଧାନ ଭରଣ । ସେ ଅମାରଟିଏ ତିଆରି କରିବ । ତାଆରି ଭିତରେ ସାଇତି ରଖିଦେବ ଧାନ ।

 

ସାଉଁଟି ଭାବି ଚାଲିଛି । ଖାଲି ଧାନ ନୁହେଁ, ସେ ପୁଣି କରି ବସିବେ କେତେ ଜାତିର ଫସଲ । ବିରି, ମୁଗ, ଗହମ, ଆଳୁ, ବାଇଗଣ...ଓଃ ଆହୁରି ଅନେକ ପନିପରିବା । ତା’ର ଦୁଃଖ ରହିବ ନାହିଁ । ତା’ର କଷଣର ରାତି ପାହିବ । ସେ ଗରିବ ହେବ ନାହିଁ । ପର ଘରେ ମୂଲ ଲାଗିବ ନାହିଁ ।

 

ସରଗ ଧିଅରେ ତାରାମାନେ ଦେଖାଯାଉଛନ୍ତି ଆହୁରି ସଫା, ଆହୁରି ତୋଫା । ସାଉଁଟି ଅନାଇଁ ରହିଛି ଆକାଶକୁ ।

 

ସନ୍ଧ୍ୟା ପରେ ଏବେ ଦମକା ଦମକା ଥଣ୍ଡା ପବନ ପିଟୁଛି । ସାଉଁଟି ଅନାଇଛି ଆକାଶକୁ..

 

ଶୁକୁଟି ଦୁଆର ମୁହଁରୁ ଡାକ ଛାଡ଼ିଲା—କ’ଣ ଶୋଇଗଲ କିହେ । ଆଳୁ ଦି’ଟା କହିଥିଲି ଗୋବାରକୁ ଆଣିବା ପାଇଁ ଦୋକାନରୁ । କୁକୁଡ଼ା ତରକାରୀରେ ଆଳୁ ଦି’ଟା ପକାଇଥିଲେ ବାସିଥାନ୍ତା । କାହିଁ ଗୋବରା ତ ଫେରିଲା ନାହିଁ । ମାଂସ ଭାଜି ରଖି ଦେଇଛି ।

 

ସାଉଁଟିର ଭାବନା ଫେରି ଆସିଲା ଆକାଶର ତାରା ମହଲରୁ । ହଠାତ୍‌ ସେ ସଚେତନ ହୋଇ ହେଁସ ଉପରୁ ଉଠିପଡ଼ି କହିଲା–ଗୋବରା କୁଆଡ଼େ ଗଲା ଏତେ ବେଳଯାଏଁ ? ପଇସା ଅଛି ତୋ ପାଖରେ କିଛି । ଆଠ ଅଣା ଦେବୁ ଆଳୁ କିଣିବାକୁ ?

 

ହଠାତ୍‌ ଦାଣ୍ଡ ସେପଟରୁ ଗୋବରା ପାଟି କରି କହିଲା-ମୁଁ ଆଳୁ ଆଣିଛି ବାବା ! ତୁ ଦୋକାନକୁ ଯିବା ଦରକାର ନାହିଁ ।

 

ଶୁକୁଟି ନେଇଗଲା ଆଳୁ ଗୋବରା ଗାମୁଛାରୁ । ଗୋବରା ବସିପଡ଼ିଲା ସାଉଁଟି ପାଖରେ କ’ଣ ଯେପରି ନୂଆ କଥାଟିଏ କହିବ ବୋଲି । ଏବେ ଗୋବରା ପ୍ରତିଦିନ କାମରୁ ଫେରିଲା ସଞ୍ଜବେଳେ ତା’ ବାବାକୁ କିଛି କିଛି ନୂଆ କଥା ଶୁଣାଉଛି ।

 

ସାଉଁଟି ଚୁପ୍‌ ହୋଇ ହେଁସରେ ଶୋଇଗଲା ପୂର୍ବ ପରି ।

 

ଗୋବରା କହିଲା,—ବୁଝିଲୁ ବାପା’ ଆଇଲା ଶୁକ୍ରବାର ଦିନ ଜମି ବଣ୍ଟା ହେବ ଆମ ନହବତ୍‌ପୁରରେ । ଖୋଦ ମନ୍ତିରୀ ଓ କିଲଟର ଆସିବେ ଆମ ଗାଁକୁ । ଜମି ପଟ୍ଟା ବାଣ୍ଟିବେ ଆମ ହରିଜନ ସାହିରେ ।

 

ସାଉଁଟି ତଥାପି ବିଶ୍ୱାସ କରିପାରିଲା ନାହିଁ; ମାତ୍ର ଏକ ଅବ୍ୟକ୍ତ ମାନସିକ ଉଲ୍ଲାସରେ ସେ ହେଁସ ଉପରୁ ଉଠି ବସିପଡ଼ିଲା ଏବଂ ଗୋବରା ପାଖକୁ ଘୁଞ୍ଚି ଆସି କହିଲା—ଆରେ ସତ କହୁଛୁ ?

 

ଗୋବରା କହିଲା—ମୁଁ ତ ଯାହା କହୁଛି ତୁ ବିଶ୍ୱାସ କରୁନୁ । ଏବେ ଅପେକ୍ଷା କର, ଦେଖିବୁ ଜମି ଆମେ ପାଉଛେ ନା ନାଇଁ ?

 

ସାଉଁଟିର ବୁକୁ ଫୁଲି ଉଠିଲା କୁଣ୍ଢେ ମୋଟ । ସେ ଆଉ କଥା କହିପାରିଲା ନାହିଁ । କେବଳ ସରଗ ଆଡ଼କୁ ଚାହିଁ ଗୋଟିଏ ପ୍ରଣାମ ଜଣାଇ ମନେ ମନେ କହିଲା—ଭଗବାନ ସତରେ କ’ଣ ଆମର ଦୁଃଖ ଦୂର କରିବେ ?

 

ଗୋବରା ଚାଲିଗଲା ଘର ଭିତରକୁ ।

 

ସେଦିନ ସରଗକୁ ଚାହିଁ, ତାରକା ଭିତରେ ଯେଉଁ ସବୁ ଆଖିମାନଙ୍କରୁ ଆଲୁଅ ଝରି ପଡ଼ୁଥିବାର ସାଉଁଟି ଦେଖିଥିଲା, ଠିକ୍‌ ତା’ର କେଇଟା ଦିନ ପରେ ତାକୁ ମିଳିଗଲା ମାଣେ ଜମି । ଯେଉଁ ଦିନ ସେ ଖାତା ଆଉ ତଉଜି ନମ୍ବର ଜାଣି ତା’ ଜମି ଦଖଲ ନେଲା, ସେଦିନ ସାଉଁଟି ଆନନ୍ଦ କିଏ ଦେଖେ ?

 

ତା’ ଭୁଆସୁଣୀ ଶୁକୁଟିକୁ ଡାକି କହିଲା–ବୁଝିଲ ଗୋବରା ବୋଉ ! ସରକାର ବାହାଦୁରଙ୍କ ଦୟାରୁ ଏବେ ମତେ ମାଣେ ଜମି ମିଳିଗଲା । ଦେଖିବୁ ମୁଁ ସେ ଜମିରେ ସୁନା ଫଳାଇବା । ମୁଁ ସେ ଜମିରେ ଚାଷ କରୁଥିବା ବେଳେ ଆଉ ଆସିବି ନାଇଁ ଘରକୁ ତୁ ନେଇଯିବୁ ମୋ ପାଇଁ ପଖାଳ ଭାତ ସେଠାକୁ । ଜାଣିବୁ ଗୋବରା ବୋଉ ସେଇ ମାଣକ ଜମି ହେବ ମୋର ଦ୍ୱିତୀୟ ଘର !

 

ଗୋବରା ବୋଉ କହିଲା—ହଇହେ ଗୋବରା ବାବା; ଜମି ସିନା ପାଇଲ ! ଚାଷ କରିବ କେମିତି ? ବଳଦ କାହିଁ ? ଲଙ୍ଗଳ କାହିଁ ? ବିହନ କାହିଁ ? ଖାଲି ଜମିକୁ ଦେଖିଲେ କ’ଣ ପେଟ ପୂରିବ ?

 

ସାଉଁଟିର ଖିଆଲ ପଶିଲା । ଭାବିଲା ସତେତ, ଶୁକୁଟି ଯାହା କହୁଛି, ସତ । ଏଇସବୁ ଚାଷ ଜିନିଷ ଭରଣା କରିବାକୁ ହେଲେ ଟଙ୍କା ଦରକାର । ପ୍ରଥମ ବର୍ଷଟା କୌଣସି ମତେ ଚଳାଇଲେ, ଆରବରଷକୁ ଆଉ ଅସୁବିଧା ରହିବ ନାହିଁ ।

ସାଉଁଟିର ମୁଣ୍ଡରେ ବିଛା ପଶିଲା । ନିଜ ଜମିରେ ଚାଷ କରିବା ଲାଗି ମନ ଭିତରେ କେତେ ସୁନେଲି ଆଶାର ଇନ୍ଦ୍ରଧନୁ ଆଙ୍କିଛି ସେ । ମାତ୍ର ଏ ସବୁ ସରଞ୍ଜାମ ସେ ଯୋଗାଡ଼ କରିବ କିପରି ? କେଉଁଠୁ ଆଣିବ ସେ ଟଙ୍କା ? କାହା ପାଖକୁ ଯିବ ଗୋଡ଼ ଭାଙ୍ଗି କରଜ କରିବା ଆଶାରେ ?

 

ଗାଁରେ ଯେଉଁମାନେ ଟଙ୍କା ସୁଧ ଦେଇଥିଲେ କାନକୁ ମୋଡ଼ି ମୋଡ଼ି, ଏବେ ସେମାନେ ଆଉ କରଜ ଦେଉ ନାହାନ୍ତି । ସେମାନେ ଗରିବ ବାପୁଡ଼ା ବିଶେଷତଃ ଏଇ ଅଚ୍ଛବ ପତିତ ଜାତିମାନଙ୍କ କଥା ଶୁଣିଲେ ଏବେ ଖାଲି ଚିଡ଼ି ଉଠୁଛନ୍ତି ଭାରି । ଯେଉଁ ଗରିବ ଲୋକେ କରଜ କରିଥିଲେ ସେମାନଙ୍କଠାରୁ ଦାୟରେ ପଡ଼ି, ସେମାନେ ଆଉ ଦେ’ଣା ସୁଝିବେ ନାହିଁ ବୋଲି ଚାରିଆଡ଼େ ହୁରି ପଡ଼ୁଛି । ଏଇ ଅବସ୍ଥାରେ କିଏ ଦେବ ତାକୁ ଋଣ ? ଜମି ପୁଣି ପଡ଼ିଆ ପଡ଼ିବ । ଜମି ଥାଇ ଯାହା ନ ଥାଇ ମଧ୍ୟ ସେଇଆ ।

 

ହରିଜନ ସାହିରେ ଯେଉଁ କେତେ ଜଣ ଜମି ପାଇଥିଲେ, ସେମାନେ ବସିଗଲେ ମୁଣ୍ଡରେ ହାତ ଦେଇ । ସେମାନେ ଆଉ କ’ଣ କରିବେ ? ବଡ଼ ବଡ଼ ଚାଷୀମାନେ ଆଉ ସେମାନଙ୍କୁ ମୂଲ ଲାଗିବାକୁ ଡାକୁ ନାହାନ୍ତି । ସେମାନଙ୍କୁ ଖଣ୍ଡେ ଖଣ୍ଡେ ଜମି ମିଳିବା ଦିନଠାରୁ, ବଡ଼ ବଡ଼ ଚାଷୀମାନେ ଯେପରି ରକ୍ତ ଚାଉଳ ଚୋବାଇ ହେଉଛନ୍ତି । ହତାଦର, ଘୃଣା, ଇର୍ଷା ଓ ପ୍ରତିଶୋଧ ନେବା ମତଲବରେ ସେମାନେ ଯେପରି ଟାକି ବସିଛନ୍ତି ।

 

ସାଉଁଟିର ମନ କ୍ରମେ ଭାଙ୍ଗି ପଡ଼ିଲା । ଶୁକୁଟି ନିଜ ଗିରସ୍ତକୁ କୌଣସି ପରାମର୍ଶ ଦେଇ ନ ପାରି ଚାଲିଗଲା ଗହୀରକୁ କାଖରେ ସିଡ଼ିଟିଏ ଯାକି ଜାଳ ସଂଗ୍ରହ କରିବା ଉଦ୍ଦେଶ୍ୟରେ ।

 

ସାଉଁଟି ଖୋଜିଲା ମନେ ମନେ ଗୋବରାକୁ । ଗୋବରା କାହିଁ ? ସକାଳୁ ଯାଇଛି ଯେ କୁଆଡ଼େ ଏପର୍ଯ୍ୟନ୍ତ ଫେରିଲା ନାହିଁ । ପିଲାଟା ଫେରି ଆସିଲେ, ସେ ତା’ କଥା ବୁଝିଥାନ୍ତା ଏବଂ ସହର ପାଖାପାଖି ଗାଁରୁ ଯାହା ସେ ଶୁଣି ଆସିଥାନ୍ତା, ତାହା ସବୁ କହିଥାନ୍ତା ।

 

ସେଦିନ ସଞ୍ଜ ହେଲା । ଶୁକୁଟି ଫେରିନାହିଁ ଗହୀରରୁ ଜାଳ ସଂଗ୍ରହ କରି । ଗୋବରା ମଧ୍ୟ ଫେରିନାହିଁ ଗାଁରୁ । ସଇରିନ୍ଧ୍ରି ବିଚାରୀ ଚୁଲୀ ଲଗାଉଛି ବହୁ କଷ୍ଟରେ । ତା’ ମା’ ଜାଳ ଆଣିଲେ ସେ ଚୁଲି ଲଗାଇ ସାଉଁଟି ପାଇଁ ଟିକିଏ ନାଲି ଚା’ କରିଦିଅନ୍ତା, ସାଉଁଟିକୁ କ୍ରମଶଃ ଅସହ୍ୟ ଲାଗୁଛି ଆଜି ଦିନଟା ।

 

ମୁହଁସଞ୍ଜ ହେଲା । ନହବତପୁର କିଆ ଗୋହିରୀରୁ ଘୋଟି ଆସୁଛି ଅନ୍ଧାର । ସେଇ ଅନ୍ଧାର ଭିତରେ କିଏ ଜଣେ ଆଗେଇ ଆସୁଛନ୍ତି ସାଉଁଟି ଆଡ଼େ । ବେଶ୍‌ ବାବୁଭାୟାଙ୍କ ବେଶ ପୋଷାକ । ପେଣ୍ଟ, ସାଟ୍‌, ଯୋତା, ଆଖିରେ ଚତୁର ପଣ୍ଡିତ ପଣିଆ ଚାହାଣୀ, ସେଥିରେ ପୁଣି ଚଷମା ।

 

ସାଉଁଟି ଓହ୍ଲାଇ ପଡ଼ିଲା ପିଣ୍ଡା ଉପରୁ । ସେଇ ସଞ୍ଜ ପ୍ରହରର ଭଦ୍ରଲୋକଙ୍କ ପଛକୁ ଅନାଇଦେଇ ଦେଖିଲା ତା’ ପୁଅ ଗୋବରା ଠିଆ ହୋଇଛି ନୀରବ ନିସ୍ପନ୍ଦ ହୋଇ । ସାଉଁଟି ଅବାକ୍‌ ହୋଇଗଲା ।

 

ସଂଧ୍ୟାର ଭଦ୍ରଲୋକ ନମ୍ର କଣ୍ଠରେ କହିଲେ-ତ ନା କ’ଣ ସାଉଁଟି ଯେନା ?

 

ଦୁଇ ହାତ ମଳି ସାଉଁଟି ‘ଆଜ୍ଞା’ କହି, ତାଙ୍କୁ ଦଣ୍ଡବତ ହେଲା ।

 

ଗୋବରା କହି ଉଠିଲା–ହଁ ଆଜ୍ଞା, ସେଇ ସାଉଁଟି ହେଉଛି ମୋର ବାବା ! ସେଇ ପାଇଛି ମାଣେ ଜମି ଆପଣମାନଙ୍କ ଆଶୀର୍ବାଦରୁ ।

 

ଶୁକୁଟି ମୁଣ୍ଡରୁ ଜାଳ ବୋଝଟା ତଳେ ଥୋଇଦେଇ ଅନାଇଲା ସଂଧ୍ୟାର ସେଇ ଭଦ୍ରଲୋକଙ୍କୁ ।

 

ଗୋବରା ବଡ଼ ପାଟିରେ କହିଲା–ଠିଆ ହେଇଚୁ କାହିଁକି ବୋଉ ? ଡିବିରିଟା ଲଗାଇ ଆଣ ଦାଣ୍ତ ଘରକୁ ।

 

ଶୁକୁଟି ଚାଲିଯାଉଥିଲା ଘରକୁ । ସଂଧ୍ୟାର ଭଦ୍ରଲୋକ ଅତି କୋମଳ କଣ୍ଠରେ କହିଲେ–ଆଲୁଅ ଦରକାର ନାହିଁରେ ଗୋବରା । କାଳି ସକାଳୁ ତୁ ଆଉ ସାଉଁଟି ଦୁହେଁ ଯିବ ତମ ଗାଁର ସେଇ ଇସ୍କୁଲ ପାଖ ଘରକୁ । ସେଇଠି ମୁଁ ରହିବି ଆଜି । କାଲି ସକାଳେ ତମେ ସବୁ ଯେଉଁମାନେ ଜମି ପାଇଛ, ସେଠାରେ ଯାଇ ପହଞ୍ଚିବ । ତମର କେଉଁ କଥାକୁ ଅଭାବ ରହିବ ନାହିଁରେ । ତମେ ଚାଷ କର, ଫସଲ ଫଳାଅ । ସେଇ ଜମିରେ ତିନି ଫସଲ କରି ତମେ ନିଜେ ବଞ୍ଚ । ତମ ସାହି ପଡ଼ୋଶୀମାନଙ୍କୁ ବଞ୍ଚାଅ ତା’ ହେଲେ ସିନା ଦେଶର ଭାଗ୍ୟ ବଦଳିବ । ତମର ଭାଗ୍ୟ ମଧ୍ୟ ବଦଳିଯିବ ।

 

ସଂଧ୍ୟାର ଲଘୁ ଅନ୍ଧାର ମଧ୍ୟରେ ସେଇ ଶାନ୍ତ, କୋମଳ, ନରମ ବଚନକୁହା ଭଦ୍ରଲୋକଟି କୁଆଡ଼େ ମିଳେଇ ଗଲେ ।

 

ସାଉଁଟି ତଟସ୍ଥ ହୋଇ ଚାହିଁରହିଲା ତାଙ୍କରି ଆଡ଼େ । ଗୋବରା କହିଲା—ଯେଉଁଥିପାଇଁ ତୁ ଚିନ୍ତିତ ଥିଲୁ ବାବା, ସେଇ କାମ ସେଇ ବାବୁ ଆମର ପୂରଣ କରିବେ ।

 

ସାଉଁଟି ତଥାପି କିଛି ବୁଝିପାରିଲା ନାହିଁ । ରାତ୍ରି କ୍ରମଶଃ ପାଣ ସାହି ଭିତରେ ଘନୀଭୂତ ହେଉଥିଲା । ମଙ୍ଗଳା ଢିଅରେ ସେଇ ନିଛାଟିଆ ବେଲଗଛ ଉହାଡ଼ରୁ କେତୋଟି ବିଲୁଆ ଏକ ସାଙ୍ଗରେ ସ୍ୱର ମେଲି ଦେଇ, ରାତ୍ରିର ନିଶୂନ ପ୍ରହରକୁ ଆହୁରି ଯେପରି କରିଦେଉଥିଲେ ଦୀର୍ଘତର-

 

ସାଉଁଟି ହଳ ବୁଲାଇ ତା’ର ସେଇ ମାଣକ ଜମିର ମାଟିକୁ କରିଦେଇଛି ଚୂନା ଚୂନା । ଗୋବରା କୋଡ଼ି ଓ କୋଦାଳର କ୍ରମାଗତ ଚୋଟ ମାରି ବନେଇ ଦେଇଛି କିଆରୀର ଚାରିପିଠି ବଡ଼ ବଡ଼ ମଜବୁତ୍‌ ହିଡ଼ । ସେ କତି ହାଣିଛି । ଜମି ଦେଖାଯାଉଛି ଦୂରରୁ ସାର ହେଲା ପରି ।

 

ସାଉଁଟି ବିହନ କିଣିଛି । ନାଲି ନାଲି ନରସିଂହା ଧାନ । ଆଉ ଦୁଇ ଦିନ ପରେ କିଆରୀରେ ସେ ଛାଟି ବସିବ ବିହନ । ସରୁ ସରୁ ଧାନରୁ ଗଜା ବାହାରିବ ଏବଂ ଆକାଶ ଧିଅରେ ଯେପରି ସଂଧ୍ୟାବେଳେ ବିଛୁରି ହୋଇପଡ଼େ ଅକଳନ ତରକା, ତା’ ଜମିରେ ସେଇମିତି ଗଜୁରି ଉଠିବ ଅସଂଖ୍ୟ ଧାନଗଛର ସାବ୍‌ଜା ସାବ୍‌ଜା ଗଜା ।

 

ଇସ୍କୁଲ ସେପଟ ପୋଖରୀ କୂଳେ ଦେଖାଯାଉଛି ଯେଉଁ ଗୋଟିଏ ଉଚ୍ଚା ଖପୁରିଲ ଘର, ସେଇଠୁ ମିଳିଛି ତାକୁ ଚାଷ ପାଇଁ ସବୁ ସରଞ୍ଜାମ ।

 

ସାଉଁଟିର ମନରେ ଆଉ ଶଙ୍କା ନାହିଁ । ସେ ଦିହରୁ ପଳ ପଳ ଝାଳ ଓ ରକତ ନିଗାଡ଼ି କ୍ଷେତରେ ଲଗାଇବ । କେତେ ପୁରୁଷ ବିତିଲା ପରେ ତାକୁ ମିଳିଛି ମାଣେ ଜମି । ସେଇ ମାଣକ ଜମିରୁ ସେ ଫଳାଇ ବସିବ କେତେ ଫସଲ ।

 

ଶାରଦ ଧାନ କାଟି ସାରିଲେ, ସେଥିରେ ସେ ମୁଗ ବୁଣିବ, କଖାରୁ ଲଗାଇବ, କଲରା ମଞ୍ଜି ପୋତିଦେବ । ଆଉ କିଛି ଜମିରେ ସେ କରିବସିବ ତାଚ୍ଚଚୁଂ ଧାନ । ପାଖ ନଈରେ ପାଣି ଯାଉଛି ବୋହି । ନଈରେ ଯନ୍ତ୍ରସପ ଲଗାଇ, କିଆରୀକୁ ସେ ବୋହିବ ପାଣି । ଗୋବରା କିଆରୀକୁ ଓଦା କରିବ । ହଳ କରି କାଦୁଅ କରିବ, ମଇ ବୁଲାଇବ ଓ ସାର ପକାଇ ରୋଇ ବସିବ ଜୟ କିମ୍ବା ପଦ୍ମା ଧାନ । ମାସ କେଇଟାରେ କିଆରୀ ଭରିଯିବ ଧାନର ସବୁଜିମାରେ ।

 

ସାଉଁଟି ଆଜି ଧାନ ବୁଣିବା ପାଇଁ ବାହାରିଛି ।

 

କିଆରୀକୁ ଯିବା ପୂର୍ବରୁ ଶୁକୁଟି ଓ ଗୋବରାକୁ ଡାକି କହିଲା—ଚାଲ ସମସ୍ତେ ମଙ୍ଗଳା ଢିଅକୁ । ମା’ ମଙ୍ଗଳାକୁ ଆମେ ସବୁ ପ୍ରଣାମ କରିବା । ଯଦି ମା’ ମଙ୍ଗଳା ଆମକୁ ସାହା ହୁଅନ୍ତି, ତେବେ ଆଇଲା ମଗୁଶିର ଓ ପୁଷରେ ଆମ କିଆରୀରେ ଶୋଇଯିବ କେତେ ଧାନ !

 

ସାଉଁଟି, ଶୁକୁଟି, ଗୋବରା ଓ ସଇରିନ୍ଧ୍ରି ଚାରିଜଣ ଚାଲିଲେ ମଙ୍ଗଳା ଢିଅକୁ । ପ୍ରଥମେ ସାଉଁଟି ଲମ୍ବ ହୋଇ ଶୋଇଗଲା ମଙ୍ଗଳା ଢିଅରେ ଯେଉଁଠି ଗତ କେତେ ମାସ ତଳେ ସେ ଢାଳି ଦେଇଥିଲା ନାଲି ଗଞ୍ଜାର ତାଜା ରକ୍ତ ଆଞ୍ଜୁଳାଏ । ତା’ପରେ ପରେ ଶୋଇଗଲେ ତା’ର ଭୁଆସୁଣୀ, ପୁଅ ଆଉ ଝିଅ ।

 

ସାଉଁଟି ଶୋଇ ଶୋଇ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ କହିଲା—ମା’ ମଙ୍ଗଳା, ମୋ କିଆରୀରେ ଆଇଲା ସନକୁ ଯଦି ଭଲ ଧାନ ଫଳେ, ତେବେ ତମରି ପାଖରେ ମୁଁ ଦୁଇଟି ନାଲି ଗଞ୍ଜା ବଳୀ ଦେବି । ମତେ ମା’ କଇଲ୍ୟାଣ କର ! ମୋ ଗୋବରା ଓ ସଇରିନ୍ଧ୍ରିକୁ ପରମାୟୁ ଦେଇଥାଅ ।

 

ସାଉଁଟିର ପ୍ରାର୍ଥନା ସରିଲା ବେଳକୁ ମଙ୍ଗଳା ଢିଅରେ ଝାମ୍ଫୁରା କନିଅର ଗଛରୁ ଝରିପଡ଼ିଲା ଦୁଇଟି ହଳଦୀ ଜର ଜର କନିଅର ଫୁଲ ।

Image

 

ଘର ନମ୍ବର ୩୧/୮

 

ଆଜିକୁ ବାରବର୍ଷ ହେଲା ନିମାଇଁ ଚରଣଙ୍କୁ ଗୋଟିଏ ସରକାରୀ କ୍ୱାର୍ଟର ମିଳିଛି । କିନ୍ତୁ ଏଇ ଘରଟିରେ ସେ କେବେହେଲେ ରହିଥିବାର ପାଖ ପଡ଼ୋଶୀମାନେ ଦେଖିନାହାନ୍ତି ।

 

ସରକାରଙ୍କ କେଉଁ ଏକ ନାମହୀନ ହେଡ଼୍‌ସ ଅଫ୍‌ ଦି ଡିପାର୍ଟମେଣ୍ଟରେ ନିମାଇଁ ଚରଣ ଆଜିକୁ ତେରବର୍ଷ ହେଲା ଚାକିରୀ କରିଛନ୍ତି । ଲାଗ ଲାଗ ତିନିଥର ମାଟ୍ରିକ ପରୀକ୍ଷାରେ ବିଫଳ ହେବାପରେ ସେ ଯେତେବେଳେ ବହୁ କଷ୍ଟରେ ସେଥିରୁ ଉତ୍ତୀର୍ଣ୍ଣ ହେଲେ ତାଙ୍କ ମନ କିଛି ସପ୍ତାହ ଲାଗି ବେଶ୍‌ ଏକ ଆଶ୍ୱସ୍ତି ଓ ପୂର୍ଣ୍ଣତାରେ ଭରିଯାଇଥିଲା । ବହୁ ଧରାଧରି, ଦୌଡ଼ା ଦୌଡ଼ି ଓ ଖୋସାମତି କରିବାପରେ ସେ ଯେତେବେଳେ ଏଇ କଥିତ ବିଭାଗରେ ଏଲ୍‌. ଡ଼ି କିରାଣି ଚାକିରିଟିଏ ପାଇଲେ, ସେତେବେଳେ ତାଙ୍କ ମନରେ ପ୍ରତିଫଳିତ ହୋଇଥିଲା ଇନ୍ଦ୍ରଧନୁର ସାତରଙ୍ଗ ।

 

ମାତ୍ର ସେଇ ବିଭାଗରେ ସମୁଦାୟ ତେରବର୍ଷ ଚାକିରି କଲାପରେ, ଚାକିରି ପାଇବାର ପ୍ରଥମ ଦିନ ସେ ଯେଉଁ ଆନନ୍ଦ ଉପଭୋଗ କରିଥିଲେ, ସେ ଆନନ୍ଦ ପରିବର୍ତ୍ତେ ଯେପରି ଏବେ ଗୁଡ଼ାଏ ଅବସାଦ ସୃଷ୍ଟି ହୋଇଛି ତାଙ୍କ ମନରେ ।

 

କିନ୍ତୁ ନିମାଇଁ ଚରଣଙ୍କୁ ଯେଉଁ ଘରଖଣ୍ଡିକ ସରକାର ନିଜେ ରହିବା ଲାଗି ତାଙ୍କୁ ଦେଇଥିଲେ; ସେଇ ଘରଖଣ୍ଡିକ ଅବଲୀଳା କ୍ରମେ ତାଙ୍କ ଚାକିରୀ ଜୀବନର ନିରାପତ୍ତାଠାରୁ ଯେପରି ଅଧିକ ବିଶ୍ୱସ୍ତ ହୋଇଉଠିଛି ।

 

ସହର ଉପାନ୍ତରେ ତାଙ୍କ ଘର, ମ୍ୟୁନିସିପାଲିଟି ଅଞ୍ଚଳର ସୀମା ଯେଉଁଠାରେ ଶେଷ ହୋଇଛି ସେଇ ସୀମାନ୍ତରୁ ତାଙ୍କ ଗାଁ ମାତ୍ର ଦୁଇ ମାଇଲ ବାଟ । ତେଣୁ ସେ ପ୍ରତିଦିନ ସାତ ଯୁକ୍ତ ସାତ ଏ ରୂପ ମୋଟ ଚଉଦ ମାଇଲ ବାଟ ସାଇକେଲରେ ଯିବା ଆସିବା କରି ଘରଟିକୁ ଭଡ଼ାରେ ଲଗାନ୍ତି ।

 

ସହର ଅଞ୍ଚଳରେ ଘରର ପ୍ରଚୁର ଅଭାବ । ସହରରେ ଯେତେ ଅଫିସ ଖୋଲୁଛି, ସେତେ କର୍ମଚାରୀ ନିଯୁକ୍ତି ପାଉଛନ୍ତି । ପୁଣି ବିଭିନ୍ନ ବିଭାଗରେ କ୍ଷେତ୍ର ଅଧିକାରୀମାନଙ୍କର ବରାବର ଅଦଳ ବଦଳ ଲାଗି ରହିଛି । କିଏ ଥିଲା କେଉଁ ସୁଦୂର କୋରାପୁଟରେ ସେ ଆସିଛି ଏ ସହରକୁ ବହୁ ଧରାଧରି ଖୋସାମତି କରି । କିଏ ଥିଲା ସୁନ୍ଦରଗଡ଼ ଜିଲ୍ଲାର କେଉଁ ପାନପୋଷ ସବ୍‌ଡ଼ିଭିଜନରେ ସେ ବି ଆସିଛି ଏଠାକୁ ବଦଳି ହୋଇ । କାରଣ ଏମାନଙ୍କ ଘର ଏଇ କଟକ କିମ୍ବା ପୁରୀ ଜିଲା ମଧ୍ୟରେ । ଘର ପାଖ ହେବବୋଲି ଏମାନେ ସବୁ ଚାଲିଆସିଛନ୍ତି ଦୂରବର୍ତ୍ତୀ ସ୍ଥାନମାନଙ୍କରୁ ଏଇ ସହରକୁ ।

 

ଏତେ ଲୋକ ବଦଳି ହୋଇ ଆସୁଛନ୍ତି । ପୁଣି ନୂଆ ନୂଆ ଯୋଜନା କାର୍ଯ୍ୟକାରୀ ହେଉଛି । ସରକାରୀ କର୍ମଚାରୀ ହାଉଯାଉ ହେଉଛନ୍ତି ଏଠି । ଏତେ ଲୋକଙ୍କ ପାଇଁ ଘର କାହିଁ ? ଏ ସହରରେ ଘରର ଭୀଷଣ ଓ ଉତ୍କଟ ଅଭାବ । କର୍ମଚାରୀଙ୍କ ଅନୁପାତରେ ନିର୍ମିତ ହୋଇଥିବା ସରକାରୀ କ୍ୱାର୍ଟର କିଛି ନୁହେଁ । ରାତି ପାହିଲେ ଘର ଅନ୍ୱେଷଣରେ ବୁଲୁଛନ୍ତି ଶହ ଶହ କର୍ମଚାରୀ ଉଦ୍‌ବାସ୍ତୁଙ୍କ ପରି ।

 

ଭାଗ୍ୟବାନ ନିମାଇଁମାନେ, ଘର ଖଣ୍ଡକର ଚାହିଦା ଓ ଭଡ଼ାବୃଦ୍ଧି ପାଇଁ ବୁଲୁଛନ୍ତି ବେଲୁନପରି । ଯେଉଁଘର ବାବଦରେ ସେମାନେ ସରକାରଙ୍କୁ ଦେଉଛନ୍ତି; ମାତ୍ର ପନ୍ଦର କିମ୍ବା କୋଡ଼ିଏ ଟଙ୍କା ଓ ଯାହା ପୁଣି କଟାଯାଉଛି ସେମାନଙ୍କ ଦରମାରୁ, ସେହିମାନେ ତାହାର ଦଶ ପନ୍ଦର ଗୁଣ ଦାବୀ କରୁଛନ୍ତି ଓ ଆଦାୟ କରୁଛନ୍ତି ନିର୍ବିଘ୍ନରେ । ସୁତରାଂ ନିମାଇଁଙ୍କ ପରି ଅନେକ ଲୋକ ସରକାରଙ୍କଠାରୁ ଘର ଖଣ୍ଡିଏ ଖଣ୍ତିଏ ପାଇ ଓ ତାହାକୁ କେନ୍ଦ୍ର କରି ପାଲଟି ଯାଇଛନ୍ତି ଏକ ଏକ କ୍ଷୁଦ୍ର ଜମିଦାର ।

 

ଚିନ୍ମୟ ଯେଉଁଦିନ ବଲାଙ୍ଗୀରରୁ ଏଠା ସହରକୁ ବଦଳି ହେବାର ଆଦେଶ ପାଇଲେ ସେଦିନ ତାଙ୍କ ମନ ଭରିଯାଇଥିଲା ଅପ୍ରମିତ ଆନନ୍ଦ ଓ ଉଲ୍ଲାସରେ । ଗତ ତିନିବର୍ଷ ଧରି ସେ ରହୁଥିଲେ ବଲାଙ୍ଗୀରରେ । ଘରଠାରୁ ବଲାଙ୍ଗୀର ଥିଲା ଅନେକ ଦୂର । ସୁତରାଂ ଘର ସହିତ ବିଧିବଦ୍ଧ ସମ୍ପର୍କ ରକ୍ଷା କରି ନପାରି ଏବଂ ଘରର ଜମିବାଡ଼ି, ଚାଷବାସ ସମ୍ପର୍କରେ କୌଣସି ଖବର ନପାଇ, ସେ ହୋଇଥିଲେ ଦାରୁଣ କ୍ଷତିଗ୍ରସ୍ତ । ଏଇ ସହରକୁ ବଦଳି ହେବା ପରେ ଚିନ୍ମୟଙ୍କ ଦୂରତ୍ୱ ଅନେକାଂଶରେ ସଙ୍କୁଚିତ ହୋଇଗଲା ଏବଂ ପ୍ରତି ଶନିବାର ଦିନ ଅଫିସ ପରେ ଘରକୁ ଯାଇ, ସୋମବାର ଦିନ ଫେରିଆସିବେ ବୋଲି ସେ ମନେ ମନେ ସ୍ଥିର କରିନେଲେ ।

 

ଚିନ୍ମୟ ସହରକୁ ଆସି ତାଙ୍କ କର୍ମକ୍ଷେତ୍ରରେ ଯୋଗ ଦେଲେ । ପିଲାପିଲି ବଲାଙ୍ଗୀରରୁ ଆସି ଗାଁରେ ରହିଲେ । ସେ ଏଠାରେ ଘର ଯୋଗାଡ଼ କରିସାରିଲା ପରେ ପିଲାପିଲିଙ୍କୁ ଆଣିବେ ଗାଁରୁ ।

 

ଚିନ୍ମୟ ଚାକିରିରେ ଯୋଗ ଦେବାର ସପ୍ତାହେ ଗଲା, ଦୁଇ ସପ୍ତାହ ବିତିଲା । ତଥାପି ଘର ମିଳିଲା ନାହିଁ । ସକାଳେ ଓ ଅଫିସ ପରେ ଚିନ୍ମୟ ବୁଲୁଛନ୍ତି ସହରର ଏ ପ୍ରାନ୍ତରୁ ସେ ପ୍ରାନ୍ତ । କେତେ ସାଙ୍ଗସାଥି ପରିଚିତ ଲୋକମାନଙ୍କୁ ଘର ଖଣ୍ଡିଏ ଯୋଗାଡ଼ କରି ଦେବାକୁ ସେ ଆକୁଳ ଆବେଦନ କରୁଛନ୍ତି । କିନ୍ତୁ ଘର କାହିଁ ? ଯେଉଁଠାରେ ଘରଖଣ୍ଡିକର ସନ୍ଧାନ ମିଳୁଛି, ସେଠାରେ ବଖରାଟିଏ ଘରକୁ ଭଡ଼ା ୧୦୦ ଟଙ୍କା । ଦୁଇ ବଖରା ଘର ରୋଷେଇଘର, ବାଥରୁମ ଓ ପାଇଖାନା ଥିଲେ ସେ ଘରର ଭଡ଼ା ଅଢେଇ ଶହ ଟଙ୍କା ।

 

ଏ ସହରରେ ଘରର ଭଡ଼ା ବଢ଼ିଯାଇଛି ଅସମ୍ଭବ ଭାବରେ । ଘର ତ ମିଳୁନାହିଁ, ଯେଉଁଠାରେ ଅବା ମିଳୁଛି ତାହାର ଭଡ଼ା ଆକାଶସ୍ପର୍ଶୀ । ତଥାପି ହାଉଯାଉ ହେଉଥିବା ଅସଂଖ୍ୟ ସରକାରୀ ଲୋକେ ଏଇ ଆକାଶଛୁଆଁ ଭଡ଼ାକୁ ଅନ୍ୟନ୍ୟୋପାୟ ହୋଇ ଆଦରି ନେଉଛନ୍ତି ହଠାତ୍‌-। ମାସେ ଦୁଇମାସ ରହିଲା ପରେ, ଅପେକ୍ଷାକୃତ ସ୍ୱଳ୍ପ ମୂଲ୍ୟରେ ଘର ମିଳିବାର ସୁଯୋଗ ଆସିଲା ପର୍ଯ୍ୟନ୍ତ ସେମାନେ ବାଧ୍ୟ ହୋଇ ନିଜ ଦରମାରୁ ଅଧାଅଧି ପର୍ଯ୍ୟନ୍ତ ଟଙ୍କା ଦେବାକୁ କୁଣ୍ଠିତ ହୁଅନ୍ତି ନାହିଁ ।

 

ଚିନ୍ମୟ ଘର ଅନ୍ୱେଷଣରେ ପ୍ରାୟ ମାସଟିଏ କଟାଇଦେଲେ । ହୋଟେଲରେ ଖାଇ ଓ ଅଫିସରେ ଶୋଇ ସେ ଅଣନିଶ୍ୱାସୀ ହେଲେ । ତଥାପି ଘର ମିଳୁନାହିଁ । ଶାନ୍ତିରେ ସେ ଶୋଇ ପାରୁନାହାନ୍ତି, ନିଶ୍ଚିତ ମନରେ ନିଜର ସରକାରୀ କାର୍ଯ୍ୟ ମଧ୍ୟ ସମ୍ପାଦନ କରିପାରୁ ନାହାନ୍ତି ।

 

ଏଇ ମାନସିକ ଯନ୍ତ୍ରଣାରେ ପୀଡ଼ିତ ଥିବାବେଳେ ସେ ତାଙ୍କ ସ୍ତ୍ରୀଙ୍କଠାରୁ ଚିଠି ପାଆନ୍ତି-ପିଲାମାନେ ମୂର୍ଖ ହେଲେ, ସ୍କୁଲ ସବୁ ଖୋଲିଲାଣି । ପିଲାମାନଙ୍କର ନାଁ ଲେଖା ହେଲା ନାହିଁ । କେଉଁ ଦିନ ସେମାନେ ଆଉ ପାଠ ପଢ଼ିବେ ? ଗାଆଁ ପିଲାଙ୍କ ସାଙ୍ଗରେ ପଡ଼ି ସେମାନେ ନଷ୍ଟ ହୋଇଯିବେ ।

 

ଚିନ୍ମୟ ଆହୁରି ବିଚଳିତ ହୁଅନ୍ତି । ଏକ ଅସ୍ଥିର ମାନସିକ ବେଦନାରେ ବ୍ୟଥିତ ହୋଇ ପୁଣି ଘର ଅନ୍ୱେଷଣରେ ବାହାରି ପଡ଼ନ୍ତି । ସନ୍ଧ୍ୟା ଓ ସକାଳେ ସାଇକେଲରେ ଏ ମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ବୁଲି, କ୍ଲାନ୍ତ ଶ୍ରାନ୍ତ ହୋଇ ଫେରି ଆସନ୍ତି ଅଫିସକୁ ଶୋଇବା ପାଇଁ । ରାତିରେ ଶୋଇଲାବେଳେ ବହୁ ଦୀର୍ଘଶ୍ୱାସ ଉଠେ । ଅଶାନ୍ତି ଓ ଅସନ୍ତୋଷ ମଧ୍ୟରେ ସେ ଶୋଇପଡ଼ନ୍ତି ପୁଣି-

 

ଦିନେ ଚିନ୍ମୟ ଅଫିସରେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲାବେଳେ, ହଠାତ୍‌ ବନ୍ଧୁ ରାମଚନ୍ଦ୍ର ତାଙ୍କୁ ଟେଲିଫୋନ କଲେ । ଟେଲିଫୋନରେ ସେ ଜଣାଇଲେ-ଘରଟିଏ ଯୋଗାଡ଼ କରିଛି । ଭଡ଼ା ଶହେ ଓ ଟଙ୍କା ଗୃହମାଲିକ ଅଗ୍ରୀମ ଦୁଇ ମାସର ଭଡ଼ା ନେବେ । ଚାବି ନେଇ ଆସିଛି । ଯଦି ଏଇ ସର୍ତ୍ତରେ ତମେ ରହିବାକୁ ରାଜି, ତେବେ ଆଜି ଆସ ଆମ ଘରକୁ ସନ୍ଧ୍ୟାବେଳେ । ଘରର ମାଲିକ ଆସିବେ ଆମ ଘରକୁ ।

 

ଚିନ୍ମୟ ହଠାତ୍‌ ତାଙ୍କୁ ସେହି ସର୍ତ୍ତରେ ରହିବାକୁ ସମ୍ମତି ଜଣାଇଦେଲେ ।

 

ଚିନ୍ମୟ ନିଜ ସିଟ୍‌ରେ ଆସି ବସିଲେ । ଯଦିଓ ଗୋଟାଏ ଆଶ୍ୱସ୍ତି ସେ ଅନୁଭବ କରୁଥିଲେ ଖୁବ୍‌ ଅନ୍ତରଙ୍ଗ ଭାବରେ, ତଥାପି ଦୁଇ ମାସର ଭଡ଼ା ଏକାସାଙ୍ଗରେ ଅଗ୍ରୀମ ଆକାରରେ ଦେବାଲାଗି ତାଙ୍କ ମନ ଭିତରେ ସୃଷ୍ଟି ହେଉଥିଲା ଏକ ଭୀରୁ କୁଣ୍ଠିତ ମନୋଭାବ ।

 

ଚିନ୍ମୟ ବଡ଼ ଚିନ୍ତିତ ହେଲେ । ହେଲେ ଆଉ ବା ଉପାୟ କ’ଣ ? ଘର ତ ମିଳୁନାହିଁ । ଯଦି ବନ୍ଧୁ ରାମଚନ୍ଦ୍ରଙ୍କ ଚେଷ୍ଟାରେ ଘରଟିଏ ଯୋଗାଡ଼ ହୋଇଛି, ତାକୁ ଛାଡ଼ିଦେବା ଉଚିତ ହେବନାହିଁ । ଦୁଇ ମାସର ଅଗ୍ରୀମ ଭଡ଼ା ଦେଇ, ସେ ସେଠାରେ ନିଶ୍ଚୟ ରହିବେ । ନହେଲେ ଉପାୟ ନାହିଁ ।

 

ଚିନ୍ମୟ ସରକାରୀ କ୍ୱାର୍ଟରଟିଏ ନିମାଇଁ ଚରଣଙ୍କ ଦୟାରୁ ପାଇଲେ ଅବଶ୍ୟ ଭଡ଼ା ସୂତ୍ରରେ ଏବେ ତାଙ୍କର ପିଲାମାନେ ସେଇ ଘରେ ଆସି ରହିଲେଣି ।

 

ଏଇ ଘରଟି ତାଙ୍କ ଅଫିସ୍‍ଠାରୁ ଥିଲା ଛଅ କିଲୋମିଟର ଦୂରରେ । ଅବଶ୍ୟ ସେଠାକୁ ଟାଉନ ବସ୍‌ ଯାତାୟତ କରୁଥିଲା । ବସରେ ଅଫିସ ଯାଇ ଓ ସେଠାରୁ ଫେରି ତାଙ୍କୁ ପ୍ରତିଦିନ ଗୋଟିଏ ଲେଖାଏଁ ଟଙ୍କା ବସ୍‍ ଭଡ଼ା ବାବଦକୁ ଦେବାକୁ ପଡ଼ୁ୍‌ଥିଲା । ଏ ସମସ୍ତ ବ୍ୟୟବହୁଳତା ସତ୍ୱେ ତଥାପି ଚିନ୍ମୟ ଏଇ ଘରେ ରହିବାକୁ ଅଗ୍ରାଧିକାର ଦେଇଥିଲେ ।

 

ଯେଉଁ ଦିନ ଚିନ୍ମୟ ଘରର ମାଲିକ ନିମାଇଁ ଚରଣଙ୍କ ସହିତ ଦେଖା ସାକ୍ଷାତ କଲେ, ସେଦିନ ତାଙ୍କ ସମ୍ପର୍କରେ ବେଶ ଏକ ପ୍ରାଥମିକ ଧାରଣା ସେ କରିପାରିଲେ । ନିମାଇଁ ଚରଣଙ୍କର ଥିଲା ବେଶ୍‌ ଏକ ଚାରିତ୍ରିକ ବୈଶିଷ୍ଟ୍ୟ ।

 

ନିମାଇଁ ଚରଣ ସେଦିନ ସନ୍ଧ୍ୟାରେ ବନ୍ଧୁ ରାମଚନ୍ଦ୍ରଙ୍କ ଉପସ୍ଥିତିରେ ତାଙ୍କ ସମ୍ପର୍କରେ ଏକ ଗୌରବମଣ୍ଡିତ ଅବତରଣିକା ଦେଇଥିଲେ ।

 

ସେ କହିଲେ—କେତେ ଲୋକ ଆଜ୍ଞା ଆସୁଛନ୍ତି ମୋ ପାଖକୁ ଘର ପାଇଁ, ମତେ ଦେଢ଼ଶହ ପର୍ଯ୍ୟନ୍ତ ଦେବାକୁ କହିଲେ । କିନ୍ତୁ ଗତକାଲି ସନ୍ଧ୍ୟାବେଳେ ରାମବାବୁ ଆପଣଙ୍କ କଥା କହିଲା ପରେ ମୁଁ ଆଉ ସମସ୍ତ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ରୋକ୍‌ଠୋକ୍‌ ମନା କରିଦେଲି । କାରଣ ରାମବାବୁଙ୍କ ସହିତ ମୋର ଅନେକ ଘନିଷ୍ଠତା । ତାଙ୍କ କଥା ଏଡାଇଦେବା ମୋ ପକ୍ଷରେ ସମ୍ଭବ ହେଲାନାହିଁ ।

 

କିନ୍ତୁ ଆଜ୍ଞା, ଗୋଟିଏ ଅନୁରୋଧ ଆପଣଙ୍କୁ । ଅନେକ ସମୟରେ ସରକାରଙ୍କ ଘର ଯୋଗାଣ ବିଭାଗ ଆକସ୍ମିକ ତଦନ୍ତରେ ଆସୁଛନ୍ତି । ଆପଣ ସେତେବେଳେ କଥାଟା ଯେପରି ଚଳାଇନେବେ । ଆପଣଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ଦୟାକରି ଜଣାଇଦେବେ ସେମାନେ ଯେପରି ଭଡ଼ାରେ ରହିଛନ୍ତି ବୋଲି ସେହି ତଦନ୍ତକାରୀ ଲୋକମାନଙ୍କ ପାଖରେ କେବେ ପ୍ରକାଶ ନ କରନ୍ତି । ତଦନ୍ତକାରୀ ଲୋକେ ଯଦି ପଚାରନ୍ତି ନିମାଇଁ ବାବୁ କାହାନ୍ତି ପିଲାମାନେ କହିବେ ଏଇ ଯାଇଛନ୍ତି ବଜାରକୁ ଅଥବା ଟ୍ୟୁସନ କରି । ଖବରଦାର ଆଜ୍ଞା, ଏଇ କଥାଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

 

ଚିନ୍ମୟ ହସିଲେ । ସେ କହିଲେ ଆମେ ଯେତେବେଳେ ସେଇ ଘରେ ରହିବୁ, କଥାଟାକୁ ଆମେ କ’ଣ ଏଇ ଭାବରେ ଚଳାଇ ନେଇ ପାରିବୁ ନାହିଁ ?

 

ନିମାଇଁ ଚରଣ ସତେ ଯେପରି କୃତ୍ୟ କୃତ୍ୟ ହୋଇଉଠିଲେ ।

 

ଚିନ୍ମୟ ସେଦିନ ଲକ୍ଷ୍ୟ କଲେ ନିମାଇଁଙ୍କର ବହୁମୁଖୀ କଣ୍ଠସ୍ୱରର ବୈଚିତ୍ର୍ୟକୁ । ବେଳେ ବେଳେ ତାଙ୍କ କଣ୍ଠସ୍ୱର ହୋଇଯାଉଛି ପୁରୁଷମାନଙ୍କ କଣ୍ଠସ୍ୱର ପରି ବେଶ୍‌ ସ୍ୱାଭାବିକ ଗମ୍ଭୀର ପୁଣି ଆଉ କେତେବବେଳେ ହୋଇଯାଉଛି ନାରୀକଣ୍ଠ ପରି କୋମଳ ଓ ମଧୁର । ପୁଣି ଆଉ କେତେ ମିନିଟ୍‌ ପରେ ସେ କଣ୍ଠସ୍ୱର ହୋଇଯାଉଛି ବିଚିତ୍ର ଧରଣର । ସେ କଣ୍ଠ ହୁଏତ ଦର୍ଦ୍ଦୁର ପରି ହୋଇପାରେ ଅଥବା ହୋଇପାରେ ସନ୍ଧ୍ୟା ଅତିକ୍ରାନ୍ତି ସମ୍ମିଳିତ ବିଲୁଆମାନଙ୍କର ସ୍ୱର ପରି ଏକ ଭୟଙ୍କର ବିକଟାଳ ।

 

ଚିନ୍ମୟ ସେଦିନ ସନ୍ଧ୍ୟାରେ ନିମାଇଁଙ୍କ ବହୁ କଣ୍ଠସ୍ୱରର ମୂର୍ଚ୍ଛନା ଏକା ସାଙ୍ଗରେ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ।

 

କଣ୍ଠସ୍ୱରର ବିଭିନ୍ନତା ପରି ନିମାଇଁଙ୍କ ବ୍ୟକ୍ତିତ୍ୱ ଥିଲା ସେହିପରି ଅଦ୍ଭୁତ ଧରଣର । ବାଙ୍ଗରା ହୋଇ ମଣିଷଟିଏ । ବୟସ ପଞ୍ଚତ୍ରିଶ ଛତିଶ ହେବ । ଦେହରେ ଧୋତି ଓ ସାର୍ଟ । ସାର୍ଟର ହାତକୁ ଭାଙ୍ଗିଛନ୍ତି ହାତଗଣ୍ଠି ଠାରୁ ଉପରକୁ । କଥା କହିଲା ବେଳେ ହାତଘଣ୍ଟାକୁ ବାରମ୍ବାର ଚାହାନ୍ତି-। ସତେ ଅବା କୌଣସି ଏକ କାର୍ଯ୍ୟରେ ଯୋଗ ଦେବା ଲାଗି ଏକ ନିର୍ଦ୍ଦିଷ୍ଟ ସମୟ ଦେଇ ଆସିଛନ୍ତ ସେ ।

 

ସେଦିନ ସନ୍ଧ୍ୟାରେ ନିମାଇଁ ଚରଣ ଚିନ୍ମୟଙ୍କଠାରୁ ଅଗ୍ରୀମ ଦୁଇଶହ ଟଙ୍କା ନେଲାବେଳେ ବେଶ୍‌ ଏକ ଉତ୍‌ଫୁଲତାରେ ସ୍ପନ୍ଧିତ ହୋଇଯାଇଥିଲେ । ତାଙ୍କଠାରୁ ବିଦାୟ ନେଲା ନିମାଇଁ ଚରଣ ନିଜ ଉଦାର ବ୍ୟକ୍ତିତ୍ୱ ଓ ସାଧୁତା ସମ୍ପର୍କରେ କହିଥିଲେ ମୋ ପିଲା ପିଲି ଧରି ମୁଁ ରହୁଥିଲି ସେଇ ଘରେ ଗତ ଏଗାଁର ବର୍ଷ ଧରି ନିଜ ହାତରେ ଚାଷ କରୁଥିବାରୁ ଏଠାରେ ପିଲା ପିଲି ଧରି ରହିବା ସମ୍ଭବ ହେଉନାହିଁ । ତେଣୁ ଘରଟି ପ୍ରଥମଥର ପାଇଁ ଆପଣଙ୍କୁ ଦେଉଛି । ଆପଣ ସବ୍‌ଲେଟରେ ରହୁଛନ୍ତି ବୋଲି ଯେପରି କେହି ନ ଜାଣନ୍ତି ।

 

ଚିନ୍ମୟ ସେଦିନ ନିମାଇଁଙ୍କର ଏଇ ସ୍ପଷ୍ଟୀକରଣ ଶୁଣି ବିସ୍ମିତ ହୋଇଯାଇଥିଲେ । କାରଣ ସେ ତାଙ୍କର ପଡ଼ୋଶୀମାନଙ୍କଠାରୁ ଓ ଏପରିକି ବନ୍ଧୁ ରାମଚନ୍ଦ୍ରଙ୍କଠାରୁ ଭଲ ଭାବରେ ଜାଣିଛନ୍ତି ଯେ ଗତ ବାରବର୍ଷ ଧରି ଘରଟି ଭଡ଼ାରେ ଲଗାଇବାରେ ନିମାଇଁଙ୍କର ତିଳେହେଲେ କାର୍ପଣ୍ୟ ନାହିଁ-। ଅଥଚ ସେ ଆଜି ତାହା ମିଛ କହିଲେ ।

 

ଚିନ୍ମୟ ସେଇ ଘରେ ଚାରିମାସ କଟାଇଲେ । ପ୍ରତି ମାସ ଦୁଇ କିମ୍ବା ତିନି ତାରିଖରେ ନିମାଇଁ ଚରଣ ଚିନ୍ମୟଙ୍କ ପାଖକୁ ଆସି, ତାଙ୍କ ନିର୍ଦ୍ଧାରିତ ଭଡ଼ା ନେଇଯାଆନ୍ତି । ମାସ ପୁରିବାକୁ ଆହୁରି ଦଶ ଦିନ ବାକି ଅଛି । ଦିନେ ସନ୍ଧ୍ୟାରେ ନିମାଇଁ ଚରଣ ଆସି ଚିନ୍ମୟଙ୍କର ଦର୍ଜାରେ କରାଘାତ କରିବାକୁ ଲାଗିଲେ । ଚିନ୍ମୟ କବାଟ ଖୋଲି ଦେଖନ୍ତି ତ ବାବୁ ନିମାଇଁ ଚରଣ ।

 

ଚିନ୍ମୟ ତାଙ୍କୁ ପାଛୋଟି ଆଣି ସସମ୍ମାନେ ଦାଣ୍ଡଘରେ ବସାଇଲେ । ମାତ୍ର ଚିନ୍ମୟଙ୍କ ଭିତରେ ଦୋହରେଇ ଦୋହରେଇ ଉଠୁଥିଲା ଅନେକ ପ୍ରଶ୍ନ । ମାସ ତ ପୂରି ନାହିଁ । ଆଜି କେଉଁ ଉଦ୍ଦେଶ୍ୟରେ ଆସିଲେ ଇଏ ? ହୁଏତ ପୁଣି କିଛି ଆଳ ଦେଖାଇ ଆଉ ଗୋଟାଏ ମାସର ଅଗ୍ରୀମ ଭଡ଼ା ମାଗିପାରନ୍ତି । ତାଙ୍କ କଣ୍ଠର ବର୍ଣ୍ଣବୈଚିତ୍ର୍ୟ ପୁଣି ଆଜି ହୁଏତ ଏକ ନୂତନ ସ୍ୱରର ଅନୁଗଣିତ ହେବ ।

 

ନିମାଇଁ କାହିଁକି କେଜାଣି ବାରମ୍ବାର ହାତ ଘଣ୍ଟାକୁ ଚାହାନ୍ତି । ଏହା ଅବଶ୍ୟ ତାଙ୍କର ଅଭ୍ୟାସଗତ । ଏକ ନିଚ୍ଛକ ଭଦ୍ରବ୍ୟକ୍ତି ଭାବରେ ନିଜକୁ ପରିଚୟ ଦେବାକୁ ଯାଇ ବେଳେବେଳେ ବଡ଼ ଅସହାୟ ଭାବରେ ଆପଣାର ଭଦ୍ରତା ମୁଖା ଖୋଲି ଦିଅନ୍ତି । ଗତ ଚାରିମାସ ଅଭିଜ୍ଞତାରୁ ଚିନ୍ମୟ ଏହା ଜାଣିଛନ୍ତି ।

 

କିଛି ସମୟ ଚୁପ୍‌ଚାପ୍‌ ଓ ଗମ୍ଭୀର ହୋଇ ବସିଲା ପରେ ନିମାଇଁ କହିଲେ ତିରିଶ ଡିସ୍‌ମିଲ ଜମି କଣିବା ଲାଗି ଗାଁ ରେ ସ୍ଥିର କରିଛି ଆଜ୍ଞା । ଆପଣ କିଛି ସାହାଯ୍ୟ ନ କଲେ ଜମି ରେଜିଷ୍ଟ୍ରେସନ କପରି ସମ୍ଭବ ହେବ ? ମୋ ବାରିକୁ ଲାଗି ସେଇ ଜାଗା ଖଣ୍ଡିକ । ତାକୁ ଆମର ଜଣେ ପଡ଼ୋଶୀ ଲୋକ କିଣି ନେବା ପାଇଁ ବସିଛନ୍ତି । ଡିସ୍‌ମିଲ ପଚାଶ ଟଙ୍କା ଲେଖାଏ ପଡ଼ିବ । ପନ୍ଦରଶହ ଟଙ୍କା ମଧ୍ୟରୁ ମୁଁ ପ୍ରାୟ ହଜାର ଟଙ୍କା ଯୋଗାଡ଼ କରିଛି । ଆଉ ପାଞ୍ଚଶହ ମଧ୍ୟରୁ ଆପଣ ତିନିଶହ ତୁଲାଇବେ । ଅବଶିଷ୍ଟ ଟଙ୍କା ଆଉ କେଉଁଠୁ ଯୋଗାଡ଼ କରିବି । ଏ ଗୁରୁଦାୟିତ୍ୱ ତୁଲାଇବାରେ ଆପଣ ସାହାଯ୍ୟ ନ କଲେ ଚଳିବ କେମିତି ?

 

ଚିନ୍ମୟଙ୍କର ଆଉ ଅଧିକ କିଛି ଶୁଣିବାର ଧୈର୍ଯ୍ୟ ନଥିଲା । ସେ ଯାହା ଆଶଙ୍କା କରିଥିଲେ, ତାହାହିଁ ସତ୍ୟ ହେଲା ।

 

ଚିନ୍ମୟ ଭାବିଲେ ଲୋକଟା ଯେପରି ସେକ୍‌ସପିଆରଙ୍କ ସାଇକଲ୍‌ ଚରିତ୍ରର ଏକ ନବତମ ରୂପାନ୍ତର । ସରକାରୀ ଘରଟିକୁ ଏକାଦିକ୍ରମେ ଗତ ବାରବର୍ଷ କାଳ ଭଡ଼ାଦେଇ ଓ ସେଥିରୁ ଗତ ବାରବର୍ଷ କାଳ ଅବୈଧ ଉପାୟରେ ଅର୍ଥ ଉପାର୍ଜନ କରି ମଧ୍ୟ ତଥାପି ଯେପରି ଅର୍ଥ ଲୁଣ୍ଠନର ସର୍ବଗ୍ରାସୀ କ୍ଷୁଧା ତା’ର ପ୍ରଶମିତ ହୋଇନାହିଁ । ତା’ ଘରେ ରହିଥିବା ଭଦ୍ରଲୋକଟିକୁ ସେ ଯେପରି ଶୋଷଣ କରି ତଳିତଳାନ୍ତ କରିଦଦେବ ।

 

ଚିନ୍ମୟ କହିଲେ–ଟଙ୍କା ପଇସା ଅଗ୍ରୀମ ଦେବା ଅବସ୍ଥାରେ ମୁଁ ନାହିଁ ନିମାଇଁ ବାବୁ । ଯଦି କହିବେ ମୁଁ ଘର ଛାଡ଼ିଦେବି । ମାତ୍ର ତିନିଶହ ନୁହେଁ, ଏପରିକି ଗୋଟିଏ ଟଙ୍କା ଦେବା ମୋ ପକ୍ଷରେ ଅସମ୍ଭବ ।

 

ନିମାଇଁଙ୍କ ଆଗ୍ରହ ଓ ଔତ୍ସୁକ୍ୟ ସତେ ଯେପରି ମଉଳି ପଡ଼ିଲା । ତାଙ୍କ ମୁହଁରେ ଖେଳିଗଲା ଏକ ବିଷାଦର ଘନଛାୟା । ସେ ସେହି ବିଷାଦ ମୁହଁକୁ ଆହୁରି ବିଷାଦତର କରିଦେଇ ଦର୍ଦ୍ଦୁର କଣ୍ଠରେ କହିଲେ-ମତେ ଏତେବେଳେ ସାହାଯ୍ୟ ନ କଲେ ମୁଁ ଆଉ କରିବି କ’ଣ ? ଅନ୍ୟ କାହାକୁ ଘର ନ ଦେଇ ଆପଣଙ୍କୁ ଦେଇଥିଲି ଦାୟଦରକାରରେ ଚଳାଇବା ପାଇଁ । ଆପଣ ମନା କଲେ ଚଳିବ କିପରି ?

 

ଚିନ୍ମୟ ବ୍ୟକ୍ତିତ୍ୱ ଓ ବିବେକ ଅର୍ଥଗୃଧ୍ନ ନିମାଇଁଙ୍କ ବିରୁଦ୍ଧରେ ହଠାତ୍‌ ବିଦ୍ରୋହ କରିଉଠିଲା । ସେ ଭାବିଲେ, ଲୋକଟା ବାରବର୍ଷ ହେଲା ସରକାରୀ ଘରଟିକୁ ଏକାଦିକ୍ରମେ ଭଡ଼ାଦେଇ ଚାଲିଛି, ଅଥଚ ଘର ଯୋଗାଣ ବିଭାଗର ତଦନ୍ତକାରୀ ଅଫିସରମାନଙ୍କ ନଜରରେ ଏହା କିପରି ଧରାପଡୁ ନାହିଁ ?

 

ଚିନ୍ମୟ କହିଲେ–ବୁଝିଲ ନିମାଇଁ ବାବୁ । ସରକାରୀ ଘରଟିକୁ ସ୍ଥାୟୀ ସମ୍ପତ୍ତି ମଣି ତମେ ଏତେ ଲୋଭ କର ନାହିଁ । ଲୋଭର ଗୋଟିଏ ସୀମା ଅଛି । ମାତ୍ର ତମର ଲୋଭ ସୀମାହୀନ, ଅନନ୍ତ । ତାକୁ କିଛି ପରିମାଣରେ ନିୟନ୍ତ୍ରଣ କର ।

 

ନିମାଇଁ ଚିନ୍ମୟଙ୍କଠାରୁ ଏସବୁ ନିର୍ମମ ଉପଦେଶ ଶୁଣିବାକୁ ଚାହିଁ ନଥିଲେ । ଘର ବଦଳରେ ସେ ଚାହାଁନ୍ତି ଯେତେବେଳେ ପାରେ ସେତେବେଳେ ଟଙ୍କା, ଏ ଘରଟି ତାଙ୍କ କାମଧେନୁ-

 

ଚିନ୍ମୟଙ୍କର କଥା ଣୁଣି ସାରିଲା ପରେ ନିମାଇଁ ଚରଣ ପୂର୍ବତନ ଜମିଦାରମାନଙ୍କ ପରି ଏକ ପ୍ରଚଣ୍ଡ ଅହମିକା ଓ ପ୍ରତିବାଦରେ ଥରି ଉଠିଥିଲେ । ମାତ୍ର ଚିନ୍ମୟଙ୍କର ବ୍ୟକ୍ତିତ୍ୱ ନିକଟରେ ତାଙ୍କର ସମସ୍ତ ପ୍ରତିକ୍ରିୟା ଓ ପ୍ରତିବାଦ ସତେ ଯେପରି ପାଣି ଫାଟିଗଲା । ସେ କହିଲେ—ତେବେ ପହିଲା ବେଳକୁ ଆପଣ ଘର ଛାଡ଼ିଦିଅନ୍ତୁ । ମୋର ଜମି କିଣା ଦରକାର ନାହିଁ । ମୁଁ ନିଜେ ରହିବି ଏଠି ।

 

ଚିନ୍ମୟ କହିଲେ—ଏ ଗୋଟାଏ ପ୍ଳି ଆପଣଙ୍କର ସବୁବେଳେ । ନିଜେ ରହିବା ପାଇଁ କହି ଆଉ ଜଣେ ଭଦ୍ର ଲୋକଙ୍କୁ ଅଧିକ ଭଡ଼ାରେ ରଖାଇବା ଆପଣଙ୍କର ସବୁବେଳେ ଏକ ଅଭ୍ୟାସ । ତେବେ ଯାହାହେଉ, ଆସନ୍ତା ପହିଲା ବେଳକୁ ମୁଁ ଘର ଛାଡ଼ୁଛି, ଆପଣ ଆସନ୍ତୁ । ମୋର ଅନେକ କାମ ଅଛି ।

 

ଚିନ୍ମୟ ଉଠିପଡ଼ିଲେ ହଠାତ୍‌ ।

 

ନିମାଇଁ ଚରଣ ଚାଲିଗଲେ ତଳକୁ ଏକ ପରାହତ ସୈନିକର ଆତ୍ମଗ୍ଲାନି ନେଇ ।

 

ଚିନ୍ମୟ ତା’ର କେତେଦିନ ପରେ ‘ଦୁଇ, ଆର.ଏ.ଫ୍ଲାଟର-ଏକତ୍ରିଶ ବାଇ ଆଠ ଘର’ ଛାଡ଼ି ଏବେ ପ୍ରାଇଭେଟ ଘରେ ଭଡ଼ାରେ ରହୁଛନ୍ତି । ଭଡ଼ା ବାବଦରେ ଅବଶ୍ୟ ତାଙ୍କୁ ଅଧିକ ଦେବାକୁ ପଡ଼ୁଛି ।

 

‘ଦୁଇ, ଆର. ଏ. ଫ୍ଲାଟର ଏକତ୍ରିଶ ବାଇ ଆଠ ଘର’ ଛାଡ଼ିବାର ଆଠଦିନ ପରେ ଚିନ୍ମୟ ଜାଣିବାକୁ ପାଇଲେ ଯେ ନିମାଇଁ ଚରଣ ତାଙ୍କ ବରିବର୍ତ୍ତେ ଆଉ ଜଣେ ଭଦ୍ର ବ୍ୟକ୍ତିଙ୍କୁ ରଖାଇଛନ୍ତି । ମୁନାଫା ଭିତରେ, ତାଙ୍କର ବଡ଼ ପୁଅଟା, ଯେ ଏବେ ନବମ ଶ୍ରେଣୀରେ ପଢ଼ୁଛି, ସେ ସେଠାରେ ରହୁଛି ଓ କଥିତ ଭଦ୍ରଲୋକଙ୍କ ଉପରେ ମାଗଣାରେ ଖାଇବା ଉଠାଇ ନେଉଛି । ତା’ଛଡ଼ା ନିମାଇଁଙ୍କୁ ଭଦ୍ରଲୋକ ଦେଉଛନ୍ତି ମାସିକ ଚାଳିଶ ଟଙ୍କା ।

 

ଚିନ୍ମୟ ଭାବୁଥିଲେ, ଏ ସହର ହେଉଛି ସାରା ରାଜ୍ୟର ସ୍ନାୟୁକେନ୍ଦ୍ର । ତା’ରି ଭିତରେ ସରକାରୀ କର୍ମଚାରୀ, ଘର ପାଇ ବର୍ଷ ବର୍ଷ ଧରି ଭଡ଼ା ଲଗାଇ ରୋଜଗାଁରର ଏକ ନିଶ୍ଚିତ ପନ୍ଥା ଧରିଥିବା ବେଳେ ଓ ଘର ପାଇ ନଥିବା କର୍ମଚାରୀଙ୍କୁ ଲୁଣ୍ଠନ ଏବଂ ଶୋଷଣ କରିବା ଲାଗି ନାନା ଅବୈଧ ପନ୍ଥାର ଆଶ୍ରୟ ନେଉଥିବା ବେଳେ ଘର ଯୋଗାଣ ବିଭାଗ କର୍ତ୍ତୃପକ୍ଷଙ୍କର ସତର୍କ ଦୃଷ୍ଟିରୁ ସେମାନେ କିପରି ଏଡ଼ାଇ ଦେଇ ପାରୁଛନ୍ତି, ତାହା ହିଁ ଆଶ୍ଚର୍ଯ୍ୟ ଜନକ ।

 

ସେଦିନ ସନ୍ଧ୍ୟାରେ ନିମାଇଁ ଚରଣଙ୍କ ଅଦ୍ଭୁତ ଚେହେରା ଓ ବହୁ ବ୍ୟଞ୍ଜିତ ସ୍ୱର କଥା ମନେପଡ଼ି ଚିନ୍ମୟଙ୍କୁ ଭାରି ହସ ଲାଗୁଥିଲା ।

Image

 

ଯଶୋଦାର ଭିନ୍ନ ରୂପ

 

ବୋଉ...

 

ସେ ବୋଉ, ମା, ଜନ୍ମଦାତ୍ରୀ । ଆଜିକୁ ଚଉରାଳିଶି ବର୍ଷ ତଳେ ଶ୍ରୀମନ୍ତ ଜନ୍ମଗ୍ରହଣ କରିଥିଲେ ତାଙ୍କର ସେ ବୋଉ ନାମ୍ନୀ ଗର୍ଭଧାରିଣୀ ମାଆଠାରୁ ଏକ ନାଲି ଟୁକୁ ଟୁକୁ ମାଂସପିଣ୍ଡୁଳା ହୋଇ । ତା’ରିଠାରୁ କେଉଁ ଏକ ନାମହୀନ ଆଶ୍ୱିନ ସନ୍ଧ୍ୟାରେ ଏନ୍ତୁଡ଼ିଶାଳର ଅନ୍ଧାରିଆ କୋଠରୀରେ କୁଆଁ କୁଆଁ ସ୍ୱର ମେଲି ସେ ଓହ୍ଲାଇ ଆସିଥିଲେ ପୃଥିବୀକୁ । ସେଦିନ କୁଆଡ଼େ ତାଙ୍କ ଘରେ ଦେଖା ଦେଇଥିଲା, ନାହିଁ ନ ଥିବା ଉଲ୍ଲାସ ଓ ହାଲ୍ଲୋଳ, ଯାହା ପରବର୍ତ୍ତୀ ଅବସ୍ଥାରେ ସେ ଶୁଣିବାକୁ ପାଇଥିଲେ ତାଙ୍କର ବଡ଼ମା ଓ ଖୁଡ଼ୀ ନାମ୍ନୀ ଆଉ ଦୁଇଟି ସ୍ନେହମୟୀ ମହିୟସୀ ମହିଳାଙ୍କଠାରୁ ।

 

ବୋଉ କହୁଥିଲା ଅନେକ ସମୟରେ ସେ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିଲା ବେଳେ ଧୀରେ ଧୀରେ ତାଙ୍କ ମୁଣ୍ଡ ସାଉଁଳାଇ ଦେଇ-ବାବାରେ, କେତେ ଦେବାଦେବୀ, ଶିବପାର୍ବତୀ ପୂଜି ତତେ ମୁଁ ପାଇଛି । ବାହାଘରର ପାଞ୍ଚ ବର୍ଷ ବିତିଗଲା । କୋଳରେ ମୋର ଛୁଆଟିଏ ଦେଖିଲି ନାହିଁ । ଶାଶୁଶ୍ୱଶୁର କେତେ ଖିଙ୍ଗାସିଲେ । ବାପା ବି ତୋର କେଜାଣି କାହିଁକି ମନ ଦୁଃଖରେ ଭାଜି ପଡ଼ୁଥିଲେ । ତା’ପରେ ମହା ମହା ବାରୁଣୀ ଯୋଗ ପଡ଼ିଲା ଦଶାଶ୍ୱମେଧ ଘାଟରେ, ଯାହାକୁ ତାଙ୍କର ବୋଉ କହନ୍ତି ଦଶାଶନି ଘାଟ; ସେଇଠି ତାଙ୍କର ବୋଉ ଦେଇଥିଲେ କଖାରୁ ଦାନ, କଖାରୁ ବଳି । ଦଶାଶ୍ୱମେଧ ଘାଟର ପବିତ୍ର ଜଳରେ ବ୍ରାହ୍ମଣମାନଙ୍କୁ ଦାନଦକ୍ଷିଣା ଦେଇ ବାପା ଓ ବୋଉ ସେମାନଙ୍କୁ ସନ୍ତୁଷ୍ଟ କଲାପରେ ଶ୍ରୀମନ୍ତ କୁଆଡ଼େ ତା’ରି ଗର୍ଭକେଷରେ ଭ୍ରୂଣଟିଏ ହୋଇ ଦେଖା ଦେଲେ ।

 

ଶ୍ରୀମନ୍ତ ଆଜି ପଞ୍ଚଚାଳିଶି ବର୍ଷର ପରିଣତ ବୟସରେ ଦେଖୁଛନ୍ତି ତାଙ୍କର ବୋଉକୁ । ଛୁଆବେଳର ବୋଉ, କୈଶୋରର ବୋଉ ଓ ଯୌବନର ବୋଉ ସତେ ଯେପରି ତିନୋଟି ପର୍ଯ୍ୟାୟ ଦେଇ ଗତି କରି ଆସି ଆଜି ଠିଆ ହୋଇଛି ଭିନ୍ନ ରୂପରେ । ଗୌରବର୍ଣ୍ଣର ସାମନ୍ୟ ବାଙ୍ଗିରୀ ହୋଇ ମଣିଷଟିଏ । ଆଗ ଦାନ୍ତ ତିନୋଟି ଖସି ପଡ଼ିଛି ଚାରିବର୍ଷ ତଳେ । ଗୋରା ଗୋରା ଚମ ସବୁ ଧୁଡ଼ୁ ଧୁଡ଼ୁ ହେଲାଣି । ବଳ କମି ଆସିଲାଣି । ଯେଉଁଦିନ ରାତିରେ ସାମାନ୍ୟ ଟିକିଏ ଭଲ ତରକାରୀ ପାଇ ବେଶିକରି ଗଣ୍ଡିଏ ଖାଇଦିଏ, ତା’ପରଦିନ ତା’ର ଅଜୀର୍ଣ୍ଣ ହୁଏ । ତିନିଚାରି ଥର ଝାଡ଼ା ଯାଇ ସେ ଦୁର୍ବଳ ହୋଇପଡ଼େ । ତା’ର ମୁହଁ ଶୁଖି ଶୁଖି ଯାଏ । କଥାବାର୍ତ୍ତା ବଡ଼ କଷ୍ଟରେ ଟାଣିଓଟାରି କହେ । ଶ୍ରୀମନ୍ତଙ୍କ ସ୍ତ୍ରୀ ଓ ବୋଉର ବୋହୂ ଶଶୀ ଉପରେ ସେ ଭାରି ବିରକ୍ତ ହୁଏ । କାହିଁକି ମତେ ରାତିରେ ଆଗରେ ପଛରେ ବଳାଇ ଯାଚି ଖାଇବାକୁ ଦେଲୁ ? ମୋ କଷ୍ଟ କିଏ ନେବ-?

 

ମାତ୍ର ଶ୍ରୀମନ୍ତ ଦେଖିପାରୁଥିଲେ—ତାଙ୍କ ଶୈଶବ, କୈଶୋର, ଓ ଯୌବନାବସ୍ଥାର ବୋଉକୁ !

 

ପିଲାବେଳେ ସ୍କୁଲରେ ପାଠପଢ଼ୁଥିଲାବେଳେ ଯେଉଁଦିନ ସ୍କୁଲରେ ଡ୍ରିଲ ହୁଏ, ବଗିଚା କାମ ହୁଏ, ବାବୁ ଆସିବାର ଥାଏ (ବାବୁ ବୋଇଲେ ସେତେବେଳେ ସ୍କୁଲ ବିଭାଗର ସବ୍‌ଇନ୍‌ସପେକ୍ଟର, ଲୋକାଲ ବୋର୍ଡ଼ ଚେୟାରମ୍ୟାନ ପ୍ରଭୃତିଙ୍କୁ ବୁଝାଯାଉଥିଲା), ସେଦିନ ଶ୍ରୀମନ୍ତ ଘରକୁ ଫେରୁ ଫେରୁ ସନ୍ଧ୍ୟା ହୋଇଯାଏ । ମାତ୍ର ଶୈଶବାବସ୍ଥୋ ତତ୍କାଳୀନ ବୋଉନାମ୍ନୀ ସେଇ ମହିଳାଟି ଶ୍ରୀମନ୍ତଙ୍କ ବାଟ ଚାହିଁ ଆଖରୁ ଲୁହ ଗଡ଼ାଉଥାଏ ।

 

ସେତେବେଳେ ଆଜି ଭଳି ଶ୍ରୀମନ୍ତଙ୍କ ଗାଁରେ ପ୍ରାଥମିକ ସ୍କୁଲ୍‌ଟିଏ ନ ଥିଲା । ଗାଁଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ସେହି ସ୍କୁଲଟି ସ୍ଥାପିତ ହୋଇଥିଲା । ତେଣୁ ବୋଉ ବା କାହାକୁ ପଠାଇବ ପୁଅ ପାଖକୁ ? ନିଜେ ସେତେବେଳେ ଭୁଆସୁଣୀଟିଏ । ଗାଁର ଅନେକ ଲୋକଙ୍କୁ ସେ କଥା କହେନାହିଁ । ବାପା ରହୁଥିଲେ ଚାକିରିକ୍ଷେତ୍ରରେ କେଉଁ ଦୂର ଦେଶରେ । ତେଣୁ ପୁଅର ବାଟକୁ ନ ଖାଇ ପ ପିଇ ତକାଇ ରହିବା ଥିଲା ତା’ର ବେଳେ ବେଳେ ଅଭ୍ୟାସ ।

 

ପୁଣି ସେଇ ବୋଉ ଶ୍ରୀମନ୍ତ ମାଟ୍ରିକ୍‌ ପରୀକ୍ଷା ପାଇଁ ବ୍ୟସ୍ତ ରହୁଥିଲାବେଳେ ରାତିପାହାନ୍ତାରୁ ତାକୁ ଉଠାଇ ଦିଏ । ନିଦ ବାଉଳାରେ ଶ୍ରୀମନ୍ତ ପୁଣି ଯଦି କର ଲେଉଟାଇ ଶୋଇବାର ଉପକ୍ରମ କରେ, ସେଇ ବୋଉଟି ପୁଣି ତାଙ୍କ ନିଦ ଭାଙ୍ଗି ଦେଇ ପଢ଼ିବା ପାଇଁ ତାଗିଦ୍‌ କରିଦିଏ ।

 

ଚାରିଦିନ ଧରି ମାଟ୍ରିକ ପରୀକ୍ଷା ଚାଲିଥିଲା । ସେହି ଚାରି ଦିନଯାକ ଶ୍ରୀମନ୍ତଙ୍କ ବୋଉ ମହାଦେବ ମନ୍ଦିରର ଶିବଶକ୍ତିଙ୍କ ଉପରେ ଚମ୍ପାଫୁଲ ଚଢ଼ାଉଥିଲା । ପ୍ରତିଦିନ ସକାଳୁ ଗାଧୋଇ ଶିବମନ୍ଦିରରେ ଅଧିଆ ପଡ଼ି ମନେ ମନେ କ’ଣ ସୁମରୁଥିଲା ।

 

ତା ପରେ କଲେଜପଢ଼ା । ଶ୍ରୀମନ୍ତଙ୍କ ବ୍ୟତୀତ ତାଙ୍କ ବାପା ବୋଉଙ୍କର ଆଉ କୌଣସି ପିଲାଛୁଆ ନଥିଲେ । ଶ୍ରୀମନ୍ତ ହିଁ ଥିଲେ ଏକୋଇରବଳା ବିଶିକେଶନ । ଷୋଳ ବର୍ଷଯାକ ଗାଁରେ ରହି, ଦୂର ଦେଶକୁ ପଢ଼ିବାକୁ ଗଲାବେଳେ ଶ୍ରୀମନ୍ତଙ୍କ କୈଶୋର ଅବସ୍ଥାରେ ସେଇ ଗୋରା ତକତକ ମଧ୍ୟବୟସ୍କା ବୋଉଟି ଗୋଟାଏ ପ୍ରଚଣ୍ଡ ଆବେଗରେ ଭାଙ୍ଗିପଡ଼ି ନିଜ ପୁଅକୁ କୋଳରେ ଧରି କାନ୍ଦି କାନ୍ଦି କହିଥିଲା—ବାପା ରେ, ତୁ ଯାଉଛୁ ଦୂରଦେଶ । କାହାକୁ ଅନାଇ ମୁଁ ବଞ୍ଚିବି ? ଗୋଟାଏ ଦଣ୍ଡ ନ ଦେଖିଲେ ପ୍ରାଣ ଛାଡ଼ିଯାଏ । ଏବେ କିପରି ବଞ୍ଚିବି ?

 

ଶ୍ରୀମନ୍ତଙ୍କ କୈଶୋର ଅବସ୍ଥାର ବୋଉ ପରବର୍ତ୍ତୀ ଅବସ୍ଥାରେ ନିଜକୁ ବେଶ୍‌ ସମ୍ଭାଳି ନେଇ ନିଜଆଡ଼କୁ ଆୟତ୍ତ କରୁଥିଲା । କାରଣ ସେ ଭଲଭାବରେ ଜାଣିଥିଲା-ପୁଅ ଦୂରଦେଶକୁ ନ ଗଲେ ମଣିଷ ହେବ ନାହିଁ, ପାଠ ପଢ଼ିବ ନାହିଁ, ତା’ରି ଯଶକୀର୍ତ୍ତି ଚାରିଆଡ଼କୁ ବ୍ୟାପିବ ନାହିଁ । ତେଣୁ ପୁଅର ଆପାତ ବିଚ୍ଛେଦକୁ ସେ ଆତ୍ମସାତ୍‌ କରିପାରୁଥିଲା ଅକ୍ଳେଶରେ ।

 

ନିଜ ପୁଅ ଦୂରଦେଶରେ ଥିଲାବେଳେ କେତେ ଦିଅଁ ଦେବତାକୁ ପୂଜା କରେ । ତା’ର ଶୁଭକାମନା ପାଇଁ କେତେ ପୂଜା, କେତେ ଯାଚଞ୍ଜା ସେ ଅଜାଡ଼ି ବସେ । ଏକୋଇରବାଳା ତା’ର ମଣିଷ ହେବ, ପାଠ ପଢ଼ିବ ଯଶ ରଖିବ ।

 

ସେତେବେଳେ ସେଇ ବୋଉନାମ୍ନୀ ମହିଳାଟି ତା’ର କାକବନ୍ଧ୍ୟା ପାଇଁ ନିଜକୁ ସେ କେବେ ଧିକ୍‌କାର କରେ ନାହିଁ । ଅନ୍ୟ ନାରୀମାନଙ୍କ ପରି ତିନି ପୁଅଙ୍କ ପାଇଁ ତିନିମୁଖୀ ପ୍ରଶଂସାର ସୁଆ ଛୁଟାଇଦିଏ ନାହିଁ । ତା’ ଚିନ୍ତାର କେନ୍ଦ୍ରବିନ୍ଦୁ ଥିଲା ତା’ର ଏକମାତ୍ର ପୁଅ ଶ୍ରୀମନ୍ତ ।

 

ଶ୍ରୀମନ୍ତ ପଢ଼ୁଥିଲେ କଲେଜରେ । ତା’ ବୋଉ କହେ—ପୁଅ ମୋର ଏଥର ବି.ଏ. ପାଶ୍‌ କରିବ ଏବଂ ଆସନ୍ତା ବର୍ଷ ବଢ଼ିବ ଏମ୍‌.ଏ. ରେ । ମାତ୍ର. ବି.ଏ. ପଢ଼ୁଥିବା ଅବସ୍ଥାରେ ଅକସ୍ମାତ ଦିନେ କ’ଣ ହେଲା କେଜାଣି, ସାରା ମୁଲକରେ ସବୁ କଲେଜପିଲାଏ ମାତିଗଲେ କେଉଁ ଏକ ଉଦ୍ଦୀପନାରେ । ସବୁ କଲେଜ ସ୍କୁଲ ବନ୍ଦ, ସହର ବଜାର ବନ୍ଦ, ସାରା ଓଡିଶା ବନ୍ଦ । ଶ୍ରୀମନ୍ତର ବୋଉ କହୁଥିଲା—ପିଲାଏ କରିଛନ୍ତି ଧରମଘଟ । ମଟର ବସ୍‌ ବନ୍ଦ । ରେଳଗାଡ଼ି ବନ୍ଦ-। ରିକ୍‌ସା ଅଚଳ । ସାଧାରଣ ଲୋକେ ଦଳ ଦଳ ହୋଇ ଦେଉଥାନ୍ତି ସ୍ଲୋଗାନ । ପୁରୀରେ ପୋଡ଼ିଦେଲେ ରେଳଇଞ୍ଜିନ ।

 

ତା’ପରେ ଶ୍ରୀମନ୍ତର ବୋଉକୁ ସେଇ ଗାଁର କିଏ ଜଣେ ଆସି ଖବର ଦେଲା—ପୁରୀରେ ଗୁଳି ଚାଲି ଜଣେ ପିଲା ମରିଗଲା । ତମ ପୁଅ ଛାତ୍ରନେତା, ଛ’ଶହ ଛାତ୍ରଙ୍କ ଭିତରେ ମୁଖିଆ । କଟକ ସଭାରେ ଭାଷଣ ଦେଇ ଦଶହଜାର ଲୋକଙ୍କୁ ତତେଇ ଦେଲା, ମତେଇ ଦେଲା । ହେଇ, ଶୁଣ ଖବର କାଗଜ । କ’ଣ ଲେଖାଯାଇଛି, ପଢ଼ି ଦେଉଛି ତମ ପାଇଁ । ଦେଖ ଶ୍ରୀମନ୍ତ ବୋଉ ! ତମେ ବଡ଼ ଭାଗ୍ୟବତୀ । ତମ ପୁଅ ଆଜି ଓଡ଼ିଶାର ନେତା ହୋଇଛି । କାଲି ଏମ. ଏଲ୍‌. ଏ. ହେବ, ମନ୍ତ୍ରୀ ହେବ । ଲାଟସଭାରେ ବସିବ । କଟକ କଲେଜ ୟୁନିୟନର ସେ ସଭାପତି । ଇଏ କ’ଣ କମ୍‌ ବଡ଼ କଥା ?

 

ଏ ସବୁ କାହାଣୀ ଶୁଣିଲା ପରେ ଶ୍ରୀମନ୍ତ ବୋଉନାମ୍ନୀ ସେଇ ଗାଉଁଲୀ ମଧ୍ୟବୟସ୍କା ମହିଳାଟି ଥରି ଉଠିଲା ଘୋର ଭୟ ଏବଂ ଆତଙ୍କରେ । ପୁରୀରେ ଗୁଳି ଚାଲି ପିଲାଟିଏ ମରିଗଲା-। ସ୍କୁଲ କଲେଜରେ ପିଲାମାନେ ଷଢ଼ୈକଳା-ଖରସୁଆଁ ଆଣିବା ପାଇଁ ଲଢ଼େଇ କରୁଛନ୍ତି ସରକାରଙ୍କ ବିରୁଦ୍ଧରେ । ତା’ ପୁଅ ବି ଲଢ଼ୁଛି ସେମାନଙ୍କ ସାଙ୍ଗରେ । ପୁରୀର ପିଲା ଭଳି ଯଦି ଶ୍ରୀମନ୍ତ ଦେହରେ ଗୁଳି ବାଜେ, ଓଃ ! ତା’ହେଲେ ସବୁ ସରିଯିବ । ତା’ର ଏକୋଇର ବଳା ବିଶିକେଶନର ଜୀବନ-ଦୀପ ଲିଭିଯିବ !

 

ସାରା ମୁଲକରେ ସେ ଗୋଳମାଳ କ୍ରମଶଃ ଜୋରଦାର୍‌ ହୋଇ ଉଠୁଥିଲା । ଦିନେ ସନ୍ଧ୍ୟାବେଳେ ଶ୍ରୀମନ୍ତଙ୍କ ଗାଁର ସେଇ ଖବରକାଗଜ ପଢ଼ାଳୀ ଯିଏ ଦେଶବିଦେଶର ବହୁ କାହାଣୀ ଗାଁର ଲୋକମାନଙ୍କୁ ପ୍ରତିଦିନ ଶୁଣାଇ ସ୍ତବ୍ଧ ଚକିତ କରିଦିଅନ୍ତି; ସେ ଆସି ଶ୍ରୀମନ୍ତଙ୍କ ବୋଉଙ୍କୁ କହିଲେ, ହେଇ ଦେଖ ଶ୍ରୀମନ୍ତ ଗତକାଲି ଗିରଫ ହେଇ ଜେଲ ଯାଇଛି । କଟକ ସହରର ୧୪୪ ଧାରା ଭାଙ୍ଗି ସେ ଜେଲ ଯାଇଛି । ତମେ ଭୟ କର ନାହିଁ ଶ୍ରୀମନ୍ତ ବୋଉ, ଏ ଦେଶ ପାଇଁ, ଏ ଜାତି ପାଇ ଶ୍ରୀମନ୍ତ ଜେଲଯାଇଛି । ସେ ଚୋରି କରିନାହିଁ, ଡକାୟତି କରିନାହିଁ । ସାବାସ୍‌ ଶ୍ରୀମନ୍ତ ! ତମ ପାଇଁ ଆମ ଗାଁ ଧନ୍ୟ ହୋଇଛି ।

 

ଶ୍ରୀମନ୍ତଙ୍କ ବୋଉର ମୁଣ୍ଡରେ ସେ ଦିନ ଅଚାନକ ବଜ୍ରପାତ ହେଲା । ସାରା ଆକାଶଟା ଯେପରି ଖସିପଡ଼ିଲା ତା’ ଉପରେ । ତା’ ପୁଅ ଶ୍ରୀମନ୍ତ ଜେଲ ଯାଇଛି । ଜେଲର ସେଇ ଅମୁହାଁ ଅନ୍ଧାରୀ ଗୁହାତଳେ ଯେଉଁଠି ମୂଷା ଓ ଚୁଚୁନ୍ଦ୍ରା ପ୍ରତି ମୁହୂର୍ତ୍ତରେ ସାଲୁବାଲୁ ହୁଅନ୍ତି, ସେଇଠି ପୁଅ ତା’ର ଅଖିଆ ଅପିଆ ଶୋଇଥିବ । ସରକାର ତାକୁ ଖାଇବାକୁ ଦେବ ନାହିଁ ।

 

ସେ ଆଉ କ’ଣ କରିବ ? ଖାଇଲା ନାହିଁ, ଶୋଇଲା ନାହିଁ, ପେଟକୁ ପାଣି ଟୋପାଏ ମଧ୍ୟ ନେଲା ନାହିଁ । ଘରର ଇଷ୍ଟଦେବତା ନୃସିଂହନାଥଙ୍କ ପାଖରେ ପଡ଼ିରହିଲା ଦିନରାତି । ହେ ପ୍ରଭୋ ! ମୋ ଶ୍ରୀମନ୍ତକୁ ଫେରାଇ ଆଣ ଭଲେ !

 

ଶ୍ରୀମନ୍ତଙ୍କ ବାପା ଓ ଖୁଡ଼ୁତା ବୁଲୁଛନ୍ତି ସହରକୁ ସହର । କେଉଁ ଜେଲରେ ଶ୍ରୀମନ୍ତ ରହିଛି, କେହି ସଠିକ୍‍ କହିପାରୁ ନାହାନ୍ତି । ସେ ସହରକୁ ସହର ବୁଲି ବୁଲି କ୍ଳାନ୍ତ । ଜେଲକର୍ତ୍ତୃପକ୍ଷଙ୍କୁ ପଚାରି ପଚାରି ନୟାନ୍ତ । ଶ୍ରୀମନ୍ତର ବୋଉ ଜଳ ତୁଳସୀ ଆହାର କରୁନାହିଁ । ତା’ ପୁଅ ନ ଫେରିଲା ପର୍ଯ୍ୟନ୍ତ ସେ ପଡ଼ିରହିବ ସେଇ ନୃସିଂହନାଥ ଚାନ୍ଦିନୀ ଉପରେ ।

 

ପନ୍ଦରଦିନ ପରେ ଜେଲରୁ ଖଲାସ ହୋଇ ଶ୍ରୀମନ୍ତ ଫେରିଆସିଲା କଲେଜ ହଷ୍ଟେଲକୁ-। ସହରରେ ତାକୁ ବିପୁଳ ସମ୍ବର୍ଦ୍ଧନା । ଛାତ୍ର, ଶିକ୍ଷକ, ସାଧାରଣ ଜନତାର ଉଚ୍ଛ୍ୱସିତ ସମ୍ବର୍ଦ୍ଧନାରେ ପୋତି ହୋଇପଡ଼ିଥିଲା ଶ୍ରୀମନ୍ତ । ସମ୍ବର୍ଦ୍ଧନା ସଭାରେ ଉତ୍ତର ଦେଇ ଶ୍ରୀମନ୍ତ କହିଥିଲା–ବିଚ୍ଛିନ୍ନାଞ୍ଚଳର ମିଶ୍ରଣ ପାଇଁ ଏ ଆନ୍ଦୋଳନକୁ ଓଡ଼ିଆଜାତି ସତେଜ କରି ଗଢ଼ିବ ।

 

ତା’ ପରଦିନ ଶ୍ରୀମନ୍ତ ଫେରିଆସିଲା ଗାଁକୁ । ସେଦିନ ବୋଉ ତାକୁ ଦେଖି ଆନନ୍ଦରେ ଅଭିଭୂତ ହୋଇ ପଡ଼ିଥିଲା ଏବଂ କିଛିକାଳ ମୁର୍ଚ୍ଛା ମଧ୍ୟ ଚାଲିଯାଇଥିଲା । ସାଷ୍ଟମ ହେଲାପରେ ତା’ର ସେଇ ଏକମାତ୍ର ବିଶିକେଶନ ପୁଅକୁ ଦେଖି ସେ ଜୀବନ ଫେରିପାଇଲା ।

 

।। ଦ୍ୱିତୀୟ ଭାଗ ।।

 

ସମୟର ଘୂର୍ଣ୍ଣନ ଓ ମହାକାଳର କ୍ରମାଗତ ଆଘାତରେ ଶ୍ରୀମନ୍ତଙ୍କ ବୋଉଟି ଏବେ ବେଶ୍‌ ବୁଢ଼ୀ ହୋଇଯାଇଛି । ପାଖାପାଖି ସତୁରୀ ହେଲାଣି, ଅବଶ୍ୟ ନଇଁ ନାହିଁ । ତା’ର ବୟସ ବେଳେ ସେ ଯେପରି ଖୁବ୍‌ ଭୋରରୁ ଉଠି କୂଅରୁ ପାଣି କାଢ଼ି ଢାଳରେ ପ୍ରତି ଦୁଆର ମୁହଁରେ ନିଜ ପୁଅ ଓ ସ୍ୱାମୀଙ୍କ ପାଇଁ ରଖିଥାଏ, ଏବେ ମଧ୍ୟ ସେହିପରି କରୁଛି ।

 

ଏବେ ଶ୍ରୀମନ୍ତଙ୍କ ବଡ଼ପୁଅ ଗଗନର ବିବାହ ସରିଛି । ଅର୍ଥାତ ଶ୍ରୀମନ୍ତଙ୍କ ବୋଉନାମ୍ନୀ ସେହି ମହିଳାଟିର ଏକ ନାତୁଣୀବୋହୂ ଆସିଛି । ତା’ଠାରୁ ସେବା ଯତ୍ନ ପାଇବାରେ ତା’ର କୌଣସି ଅସୁବିଧା ନାହିଁ ।

 

ମାତ୍ର ସେଇ ବୋଉନାମ୍ନୀ ମହିଳାଟି ଯାହାର ହୃଦୟ ଯଶୋଦାର ହୃଦୟ ପରି ବରାବର କରୁଣା ମେଦୁର ହୋଇଉଠୁଥିଲା ନିଜ ପୁଅ ପାଇଁ, ଏବେ କିନ୍ତୁ ସେଇ ସ୍ନେହଧାର ଯେପରି ହଠାତ୍‌ ଶୁଖିଯାଇଛି । ସେଇ ଉଚ୍ଛଳ ଓ ବିମଳ ଫଲ୍‌ଗୁ ଯେପରି ବାଟବଣା ହୋଇ ଚାଲିଯାଇଛି ଆଉ ଏକ ଅଞ୍ଚଳକୁ ।

 

ଶ୍ରୀମନ୍ତ ଖୁବ୍‌ ନୀରବରେ ଲକ୍ଷ୍ୟ କରନ୍ତି ତାଙ୍କର ଗର୍ଭଧାରିଣୀ ଜନନୀକୁ ଗତ ଦୁଇବର୍ଷ ହେଲା । ଶ୍ରୀମନ୍ତ ଖାଇ ନ ଥିଲେ ତା’ର ବୋହୂଟିଏ ସେ ବ୍ୟସ୍ତ ବିକଳ କରିଦିଏ । ସାତ ତରକାରୀ ନଅ ଭଜା କରିବା ପାଇଁ ତା’ବୋହୂ ଉପରେ ସେ ପ୍ରଭାବ ପକାଏ ।

 

ମାତ୍ର ଏବେ ସେ ଚୁପଚାପ । ଶ୍ରୀମନ୍ତ ଖାଇଲେ କେତେ, ନ ଖାଇଲେ କେତେ ସେ ବୁଝେନାହିଁ । ଶ୍ରୀମନ୍ତ ସ୍ୱାସ୍ଥ୍ୟ ଗତ ଦୁଇବର୍ଷ ହେଲା କ୍ଷୀଣ ହୋଇଯାଉଛି କ୍ରମେ କ୍ରମେ । ଅଥଚ ଦିନେ ହେଲେ ସେ ପଚାରୁ ନାହିଁ ।

 

ସେଦିନ ଏକ ଦରକାରୀ କାର୍ଯ୍ୟରେ ଶ୍ରୀମନ୍ତ କଟକ ଯାଇଥିଲେ । ଘରକୁ ଫେରୁ ଫେରୁ ରାତି ବାରଟା । ସନ୍ଧ୍ୟା ୬ଟାରେ କଟକରୁ ବାହାରିଲାବେଳେ କଣ ଦୁଇଟା ଜଳଖିଆ ଖାଇଥିଲେ କେଉଁ ଏକ ହୋଟେଲରୁ । ବାସ୍‍ ! ଭୋକରେ ସେ ସେଦିନ ରାତିରେ ଆଉଟିପାଉଟି ହେଲେ ।

 

ଘରେ ପହଞ୍ଚି ସେ ଦାଣ୍ଡକବାଟରେ ଆଘାତ କଲେ ଓ ‘ବୋଉ, ବୋଉ’ ବୋଲି ଡାକ ଛାଡ଼ିଲେ । ଶ୍ରୀମନ୍ତ ବୋଉ ଶୁଅନ୍ତି ତାଙ୍କ ଘରର ପ୍ରଥମ ପ୍ରସ୍ତରେ; ପରିବାରର ଅନ୍ୟମାନେ ଶୋଉଥିଲେ ଭିତର ପ୍ରସ୍ତରେ । ଉପର ପ୍ରସ୍ତର ନିବୁଜ କାନ୍ଥମାନଙ୍କର ବହଳତା ଓ ପ୍ରଥମ ପ୍ରହରର ଘୋର ନିଦ୍ରାଜନିତ ଅବଶତା ଯୋଗୁଁ ଅନ୍ୟମାନଙ୍କର ନିଦ ଭାଜିବା କଷ୍ଟକର । ଶ୍ରୀମନ୍ତ ଡାକି ଡାକି ଥକିଗଲେ । ତଥାପି ତାଙ୍କ ବୋଉ ଉଠିଲା ନାହିଁ ।

 

ସେ ପୁଣି ବାଡ଼ିପଟକୁ ଧୀରେ ଧୀରେ ଯାଇ ତାଙ୍କ ବୋହୂ ଶୋଉଥିବା ଘରର ଝରକା କବାଟରେ ଆଘାତ କଲେ । ଅନେକ ସମୟ ପରେ କ୍ରମାଗତ ଡାକ ପରେ ତାଙ୍କ ବୋହୂ ଓ ସ୍ତ୍ରୀ ଏକା ସାଙ୍ଗରେ ଉଠିପଡ଼ି କବାଟ ଖୋଲିଲେ । ରାତି ସେତେବେଳକୁ ଗୋଟାଏ । କଟକରୁ ସେ ଆଜି ଫେରିବେ ନାହିଁ ବୋଲି ଭାବି ବୋହୂ ଓ ସ୍ତ୍ରୀ ତାଙ୍କ ପାଇଁ ଖାଇବାକୁ କିଛି ରଖି ନ ଥିଲେ ।

 

ଶ୍ରୀମନ୍ତ ଆଉ ଖାଇବାକୁ କହିଲେ ନାହିଁ । ତାଙ୍କ ବୋଉର ନୀରବ ଅସହଯୋଗ ତାଙ୍କୁ ଭୀଷଣ ଆଘାତ ଦେଲା । ଏକ ଦାରୁଣ କ୍ଷୁଧାରେ ସେ ପୀଡ଼ିତ ଥିଲେ ମଧ୍ୟ ଖାଇବା ପାଇଁ ସେ କୌଣସି ବ୍ୟଗ୍ରତା ଦେଖାଇଲେ ନାହିଁ । ସେ ଚୁପ୍‍ଚାପ୍‍ ଶୋଇବାକୁ ଗଲେ । ତାଙ୍କ ସ୍ତ୍ରୀ ଓ ବୋହୂ ତାଙ୍କୁ କିଛି ଖାଇବା ପାଇଁ ଯେତେ କହିଲେ ମଧ୍ୟ ସେ ଆଉ ଶୁଣିଲେ ନାହିଁ । ସେ ଶୋଇବାଘରକୁ ଚୁପଚାପ ଚାଲି ଗଲେ ।

 

ଶ୍ରୀମନ୍ତ ଖଟ ଉପରେ ଶୋଇ ଭାବିଚାଲିଲେ ତାଙ୍କର ବୋଉର ଅସ୍ୱାଭାବିକ ଅସହଯୋଗ ଓ ସ୍ନେହବଞ୍ଚିତ ନିଷ୍ଠୁରତା ସମ୍ପର୍କରେ । କାହିଁକି ତା’ର ଏ ପରିବର୍ତ୍ତନ ? ଜୀବନ ସାରା ସେ ଗୋଟାଏ ଜିଦ୍‌ ଉପରେ ଚାଲିଆସିଛି । ସେ ଯାହା କହିବ, ତଦନୁଯାୟୀ ସାରା ପରିବାର ଚଳିବାକୁ ମଧ୍ୟ । ତା’କଥା ପରିବାରର କେହି ନ ମାନିଲେ, ସେ ଏଇମିତି ରାଗେ ଓ ସମସ୍ତଙ୍କ ପ୍ରତି ନିଷ୍ଠୁର ହୋଇଉଠେ ।

 

ଶ୍ରୀମନ୍ତ ଭାବୁଥିଲେ.....ତାଙ୍କ ବୋଉ ଅନେକ ସମୟରେ ଭଲ କଥା କହେ । ଅନେକ ସମୟରେ ତା’ର ନିଜର ବଡ଼ପଣିଆ ରଖିବାପାଇଁ ପରିବାରର ସ୍ୱାର୍ଥ ବିରୁଦ୍ଧରେ ମଧ୍ୟ କାର୍ଯ୍ୟକରେ । ପୁଅ, ବୋହୂ, ନାତୁଣୀ ବୋହୂ, ନାତି ଓ ସ୍ୱାମୀ ସମସ୍ତେ ତା’ର ଅନୁଗତ ହୁଅନ୍ତୁ ବୋଲି ତାର ଏକାନ୍ତ ଇଚ୍ଛା । ମାତ୍ର ଏବେ ବଡ଼ ନାତିଟି ପ୍ରତି ଏକପାଖିଆ ଭାବରେ ଅତି ମାତ୍ରାରେ ସ୍ନେହପ୍ରବଣ ହୋଇଉଠିଛି ଓ ଏଇ ସ୍ନେହପ୍ରବଣତା ପାଇଁ ତା’ର ଶୈଶବଜୀବନର ପାଠପଢ଼ା ଧୂଳିସାତ୍‌ ହୋଇଯାଇଛି ।

 

ଶ୍ରୀମନ୍ତଙ୍କର ବଡ଼ପୁଅଟିକୁ ପାଠ ପଢ଼ାଇ ନ ଦେଇ ତା’ର ଜୀବନକୁ ନଷ୍ଟ କରିଦେଇଥିଲେ ମଧ୍ୟ, ତଥାପି ସେ ଅନୁତପ୍ତ ନୁହେଁ । ବିବାହ ପାଇଁ ତା’ର ବୟସ ହୋଇ ନ ଥିଲେ ମଧ୍ୟ ତା’ର ଜିଦ୍‌ ଓ ଶ୍ରୀମନ୍ତଙ୍କ ବାପା, ତାଙ୍କ ବୋଉ କଥାରେ ସବୁବେଳେ ଚାଲନ୍ତି ବୋଲି ବାପା ଓ ବୋଉ ଉଭୟଙ୍କ ଚାପ ଫଳରେ ସେ ତାକୁ ବିବାହ କରାଇ ଦେଇଥିଲେ । ଏବେ ସେ ଚାହେଁ, ସବୁ ପିଲାଙ୍କୁ ଅବହେଳା କରି ସେଇ ବଡ଼ ନାତିଟି ପ୍ରତି ଯାହା କିଛି କରିବାର କଥା, କରାଯାଉ ।

 

ଶ୍ରୀମନ୍ତଙ୍କ ଇଚ୍ଛା ନୁହେଁ, ପୁଅ ତାଙ୍କ ବୋଉ କଥାରେ ପରିଚାଳିତ ହେଉ ବୋଲି । ସେ ଖୁବ୍‌ ସଚେତନ ଯେ ବୋଉ ତାଙ୍କର ଜନ୍ମଦାତ୍ରୀ, ଗର୍ଭଧାରିଣୀ । ମାତ୍ର ତାଙ୍କର ବୋଉର ଯେଉଁସବୁ ସ୍ୱାର୍ଥଜନିତ ଦୁର୍ବଳତା ଅଛି, ତାହା ସବୁ ସେ ଜାଣିଥିଲେ । ନିଜର ସ୍ତ୍ରୀ ପ୍ରତି ନିଜ ବୋଉ ଯେପରି ନିର୍ଦ୍ଦୟ ଅବିଚାର କରେ, ତାହା ମଧ୍ୟ ସେ ଉପଲବ୍‌ଧି କରିଥିଲେ । ଏପରିକି ବେଳେ ବେଳେ ତାଙ୍କ ସ୍ତ୍ରୀକୁ ବୋଉ ଯେପରି ଅସଭ୍ୟ ବ୍ୟବହାର ଓ ବର୍ବରୋଚିତ ଗାଳିଗୁଲଜ କରେ, ତାହା ମଧ୍ୟ ବେଳେ ବେଳେ ସେ ନୀରବରେ ସହୁଥିଲେ । ମାତ୍ର ନାତିକୁ କେନ୍ଦ୍ର କରି, ବାପପୁଅ ଭିତରେ ଏପରିକି ତାଙ୍କ ସ୍ତ୍ରୀ ଓ ବୋହୂ ଭିତରେ ଗୋଟାଏ ମସ୍ତବଡ଼ ପାଚେରୀ ସୃଷ୍ଟି କରିବା ପାଇଁ ବୋଉ ତା’ର ଉଦ୍ୟମ ଆରମ୍ଭ କରିଦେଇଛି । ଏହାଦ୍ୱାରା ସମୁଦାୟ ପରିବାରର ଏକତା, ସ୍ୱାଭାବିକ ସମ୍ପର୍କ ଓ ମର୍ଯ୍ୟାଦା ଯେ ନଷ୍ଟ ହେଉଛି, ତାହା ସେଇ ବୋଉ ନାମ୍ନୀ ମହିଳାଟି ଉପଲବ୍‌ଧି କରିବାକୁ ଏକାନ୍ତ ଅକ୍ଷମ ।

 

ସେ କିପରି ବୁଝିବ ଏଇ ପୃଥିବୀର ବିଶାଳତାକୁ ? ଘରର ଚାରିକାନ୍ଥ ମଧ୍ୟରେ ରହି ସେ କିପରି କଳନା କରିପାରିବ ନିଜ ପୁଅର ଆହରିତ ସମ୍ମାନର ପରିଧିକୁ ? ସେ ଭାବୁଛି ଏଇମିତି କରି ତା’ର ପୁଅ ଓ ବୋହୂକୁ ଜବତ କରିଦେବ ଏବଂ ପୁଅ ତାଙ୍କର ସମସ୍ତ ଅର୍ଜିତ ପଇସା କାହାପାଇଁ କିଛି ନ ରଖି, ରୋଗବୈରାଗ୍ୟରେ ଘାଣ୍ଟି ଚକଟି ହୋଇ ନ ଖାଇ ନ ପିଇ ସେ ତାକୁ ଦେଇଦେବ ।

 

ଶ୍ରୀମନ୍ତ ଭାବୁଥିଲେ ଅଦ୍‍ଭୂତ ଏ ବୋଉ ! ଯାହାକୁ ସେ ଜନ୍ମ କରିଛି, ତାହାର ସେ ସୁଖ ଚାହୁନାହିଁ କିପରି ? ଏଇ ବୋଉପାଖରୁ ନିମିଷେ ଅନ୍ତର୍ଦ୍ଧାନ ହୋଇ ଯାଉଥିଲେ ସେ କେତେ ଡହଳ ବିକଳ ହେଉଥିଲା । ମାତ୍ର ଏବେ ସମୟର ଘୂର୍ଣ୍ଣନରେ ସେ ଯଶୋଦା ଆଜି ଯେପରି ପୁତନାରେ ପରିଣତ ହୋଇଛି । ସେଇ ଜନନୀର ହୃଦୟରୁ କ୍ଷରିତ ସମସ୍ତ ସ୍ନେହ ଓ କଲ୍ୟାଣର ବାରିଧାରା ଆଦି ଯେପରି ଶୁଷ୍କ ହୋଇଯାଇଛି ।

 

କ’ଣ ପାଇଁ ? କାହିଁକି ଶ୍ରୀମନ୍ତ କୌଣସି ସମାଧାନ ଖୋଜି ପାଇଲେ ନାହିଁ । ଏକ ପକ୍ଷରେ ସ୍ୱାର୍ଥକେନ୍ଦ୍ରିକ, ଅବିବେକୀ ଓ ଅବିଚାର ମନୋଭବାପନ୍ନ ମାଆର ଅସହଯୋଗ, ଅପର ପକ୍ଷରେ ତାଙ୍କର ଜନ୍ମଦାତ୍ରୀ ଗର୍ଭଧାରିଣୀ ମାଆ ! ପରିବାର ଭିତରେ ସୃଷ୍ଟି କରିଥିବା ଏକ ଅଶାନ୍ତ ଝଡ଼ ପାଇଁ ତାଙ୍କର ବୋଉ ସମ୍ପୂର୍ଣ୍ଣ ଦାୟୀ ହୋଇଥିଲେ ମଧ୍ୟ ତାକୁ କିପରି ସେ ବାଟରୁ ଫେରାଇ ଆଣିପାରିବେ । ଆଉ ତାଙ୍କର ବଡ଼ ପୁଅ ଯେ ପୂରାପୂରି ଏକ ନିର୍ବୋଧ ଓ ପୃଥିବୀର ଭଲମନ୍ଦ ସମ୍ପର୍କରେ ଯେ ସମ୍ପୂର୍ଣ୍ଣ ଅଜ୍ଞ, ଯେ ଯେପରି ବୋଉର ସୀମାହୀନ ଦୁର୍ବଳତାର ଶିକାର ହୋଇପଡ଼ିଛି, ତାକୁ ସେଥିରୁ ମୁକ୍ତ ନ କଲେ ସେ ଯେପରି ଶାନ୍ତି ପାଇବେ ନାହିଁ ।

 

ଶ୍ରୀମନ୍ତ ରାତିରେ ଭାବି ଭାବି ଅତିଷ୍ଠ ହୋଇପଡ଼ିଲେ । ତାଙ୍କୁ ନିଦ ହେଲା ନାହିଁ । ଯଶୋଦାର ସ୍ନେହ ରଙ୍କୁଣୀ ଜୀବନ ଆଜି ଯେପରି ପୁତନା ହୋଇ ଘରର ଚାରିପିଠି ତାଙ୍କୁ ଖୋଜିବୁଲୁଛି । ସେ ତା’ର ବିଷାକ୍ତ କ୍ଷୀରପାନରେ ଶ୍ରୀମନ୍ତ ଭଳି ଗୋଟାଏ ଶାନ୍ତ ନିଷ୍ପାପ ଶିଶୁକୁ ଯେପରି ସାରାଦିନ ପାଇଁ ଶେଷ କରିଦେବ ।

Image

 

ପୋଡ଼ା ବକୁଳର ଗନ୍ଧ

 

ଆଜି ଦୋଳପୂର୍ଣ୍ଣିମା । ଆମ୍ବ ତୋଟାରେ, ନଈକୂଳର ଫସଲରେ, ତାଳବଣିଆଁରେ ଓ ଗାଁର ସମସ୍ତ ଗଛ ପତ୍ରରେ ବସନ୍ତ ଝରୁଛି । ଅଥଚ ବଉଳମାଳା ଗାଁରେ ଏ ବସନ୍ତର ଝୁଲଣ ସତେ ଯେମିତି ଅନେକ ଦିନର ରହଣୀ ପରେ ଦେହଘଷା କୁଣିଆଁ ।

 

ନିଶିକାନ୍ତ ଖୁବ୍‌ ଭୋଓରୁ ଭୋଓରୁ ଉଠି ଚାଲିଲେ ଗାଆଁ ଦାଣ୍ଡେ ଦାଣ୍ଡେ ।

 

ସକାଳ ପବନରେ ବସନ୍ତର ସେଇ କୁହୁକ ଲଗା ସ୍ପର୍ଶ ।

 

ସେ ଅନେକ ବାଟ ଚାଲି ଚାଲି ଆସିଲେଣି । କିନ୍ତୁ ଗାଁର ବାୟୁମଣ୍ଡଳ ଆଜି ଯେପରି ନୀରବ ନିସ୍ତବ୍ଧ ।

 

ନିଶିକାନ୍ତଙ୍କର ମନେ ପଡ଼ିଲା ତେର ଚଉଦ ବର୍ଷ ତଳର କଥା । ସେ ସେତେବେଳେ କଲେଜରେ ପଢ଼ୁଥାନ୍ତି । ପ୍ରତି ଦୋଳଛୁଟିରେ ଆସନ୍ତି ଗାଁକୁ । ପୁନେଇଁର ତିନିଦିନ ଆଗରୁ ଗାଁରେ ଚାଲେ ରଙ୍ଗ ଖେଳ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ବୟସ ନିର୍ବିଶେଷରେ ରଙ୍ଗ ପିଚକାରୀ ଧରି ବାହାରି ପଡ଼ନ୍ତି ଗାଁ ଦାଣ୍ଡକୁ । ଘର ଘର ବୁଲି, ପ୍ରତି ଲୋକକୁ ରଙ୍ଗପାଣିରେ ରଙ୍ଗାୟିତ କରି ଅସୀମ ଉତ୍ସାହରେ ଫେରି ଆସନ୍ତି ପୁଣି ଘରକୁ ।

 

ସେମାନେ ସବୁ ଯେମିତି ବୁଝିଥିଲେ ବସନ୍ତକୁ । ବସନ୍ତ ଯେପରି ଗଛ ପତ୍ରରେ ଝରେ, ଗାଁର ସବୁ ଲୋକେ ବସନ୍ତର ଆଗମନୀରେ ଉନ୍ମାଦ ହୁଅନ୍ତି ମଧ୍ୟ ସେଇମିତି ।

 

ନିଶିକାନ୍ତ ଦୋଳ ପୂର୍ଣ୍ଣିମାର ଏଇ ଉଦାସ ସକାଳରେ ଚାଲି ଚାଲି ସମୁଦାୟ ଗାଁ ରାସ୍ତାକୁ ଶେଷ କରିବାକୁ ବସିଲେଣି; ଅଥଚ କେହି ଯେପରି ଆଜିର ଏ ବସନ୍ତ ପାଇଁ ସଜାଗ ନୁହଁନ୍ତି ।

 

ଗାଁର ସଡ଼କ ଦାଢ଼ରେ ବିନୋଦିନୀ ଭାଉଜଙ୍କ ଘର । କଲେଜରେ ପଢ଼ୁଥିବାବେଳେ, ଦୋଳ ସମୟରେ ବିନୋଦିନୀ ଭାଉଜଙ୍କ ଘର ଦେଇ ଯିବାକୁ ଭାରି ଭୟ ହୁଏ । କାରଣ ଭିନ୍ନ ଭିନ୍ନ ବିଚିତ୍ର ରଙ୍ଗ ପାଣିର କୁଣ୍ଡ ସେ ସଜାଡ଼ି ରଖିଥାନ୍ତି ଦାଣ୍ଡ ଦୁଆରେ । ତାଙ୍କର ଟାହିଟାପରା ଲୋକ କେହି ସେହି ବାଟ ଦେଇ ଅତିକ୍ରମ କରିବାର ସେ ଝରକା ଦେଇ ଦେଖିଲେ, ଆରମ୍ଭ ହୋଇଯାଏ ପିଚକାରୀର ଆକସ୍ମିକ ଝର ଝର ଆକ୍ରମଣ ।

 

ନିଶିକାନ୍ତ ସିଧା ସଡ଼କ ରାସ୍ତାରୁ ଗଡ଼ିଲେ ବିନୋଦିନୀ ଭାଉଜଙ୍କ ଘରକୁ ।

 

ବିନୋଦିନୀ ଭାଉଜଙ୍କ ଦୁଆରେ ସକାଳର ବସନ୍ତ ଛୋଟ ଶିଶୁଟିଏ ହୋଇ କୁଆଁ କୁଆଁ ଡାକୁଛି ।

 

ଦାଣ୍ଡ ଦୁଆରେ ନିଶିକାନ୍ତକୁ ଦେଖି ବିନୋଦିନୀ କହିଲେ, ଆଜି ଅନେକ ଦିନ ପରେ ତମେ ଆମ ଆଡ଼କୁ ଆସିଛ—ନିଶିକାନ୍ତ ! ସକାଳୁ ସକାଳୁ କଟକ ଯାଉଥିବା ବେଳେ ଇଆଡ଼େ ହୁଏତ ଭୁଲରେ ଗଡ଼ି ପଡ଼ିଛି !

 

ନିଶିକାନ୍ତ ଆଶ୍ଚର୍ଯ୍ୟ ହେଲା । ସକାଳର ବସନ୍ତ ଆଉ ହୁଏତ ଛୋଟ ଶିଶୁ ହୋଇ ନାହିଁ । ସେ ବୁଢ଼ା ପାଲଟି ଯାଇଛି ।

 

ବିନୋଦିନୀ ଭାଉଜ ମୁହଁରେ କଥା ନ କହି, ଆଜିପରି ଉତ୍ସବରେ ରଙ୍ଗ ପାଣିରେ କଥା କହିଥାନ୍ତେ । କାହିଁ ତାଙ୍କର ରଙ୍ଗପାଣିର କୁଣ୍ଡ ? ଭିନ୍ନ ଭିନ୍ନ ପ୍ରକାରର ପିଚକାରୀ ?

 

ନିଶିକାନ୍ତ ଦାଣ୍ଡ ବାରଣ୍ଡା ଉପରକୁ ଉଠିଗଲେ । ସକାଳର ଫର୍ଚା ଆଲୁଅରେ ଚାହିଁଲେ ତାଙ୍କୁ । ବିନୋଦିନୀ ଭାଉଜଙ୍କ ବହଳ କେଶଗୁଚ୍ଛ ମଧ୍ୟରେ ଗୋଟାଏ ଗୋଟାଏ ବାଳ ସ୍ପଷ୍ଟ ଭାବରେ ଧଳା ପଡ଼ି ଆସିଛି । ତାଙ୍କର ଚିକ୍‌ ଚିକ୍‌ ଦାନ୍ତ ଦୁଇ ପାଟି ପାନବୋଳର କ୍ରମାଗତ ଆକ୍ରମଣରେ କ୍ରମେ କ୍ରମେ କସରା ଓ ଖଇରିଆ ଧରି ଆସିଛି ।

 

ବିନୋଦିନିୀ କହିଲେ, ବସ ବସ ନିଶିକାନ୍ତ । ଏତେ ଦିନ ପରେ ତମକୁ ଦେଖିଲି । ଆଜି ମୋର ବଡ଼ ସୌଭାଗ୍ୟର ଦିନ ସତରେ ! ଆଉ ଜାଣିଲ, ତମ ଭାଇ ବି ଆସିଛନ୍ତି ଜାମସେଦପୁରରୁ-

 

ନିଶିକାନ୍ତ ବିନୋଦିନୀଙ୍କୁ ଚାହିଁ ରହିଲେ ଅବାକ୍‌ ହୋଇ ।

 

ବିନୋଦିନୀ କହିଲେ, ଭାଇଙ୍କୁ ତମର ପାରାଲିସିସ୍‌ । ବର୍ଷେ ହେଲା ଚାକିରୀରୁ ଅବସର ନେଇ ସେଠାରେ ଚିକିତ୍ସିତ ହେଲେ । କିନ୍ତୁ ଫଳ କିଛି ହେଲାନାହିଁ । ଏବେ ଯେଉଁଠି ବସୁଛନ୍ତି ସେଇଠି । ଚଳପ୍ରଚଳ କରିବାକୁ ତାଙ୍କର ସାମର୍ଥ୍ୟ ନାହିଁ । ଚାରି ମାସ ହେଲା ଗାଁକୁ ଆସିଲେଣି ।

 

ବିନୋଦିନୀ ଭାଉଜଙ୍କ କଣ୍ଠ ବେଦନାରେ ଭାଙ୍ଗି ଭାଙ୍ଗି ପଡ଼ୁଥିଲା ।

 

ସକାଳର ବସନ୍ତ ନିଶିକାନ୍ତଙ୍କ ଆଖିରେ ଏକ କ୍ଷତାକ୍ତ ବୃଦ୍ଧ ପରି ସତେ ଯେପରି ଠିଆ ହୋଇଗଲା ଓ ତା’ର କ୍ଷରିତ ରକ୍ତରେ ଦୋଳ ଉତ୍ସବର ସକାଳ ସତେ ଯେମିତି ରକ୍ତିମ ହୋଇଗଲା-

 

ତେର ଚଉଦ ବର୍ଷ ତଳର ବିନି ଭାଉଜ, ବସନ୍ତର ଯେ ଥିଲା ଏକ ଭାବମୂର୍ତ୍ତି; ଆଜି ସମୟର ସୁଅରେ ସେଇ ବିନୋଦିନୀ ଭାଉଜ ଏକ ରକ୍ତାକ୍ତ, କ୍ଷତାକ୍ତ ସ୍ଥାଣୁ ପ୍ରତିମା ।

 

ନିଶିକାନ୍ତ ଅସହାୟ ଭାବରେ ଛଟପଟ ହେଲେ ଏବଂ ବିନୋଦିନୀ ଭାଉଜଙ୍କର ସମସ୍ତ ସ୍ନେହ ଓ ମମତା, ଆଜି ଯେପରି ତାଙ୍କ ପକ୍ଷରେ ଏକ ଓଜନ୍‌ଦାର ଶୀତ ଲୁଗା ପରି ପ୍ରତୀୟମାନ ହେଲା । ସେ ସେଠାରୁ କିପରି ଚାଲି ଆସିବେ, ସେଇ କଥା ଚିନ୍ତା କରୁଥିଲେ ଏବଂ ସେଇ ଓଜନଦାର ଶୀତ ଲୁଗାଁକୁ ଫିଙ୍ଗି ଦେବାକୁ ଉଦ୍ୟମ କରୁଥିଲେ ।

 

ବିନୋଦିନୀ ଭାଉଜ ତାଙ୍କ ଘର ଭିତରକୁ ‘ଶୁଭୁନି କି ମ—ଶୁଭୁନି କି ମ’ କହି ଚାଲିଗଲେ ।

 

ନିଶିକାନ୍ତ ଆପଣାର ସମସ୍ତ ଶକ୍ତି ଠୁଳୀଭୂତ କରି ବିନୋଦିନୀ ଭାଉଜଙ୍କ ବାରଣ୍ଡା ଉପରୁ ତଳକୁ ଲମ୍ଫ ମାରିଲେ ଏବଂ ତା’ପରେ ଅତି ଦ୍ରୁତ ଗତିରେ ସଡ଼କ ଉପରକୁ ଧାଇଁ ପଳାଇ ଆସିଲେ ।

 

ବସନ୍ତର ସୂର୍ଯ୍ୟ ଉଠୁଛି ବଉଳମାଳା ଗାଁର ନୀଳ ଆକାଶର ବୁକୁ ବିଦାରି ।

 

ନିଶିକାନ୍ତ ସିଧା ସଡ଼କରେ ନ ଯାଇ, ଏକ ଚଲା ରାସ୍ତାରେ ନଈ କୂଳ ଆଡ଼କୁ ଚାଲିଲେ-

 

ଏଇ ଶଙ୍ଖ ନଦୀ । ବୈତରଣୀର ବିଶାଳ ବୁକୁ ଭିତରୁ କେଉଁଠି ଟିକିଏ ସାମାନ୍ୟ ଇସାରା ପାଇ ସୃଷ୍ଟି ହୋଇଯାଇଛି ଏଇ ଛୋଟ ନଈ । ନିତାନ୍ତ ଅଣଓସାରିଆ ପୁଣି ଅଗଭୀର । ଅଥଚ ଚତୁର୍ମାସ୍ୟା ଏଇ ଛୋଟ ନଈଟିର ଛାତି ଫୁଲିଉଠେ ଅସମ୍ଭବ ଭାବରେ ।

 

ଆଜି ଫଗୁଣର ଏଇ ଶଙ୍ଖ ନଦୀ ଶୁଖିଲା । ଶଙ୍ଖ ନଦୀର ଏଇ ଯେ କଲରା ଗଣ୍ଡ, ସେହିଠାରେ ଦେଖାଯାଉଛି ନୀଳ ନୀଳ ପାଣିର ଏକ ରିଜରଭର ।

 

ନିଶିକାନ୍ତ ଚାଲିଲେ ସେଇଆଡ଼େ ।

 

ଚଉଦ ପନ୍ଦର ବର୍ଷ ତଳେ, ଫଗୁଣର ଏଇ ନଈରେ କଲରା ଗଣ୍ଡରେ ପାଣି ରହୁଥିଲା ଅକାତକାତ । ଅଥଚ ସମୟର ଅସୁମାରୀ ବୋଲି ଝଡ଼ରେ କଲରା ଗଣ୍ଡର ସେଇ କଳା ଭଅଁରିଆ ଅକାତକାତ ଜଳ ଆଜି ନୀଳ ନୀଳ ପାଲଟି ଯାଇଛି ଏବଂ ଅତି ବେଶୀ ହେଲେ ଛାତିଏ ବେକେ ପାଣିରୁ ବେଶୀ ହେବନାହିଁ । ଗଣ୍ଡର ଗଭୀରତା ପୋତି ହୋଇଯାଇଛି ଠିକ୍‌ ବିନୋଦିନୀ ଭାଉଜଙ୍କ ଦେହରେ ବସନ୍ତ ଆତ୍ମହତ୍ୟା କଲାପରି ।

 

ନିଶିକାନ୍ତ ତଥାପି ସେଇ କଲରା ଗଣ୍ଡରେ ପଡ଼ିଥିବା ଏକ ପଥର ଖଣ୍ଡ ଉପରେ ବସି ପଡ଼ିଲେ ।

 

ତାଙ୍କର ଚେତନାରେ ପ୍ରତିଫଳିତ ହେଲା ଅନେକ ଦିନର ସ୍ମୃତି । ରଙ୍ଗ ଖେଳି ଖେଳି, ସାରା ଦେହକୁ ବିଚିତ୍ର ବର୍ଣ୍ଣରେ ରଞ୍ଜିତ କରି, ଗାଆଁର ପୁରୁଷ, ସ୍ତ୍ରୀ ଓ ଝିଅମାନେ ଆସୁଥିଲେ ଏଇ କଲରା ଗଣ୍ଡକୁ । କଲରା ଗଣ୍ଡର କଳା ଭଅଁରିଆ ଜଳରେ ଦେହୁ ରଙ୍ଗ ଛଡ଼ାଇ ସେମାନେ ଫେରୁଥିଲେ ଓ ରାତିରେ ଗୋପୀନାଥଙ୍କ ମେଲଣରେ ଅବିର ମାଖି ହୋଇ ବସନ୍ତର ନୂଆ ସ୍ପର୍ଶରେ ଆପଣାକୁ ହଜାଇ ଦେଉଥିଲେ ।

 

ନିଶିକାନ୍ତ ଆଉ କିଛି ଭାବି ପାରିଲେ ନାହିଁ । ଚଉଦ ପନ୍ଦର ବର୍ଷ ତଳର ଗାଁ, ଆଜି ସଭ୍ୟତା ଓ ସଂସ୍କୃତିରେ ବଢ଼ି କୁଢ଼ି ବେଶ ଗୋଟାଏ ଅପରିଚିତ ଭଦ୍ରଲୋକ ହୋଇ ଯାଇଛି । ତାହାର ସମସ୍ତ ସହୃଦୟତା ଓ ଆନ୍ତରିକତାକୁ ସ୍ୱାର୍ଥାନ୍ୱେଷୀ ବିକାଶର ରାକ୍ଷସ ସତେ ଯେପରି ଲୁଟ୍‍ କରି ନେଇଛି ।

 

ନିଶିକାନ୍ତ ଗଭୀର ବେଦନାରେ ଭାଙ୍ଗି ପଡ଼ୁଥିଲେ । ଚଉଦ ବର୍ଷ ତଳର ଗାଁ—ତା’ର ଦୋଳ ଉତ୍ସବ, ରଙ୍ଗ ପିଚକାରୀ, ବିନି ଭାଉଜ, ଶଙ୍ଖ ନଦୀର କଲରା ଗଣ୍ଡ, ତାଙ୍କ ପକ୍ଷରେ ସବୁ ଯେପରି ସ୍ମୃତି ଓ ସ୍ୱପ୍ନ !

 

ନିଶିକାନ୍ତ କଲରା ଗଣ୍ଡରୁ ଉଠିଲେ ଏବଂ ନଈ ବାଲିରେ ଚାଲି ଚାଲି ନଦୀ ଆର ପଟେ ଥିବା ତୋଟାକୁ ଗଲେ ।

 

ଶୈଶବ ଓ ପ୍ରଥମ ଯୌବନର ଏଇ ଆମ୍ବ ତୋଟା ଆହା କେଡ଼େ ଛାୟାଶୀତଳ ! ବୈଶାଖର କେତେ ଉଦୁଉଦିଆ ଦ୍ୱିପ୍ରହର ଏଇ ଆମ୍ବ ବଗିଚାରେ ନିଶିକାନ୍ତ କେତେ ଆମ୍ବ ଗୋଟାଇଛନ୍ତି ! କେତେ କଷିଆମ୍ବର ଲସି ଲାଗି ତାଙ୍କ ତୁଣ୍ଡରେ ଘା’ ହୋଇଛି । ଆଜି ଦୋଳ ପୁନେଇଁର ସକାଳରେ ଏଇଠି ଟିକିଏ ବସିଗଲେ କ୍ରମବର୍ଦ୍ଧିଷ୍ଣୁ ମାନସିକ ଯନ୍ତ୍ରଣା ହୁଏତ ଟିକିଏ ଲାଘବ ହେବ ।

 

ଚଉଦ ପନ୍ଦର ବର୍ଷ ତଳେ ଏଇ ଆମ୍ବ ବିଗଚା ଥିଲା କେଡ଼େ ଗହଳ ! ଆଜି କିନ୍ତୁ ଏ କ’ଣ ? ବଗିଚା ଭିତରେ ବେଶ୍‌ ଫାଙ୍କ । ବୈଶାଖର ପ୍ରଚଣ୍ଡ ସୂର୍ଯ୍ୟକିରଣ ଆମ୍ବ ବଗିଚାର ବହଳ ପତ୍ର ବିସ୍ତାର ମଧ୍ୟରେ ଯେଉଁଠି ପରାଜିତ ହୋଇଥିଲା, ଆଜି ଫାଲଗୁନର ମୁଲାୟମ ସକାଳର ସୂର୍ଯ୍ୟର ଶୀତଳ କିରଣ ବଗିଚାର ଅନେକ ସ୍ଥାନରେ ବିଛୁରି ପଡ଼ିଛି ।

 

ନିଶିକାନ୍ତ ନିରୀକ୍ଷଣ କଲେ ତାଙ୍କର ଶୈଶବର ଆମ୍ବ ତୋଟାକୁ । ଏଇ ତୋଟାଟି ଆହା ଆୟତନରେ କେତେ ଛୋଟ ହୋଇଯାଇଛି ! ବିଶାଳ ଗଛମାନ ଅଦୃଶ । ଛୋଟ ଛୋଟ କୃଶକାୟୂ ଗଛମାନଙ୍କରେ ଅଳ୍ପ ଅଳ୍ପ ବଉଳର କୁର୍ଣ୍ଣିସ୍‌ । ଆଉ ଅନେକ ଗଛ, ପତ୍ର ଓ ବଉଳର ଅଭାବରେ ଅତି ଶୋଚନୀୟ ଭାବରେ ଦେଖଯାଉଛି ରୁକ୍ଷ ଓ ଲକ୍ଷ୍ମୀଛଡ଼ା ।

 

ନିଶିକାନ୍ତ ବସିପଡ଼ିଲେ ଗୋଟିଏ ଗଛ ମୂଳେ । ସେ ଅନୁଭବ କଲେ ତାଙ୍କ ମନର ବସନ୍ତ ଆତ୍ମହତ୍ୟା କରିଛି ବିନି ଭାଉଜଙ୍କ ପକ୍ୱକେଶ ରାଶି ମଧ୍ୟରେ, ଶଙ୍ଖ ନଦୀର କଲରା ଗଣ୍ଡରେ, ଆମ୍ବ ତୋଟାର ରୁକ୍ଷ ଓ ଲଙ୍ଗଳା ଗଛରେ ରୁଗ୍‌ଣ ଡାଳମାନଙ୍କ ମଧ୍ୟରେ ।

 

ନିଶିକାନ୍ତ ଅନୁଭବ କଲେ, ସେ ଯେପରି ମରି ଯାଇଛନ୍ତି । ମରିଯାଇଛି ତାଙ୍କର ଶୈଶବ, ଆଦ୍ୟ ଯୌବନର ଆବେଗ ସମସ୍ତ ଆବେଗ ଓ ବଉଳମାଳା ଗାଆଁର ସ୍ୱାଭାବିକ ଉତ୍‌ଫୁଲ୍ଲିତ ଜୀବନ । ମରିଯାଇଛି ବସନ୍ତ ଓ ଦୋଳଯାତ୍ରା, ଆଜି ଯେପରି ଏହା ଏକ ପ୍ରାଣହୀନ ଭୟାବହ ଶ୍ମଶାନ ।

 

ନିଶିକାନ୍ତ ଦୁଇ ଆଣ୍ଠୁରେ ଦୁଇ ହାତ ଗୁଡ଼ାଇ ଗୁମ୍‌ ହୋଇ ବସିପଡ଼ିଲେ ।

 

ଆମ୍ବ ତୋଟାରେ ବସୁ ବସୁ ଶୋଇ ପଡ଼ିଲେ କିଛି ସମୟ ନିଶିକାନ୍ତ ।

 

ନିଦ ଭାଜିଲା ପରେ ସେ ହାତ ଘଣ୍ଟାକୁ ଚାହିଁଲେ । ଏଗାଁରଟା ପଞ୍ଚତ୍ରିଶ, ତା ପରେ ସେ ଅନାଇଲେ ସେଇ ଆମ୍ବ ତୋଟାକୁ । ଚାରିଆଡ଼େ ଶୂନ୍ୟତା, ଶୂନ୍ୟତା । କାହାରି ସ୍ୱର ଶବ୍ଦ ନାହିଁ ।

 

ନିଶିକାନ୍ତଙ୍କୁ କେଜାଣି କେମିତି ଡର ଡର ଲାଗିଲା । ସେ ଆଖି ମଳି ମଳି ଆମ୍ବ ତୋଟାରୁ ଚାଲିଆଓିଲେ ନଈ ଭିତରକୁ ।

 

ନଈ ପାରି ହୋଇ ଗାଁ । ରାସ୍ତା ଧରିଲେ ।

 

ନିଶିକାନ୍ତଙ୍କ ଚେତନାରୁ ଦୋଳ ଉତ୍ସବର କୋଳାହଳ ଏବେସୁଦ୍ଧା ଥମିନାହିଁ ।

 

ଏଇତ ଗ୍ରାମ ଦେବତୀଙ୍କ ମଣ୍ଡପ । ଠିକ୍‌ ଏତିକିବେଳେ ଗାଆଁର ଗୋପାଳମାନେ ଭାର କାନ୍ଧେଇ ଏଇଠାରେ ରୁଣ୍ଡ ହୁଅନ୍ତି । ପୂଜା ପାଠ ଚାଲେ, ତା’ପରେ ସେମାନେ ଚାଲନ୍ତି ନଈକୁ କଳସ ବୁଡ଼ାଇବାକୁ । ଶଙ୍ଖ, ସିଙ୍ଗା ଧ୍ୱନି ଆହା ! ଏବେ ସୁଦ୍ଧା ଶିଭିଯାଉଛି କାନ ଭିତରେ ।

 

ସେମାନେ ଚାଲୁଥିବେ, ପୁଣି ରହିଯାଉଥିବେ । ସେମାନଙ୍କ ବେହେରା ବାଟ ଆଗୁଳିବେ-। କେତେ କେତେ ଗୀତ ଓ କେତେ ଅଭିନୟ ! ନନ୍ଦ ପୁଅ କୃଷ୍ଣର କେତେ ଗୁଣ କୀର୍ତ୍ତନ-! ଦହି, ଦୁଧ ଓ ଲହୁଣୀ ଚୋର ବାଳୁତ କୃଷ୍ଣର କେତେ କୌତୁହଳୋଦ୍ଦୀପକ ଅଥଚ ରୋମାଞ୍ଚକର କାହାଣୀ ! ପୁତନା କୋଳରେ ଶୋଇ ସ୍ତନ ପାନ କରିବାର ଶିଶୁ ସୁଲଭ କେତେ ଉତ୍କଣ୍ଠା-!

 

କାହାନ୍ତି ସେଇ ଗୋପାଳକୁଳ ? କାହିଁ ସେମାନଙ୍କର ସେଇ ପାରମ୍ପରିକ ଗୀତ ଆବୃତ୍ତି-? କାହିଁ ସେମାନଙ୍କର ଦୁଧ, ଦହି ଓ ଘିଅ ଭାଣ୍ଡର ସଜ୍ଜୀକୃତ ଠେକି ? କାହିଁ ସେମାନଙ୍କର ଶିକା ଓ ବାଉଁଗୀ ?

 

ସଭ୍ୟତା ଓ ଗ୍ରାମ୍ୟବିକାଶର ନଈବଢ଼ିରେ, ଗୋପଳ କୁଳର ସେଇ ପାରମ୍ପରିକତା ହୁଏତ ଧୋଇ ହୋଇ ଯାଇଛି । ଯେଉଁ ବିକାଶର ରାକ୍ଷସ ବଉଳମାଳାର ଆନନ୍ଦ ଓ ବସନ୍ତକୁ ଟିକି ଟିକି କରି ଲୁଟି ନେଇଛି, ତାହାରି କବଳରେ ଗୋପାଳ କୁଳର ପାରମ୍ପରିକ ସୌନ୍ଦର୍ଯ୍ୟ ପଡ଼ି ଛାରଖାର ହୋଇଯାଇଛି । ତେଣୁ ଗ୍ରାମଦେବତୀ ମଣ୍ଡପ ଆଜି ଶୂନଶାନ୍‌, ପରିତ୍ୟକ୍ତ ଓ କୋଳାହଳଶୂନ୍ୟ ।

 

ନିଶିକାନ୍ତ ଅନାଇଲେ ଆକାଶକୁ, ସୂର୍ଯ୍ୟ ଖୁବ୍‌ ପ୍ରଚଣ୍ଡ ।

 

ଖୁବ୍‌ ଭୋଓରୁ ସେ ଘରୁ ବାହାରିଛନ୍ତି । ଏ ପର୍ଯ୍ୟନ୍ତ କିଛି ଖାଇନାହାନ୍ତି । ଭୋକ ଲାଗିଲାଣି ଜୋରରେ । ତାଙ୍କର ସ୍ତ୍ରୀ ନାମକ ଯେଉଁ ନାରୀଟି ଅଛି । ସେ କିନ୍ତୁ ଗାଁ ଠାରୁ ବହୁ ଦୂରରେ । ପୁଅ ଏବଂ ଝିଅ ମଧ୍ୟ ଦୁଇଟି ଅଛନ୍ତି । ସେମାନେ ସେମାନଙ୍କ ମାଆଙ୍କ ପାଖରେ । କାରଣ ଗାଁକୁ ଆସିବାକୁ ଯେହେତୁ ସ୍ତ୍ରୀ ନାମଧେୟା ନାରୀଟିର ଆଦୌ ଇଚ୍ଛା ନାହିଁ, ସେହେତୁ ଛୋଟ ଛୋଟ ପିଲା ଦୁଇଟି ମଧ୍ୟ ରହିଗଲେ ତାଙ୍କ ପାଖରେ । ସେ ଆସିଥିଲେ ଏକାକୀ ଅନେକ ଦିନ ପରେ ଗାଁକୁ ଦୋଳଯାତ୍ରା ଉପଭୋଗ କରିବା ଲାଗି ।

 

ତାଙ୍କୁ ଚାହିଁ ଚାହିଁ, ତାଙ୍କର ଷାଠିଏ ବର୍ଷ ବୟସର ବିଧବା ଖୁଡ଼ିଟି, ଯିଏ ନିଶିକାନ୍ତଙ୍କ ପରିବାରର ଏକମାତ୍ର ମୁକ ସାକ୍ଷୀ ହୋଇ ଭିଟାମାଟି ଜଗି ପଡ଼ିରହିଛି, ବିଚାରୀ ବ୍ୟସ୍ତ ହେଉଥିବ ।

 

ହୁଏତ ପାଖରେ କେହି ତା’ର ଥିଲେ ଶୋଚନା ନ ଥାନ୍ତା । ଆଉ ରହିବ ଅବା କିଏ ? ତିନିଭାଇ ଘର ଛାଡ଼ି ଓଡ଼ିଶାର କେଉଁ କେଉଁ ଦୂରାନ୍ତ ଅଞ୍ଚଳରେ ପିଲା-ପିଲିଙ୍କୁ ଧରି ରହିଛନ୍ତି । ଦୁଇ ବର୍ଷରେ ଏଇମିତି ପର୍ବପର୍ବାଣୀରେ ଆସି ସେମାନେ ଚାଲିଯାଆନ୍ତି ସେଇସବୁ ଚାକିରି ସ୍ଥାନମାନଙ୍କୁ-। ବିଚରା ବିଧବା ବୁଢ଼ୀଟି, ଯିଏ ତାଙ୍କର ଖୁଡ଼ୀ ଓ ଯାହାର ପୁଅ, ଝିଅ କିଛି ନାହିଁ, ସେଇ ହେଉଛି ତାଙ୍କ ପରିବାରର ଏକମାତ୍ର ଜୀବନ୍ତ ଓ ଚଳମାନ ବିଗ୍ରହ ଏଇ ବଉଳମାଳା ଗାଁରେ ।

 

ନିଶିକାନ୍ତଙ୍କୁ ଭୋକ ଲାଗିଲାଣି ଜୋରରେ । ଖରା ତାତିରେ ତାଙ୍କର ମୁଣ୍ଡ ତାତି ଉଠୁଥିଲା ଭୀଷଣ । ତାଙ୍କର ମନେ ହେଲା ଅନେକ ବର୍ଷ ପରେ ଖରାର ଏଇ ତାତିକୁ ସେ ଆଜି ଅନୁଭବ କରିପାରୁଛନ୍ତି ଓ ତା’ମଧ୍ୟରେ ବିନି ଭାଉଜ, କଲରାଗଛ ଆମ୍ବତୋଟା ଓ ଗ୍ରାମ ଦେବତୀଙ୍କ ମଣ୍ଡପ ସବୁ ଯେପରି ପୋଡ଼ି ଯାଉଛି ଓ ଜଳି ଯାଉଛି । ତା’ସହିତ ଜଳିଯାଉଛନ୍ତି ରଙ୍ଗ ପିଚକାରୀ, ଆମ୍ବ ବଉଳ, ଓ ଫଗୁଣ ପୋଡ଼ି ଯାଉଛି ବସନ୍ତ ଉତ୍ସବ, ସେ ନିଜେ ଓ ବଉଳମାଳାର ପ୍ରତ୍ୟେକ ଧୂଳି ମାଟି ।

Image